ଭୁବନେଶ୍ବର: ଜମି, ଜଳ ଓ ଜଙ୍ଗଲ ଭରପୁର ଥିଲେ ମଧ୍ୟ ଓଡ଼ିଶାର ଲୋକେ ଗରିବୀ ଜୀବନରୁ ଉଠିପାରି ନାହାନ୍ତି। ମନୁଷ୍ୟର ଅତି ଗୁରୁତ୍ବପୂର୍ଣ୍ଣ ମୌଳିକ ଜିନିଷ ଖାଇବା, ପିନ୍ଧିବା ଓ ବାସଗୃହର ଘୋର ସମସ୍ୟା ରହୁଛି। କେନ୍ଦ୍ର ସରକାର ଯଦିଓ ୫କିଲୋ ମାଗଣା ଚାଉଳ ଦେଉଛନ୍ତି, ଏତିକିରେ ଜଣେ ଗରିବ ଲୋକ ଜୀବନଧାରଣ କରିବା ସହଜ ନୁହେଁ। ଚାଉଳ ବ୍ୟତୀତ ମନୁଷ୍ୟର ବାକି ଚାହିଦା ପୂରା କରିବା ପାଇଁ ମଧ୍ୟ ଅର୍ଥ ଦରକାର। ରାଜ୍ୟରେ ରୋଜଗାରର ଅଭାବ କାରଣରୁ ଲକ୍ଷଲକ୍ଷ ଲୋକ ଦାଦନ ଖଟିବାକୁ ଯାଉଛନ୍ତି।
ଗରିବ ଲୋକଙ୍କୁ ଗୋଟିଏ କପଡ଼ାକୁ ବହୁଦିନ ପର୍ଯ୍ୟନ୍ତ ପିନ୍ଧିବାକୁ ପଡ଼ିଥାଏ। ସେହିପରି ବିପଦପୂର୍ଣ୍ଣ ଘରେ ବସବାସ କରିବାକୁ ପଡ଼ିଥାଏ। ଅତୀତରେ ରାଜ୍ୟରେ କାନ୍ଥପଡ଼ି ମୃତ୍ୟୁ ହେବା ଖବର ନଜରି ରହିଛି। ସେହିପରି ମାଟି ଅତଡ଼ା ଖସି ମଧ୍ୟରେ ଅନେକ ଲୋକଙ୍କର ମୃତ୍ୟୁ ହେଉଛି। ଗରିବ ଶ୍ରେଣୀର ଲୋକଙ୍କୁ ଏଭଳି ଶିକାର ହେବାକୁ ପଡ଼ିଥାଏ। କୋରାପୁଟ, ମାଲକାନିଗିରି, ଗଂଜାମ ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଲୋକେ ଘରର କାନ୍ଥ ଲିପା ପୋଛା କରିବା ପାଇଁ ଚୂନମାଟି ପାହାଡ଼ରୁ ଆଣିଥାନ୍ତି ଏବଂ ବେଳେ ବେଳେ ଅଘଟଣର ଶିକାର ହୋଇଥାନ୍ତି। କିଛି ବର୍ଷ ହେଲା ମାଟି ଅତଡ଼ା ଖସି ମହିଳାମାନଙ୍କର ମୃତ୍ୟୁ ହେବା ଖବର ମଧ୍ୟ ଆସିଛି। ସେହିପରି ଶ୍ରମିକ ଶ୍ରେଣୀର ଲୋକ କାର୍ଯ୍ୟକ୍ଷେତ୍ରରେ ଅବହେଳା ଯୋଗୁଁ ଏହିଭଳି ଅଘଟଣର ଶିକାର ହୋଇଥାନ୍ତି।
ମହିଳାଙ୍କୁ ଚାପିଦେଲା ମାଟି ଅତଡ଼ା
କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ଆବାସ ଯୋଜନା ନେଇ ବଡ଼ବଡ଼ କଥା କୁହନ୍ତି। ରାଜ୍ୟର ପୂର୍ବତନ ସରକାର ମଧ୍ୟ ବିଜୁ ପକ୍କା ଘର ନେଇ ବାହାସ୍ପୋଟ ମାରୁଥିଲେ। ତୃଣମୂଳ ସ୍ତରରେ ଲୋକେ କିଭଳି ଚଳୁଛନ୍ତି, ତାହା ଅତି ନିକଟରୁ ଦେଖିଲା ପରେ ସତ କ’ଣ ଜଣାପଡ଼େ। ଅନେକ ଲୋକ ଘର ଖଣ୍ଡିଏ ପାଇବା ପାଇଁ ୱାର୍ଡମେମ୍ବରଙ୍କ ଠାରୁ ଆରମ୍ଭ କରି ସରପଞ୍ଚ, ସମିତିସଭ୍ୟ, ବିଡିଓ, ଉପଜିଲ୍ଲାପାଳ, ବିଧାୟକଙ୍କୁ ଗୁହାରି କରନ୍ତି। କିନ୍ତୁ ଶେଷରେ ନିରାଶ ହୁଅନ୍ତି। ମାଟି ଅତଡା ତଳେ ଚାପି ହୋଇ କୋରାପୁଟ କୋଲାବ ଫାଣ୍ଡି ଅନ୍ତର୍ଗତ ମଙ୍ଗଳା ମନ୍ଦିର ନିକଟରେ ୩ ଜଣ ମହିଳାଙ୍କର ମ୍ୟତ୍ୟୁ ହୋଇଛି। ସଲମନଗୁଡ଼ା ଗାଁର ୨ ଜଣ ପୁରୁଷ ଓ ୮ ଜଣ ମହିଳା ଏକ ଟ୍ରାକ୍ଟରରେ ମୋରମ ନେବା ପାଇଁ ଆସିଥିଲେ। ସେମାନେ ମୋରମ ଖୋଳୁଥିବା ବେଳେ ହଠାତ୍ ପାହାଡ଼ ଉପରୁ ଏକ ବଡ଼ ଅତଡା ଖସି ଥିଲା। ଏହା ତଳେ ଚାପି ହୋଇଯାଇଥିଲେ ସଲମନଗୁଡ଼ା ଗାଁର ପୂର୍ଣ୍ଣି ଜାନୀ, ସାନମତି ଜାନୀ ଓ ଚମ୍ପା ବଡ଼ ନାଏକ। ପୂର୍ଣ୍ଣି, ସାନମତି ଓ ଚମ୍ପା। ପୂର୍ଣ୍ଣ ଓ ସାନମତିଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ଚମ୍ପା ବଡ଼ ନାଏକଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ କୋରାପୁଟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ଗତମାସ ୧୬ ତାରିଖରେ ଯାଜପୁର ଜିଲ୍ଲା ବିଞ୍ଝାରପୁର କପିଳା ରାହାଁସ ନିକଟରେ ମାଟି ଅତଡ଼ା ଖସି ୩ ଶ୍ରମିକଙ୍କ ମୃତ୍ୟୁ ଘଟିଥିଲା।
ଗରିବଙ୍କୁ ମିଳିବ ତ ଘର?
ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ପିଏମଏୱାଇ) ଅଧୀନରେ ଗତ ୧୦ ବର୍ଷ ମଧ୍ୟରେ ଆବାସ ଯୋଜନା ଅନ୍ତର୍ଗତ ଯୋଗ୍ୟ ଗରିବ ପରିବାର ପାଇଁ ମୋଟ ୪ କୋଟି ୨୧ ଲକ୍ଷ ଘର ସମ୍ପୂର୍ଣ୍ଣ ହୋଇଛି। ଓଡ଼ିଶାରେ ୨୯ ଲକ୍ଷ ପରିବାରକୁ ପିଏମ୍ଏୱାଇ ଅଧୀନରେ ଘର ମିଳିଛି। ଆର୍ଥାତ ଜିଲ୍ଲା ପିଛା ହାରାହାରୀ ସାଢ଼େ ୯୬ ହଜାର ଘଣ ବଣ୍ଟା ଯାଇଛି ବୋଲି କେନ୍ଦ୍ର ସରକାର ଦାବି କରୁଛନ୍ତି। ଅନ୍ୟପଟରେ ରାଜ୍ୟର ଅନେକ ଗରିବ ଲୋକ ସରକାରଙ୍କ ଯୋଜନାରୁ ଘର ପାଇ ନଥିବା ଅଭିଯୋଗ କରୁଛନ୍ତି। ଅନେକଙ୍କ ଅଭିଯୋଗ ଯେ, ଆବାସ ଯୋଜନାରେ ବ୍ୟାପକ ଦୁର୍ନୀତି ହୋଇଛି। ବିଜେପି ରାଜ୍ୟରେ ଯେତେବେଳେ ବିରୋଧୀ ଥିଲା, ଅନେକ ଥର ଅଭିଯୋଗ ଆଣିଛି। କେନ୍ଦ୍ର ସରକାର ଆଗାମୀ ୫ ବର୍ଷରେ ୩ କୋଟି ଗ୍ରାମୀଣ ଓ ସହରାଞ୍ଚଳ ଗୃହ ନିର୍ମାଣ ପାଇଁ ସହାୟତା ପ୍ରଦାନ କରିବେ। ଏଥିରୁ ଓଡ଼ିଶାକୁ କେତେ ଘର ମିଳିବ ତାହା ସମୟ କହିବ।