Saturday, November 2, 2024
Homeଖବରକଲବଲ କରୁଛି ଗ୍ରୀଷ୍ମ ପ୍ରବାହ; ଜନତା ଛଟପଟ

କଲବଲ କରୁଛି ଗ୍ରୀଷ୍ମ ପ୍ରବାହ; ଜନତା ଛଟପଟ

ଭୁବନେଶ୍ବର: ଜଳବାୟୁ ପରିବର୍ତ୍ତନ ସମଗ୍ର ଜୀବଜଗତ ଉପରେ ବ୍ୟାପକ ପ୍ରଭାବ ପକାଉଛି। ବିଶ୍ବରେ ମନୁଷ୍ୟମାନଙ୍କ ସଂଖ୍ୟା ଯେତିକି ବଢୁଛି, ପୃଥିବୀ ଉପରେ ସେହି ପରିମାଣରେ କୃତ୍ରିମତା ବଢୁଛି। ପ୍ରାକୃତିକ ସମ୍ପଦକୁ ମନୁଷ୍ୟ ସମାଜ କୃତ୍ରିମରେ ପରିଣତ କରିଦେଇଛି। ସେଥି ପାଇଁ ଏହାର ଫଳ ମଧ୍ୟ ଭୋଗିବାକୁ ପଡୁଛି। ପ୍ରାକୃତିକ ବିପର୍ଯ୍ୟୟ ଓ ନୂଆ ରୋଗରେ ଲକ୍ଷଲକ୍ଷ ଲୋକଙ୍କର ମୃତ୍ୟୁ ହେଉଛି। ଦକ୍ଷିଣ ଏସୀୟ ରାଷ୍ଟ୍ରଗୁଡ଼ିକରେ ବିଗତ ଦୁଇମାସ ହେଲା ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଗ୍ରୀଷ୍ମ ଲହରି ଯୋଗୁଁ ଭାରତ, ପାକିସ୍ତାନ, ଆରବରେ ଶହଶହ ଲୋକଙ୍କର ମୃତ୍ୟୁ ହୋଇଛି। ଏହା ସମଗ୍ର ବିଶ୍ବ ପାଇଁ ଚିନ୍ତାର କାରଣ ମଧ୍ୟ ହୋଇଛି।

ଚଳିତ ବର୍ଷ ରେକର୍ଡ ଗରମ ଅନୁଭବ କରୁଛି। ସାଉଦି ଆରବରେ ମଧ୍ୟ ପ୍ରବଳ ଗ୍ରୀଷ୍ମପ୍ରବାହ ଦେଖିବାକୁ ମିଳୁଛି । ପ୍ରବଳ ଗରମ ମଧ୍ୟରେ ମକ୍କାରେ ହଜ୍ ଯାତ୍ରା ସମୟରେ ୧୦୦୦ରୁ ଅଧିକ ତୀର୍ଥଯାତ୍ରୀଙ୍କ ମୃତ୍ୟୁ ଘଟିଛି, ଯେଉଁଥିରେ ପ୍ରାୟ ୯୦ ଜଣ ଭାରତୀୟ ନାଗରିକ ଅଛନ୍ତି। ଏକ ଅନ୍ତର୍ଜାତୀୟ ନ୍ୟୁଜ ଏଜେନ୍ସିର ରିପୋର୍ଟ ଅନୁଯାୟୀ, ସାଉଦି ଆରବରେ ହଜ୍ ଯାତ୍ରା ସମୟରେ ମୃତକଙ୍କ ମଧ୍ୟରୁ ଅଧିକାଂଶ ଅଣପଞ୍ଜୀକୃତ ତୀର୍ଥଯାତ୍ରୀ ଥିଲେ। ଜଣେ ଆରବ କୂଟନୀତିଜ୍ଞ କହିଛନ୍ତି ଯେ ମୃତକଙ୍କ ମଧ୍ୟରେ ୩୨୩ ଜଣ ଇଜିପ୍ଟ ନାଗରିକ ଏବଂ ୬୦ ଜଣ ଜୋର୍ଡାନ ଅଛନ୍ତି। ଇଣ୍ଡୋନେସିଆ, ଇରାନ, ସେନେଗାଲ ଏବଂ ଟ୍ୟୁନିସିଆ ସମେତ ଆଉ କେତେକ ଦେଶରୁ ଯାଇଥିବା ତୀର୍ଥଯାତ୍ରୀ ବି ମୃତ୍ୟୁବରଣ କରିଛନ୍ତି। ଗତବର୍ଷ ୨୦୦ରୁ ଅଧିକ ତୀର୍ଥଯାତ୍ରୀଙ୍କ ମୃତ୍ୟୁ ହୋଇଛି।

୯ ଦିନରେ ୧୯୦ ମୃତ

ଦକ୍ଷିଣ ଭାରତୀୟ ରାଜ୍ୟକୁ ବାଦ୍ ଦେଲେ ଦେଶର ଅଧିକାଂଶ ରାଜ୍ୟରେ ଜୁନ୍ ୨୦ ତାରିଖରେ ମଧ୍ୟ ଗ୍ରୀଷ୍ମ ଲହରି ଜାରି ରହିଛି। କେରଳରେ ମୌସୁମୀ ଆଗମନକୁ ତିନି ସପ୍ତାହ ଅତିକ୍ରମ କରିସାରିଥିଲେ ମଧ୍ୟ ଲୋକେ ଗରମ ଓ ଗୁଳୁଗୁଳିରେ ଅସ୍ତବ୍ୟସ୍ତ ହେଉଛନ୍ତି। ହିଟ୍ ଷ୍ଟ୍ରୋକ୍ ଯୋଗୁଁ ଲୋକେ କ୍ରମାଗତ ଭାବେ ଅଂଶୁଘାତର ଶିକାର ହେଉଛନ୍ତି। ରୋଗରେ ପଡୁଛନ୍ତି। ଏଭଳି ସ୍ଥିତିରେ ଘର ଛାଡ଼ି ରାସ୍ତାକଡ଼ରେ ରାତି କାଟୁଥିବା ଲୋକଙ୍କୁ ଅଧିକ ବିପଦ ମାଡ଼ିଆସୁଛି। ଏକ ରିପୋର୍ଟ ଅନୁସାରେ ଚଳିତ ଜୁନ୍ ୧୧ରୁ ୧୯ ତାରିଖ ମଧ୍ୟରେ ଦିଲ୍ଲୀରେ ଅଂଶୁଘାତ ଯୋଗୁଁ ୧୯୨ ଜଣଙ୍କର ମୃତ୍ୟୁ ହୋଇଛି। ଅଂଶୁଘାତ ଯୋଗୁଁ ଗୃହହୀନ ଲୋକଙ୍କ ଅଧିକ ଅସୁବିଧା ହେଉଛି। କାରଣ ସେମାନଙ୍କୁ ଅତିକମରେ ସୁବିଧା ମିଳିପାରେ ନାହିଁ। ସ୍ବାସ୍ଥ୍ୟ ସୁବିଧା, ଗରମରୁ ବର୍ତ୍ତିବା ପାଇଁ କୁଲର, ଏସି, ପଙ୍ଖା ନଥିବାରୁ ବାଧ୍ୟ ହୋଇ ରାସ୍ତାକଡ଼ରେ ଶୋଇଥାନ୍ତି। ଫଳରେ ହିଟ୍‌ଷ୍ଟ୍ରୋକ୍‌ ଓ ଡିହାଇଡ୍ରେସନ୍‌ର ସାମ୍ନା କରୁଛନ୍ତି।

ଉତ୍ତର ପ୍ରଦେଶରେ ୨୦୦ ମୃତ

ଭାରତର ଚାରିଆଡେ ଗ୍ରୀଷ୍ମର ପ୍ରବାହ ଜାରି ରହିଛି। ୧୦ଟି ରାଜ୍ୟରେ ଉତ୍ତାପ ଅଧିକ ଥିବାବେଳେ ଶତାଧିକ ଲୋକଙ୍କ ଗ୍ରୀଷ୍ମ ପ୍ରବାହ ନେଇ ଜୀବନ ଗଲାଣି। ଓଡ଼ିଶା, ଉତ୍ତରପ୍ରଦେଶ, ହରିୟାଣା, ଦିଲ୍ଲୀ, ଜମ୍ମୁ, ହିମାଚଳ ପ୍ରଦେଶ, ପଞ୍ଜାବ, ରାଜସ୍ଥାନ, ବିହାର ଓ ଝାଡଖଣ୍ଡ। ଅସହ୍ୟ ତାତି ଯୋଗୁଁ ଉତ୍ତରପ୍ରଦେଶରେ ମୃତ୍ୟୁ ସଂଖ୍ୟା ପ୍ରାୟ ୨୦୦ରେ ପହଞ୍ଚିଥିବା ବେଳେ କେବଳ ବାରଣାସୀରେ ୩୩ ଜଣଙ୍କ ସମେତ ପୂର୍ବାଞ୍ଚଳର ୪ଟି ଜିଲ୍ଲାରେ ୫୦ ଜଣ ପ୍ରାଣ ହରାଇଛନ୍ତି। ଗାଜିପୁର, ମିର୍ଜାପୁର ଏବଂ ଚାନ୍ଦୌଲି ଜିଲ୍ଲାରେ ଗ୍ରୀଷ୍ମପ୍ରବାହ ଓ ହିଟ୍ ଷ୍ଟ୍ରୋକ୍ ଯୋଗୁଁ ୧୭ ଜଣଙ୍କ ମୃତ୍ୟୁ ଘଟିଛି। ବୁନ୍ଦେଲଖଣ୍ଡ ଓ କାନପୁର ଡିଭିଜନରେ ସ୍ଥିତି ଆହୁରି ଭୟଙ୍କର ରହିଛି, ଏଠାରେ ପାଖାପାଖି ୧୦୦ ଜଣ ପ୍ରାଣ ହରାଇଥିବାବେଳେ କାନପୁରରେ ସର୍ବାଧିକ ୨୬, ହମିରପୁରରେ ୧୯, ଚିତ୍ରକୁଟରେ ୧୪, ଫତେପୁରରେ ୧୩, ସେହିପରି ପ୍ରୟାଗରାଜରେ ୮, କୌଶାମ୍ବିରେ ୫, ପ୍ରତାପଗଡ଼ରେ ୨ ଜଣଙ୍କର ଗ୍ରୀଷ୍ମ ପ୍ରବାହ ନେଇ ମୃତ୍ୟୁ ଘଟିଥିବା ଜଣାପଡିଛି।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments