Wednesday, December 4, 2024
Homeଖବରଏଥର ବିରଳ ଶ୍ରାବଣ 

ଏଥର ବିରଳ ଶ୍ରାବଣ 

ଭୁବନେଶ୍ବର: ପୁଣି ଥରେ ଶ୍ରାବଣ ଆସିଛି। ଶିବାଳୟଗୁଡ଼ିକ ଚଳଚଞ୍ଚଳ ହୋଇଉଠିଛି। ରାସ୍ତା, ଘାଟ, ଶ୍ରଦ୍ଧାଳୁଙ୍କ ଶିବିର ଓ ଶିବ ମନ୍ଦିରରେ ‘ହର ହର ମହାଦେବ, ଜଟିଆ ବାବା ପାର କରେଗା, ବମ୍‌ ବମ୍‌ ଭୋଲେ’ ଆଦି ଶ୍ଲୋଗାନ ଶୁଭୁଛି। ଶ୍ରାବଣ ମାସର ପ୍ରଥମ ସୋମବାର ଅବସରରେ ଶିବ ମନ୍ଦିରରେ ଶ୍ରଦ୍ଧାଳୁମାନେ ମାନସିକ ଜଳାଭିଷେକ କରିଛନ୍ତି। ଏଥି ସହିତ ଦ୍ବିତୀୟ ପାଳିର ସୋମବାର ପାଇଁ ପୁଣି ପ୍ରସ୍ତୁତି କରିଦେଇଛନ୍ତି। ଚଳିତ ବର୍ଷ ଶ୍ରାବଣରେ ୫ଟି ସୋମବାର ପଡ଼ିଛି। ମାସ ଆରମ୍ଭରୁ ଓ ମାସ ଶେଷରେ ସୋମବାର ପଡୁଛି, ତେଣୁ ଏହି ବିରଳ ସଂଯୋଗ କାରଣରୁ ଶିବାଳୟ ଓ ଶିବଭକ୍ତଙ୍କ ମନରେ ଉତ୍ସାହ ଦେଖାଯାଇଛି।

ଶ୍ରାବଣ ସୋମବାର ଅବସରରେ ମହାଦେବଙ୍କୁ ଜଳାଭିଷେକ କରିବା ପାଇଁ ସକାଳୁ ସକାଳୁ ରାଜ୍ୟର ବିଭିନ୍ନ ଶୈବ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ ଦେଖିବାକୁ ମିଳିଥିଲା। ଦୂର ଦୂରାନ୍ତରୁ ପାଣି ଆଣି ଆସୁଥିବା କାଉଁଡିଆ ତଥା ଶିବ ଭକ୍ତଙ୍କ ଲମ୍ୱାଧାଡ଼ିରେ ରହିଥିଲେ। ଅନେକ ଶ୍ରଦ୍ଧାଳୁ ମାଇଲ ମାଇଲ ବାଟ ଚାଲି ପାଣି ଭାର ଉଠାଇ ଶିବଙ୍କୁ ଜଳ ଲାଗି କରିବାକୁ ବାହାରିଥିଲେ। ଶ୍ରାବଣ ମାସରେ ଦେବ ଦେବ ମହାଦେବଙ୍କୁ ଜଳ ଲାଗି କଲେ ମାନସିକ ପୂରଣ ହୁଏ ବୋଲି ବିଶ୍ୱାସ ରହିଛି। ସେଥିପାଇଁ ମାସକ ପୂର୍ବରୁ ଜଳ ଲାଗି କରିବାକୁ ଯାଉଥିବା କାଉଡିଆ ରୀତିନୀତି ପାଳନ କରି ନିଷ୍ଠାର ସହ ଜୀବନଯାପନ କରିଥାନ୍ତି। ଶ୍ରାବଣ ମାସସାରା ପ୍ରତିଟି ସୋମବାର ବିଭିନ୍ନ ନଦୀରୁ ଜଳ ସଂଗ୍ରହ କରି ଖାଲିପାଦରେ ବାହୁଙ୍ଗା ବୋହି ପାଦରେ  ଚାଲି ଚାଲି ଶୈବପୀଠକୁ ଆଣି ମହାଦେବଙ୍କୁ ଜଳ ଲାଗି କରିଥାନ୍ତି। ବିଭିନ୍ନ ନଦୀ ଘାଟ ଓ ତୀର୍ଥସ୍ଥଳୀ ଗୁଡିକରେ କଡ଼ା ସୁରକ୍ଷାର ବନ୍ଦୋବସ୍ତ କରାଯାଇଛି। ଅନ୍ୟପଟେ ଶୃଙ୍ଖଳିତ ଦର୍ଶନ ପାଇଁ ମଧ୍ୟ ଶୈବପୀଠ ଗୁଡିକରେ ପୋଲିସ ପ୍ରଶାସନ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି।

୭୨ ବର୍ଷ ପରେ ଅପୂର୍ବ ଯୋଗ

୨୦୨୪ ଜୁଲାଇ ୨୨ରୁ ଆରମ୍ଭ ହୋଇଥିବା ଶ୍ରାବଣ ମାସ ଆସନ୍ତା ଅଗଷ୍ଟ ୧୯ ତାରିଖରେ ସରିବ। ୭୨ ବର୍ଷ ପରେ ଦୁର୍ଲଭ ସଂଯୋଗ ଆସିଛି। ଏଭଳି ଦୁର୍ଲଭ ଯୋଗ ୭୨ ବର୍ଷ ପୂର୍ବରୁ ଅର୍ଥାତ ୧୯୫୩ ମସିହା ଜୁଲାଇ ୨୭ ତାରିଖରେ ପଡ଼ିଥିଲା। ଏଥି ସହିତ ଏଥର ଶ୍ରାବଣରେ ୬ ଶୁଭ ଯୋଗର ନିର୍ମାଣ ମଧ୍ୟ ହୋଇଛି। ଚଳିତ ବର୍ଷର ଶ୍ରାବଣ ମାସ ଶୁକ୍ରାଦିତ୍ୟ ଯୋଗ, ବୁଧାଦିତ୍ୟ ଯୋଗ, ନବପଂଚମ ଯୋଗ ଓ ଗଜକେଶରୀ ଯୋଗ ହେଉଛି। ଏହା ବ୍ୟତୀତ କୁବେର ଯୋଗ ଓ ଶଶ ଯୋଗର ମଧ୍ୟ ନିର୍ମାଣ ହେଉଛି।

‌ଶ୍ରାବଣରେ ଶିବ ବ୍ରତ

ଶ୍ରାବଣର ସୋମବାରରେ ବ୍ରତ ରଖିଲେ ବହୁତ ଶୁଭ ଓ ଫଳ ମିଳିଥାଏ। ଅବିବାହିତ ଝିଅଙ୍କୁ ମନପସନ୍ଦର ଜୀବନସାଥୀ ମିଳିଥାଏ। ବିବାହିତ ମହିଳା ଅଖଣ୍ଡ ସୌଭାଗ୍ୟ ପ୍ରାପ୍ତି ପାଇଁ ଏହି ବ୍ରତ କରିଥାନ୍ତି। ଶ୍ରାବଣର ବ୍ରତ ପାଳନ କରିବା ଦ୍ବାରା ପାରିବାରିକ ଜୀବନରେ ମଧ୍ୟ ଖୁସି ମିଳିଥାଏ ଏବଂ ସନ୍ତାନ ସୁଖ ପ୍ରାପ୍ତି ହୋଇଥାଏ। ଶ୍ରାବଣର ପ୍ରଥମ ଦିନ ହିଁ ସୋମବାର ଓ ସର୍ବାର୍ଥ ସିଦ୍ଧି ଯୋଗ ହେଉଛି। ଏହି ଯୋଗରେ ଶ୍ରାବଣର ଶୁଭାରମ୍ଭ ହେବା ବହୁତ ଶୁଭ ମନେ କରାଯାଏ। ସର୍ବାର୍ଥ ସିଦ୍ଧି ଯୋଗରେ ସୋମବାର ବ୍ରତ ରଖିବା ଦ୍ବାରା ଆପଣଙ୍କୁ ଶିବଙ୍କ ଆଶୀର୍ବାଦ ମିଳିପାରିବ। ସର୍ବାର୍ଥ ସିନ୍ଧି ଯୋଗରେ ରୁଦ୍ରାଭିଷେକ କରିବା ଏବଂ ବ୍ରତ କରିବାରେ ଆଗ୍ରହୀ ବ୍ୟକ୍ତିଙ୍କୁ ଅଭିଷ୍ଟ ଫଳ ପ୍ରାପ୍ତି ହେବ। ପ୍ରଥମ ସୋମବାର ପ୍ରୀତି, ଆୟୁଷ୍ମାନ ଓ ସର୍ବାର୍ଥ ସିଦ୍ଧି ଯୋଗ ମଧ୍ୟ ଶ୍ରାବଣ ମାସର ଶୋଭା ବଢ଼ାଇଥାଏ।

ମହାଦେବଙ୍କୁ କେମିତି କରିବେ ପୂଜା?

ଶ୍ରାବଣର ପ୍ରତ୍ୟେକ ସୋମବାର ଉପବାସ କରନ୍ତୁ। ଶିବଲିଙ୍ଗରେ ପ୍ରାତଃ କାଳରେ ଜଳ ଓ ବେଲ ପତ୍ର ଅର୍ପଣ କରନ୍ତୁ। ଜଳ ଚଢ଼ାଇବା ପାଇଁ ତମ୍ବା ପାତ୍ରର ପ୍ରୟୋଗ ଆଦୌ କରନ୍ତୁ ନାହିଁ। ଭଗବାନଙ୍କୁ ଫଳ, ଫୁଲ, ମିଠାଇ, ଧୂପ ଓ କର୍ପୁର ଅର୍ପଣ କରନ୍ତୁ। ନିତ୍ୟ ପ୍ରାତଃ ଶିବ ପଞ୍ଚାକ୍ଷର ସ୍ରୋତ ଅଥବା ଶିବ ମନ୍ତ୍ର ଜପ କରନ୍ତୁ। ଏହା ପରେ ଜଳପାନ ଅଥବା ଫଳାହାର କରିପାରିବେ। ଯଦି ଆପଣ ରୁଦ୍ରାକ୍ଷ ଧାରଣ କରିବାକୁ ଚାହିଁବେ, ଶ୍ରାବଣର ମାସ ସବୁଠାରୁ ଉପଯୁକ୍ତ।  

ଚତୁର୍ମାସ ମଧ୍ୟରେ ଶ୍ରାବଣ

ଶ୍ରାବଣର ମାସ ହିନ୍ଦୁମାନଙ୍କ ପବିତ୍ର ଚତୁର୍ମାସ ମଧ୍ୟରୁ ଅନ୍ୟତମ। ଏହି ମାସଟି ଭଗବାନ ଶିବଙ୍କ ପାଇଁ। ଏହି ମାସରେ ସମୁଦ୍ର ମନ୍ଥନ ହୋଇଥିଲା ଏବଂ ଭଗବାନ ଶିବ ହଳାହଳ ବିଷ ପାନ କରିଥିଲେ। ହଳାହଳ ବିଷ ପାନ ପରେ ଉଗ୍ର ବିଷକୁ ଶାନ୍ତ କରିବା ଲାଗି ଭକ୍ତ ଏହି ମାସରେ ଶିବ ପୂଜା ମାଧ୍ୟମରେ ଜଳ ଅର୍ପିତ କରନ୍ତି। କୁହାଯାଇଥାଏ ଯେ, ପୂରା ବର୍ଷସାରା ପୂଜା କରି ଯେଉଁ ଫଳ ମିଳିଥାଏ, ସେହି ଫଳ କେବଳ ଶ୍ରାବଣରେ ପୂଜା କରି ହାସଲ କରାଯାଇପାରିବ। ତପସ୍ୟା, ସାଧନା ଓ ବରଦାନ ପ୍ରାପ୍ତି ପାଇଁ ଏହି ମାସକୁ ଶୁଭ ଭାବେ ଗ୍ରହଣ କରାଯାଇଥାଏ।

କାଉଁଡିଆ ଯାତ୍ରା କାହିଁକି?

କାଉଁଡିଆ ଯାତ୍ରା ବାହାର କରିବା ପଛରେ ଅନେକ ପୌରାଣିକ କଥାବସ୍ତୁ ରହିଛି। ଏଥିରେ ଗୋଟିଏ ହେଉଛି, ଭଗବାନ ପର୍ଶୁରାମ ପ୍ରଥମ ଥର ପାଇଁ କାଉଁଡିଆ ଯାତ୍ରାରେ ବାହାରି ଥିଲେ। ସେ ପ୍ରଥମ କାଉଁଡିଆ ଥିଲେ ବୋଲି ମଧ୍ୟ କୁହାଯାଏ। ଭଗବାନ ଶିବଙ୍କୁ ସନ୍ତୁଷ୍ଟ କରିବା ପାଇଁ ପର୍ଶୁରାମ ଗଡ଼ମୁକ୍ତେଶ୍ବରରୁ ଗଂଗାଜଳ ନେଇଥିଲେ। ଏହାକୁ ଶିବଲିଙ୍ଗରେ ଜଳାଭିଷେକ କରିଥିଲେ। ସେହିଦିନ ଠାରୁ କାଉଁଡିଆ ଯାତ୍ରା ପରଂପରା ଚାଲିଆସିଛି।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments