Monday, February 17, 2025
Homeଖବରଏଇଠି ବଦଳିବ ରଂଗ

ଏଇଠି ବଦଳିବ ରଂଗ

ଭୁବନେଶ୍ବର: ଓଡ଼ିଶାରେ ସରକାର ବଦଳିବା ୪ ମାସ ହୋଇଛି। ସାଧାରଣ ନିର୍ବାଚନ-୨୦୨୪ରେ ବିଜୁ ଜନତା ଦଳ (ବିଜେଡି)ର ଶୋଚନୀୟ ପରାଜୟ ପରେ ଭାରତୀୟ ଜନତା ପାର୍ଟି (ବିଜେପି) କ୍ଷମତାକୁ ଆସିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋହନ ଚରଣ ମାଝୀଙ୍କ ମାର୍ଗଦର୍ଶନରେ ପରିଚାଳିତ ମୋହନ ମାଝୀ ସରକାର ଓଡ଼ିଶାରେ ଏହି ୪ ମାସ ମଧ୍ୟରେ ସବୁଜ ରଂଗ ବଳଦରେ କଳମା ରଂଗକୁ ଗୁରୁତ୍ବ ଦେଇଛି। କ୍ଷମତା ପାଇବା ପରେ ବିଜେପି ପ୍ରଥମେ ଲକ୍ଷ୍ମୀ ବସ୍‌ର ରଂଗ ପରିବର୍ତ୍ତନ କରିବା ଆରମ୍ଭ କରିଦେଇଥିଲା।

ଚଳିତ ମାସରେ ପ୍ରଥମ ସପ୍ତାହରେ ହାଇସ୍କୁଲ ପିଲାଙ୍କର ୟୁନିଫର୍ମ ରଂଗ ବଦଳାଇବାକୁ ନିଷ୍ପତ୍ତି ନେଇଥିଲା। ଏବେ ପୁଣି ରାଜ୍ୟର ସରକାରୀ କୋଠାଗୁଡ଼ିକର ରଂଗ ପରିବର୍ତ୍ତନ ନେଇ ମୋହନ ମାଝୀ ସରକାର ଆଦେଶନାମା ଜାରି କରିଛନ୍ତି। ଆଗାମୀ ଦିନରେ ବିଦ୍ୟାଳୟର ଶିକ୍ଷକ-ଶିକ୍ଷୟିତ୍ରୀଙ୍କ ୟୁନିଫର୍ମ ମଧ୍ୟ ବଦଳିପାରେ। ସେହିପରି ନର୍ସ, ଆଶାକର୍ମୀ, ଅଙ୍ଗନବାଡ଼ି ଦିଦି, ଗାଁ ସାଥୀମାନଙ୍କର ପୋଷାକର ରଙ୍ଗ ପରିବର୍ତ୍ତନ ପାଇଁ ସରକାର ନି‌ଷ୍ପତ୍ତି ନେଇପାରନ୍ତି।

ସରକାର ଲେଖିଲେ ଚିଠି

ପୂର୍ତ୍ତ ବିଭାଗର ପ୍ରମୁଖ ଇଞ୍ଜିନିୟର ତଥା ସ୍ୱତନ୍ତ୍ର ସଚିବ ସମସ୍ତ ମୁଖ୍ୟ ଇଞ୍ଜିନିୟରମାନଙ୍କୁ ନିର୍ଦ୍ଦେଶ ଜାରି କରି କହିଛନ୍ତି। ଏହି ନିର୍ଦ୍ଦେଶନାମାରେ ରଙ୍ଗର କୋଡ୍‍ ଜଣାଇ ଦିଆଯାଇଛି। ରାଜ୍ୟର ସମସ୍ତ ସରକାରୀ କୋଠାର ରଙ୍ଗ ପୁଣି ବଦଳିବ। ସବୁଜ ବଦଳରେ ସମସ୍ତ ସରକାରୀ କୋଠାର ବାହାର କାନ୍ଥ ନାରଙ୍ଗୀ ରଙ୍ଗର ହେବ। କାନ୍ଥର ଧାର ନାଲି ରଙ୍ଗର ହେବ।  ଏନେଇ ଚିଠି ଲେଖିଛନ୍ତି। ରାଜ୍ୟର ଯେଉଁଠି ନୂଆ ସରକାରୀ କାର୍ଯ୍ୟାଳୟ ନିର୍ମାଣ ହେବ ତା’ର ବାହାର କାନ୍ଥର ରଙ୍ଗ ନାରଙ୍ଗୀ ହେବ ଏବଂ କାନ୍ଥର ଧାର ନାଲି ହେବ। ପୁରୁଣା କୋଠାଗୁଡ଼ିକର ମରାମତି ଓ ରକ୍ଷଣାବେକ୍ଷଣ ବେଳେ ଏହି ନୂଆ ରଙ୍ଗ ଲଗାଯିବ। ପୂର୍ତ୍ତ ବିଭାଗ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଥିଲେ ହେଁ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ, ଗ୍ରାମ୍ୟ ଉନ୍ନୟନ ବିଭାଗ, ଜଳସମ୍ପଦ ବିଭାଗ, ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗ ସମେତ ବିଭିନ୍ନ ବିଭାଗ ଅଧୀନରେ ଥିବା କୋଠାର ରଙ୍ଗ ବଦଳିବ କି ନାହିଁ ସେନେଇ କିଛି ନିର୍ଦ୍ଦେଶନାମା ଜାରି ହୋଇନି। ଦୁଇ ବର୍ଷ ତଳେ ପୂର୍ବ ସରକାର ସମସ୍ତ ସରକାରୀ କୋଠାର ରଙ୍ଗ ସବୁଜ ରଙ୍ଗ କରିବାକୁ ନିଷ୍ପତ୍ତି ନେଇଥିଲେ। ଏହାପରେ ସମସ୍ତ କୋଠାର ରଙ୍ଗ ସବୁଜ ରଙ୍ଗ ହୋଇଥିଲା। ଏହି ରଙ୍ଗ ପରିବର୍ତ୍ତନକୁ ନେଇ ସେତେବେଳେ ରାଜନୀତି ଜୋର୍ ଧରିଥିଲା।  

ହଣ୍ଟର ଗ୍ରିନ୍‌ ବଦଳରେ ବାଦାମି-ଖଇରିଆ

ରାଜ୍ୟର ସମସ୍ତ ସରକାରୀ ଓ ଅନୁଦାନପ୍ରାପ୍ତ ହାଇସ୍କୁଲର ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ୟୁନିଫର୍ମ ରଙ୍ଗ ବଦଳିବ ବୋଲି ଚଳିତ ମାସ ପ୍ରଥମ ସପ୍ତାହରେ ରାଜ୍ୟ ସରକାର ଘୋଷଣା କରିଥିଲେ। ଗୋଟିଏ ବର୍ଷ ପରେ ରଙ୍ଗ ପରିବର୍ତ୍ତନ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ୨୦୨୩-୨୪ ଶିକ୍ଷାବର୍ଷରେ ବିଜେଡି ସରକାର ସମୟରେ ଛାତ୍ରଛାତ୍ରୀଙ୍କ ୟୁନିଫର୍ମର ରଙ୍ଗ ‘ହଣ୍ଟର ଗ୍ରିନ୍‌’ କରାଯାଇଥିଲା। ଏବେ ତାହାକୁ ବଦଳାଯାଇ ବାଦାମି ରଙ୍ଗର ଗାରପକା ସାର୍ଟ ଓ ଖଇରିଆ ରଙ୍ଗର ପ୍ୟାଣ୍ଟ ରଖିବାକୁ ନିଷ୍ପତ୍ତି ହୋଇଛି। ଏଣିକି ସବୁଜ ବଦଳରେ ମରୁନ (ଖଇରିଆ) ଓ ହାଲୁକା ବାଦାମୀ ରଙ୍ଗର ଡ୍ରେସ ପିନ୍ଧିବେ ଛାତ୍ରଛାତ୍ରୀ। ‘ମୁଖ୍ୟମନ୍ତ୍ରୀ ଛାତ୍ରଛାତ୍ରୀ ପରିଧାନ ଯୋଜନା’ରେ ଛାତ୍ରଛାତ୍ରୀଙ୍କୁ ନୂତନ ଡ୍ରେସ୍ ଯୋଗାଇ ଦିଆଯିବ। ସବୁ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ସ୍କୁଲକୁ ଏହି ନୂଆ ଡ୍ରେସକୋଡ ବଣ୍ଟାଯିବା ନେଇ ନିଷ୍ପତ୍ତି ହୋଇଛି। ଏହି ନୂଆ ଡିଜାଇନକୁ କାର୍ଯ୍ୟକାରୀ କରିବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ଛାତ୍ରଛାତ୍ରୀଙ୍କ ବଦଳିବନି ଭାଗ୍ୟ

ବିଜେଡି କ୍ଷମତାରେ ଥିବା ବେଳେ ସାଧାରଣ ନିର୍ବାଚନ-୨୦୨୪କୁ ଲକ୍ଷ୍ୟ ରଖି ଗତବର୍ଷ ଅକ୍ଟୋବର ମାସରେ ଛାତ୍ରଛାତ୍ରୀମାନଙ୍କର ୟୁନିଫର୍ମ ବଦଳାଇଥିଲା। ଦେଶର ଅଧିକାଂଶ ରାଜ୍ୟରେ ପ୍ରଚଳିତ ୟୁନିଫର୍ମକୁ ବାଦ୍‌ ଦେଇ ହଣ୍ଟର ଗ୍ରିନ ପ୍ରଚଳନ କରିଥିଲା। କେନ୍ଦ୍ରୀୟ ବିଦ୍ୟାଳୟ ଶୈଳୀରେ ରାଜ୍ୟର ପିଲାମାନଙ୍କୁ ପୋଷାକ ଦେଇଥିଲା। ଏଥି ପାଇଁ ଅତିରିକ୍ତ ଟଙ୍କା ଖର୍ଚ୍ଚ କରିଥିଲା। ସରକାର ବଦଳିବା ପରେ ଏବେ ବିଜେପି ମଧ୍ୟ ବିଜେଡି ଭଳି ନିଜର ଦଳୀୟ ରଂଗକୁ ବ୍ୟବହାର କରିବାକୁ ଲାଗିପଡ଼ିଛି। ରଂଗ ବଦଳାଇବା ବଦଳରେ ସରକାର ଯଦି ଅଧ୍ୟାପନା ଢଙ୍ଗ ପରିବର୍ତ୍ତନ କରନ୍ତେ, ତା’ହେଲେ ପିଲାମାନଙ୍କର ଭାଗ୍ୟ ପରିବର୍ତ୍ତନ ହୁଅନ୍ତା ବୋଲି ଅଭିଭାବକ ମହଲରେ ଆଲୋଚନା ହେଉଛି।  

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments