Wednesday, November 13, 2024
Homeଖବରଲୋକପ୍ରିୟତା ସାଉଁଟୁଛନ୍ତି ନୂଆ ମୁଖ୍ୟମନ୍ତ୍ରୀ

ଲୋକପ୍ରିୟତା ସାଉଁଟୁଛନ୍ତି ନୂଆ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରବିବାର ଦିନ ମଧ୍ୟ ବିଶ୍ରାମ ନେଇନାହାନ୍ତି। ରାଜ୍ୟରେ ସରକାର ଗଢ଼ିବାର ୫ମ ଦିନ ରବିବାର ଥିଲେ ମଧ୍ୟ ସାଧାରଣ ଜନତାଙ୍କ ସହିତ ଦେଖାସାକ୍ଷାତ କରିଛନ୍ତି। ଲୋକଙ୍କର ଅସୁବିଧା ସଂପର୍କରେ ଅବଗତ ହୋଇଛନ୍ତି। ମୁଖ୍ୟମନ୍ତ୍ରୀ ରବିବାର ଦିନ ଗୁରୁତର ରୋଗରେ ପୀଡ଼ିତ ଭଦ୍ରକ ଜିଲ୍ଲାର ନାବାଳକ ବାବୁଲି ବାରିକଙ୍କୁ ତୁରନ୍ତ ଚିକିତ୍ସା ସହାୟତା ଯୋଗାଇଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ସାମାଜିକ ଗଣମାଧ୍ୟମରୁ ସୂଚନା ପାଇଁ ସେ ଏଭଳି ପଦକ୍ଷେପ ନେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୩୦ ହଜାର ଟଙ୍କାର ସହାୟତା ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।

ସେହିପରି ମୁଖ୍ୟମନ୍ତ୍ରୀ କହିଛନ୍ତି, ସାମ୍ବାଦିକମାନଙ୍କ ସମସ୍ୟା ନେଇ ମୁଁ ବ୍ୟକ୍ତିଗତ ଭାବେ ଅବଗତ ଅଛି ବୋଲି କହିଛନ୍ତି। କୁହାଯାଉଛି ଯେ, ମୁଖ୍ୟମନ୍ତ୍ରୀ ୫ ଦିନରେ ପ୍ରାୟ ଲକ୍ଷେ ଲୋକଙ୍କୁ ଭେଟି ସେମାନଙ୍କର ସୁବିଧା-ଅସୁବିଧା ସଂପର୍କରେ ଅବଗତ ହୋଇସାରିଛନ୍ତି। ସେ ଯଦି ଏହିଭଳି ଧାରା ଜାରି ରଖନ୍ତି, ତା’ହେଲେ ଦଳ ଆଗକୁ ବଢ଼ିବା ଏକପ୍ରକାର ସୁନିଶ୍ଚିତ। କିନ୍ତୁ ଦଳକୁ ମଜବୁତ କରିବାକୁ ହେଲେ, ମନ୍ତ୍ରୀ ଓ ବିଧାୟକମାନଙ୍କୁ ମଧ୍ୟ କାମ କରିବାକୁ ପଡ଼ିବ। ସର୍ବୋପରି ତୃଣମୂଳ ସ୍ତରରେ ଥିବା ଦଳୀୟ କର୍ମୀମାନେ ସରକାରୀ ଯୋଜନାରେ ଯେପରି ବାଟମାରଣା ନହେବ ତଥା ହିତାଧିକାରୀଙ୍କ ପାଖରେ ସୁରୁଖୁରୁରେ ପହଞ୍ଚିବ, ସେଦିଗରେ କାମ କରିବାକୁ ହେବ। ଯଦି ଏହା ନହୁଏ, ତା’ହେଲେ ସାଧାରଣ ନିର୍ବାଚନ-୨୦୨୪ରେ ବିଜେପିର ଅବସ୍ଥା ଉତ୍ତରପ୍ରଦେଶରେ ଯାହା ହେଲା, ଅନୁରୂପ ଭାବେ ୨୦୨୯ ବିଧାନସଭା ଓଡ଼ିଶାରେ ସମାନ ଅବସ୍ଥା ହେବା ବଡ଼ କଥା ନୁହେଁ।  

ମୁଖ୍ୟମନ୍ତ୍ରୀଙ୍କୁ ଭେଟୁଛନ୍ତି ଜନତା

ମୁଖ୍ୟମନ୍ତ୍ରୀଙ୍କ ପାଇଁ ସ୍ବତନ୍ତ୍ର ନିବାସ ନାହିଁ। ତେଣୁ ରାଜ୍ୟ ଅତିଥି ଭବନ ନୂଆ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ପାଇଁ ଠିକଣା ପାଲଟିଛି। ଏଠାରେ ସେ ସାଧାରଣ ଲୋକଙ୍କୁ ଭେଟୁଛନ୍ତି। ସାଧାରଣ ଲୋକେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଶୁଭେଚ୍ଛା ଜଣାଉଛନ୍ତି। ଜନତା ଖୁସି ରହିବାର କାରଣ ହେଲା ଯେ, ପୂର୍ବତନ ମୁଖ୍ୟମନ୍ତ୍ରୀ ଲଗାତାର ୨୪ ବର୍ଷ ଶାସନରେ ରହିଲା ପରେ ମଧ୍ୟ ସେ ଲୋକଙ୍କ ପାଖକୁ ଯାଉ ନଥିଲେ। କଡ଼ା ସୁରକ୍ଷା ମଧ୍ୟରେ ରହୁଥିଲେ। ଏପରିକି ନିଜ ଦଳର ମନ୍ତ୍ରୀ ଓ ବିଧାୟକଙ୍କୁ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପାଇଁ ବର୍ଷ ବର୍ଷ ଲାଗିଯାଉଥିଲା। ତାହା ପୁଣି ତାଙ୍କର ବ୍ୟକ୍ତିଗତ ସଚିବ ସହମତି ହେଲା ପରେ ଯାଇ। ରାଜ୍ୟରେ ଏବେ ରାଜନୈତିକ ଚିନ୍ତାଧାରା ପରିବର୍ତ୍ତନ ହେଲା ଭଳି ଲାଗୁଛି। ତେଣୁ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପାଇଁ ଶତାଧିକ ଲୋକ ଲମ୍ବା ଲାଇନ ଲଗାଉଛନ୍ତି। ଦୀର୍ଘ ୨୪ ବଷ ପରେ ଓଡ଼ିଶାର ଜନତା ମୁଖ୍ୟମନ୍ତ୍ରୀଙ୍କୁ ସିଧାସଳଖ ଭେଟି ଆଲୋଚନା କରିଥିବାରୁ ଖୁସି ଅନୁଭବ କରୁଛନ୍ତି।

ଆକ୍ସନ ମୁଡ଼ରେ ମୁଖ୍ୟମନ୍ତ୍ରୀ

ମୋହନ ମାଝୀ ଗତ ୧୨ ତାରିଖ ଦିନ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ। ଶପଥ ନେବାର ଅଳ୍ପ କିଛି ସମୟ ପରେ କ୍ୟାବିନେଟ ବୈଠକ କରିଥିଲେ। ପ୍ରଥମ ବୈଠକରେ ୪ଟି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଥିଲେ। ପ୍ରଥମ ଦୁଇଟି ହେଲା ଶ୍ରୀମନ୍ଦିର ଚାରିଦ୍ବାର ଖୋଲିବା ଓ ମନ୍ଦିର ରକ୍ଷଣାବେକ୍ଷଣ ପାଇଁ ୫୦୦ କୋଟିର କର୍ପସ ପାଣ୍ଠି ରଖିବା। ଶେଷ ୨ଟି ନିଷ୍ପତ୍ତି ହେଲା ମହିଳା ଓ କୃଷକଙ୍କୁ ସଶକ୍ତୀକରଣ କରିବା। ରବିବାର ଦିନ ମୁଖ୍ୟମନ୍ତ୍ରୀ ଜଟିଳ ସ୍ନାୟୁଗତ ରୋଗରେ ପୀଡ଼ିତ ଥିବା ଭଦ୍ରକ ଜିଲ୍ଲା ମାଧପୁର ଗାଁର ୧୪ ବର୍ଷର ବାଳକ ବାବୁଲି ବାରିକଙ୍କ ଚିକିତ୍ସା ପାଇଁ ସହାୟତାର ହାତ ବଢ଼ାଇଛନ୍ତି। ଭଦ୍ରକ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ପରେ ତତ୍ପର ହୋଇଛି ପ୍ରଶାସନ। ଗାଁରେ ପହଞ୍ଚି ବାବୁଲିଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଯାଞ୍ଚ କରିଥିବା ଜଣାପଡ଼ିଛି। ଗରିବ ପରିବାର ହୋଇଥିବାରୁ ତଥା ଅର୍ଥ ଅଭାବରୁ ବାବୁଲିଙ୍କର ଚିକିତ୍ସା ହୋଇପାରୁ ନଥିଲା।

ସାମ୍ବାଦିକଙ୍କୁ ଶୁଣିବେ ମୋହନ!

ନୂଆ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ରାଜ୍ୟର ସବୁ ବର୍ଗର ଲୋକେ ଭେଟୁଛନ୍ତି। ସାଧାରଣ ଜନତାଙ୍କୁ ଭେଟି ମୁଖ୍ୟମନ୍ତ୍ରୀ ଭାରି ଖୁସି ଅନୁଭବ ଅଛି ବୋଲି କହୁଛନ୍ତି। ଲୋକଙ୍କର ସମସ୍ୟାର ସମାଧାନ କରିବି ବୋଲି ମଧ୍ୟ ପ୍ରତିଶ୍ରୁତି ଦେଉଛନ୍ତି। ଏହି କ୍ରମରେ ରବିବାର ସାମ୍ବାଦିକମାନେ ଯେତେବେଝଳେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିଲେ, ସେ ନିଜ ଆଡ଼ୁ କହିଥିଲେ ସମସ୍ୟା ନେଇ ମୁଁ  ଅବଗତ ଅଛି। ଗତ ଫେବ୍ରୁଆରି ମାସରେ ଲୋୟର ପିଏମଜି ଠାରେ ଆୟୋଜିତ ସଂଘର ଧାରଣା ସ୍ଥଳରେ ଯୋଗଦେବା ଅବସରରେ ମୁ ସମସ୍ତ ବିଷୟରେ ଅବଗତ ହୋଇଥିଲି। ସରକାର ସାମ୍ବାଦିକମାନଙ୍କ ସମସ୍ୟା ନେଇ ସମ୍ବେଦନଶୀଳ ଅଛନ୍ତି। ଖୁବଶୀଘ୍ର ଆଲୋଚନା ମାଧ୍ୟମରେ ସମସ୍ତ ସମସ୍ୟାର ସମାଧାନ କରାଯିବ। ଅନ୍ୟ ୧୭ଟି ରାଜ୍ୟ ପରି ସାମ୍ବାଦିକମାନଙ୍କୁ ପେନସନ ପ୍ରଦାନ, ରାଜ୍ୟରେ ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ ଅଧିସ୍ବୀକୃତି କମିଟିର ପୁନର୍ଗଠନ, ପ୍ରଚଳିତ ସାମ୍ବାଦିକଙ୍କ ସ୍ବାସ୍ଥ୍ୟବୀମା ଯୋଜନାରେ ପିତା ମାତାଙ୍କ ସହ ୨୫ ବର୍ଷରୁ ଊର୍ଦ୍ଧ୍ବ ନିର୍ଭରଶୀଳ ସନ୍ତାନମାନଙ୍କୁ ସାମିଲ ଆଦି ୬ଦଫାର ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments