Tuesday, September 10, 2024
Homeଖବରରୋଚକ ମୁଡ଼ରେ ଏଥରର ନିର୍ବାଚନ

ରୋଚକ ମୁଡ଼ରେ ଏଥରର ନିର୍ବାଚନ

ଭୁବନେଶ୍ବର: ସାଧାରଣ ନିର୍ବାଚନ-୨୦୨୪ ପାଇଁ ଓଡ଼ଶାରେ ପ୍ରାର୍ଥୀ ଘୋଷଣା ରୋଚକ ହେଉଛି। ବିଜୁ ଜନତା ଦଳ (ବିଜେଡି) ମୁଖ୍ୟମନ୍ତ୍ରୀଙ୍କ ମୁହଁ ନେଇ ନିର୍ବାଚନ ଲଢ଼ୁଛି। ମୋଦୀଙ୍କ ବିକଶିତ ଭାରତ ନାରାରେ ଭାରତୀୟ ଜନତା ପାର୍ଟି (ବିଜେପି) ଅବତୀର୍ଣ୍ଣ ହୋଇଛି। ବିଜେପି ଓ ବିଜେଡି ମଧ୍ୟରେ ଥିବା ଭିତିରିଆ ସଂପର୍କକୁ କଂଗ‌େ୍ରସ ପ୍ରସଙ୍ଗ କରୁଛି। ପ୍ରାୟ ମାସେ ଧରି ବିଜେଡି ଓ ବିଜେପି ମଧ୍ୟରେ ମେଣ୍ଟ ଚର୍ଚ୍ଚା ଜୋର ଧରିବା ପରେ ଏବେ ଉଭୟ ଦଳ ଏକାକୀ ନିର୍ବାଚନ ଲଢୁଛନ୍ତି। କିନ୍ତୁ ପ୍ରାର୍ଥୀ ଘୋଷଣାକୁ ନେଇ ଉଭୟ ଦଳ ମଧ୍ୟରେ ରୋଚକ ସ୍ଥିତି ଦେଖିବାକୁ ମିଳୁଛି। ୨୦୧୪ ଓ ୨୦୧୯ ମସିହାରେ ବ‌ିଜେଡି ଯେଉଁଭଳି ସହଜରେ ପ୍ରାର୍ଥୀ ଘୋଷଣା କରୁଥିଲା, ଚଳିତ ଥର ସେହିଭଳି ସ୍ଥିତି ନାହିଁ। ଏହାର କାରଣ ହେଲା ବିଜେଡିର ଲୋକପ୍ରିୟତା ହ୍ରାସ ପାଇଛି, ଯାହାକି ବିଗତ ଦିନରେ ଜାତୀୟ ସଂସ୍ଥା ଦ୍ବାରା ସ‌‌ର୍ଭେ ରି‌ପୋର୍ଟରୁ ପ୍ରକାଶ ପାଇଥିଲା। ୨୪ ବର୍ଷ ଧରି ଶାସନ କଲା ପରେ ମଧ୍ୟ ଦଳରେ ୧୪୭ ବିଧାନସଭା ଓ ୨୧ ଆସନରେ ପ୍ରାର୍ଥୀ ଦେବା ପାଇଁ ନେତା ନାହାନ୍ତି, ଯେଉଁଥି ପାଇଁ ବିଜେପି ଓ କଂଗ୍ରେସ ଛାଡ଼ିଥିବା ଅନେକ ନେତାଙ୍କୁ ବିଜେଡି ଟିକେଟ୍‌ ଦେଇଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅବ୍‌କି ବାର ୪୦୦ ପାର୍‌ ନାରା ଦେଇ ନିର୍ବାଚନ ପ୍ରଚାର କରୁଛନ୍ତି। ବିଜେପି ନେତୃତ୍ବରେ ଏନ୍‌ଡିଏ ୪୦୦ ଆସନରେ ବିଜୟ ହାସଲ ସହିତ ସରକାର ଗଢ଼ିବାକୁ ଅଗ୍ରସର ହୋଇଛି। ଏନ୍‌ଡିଏ ଏଥି ପାଇଁ ବିଭିନ୍ନ ଆଞ୍ଚଳିକ ଦଳଗୁଡ଼ିକ ସହିତ ମେଣ୍ଟ ମଧ୍ୟ କରିଛି। ଓଡ଼ିଶାରେ ମଧ୍ୟ ବିଜେଡି ସହିତ ମେଣ୍ଟ କରିବାକୁ ଆଲୋଚନା ଚାଲିଥିଲା। ଏହି ଆଲୋଚନାକୁ ଯଦିଓ ବିଜେଡିର ନେତା ଓ କର୍ମୀ ଖୋଲାଖୋଲି ବିରୋଧ କରିପାରୁ ନଥିଲେ। ବିଜେପିର ତୃଣମୂଳସ୍ତରରେ ମେଣ୍ଟକୁ ଘୋର ବିରୋଧ ହେଉଥିଲା। ଏପରିକି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଗଣମାଧ୍ୟମ ଆଗରେ ମେଣ୍ଟକୁ ଖଣ୍ଡନ କରୁଥିଲେ। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଗଣମାଧ୍ୟମ ଆଗରେ କିଛି କହି ନଥିଲେ। କିନ୍ତୁ ବିଜେଡିର ବିଧାୟକମାନେ କହୁଥିଲେ, ଏବାବଦରେ ନବୀନ ନିଷ୍ପତ୍ତି ନେବେ। ଅର୍ଥାତ ସେମାନେ ପରୋକ୍ଷରେ ମେଣ୍ଟ ସପକ୍ଷରେ ଥିଲେ ବୋଲି କୁହାଯାଇପାରିବ।

ଦଳ ଡିଆଁଙ୍କ ଉପରେ ବିଜେଡିର ଭରସା

ଓଡ଼ିଶାରେ ଲୋକସଭା ନିର୍ବାଚନ ପ୍ରସଙ୍ଗରେ ବିଜେଡି ଦଳଡିଆଁ ନେତାଙ୍କ ଉପରେ ଅଧିକ ଭରସା କରିଛି। କଂଗ୍ରେସ ଛାଡ଼ିଥିବା ଅଂଶୁମାନ ମହାନ୍ତି, ସୁରେନ୍ଦ୍ର ସିଂହ ଭୋଇ, ପ୍ରଦୀପ ମାଝୀ ଓ ବିଜେପି ଛାଡ଼ିଥିବା ଭୃଗୁବକ୍ସି ପାତ୍ର ଏବଂ ଲେଖାଶ୍ରୀ ସାମନ୍ତସିଂହାରଙ୍କୁ ବିଜେଡି ଟିକେଟ ଦେଇଛି। ଏମାନଙ୍କୁ ଯଥାକ୍ରମେ କେନ୍ଦ୍ରାପଡ଼ା, ବଲାଙ୍ଗୀର, ନବରଂଗପୁର, ବ୍ରହ୍ମପୁର ଓ ବାଲେଶ୍ବରରେ ଅବସ୍ଥାପିତ କରିଛି। ଅନ୍ୟ ଦଳରୁ ଆସିଥିବା ୫ ଜଣ ନେତାଙ୍କୁ ବିଜେଡି ସାଂସଦ ପ୍ରାର୍ଥୀ କରିବାର ଅର୍ଥ ୩୫ଟି ବିଧାନସଭା କ୍ଷେତ୍ରରେ ସ୍ବତନ୍ତ୍ର ଚେହେରା ଅବସ୍ଥାପିତ କରିଛି। ଭାରତୀୟ ଜନତା ପାର୍ଟି କେବଳ ପ୍ରଦୀପ ପାଣିଗ୍ରାହୀ ଙ୍କୁ ସାଂସଦ ପାଇଁ ପ୍ରାର୍ଥୀ କରିଛି, ଯିଏକି ବିଜେଡି ଛାଡ଼ିଥିଲେ। ତେବେ କ‌‌ଂଗ୍ରେସ ନିଜ ଦଳର ପ୍ରାର୍ଥୀଙ୍କ ଉପରେ ହିଁ ଭରସା କରିଛି। ବିଧାୟକ ପ୍ରାର୍ଥୀଙ୍କ କଥା ଯଦି କହିବା, ବିଜେଡି ଏଥର ଅନେକ ବରିଷ୍ଠ ନେତାଙ୍କୁ ହତାଦର କରିଛି। ଦଳୀୟ ଟିକେଟ ନପାଇଲା ପରେ କିଛି ବିଧାୟକ ଓ ନେତା ବିଜେଡି ଛାଡ଼ି ବିଜେପି ଓ କଂଗ୍ରେସରେ ଯୋଗ ଦେଇଛନ୍ତି।

ନିରାଶ କଲେ ନବୀନ

ଚଳିତ ନିର୍ବାଚନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବହୁ ନେତାଙ୍କୁ ନିରାଶ ଓ ହତାଶ କରିଛନ୍ତି। ସପ୍ତମ ଓ ଅଷ୍ଟମ ପର୍ଯ୍ୟାୟରେ ମଧ୍ୟ ଏହାର ଝଲକ ଦେଖିବାକୁ ମିଳିଛି। ସପ୍ତମ ପର୍ଯ୍ୟାୟରେ ହିନ୍ଦୋଳରୁ ‌ଢେଙ୍କାନାଳ ସାଂସଦ ମହେଶ ସାହୁ, ରଘୁନାଥପାଲୀରୁ ଅର୍ଚ୍ଚନା ବେହେରା, ବାଲିକୁଦା ଏରସମାରୁ ସାରଦା ଜେନା, କାକଟପୁରରୁ ତୁଷାରକାନ୍ତି ବେହେରା, ବାଙ୍ଗିରିପୋଷିରୁ ରଂଜିତା ମାର୍ଣ୍ଣିଂ, ବରୀରୁ ବିଶ୍ୱରଂଜନ ମଲ୍ଲିଙ୍କୁ ପ୍ରାର୍ଥୀ ଘୋଷଣା କରିଥିଲେ। ଅଷ୍ଟମ ପର୍ଯ୍ୟାୟରେ ଭୋଗରାଇରେ ଗୌତମବୁଦ୍ଧ ଦାସ, ‌ବେଗୁନିଆରେ ପ୍ରଦୀପ କୁମାର ସାହୁ ଓ ଖୋର୍ଦ୍ଧାରେ ରାଜେନ୍ଦ୍ର ସାହୁଙ୍କୁ ପ୍ରାର୍ଥୀ କରିଛନ୍ତି। ଏହି ୯ଟି ଆସନରେ ପ୍ରାର୍ଥୀ ଘୋଷଣା ହେଲା ପରେ ରୋଚକ ସ୍ଥିତି ଦେଖିବାକୁ ମିଳିଛି। କାରଣ ଭୋଗରାଇ ବିଧାୟକ ଅନନ୍ତ ଦାସଙ୍କର ଟିକେଟ କଟିଛି। ଅନନ୍ତ ଦାସ ତାଙ୍କ ପୁଅ ପାଇଁ ଟିକେଟ ଲବି କରୁଥିଲେ। ବେଗୁନିଆ ବିଧାୟକ ଥିବା ରାଜେନ୍ଦ୍ର ସାହୁଙ୍କୁ ବିଜେଡି ପୁଣି ଖୋର୍ଦ୍ଧା ଫେରାଇ ଆଣିଛି। ଏଠାରେ ବିଧାୟକ ଥିବା ଜ୍ୟୋତିନ୍ଦ୍ରନାଥ ମିତ୍ରଙ୍କୁ ଦଳ ଏଥର ଟିକେଟ ଦେଇନି। ରାଜେନ୍ଦ୍ର ସାହୁ ୨୦୦୯ରେ ସ୍ବାଧୀନ ଓ ୨୦୧୪ରେ ବିଜେଡି ଟିକେଟରେ ଖୋର୍ଦ୍ଧାରୁ ବିଜୟୀ ହୋଇଥିଲେ। ୨୦୧୯ରେ ଦଳ ତାଙ୍କୁ ବେଗୁନିଆରେ ପ୍ରାର୍ଥୀ କରିଥିଲା। ହିନ୍ଦୋଳ ବିଧାୟିକା ସୀମାରାଣୀ ନାୟକ ଓ ବରୀ ବିଧାୟିକା ସୁନନ୍ଦା ଦାସଙ୍କୁ ବିଜେଡି ଏଥର ଟିକେଟ୍‌ ଦେଲା ନାହିଁ।

ବିଜେଡି ଛାଡ଼ିଲେ, ବିଜେପି ଟିକେଟ୍‌ ପାଇଲେ

ବିଜେପି ଚତୁର୍ଥ ପର୍ଯ୍ୟାୟରେ ୮ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି, ଯେଉଁଥିରେ ଚମ୍ପୁଆକୁ ଛାଡ଼ି ବାକି ୭ଟି ଆସନରେ ପ୍ରାର୍ଥୀ ବଦଳାଇଛି। ନିକଟରେ ବିଜେଡି ଛାଡ଼ିଥିବା ହିନ୍ଦୋଳ ବିଧାୟିକା ସୀମାରାଣୀ ନାୟକଙ୍କୁ ଦଳ ହିନ୍ଦୋଳରେ, ଅରିନ୍ଦମ ରୟଙ୍କୁ ସାଲେପୁରରେ, ଗୀତାଞ୍ଜଳୀ ସେଠୀଙ୍କୁ କେନ୍ଦ୍ରାପଡ଼ାରେ, ବେଗୁନିଆ ଓ ଚିଲିକାରେ ବିଧାୟକ ହୋଇଥିବା ପ୍ରଶାନ୍ତ ଜଗଦ୍ଦେବଙ୍କୁ ଖୋର୍ଦ୍ଧାରେ, ଯୁବନେତା ବାଣୀକଲ୍ୟାଣ ମହାନ୍ତିଙ୍କୁ ବାସୁଦେବପୁରରେ, ବସ୍ତାରେ ରବୀନ୍ଦ୍ର ଅଣ୍ଡିଆଙ୍କୁ ବିଜେପି ପ୍ରାର୍ଥୀ କରିଛି। ବିଜେଡି ଛାଡ଼ି ବିଜେପିରେ ମିଶିଥିବା ପ୍ରେମାନନ୍ଦ ନାଏକ ଟିକେଟ ଆଶାୟୀ ଥିଲେ ହେଁ ଦଳ ଡା. ଫକୀର ମୋହନ ନାଏକଙ୍କୁ ପ୍ରାର୍ଥୀ କରିଛି। ଚମ୍ପୁଆରେ ବିଜେପି ପୁଣି ମୁରଲୀ ମନୋହର ଶର୍ମାଙ୍କୁ ପ୍ରାର୍ଥୀ କରିଛି।

କେଉଁଠି ପ୍ରାର୍ଥୀ ଘୋଷଣା ହୋଇନି

ବିଜେଡି ଏପର୍ଯ୍ୟନ୍ତ ୧୪୪ଟି ବିଧାନସଭା ଆସନରେ ପ୍ରାର୍ଥୀ ଘୋଷଣା କରିସାରିଛି। କିନ୍ତୁ ଖଣ୍ଡପଡ଼ା, କୋରେଇ ଓ ନୀଳଗିରିରେ ପ୍ରାର୍ଥୀ ଘୋଷଣା କରିପାରି ନାହିଁ। ବିଜେପି ୧୪୦ଟି ଆସନରେ ପ୍ରାର୍ଥୀ ଘୋଷଣା କରିଛି। ଘଷିପୁରା, କଟକ-ବାରବାଟୀ, ବେଗୁନିଆ, ବରୀ, ଭଣ୍ଡାରିପୋଖରୀ, ଭୋଗରାଇ, ନୀଳଗିରିରେ ପ୍ରାର୍ଥୀ ଘୋଷଣା ହେବା ବାକି ଅଛି। ନୀଳଗିରି ସହ ପାଳଲହଡ଼ା, ଜଳେଶ୍ବର, ବାଲେଶ୍ବର, କଟକ-ବାରବାଟୀ, ଜଗତସିଂହପୁର, ବଡ଼ଚଣା, କାକଟପୁର ଓ ଛତ୍ରପୁରରେ ପ୍ରାର୍ଥୀ ଘୋଷଣା କରିନାହିଁ। ପ୍ରାର୍ଥୀ ଘୋଷଣା ହୋଇପାରି ନଥିବା ଆସନଗୁଡ଼ିକରେ ଏକାଧିକ ନେତା ଅଛନ୍ତି।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments