Wednesday, November 13, 2024
Homeଖବରଦୂର ହେଲା ସମ୍ଭାବିତ ଭୟ

ଦୂର ହେଲା ସମ୍ଭାବିତ ଭୟ

ଭୁବନେଶ୍ବର: ଦୀର୍ଘ ୪୫ ବର୍ଷର ବ୍ୟବଧାନ ପରେ ବିଶ୍ବ ନିୟତାଙ୍କ ରତ୍ନଭଣ୍ଡାର ଖୋଲିଛି। ରତ୍ନଭଣ୍ଡାରରେ କ’ଣ ସବୁ ଅଛି ଯଦିଓ ସାର୍ବଜନୀନ କରାଯାଇ ନାହିଁ, ତଥାପି ଏଠାରେ ଦୁର୍ଲଭ ଅଳଙ୍କାର ରହିଛି ବୋଲି ଓଡ଼ିଶାବାସୀ ଓ ଜଗନ୍ନାଥଙ୍କ ଭକ୍ତମାନେ ଜାଣିବାକୁ ପାଇଛନ୍ତି। ମହାପ୍ରଭୁଙ୍କ ରତ୍ନଭଣ୍ଡାର ଖୋଲାଯିବା ପାଇଁ ରାଜ୍ୟବାସୀ ଯେଉଁ ଆଶା କରିଥିଲେ ତାହା ଦୂର ହୋଇଛି। ୧୫ ଜଣିଆ ସଦସ୍ୟଙ୍କୁ ନେଇ ଗଠିତ ଟିମ୍‌ର ନେତୃତ୍ବରେ ରତ୍ନଭଣ୍ଡାର ଖୋଲାଯାଇଛି। ସବୁଠାରୁ ବଡ଼ କଥା ହେଲା ଯେ, ରତ୍ନଭଣ୍ଡାର ଖୋଲିବା ସମୟରେ କୌଣସି ଅପ୍ରୀତିକର ଘଟଣା ଘଟିନାହିଁ। ଏହା ସୂଚାଇ ଦେଉଛି ଯେ, ମହାପ୍ରଭୁ ମଧ୍ୟ ଚାହିଁଛନ୍ତି, ତାଙ୍କର ରତ୍ନଭଣ୍ଡାର ସଂପର୍କରେ ଅନ୍ୟମାନେ ମଧ୍ୟ ଜାଣନ୍ତୁ। ଏହି କାରଣରୁ ୨୦୨୪ ଜୁଲା ୧୪ ତାରିଖ ଅପରାହ୍‌ଣ ୧ଟା ୨୮ ମିନିଟରେ ଯେତେବେଳେ ସ୍ବତନ୍ତ୍ର ଟିମ୍‌ ରତ୍ନଭଣ୍ଡାର ଖୋଲିଲେ କୌଣସି ଅସୁବିଧା ହୋଇନାହିଁ।

ଚଳିତ ବର୍ଷ ସାଧାରଣ ନିର୍ବାଚନ-୨୦୨୪ ପାଇଁ ପ୍ରକ୍ରିୟା ଜାରି ଥିବା ବେଳେ ଭାରତୀୟ ଜନତା ପାର୍ଟିର କେନ୍ଦ୍ରୀୟ ନେୃତୃତ୍ବ ମଣ୍ଡଳୀ ରତ୍ନଭଣ୍ଡାରକୁ ମଧ୍ୟ ଏକ ପ୍ରସଙ୍ଗ କରିଥିଲେ। କ୍ଷମତାକୁ ଆସିଲେ ରତ୍ନଭଣ୍ଡାର ନିଶ୍ଚିୟ ଖୋଲିବୁ ବୋଲି କହିଥିଲେ। ବିଜେପି ପ୍ରତିଶ୍ରୁତି ପୂରଣ କରିବାକୁ ଯାଇ ମହାପ୍ରଭୁଙ୍କ ରତ୍ନଭଣ୍ଡାର ଖୋଲିବା ପୂର୍ବରୁ ସ୍ବତନ୍ତ୍ର କମିଟି ଗଠନ କରିଥିଲା। ଏହି କମିଟିରେ ସରକାର, ପୁରୀ ଜିଲ୍ଲା ପ୍ରଶାସନ ମନ୍ଦିର ପ୍ରଶାସନ, ସେବାୟତ, ବୁଦ୍ଧିଜୀବ ଓ ଅବସରପ୍ରାପ୍ତ ବିଚାରପତିଙ୍କୁ ମଧ୍ୟ ରଖାଯାଇଥିଲା। ରତ୍ନଭଣ୍ଡାର ଖୋଲିବା ପୂର୍ବରୁ ଅନେକ ଆଶଙ୍କା କରାଯାଉଥିଲା। କେହି କେହି କହୁଥିଲେ, ମହାପ୍ରଭୁ ଯେତେବେଳେ ଶ୍ରୀମନ୍ଦିରରେ ନାହାନ୍ତି, ଏହାର ସୁଯୋଗ ନେଇ ରତ୍ନଭଣ୍ଡାର ଖୋଲାଯାଉଛି। ତେଣୁ ବିଭ୍ରାଟ ଘଟିପାରେ। କିନ୍ତୁ ସେହିଭଳି କିଛି ଅସୁବିଧା ହେଲା ନାହିଁ। ପ୍ରଭୁ ଯଦି ଅସନ୍ତୋଷ ହୋଇଥାନ୍ତେ, ତା‘ହେଲେ ବିଭ୍ରାନ୍ତ ଘଟିଥାନ୍ତି। ତେବେ କୌଣସି ଅସୁବିଧା ହୋଇ ନଥିବାରୁ ବିରୋଧୀ ଓ ସମାଲୋଚକଙ୍କ ମୁହଁ ବନ୍ଦ ହୋଇଯାଇଛି।

୧୫ ଜଣିଆ କମିଟି ଗଠିତ

ମହାପ୍ରଭୁଙ୍କ ରତ୍ନଭଣ୍ଡାର ଖୋଲିବା ପାଇଁ ୧୫ ଜଣ ସଦସ୍ୟ ବିଶିଷ୍ଟ କମିଟି ଗଠନ ହୋଇଛି। ମହାପ୍ରଭୁଙ୍କ ଏହି ଭଣ୍ଡାରକୁ ବେହରଣ ଦ୍ବାର ଦେଇ ସ୍ବତନ୍ତ୍ର ଟିମ୍‌ ପ୍ରବେଶ କରିଥିଲେ। ବାହାର ଭଣ୍ଡାରକୁ ୧୧ ଜଣ ସଦସ୍ୟ ଓ ଭିତର ଭଣ୍ଡାରକୁ ୧୨ ଜଣ କମିଟି ସଦସ୍ୟ ଯାଇଥିଲେ। ରତ୍ନଭଣ୍ଡାର ତଦାରଖ କମିଟି ଅଧ୍ୟକ୍ଷ ଜଷ୍ଟିସ ବିଶ୍ବନାଥ ରଥ, କମିଟି ସଦସ୍ୟ ପ୍ରଫେସର ସି.ବି.କେ ମହାନ୍ତି, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ, ରତ୍ନଭଣ୍ଡାର ସବ୍‌କମିଟିର ଦୁର୍ଗା ଦାସ ମହାପାତ୍ର, ଜଗନ୍ନାଥ ଦାସ ମହାପାତ୍ର, ଭାରତୀୟ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ସଂସ୍ଥା (ଏଏସ୍‌ଆଇ) ଅଧୀକ୍ଷକ ଡି.ବି ଗଡ଼ନାୟକ, ଗଜପତିଙ୍କ ପ୍ରତିନିଧି ଭାବେ ଛତିଶା ନିଯୋଗ ମହାନାୟକ ଜନାର୍ଦ୍ଦନ ପାଟ୍ଟଯୋଶୀ ମହାପାତ୍ର, ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ, ନୀତି ପ୍ରଶାସକ ଜିତେନ୍ଦ୍ର ସାହୁ, ଉନ୍ନୟନ ପ୍ରଶାସକ ଅଜୟ ଜେନା, ଶ୍ରୀମନ୍ଦିର କୋର ‌କମିଟି ସଦସ୍ୟ ଏନ୍‌.ସି ପାଲ୍‌, ଶ୍ରୀମନ୍ଦିରର ସ୍ବତନ୍ତ୍ର ପଦାଧିକାରୀ ଆଶିଷ କୁମାର ସୁବୁଦ୍ଧି, ଭଣ୍ଡାର ମେକାପ ଗଣେଶ ମେକାପ, ତଢ଼ାଉକରଣ ହିମାଂଶୁ ଶେଖର ପଟ୍ଟନାୟକ ଓ ଦେଉଳକରଣ ଚନ୍ଦ୍ରଶେଖର ମଙ୍ଗରାଜ ପ୍ରମୁଖ ଟିମ୍‌ରେ ରହିଥିଲେ।

ଯାଞ୍ଚ କମିଟିର ଅଧ୍ୟକ୍ଷଙ୍କ ପ୍ରତିକ୍ରିୟା

ରତ୍ନଭଣ୍ଡାର ଯାଞ୍ଚ କମିଟିର ଅଧ୍ୟକ୍ଷ ଜଷ୍ଟିସ ବିଶ୍ବନାଥ ରଥ କହିଛନ୍ତି, ବାହାର ରତ୍ନଭଣ୍ଡାରରୁ ଅଳଙ୍କାର ସ୍ଥାନାନ୍ତର ପ୍ରକ୍ରିୟା ବହୁ କଷ୍ଟସାଧ୍ୟ ଥିଲା। ଏଥିପାଇଁ ଆମକୁ ପ୍ରାୟ ୩ ଘଣ୍ଟା ସମୟ ଲାଗିଥିଲା। ବାହାର ରତ୍ନଭଣ୍ଡାର ତିନି ତାଲା ଖୋଲି ଆମେ ଭଣ୍ଡାର ଘରକୁ ପ୍ରବେଶ କରିଥିଲୁ। ଏହାପରେ ସୁନା, ରୁପା, ହୀରା, ନୀଳା, ମୋତି, ମାଣିକ ଆଦି ସ୍ଥାନାନ୍ତର ପ୍ରକିୟା ଆରମ୍ଭ ହୋଇଥିଲା। ସ୍ଥାନାନ୍ତର ପ୍ରକ୍ରିୟା ପାଇଁ ଗଠିତ ଦଳ ଅସ୍ଥାୟୀ ରତ୍ନଭଣ୍ଡାରକୁ ଅଳଙ୍କାର ସ୍ଥାନାନ୍ତର କରିଥିଲେ। ସବୁର ଟିକିନିଖି ଭିଡିଓଗ୍ରାଫି କରାଯାଇଥିଲା। କେଉଁ ସ୍ଥାନରୁ କେଉଁ ଅଳଙ୍କାର ଅଣାଯାଇଛି, ତାର ମାର୍କିଂ କରାଯାଇଛି। ସେହି ସ୍ଥାନକୁ ପୁଣି ବାହାର ରତ୍ନଭଣ୍ଡାର ଅଳଙ୍କାର ଫେରିବ। ଆମେ ଜୟ ଜଗନ୍ନାଥ ଓ ହରିବୋଲ ଡାକ ଦେଇ ଭିତରକୁ ଯାଇଥିଲୁ।

କେତେ ସୁରକ୍ଷିତ ରତ୍ନଭଣ୍ଡାର

ଯାଞ୍ଚ କମିଟି ଜାଣିବାକୁ ପାଇଛନ୍ତି ଯେ, ରତ୍ନଭଣ୍ଡାର ମରାମତିର ଆବଶ୍ୟକତା ରହିଛି। ଦୀର୍ଘ ୪୫ ବର୍ଷ ‌ପରେ ଏହା ଖୋଲାଯାଇଥିବାରୁ ଭଲ ସ୍ଥିତିରେ ନାହିଁ। ପ୍ରାଥମିକ ପରିଦର୍ଶନରୁ ଜଣାପଡ଼ିଛି ଯେ, ଭିତର ରତ୍ନଭଣ୍ଡାରରେ ୪ଟି ସିନ୍ଦୁକ ଓ ୫ଟି ଆଲମିରା ରହିଛି। ଆଲମିରା କାଠ ଓ ଷ୍ଟିଲ୍‌ର। ସିନ୍ଦୁକ ସବୁ କାଠର। ରତ୍ନଭଣ୍ଡାର ଘର ଆକାର ପ୍ରାୟ ୧୫ ଫୁଟ ଲମ୍ବ ଓ ୧୦ ଫୁଟ ଓସାର ହେବ। ଭିତର ଭଣ୍ଡାରରେ ରତ୍ନ ସୁରକ୍ଷିତ ଅଛି। ଏବସୁବୁ ସ୍ଥାନାନ୍ତରିତ କଲା ପରେ ୭ରୁ ୮ ଦିନ ଭିତରେ ଆମେ ପୁନର୍ବାର ବୈଠକ କରି କେବେ ରତ୍ନଭଣ୍ଡାର ଖୋଲାଯିବ ନିଷ୍ପତ୍ତି ହେବ। ଭିତର ରତ୍ନଭଣ୍ଡାରରେ ତିନିଟି ତାଲା ପଡ଼ିଥିଲା। ତାଲା ଭିତରୁ ଗୋଟିଏ ଜଉମୁଦ ଦେଇ ସିଲ୍‌ କରାଯାଇଥିଲା। ବାକି ଦୁଇଟି ଜଉମୁଦ ଦିଆଯାଇନଥିଲା। ଜିଲ୍ଲା କୋଷାଗାରରୁ ଯାଇଥିବା ଚାବିରେ ତାଲା ନ ଖୋଲିବାରୁ ତିନିଟିଯାକ ତାଲା କଟାଯାଇ କମିଟିର ସଦସ୍ୟମାନେ  ଭିତରକୁ ଯାଇଥିଲେ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments