Sunday, February 9, 2025
Homeଖବରଚର୍ଚ୍ଚାରେ ତିନି ବିଜେଡି ନେତା

ଚର୍ଚ୍ଚାରେ ତିନି ବିଜେଡି ନେତା

ଭୁବନେଶ୍ବର: ସାଧାରଣ ନିର୍ବାଚନ-୨୦୨୪ ପରେ ରାଜ୍ୟରେ ଜାରି ରହିଥିବା ୨୪ ବର୍ଷର ବିଜୁ ଜନତା ଦଳ (ବିଜେଡି) ସରକାରରେ ବ୍ରେକ୍ ଲାଗିଛି। ଓଡ଼ିଶାରେ ଭାରତୀୟ ଜନତା ପାର୍ଟି (ବିଜେପି) ବହୁମତ ସହିତ ସରକାର ଗଢ଼ିଛି। ବିଜେଡି ଦେଖିଥିବା ଆହୁରି ଅନେକଗୁଡ଼ିଏ ସ୍ବପ୍ନ ଅଧୁରା ହୋଇଛି। ବିଜେଡିର ସ୍ବପ୍ନକୁ ବିଜେପି ପୂରା କରିବାକୁ ସଂକଳ୍ପ ନେଇଛି। ଏଥି ପାଇଁ ମୋହନ ମାଝୀ ସରକାର ଆଗାମୀ ୫ବର୍ଷର ରଣନୀତି ମଧ୍ୟ ପ୍ରସ୍ତୁତି ଆରମ୍ଭ କରିଦେଇଛି। ହାତରୁ କ୍ଷମତା ଚାଲିଗଲା ପରେ ବିଜେଡି ଏବେ ଏକ ପ୍ରକାର ସ୍ଥିର ହୋଇ ବସିଛି।

ନବୀନ ପଟ୍ଟନାୟକ ୨୦୦୦ ମସିହା ମାର୍ଚ୍ଚ ୧୨ ତାରିଖ ଠାରୁ ୨୦୨୪ ମସିହା ଜୁନ୍ ୧୨ ତାରିଖ ଯାଏଁ ମୁଖ୍ୟମନ୍ତ୍ରୀ ଥିଲେ। ଦୀର୍ଘ ୨୪ ବର୍ଷ ସରକାରରେ ରହିବା ପରେ ବିଜେଡି ଅନେକଗୁଡ଼ିଏ ବିକାଶମୂଳକ କାମ କରିଛି। କିନ୍ତୁ ଏହାରି ମଧ୍ୟରେ ବଡ଼ବଡ଼ ଦୁର୍ନୀତି ହୋଇଥିବା ମଧ୍ୟ ଚର୍ଚ୍ଚା ହେଉଛି। ଯଦି ଆଲୋଚନା ସତ ହୋଇଥିବ ତା’ହେଲେ ଆଗାମୀ ଦିନରେ ଏହା ଜଣାପଡ଼ିବ। ନବୀନ ପଟ୍ଟନାୟକଙ୍କ ସୁରକ୍ଷା ପାଇଁ ଏକଦା ତିନିଟି ସିଫ୍ଟରେ ୩୦୦ ସୁରକ୍ଷା କର୍ମୀ ମୁତୟନ ଥିବା ବେଳେ ଏବେ ଏହାକୁ ୪୫ କରିଦିଆଯାଇଛି। ନିର୍ବାଚନ ପୂର୍ବରୁ ନବୀନ ପଟ୍ଟନାୟକ ଯେତିକି ସକ୍ରିୟ ଥିଲେ, ଏବେ ପୂର୍ବ ତୁନଳାରେ ଅଧିକ ମଜବୁତ ଦେଖାଯାଉଛନ୍ତି। ସେ ବିନା କାହାରି ସହାୟତାରେ ମଜବୁତ ଭାବେ ଚଳପ୍ରଚଳ କରୁଛନ୍ତି।

କେଉଁଠି ଅଛନ୍ତି ପାଣ୍ଡିଆନ୍?

ବିଗତ କିଛି ବର୍ଷ ହେବ ଓଡ଼ିଶାର ପ୍ରଶାସନିକ ଓ ରାଜନୈତିକ ବ୍ୟବସ୍ଥାରେ ଅଧିକ ଚର୍ଚ୍ଚିତ ଥିବା ଭୈରବ କାର୍ତ୍ତିକ ପାଣ୍ଡିଆନ୍କୁ ନେଇ ମଧ୍ୟ ଚର୍ଚ୍ଚା କମିନାହିଁ। ଗତବର୍ଷ ଅକ୍ଟୋବର ମାସରେ ଭାରତୀୟ ପ୍ରଶାସନସକ ସେବା(ଆଇଏଏସ୍) ଚାକିରିରୁ ସ୍ବେଚ୍ଛାକୃତ ଅବସର ନେଇ ବିଜେଡିରେ ଯୋଗ ଦେଲା ପରେ ନବୀନ ପଟ୍ଟନାୟକଙ୍କ ପରେ ଭିକେ ପାଣ୍ଡିଆନ ଦ୍ବିତୀୟ କ୍ଷମତା ବିଶିଷ୍ଟ ବ୍ୟକ୍ତି ଥିଲେ। ପୂର୍ବ ସରକାରରେ ୫ଟି ଅଧ୍ୟକ୍ଷ ପଦବିରେ ଥିଲେ। ସାଧାରଣ ନିର୍ବାଚନ-୨୦୨୪ରେ ନବୀନ ପଟ୍ଟନାୟକଙ୍କ ପରେ ସେ କ୍ଷମତାର କେନ୍ଦ୍ର ଥିଲେ। ୨୦୨୩ ଅକ୍ଟୋବରରୁ ୨୦୨୪ ମେ’ ୩୦ ତାରିଖ ପର୍ଯ୍ୟନ୍ତ ପ୍ରତିଦିନ ହେଲିକପ୍ଟରରେ ଉଡୁଥିଲେ। ଏପରିକି କଟକ ଓ ଖୋର୍ଦ୍ଧା ଭୁବନେଶ୍ବର ଠାରୁ ପ୍ରାୟ ୨୫କିମି ଦୂର ହୋଇଥିଲେ ମଧ୍ୟ ଆକାଶମାର୍ଗରେ ଯାଉଥିଲେ। ବିଜେଡି ନିର୍ବାଚନରେ ପରାଜିତ ହେଲା ପରେ ଭିକେ ପାଣ୍ଡିଆନ ଆଉ ଗଣମାଧ୍ୟମକୁ ଆସୁ ନାହାନ୍ତି। ସେ କ’ଣ କରୁଛନ୍ତି, କେଉଁଠି ରହି ଗୋଟି ଚଳାଉଛନ୍ତି ତାହା ଜଣାପଡୁନାହିଁ।

ବଙ୍ଗଳା ଭାଙ୍ଗୁଛନ୍ତି ବବି

ନବୀନ ପଟ୍ଟନାୟକ ଓ ଭିକେ ପାଣ୍ଡିଆନ୍ଙ୍କ ପରେ ବିଜେଡିର ତୃତୀୟ ଶକ୍ତିଶାଳୀ ବ୍ୟକ୍ତି ହେଉଛନ୍ତି ଯାଜପୁରର ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସ ଓରଫ ବବି। ବିଜେଡିର ସାଂଗଠନିକ ସଂପାଦକ ବିବି ଦାସ ସାଧାରଣ ନିର୍ବାଚନରେ ସମ୍ବଲପୁର ଲୋକସଭା ଆସନରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଠାରୁ ଲକ୍ଷାଧିକ ଭୋଟ୍ରେ ହାରିବା ପରେ ଆଗଭଳି ଆଉ ପ୍ରଭାବଶୀଳ ନାହାନ୍ତି। ମତଦାନ ପୂର୍ବରୁ ବବି ଦାସଙ୍କ ଠିକଣାରେ ଚଢ଼ାଉ ହୋଇଥିଲା। ଅନ୍ୟପଟରେନିଜର ପତିଆରା ଓ କ୍ଷମତାର ଦୁରୁପଯୋଗ କରି ସରକାରୀ ବାସଭବନକୁ ରାଜପ୍ରସାଦ ପରି ବେଆଇନ ନିର୍ମାଣ କରିଥିବା ପ୍ରଣବ ପ୍ରକାଶ ଦାସ ଏବେ ପ୍ରତିହିଂସା ପରାୟଣ ହୋଇ ଉଠିଛନ୍ତି। ବିଜେଡି କ୍ଷମତାଚ୍ୟୁତ ହେବା ପରେ ସେହି ଅବୈଧ ନିର୍ମାଣକୁ ଗତ ପ୍ରାୟ ୧୫ ଦିନ ହେଲା ମନମୁଖି ଭାବେ ଭାଙ୍ଗିବାରେ ଲାଗିଛନ୍ତି। ଗଣମାଧ୍ୟମରେ ଏହି ଖବର ପ୍ରକାଶିତ ହେଲା ପରେ ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗର ୩ ଜଣ ଅଧିକାରୀ ଘଟଣାର ସ୍ଥିତି ପରଖିଛନ୍ତି।

ବବିଙ୍କ ଆଲିଶାନ ବଙ୍ଗଳା?

ସରକାରୀ ବାସଭବନ ଯେତେବେଳେ କୌଣସି ସରକାରୀ କର୍ମଚାରୀ ଅଥବା ନେତାମନ୍ତ୍ରୀଙ୍କୁ ଆବଣ୍ଟନ ହୋଇଥାଏ, ଏଥି ପାଇଁ କିଛି ନୀତି ନିୟମ ପାଳନ କରିବାକୁ ପଡ଼ିଥାଏ। ସରକାରୀ ପରିସରରେ ବିନା ଅନୁମତିରେ ନିର୍ମାଣ କାମ କରାଯାଇପାରିବ ନାହିଁ। ସେହିପରି ଯଦି ଅନୁମତିରେ ନିର୍ମାଣ ହୋଇଥାଏ, ନିଜ ଇଚ୍ଛାରେ ଏହାକୁ ଭଙ୍ଗା ଯାଇପାରିବ ନାହିଁ। କିନ୍ତୁ ବବି ଦାସ ଏହାର ବ୍ୟତୀକ୍ରମ କରିଛନ୍ତି ବୋଲି ଚର୍ଚ୍ଚା ହେଉଛି। ସେ ଭୁବନେଶ୍ୱରସ୍ଥିତ ବବିଙ୍କ ସରକାରୀ ଆବାସ ଭିତରେ ଥିବା ବିଶାଳ ଆଲିଶାନ୍ ବଙ୍ଗଳାକୁ ଭାଙ୍ଗି ଦେଇଛନ୍ତି। ତିନି ମହଳା କୋଠାରେ ଅଣ୍ଡର ଗ୍ରାଉଣ୍ଡ୍ ଘର, ସୁଇମିଂ ପୁଲ୍, ରୁଫ୍ ଟପ୍ କଟେଜ୍ ଥିବା ଆଲିଶାନ ବଙ୍ଗଳାକୁ ଭାଙ୍ଗି ମାଟିରେ ମିଶାଇ ଦେଇଛନ୍ତି। ଲୁଚି ଛପି କିଛି ବ୍ୟକ୍ତି ଏହି କ୍ୱାର୍ଟର୍ସ ଭିତରେ ହୋଇଥିବା ନିର୍ମାଣକୁ ଭାଙ୍ଗିବାରେ ଲାଗିଛନ୍ତି। ତେବେ କାହିଁକି ଓ କିଏ ଏହାକୁ ଭାଙ୍ଗୁଛି ସେଥିପାଇଁ ନାନା ମତ ପ୍ରକାଶ ପାଇଛି। ତେବେ ସରକାରୀ ବାସଭବନ ଭଙ୍ଗା ପ୍ରସଙ୍ଗରେ ପ୍ରଣବ ପ୍ରକାଶ ଦାସ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ‘ମୋତେ କ୍ବାର୍ଟର ଛାଡ଼ିବା ପାଇଁ ୪ ତାରିଖ ପର୍ଯ୍ୟନ୍ତ ସମୟ ଦିଆଯାଇଛି ଓ ୧୫ ତାରିଖ ଯାଏଁ ହାତରେ ସମୟ ଅଛି। ସରକାରୀ କ୍ବାର୍ଟର ଯେଉଁଭଳି ନିଆଯାଇଥାଏ ସେଭଳି ଫେରାଯାଏ। ମୁଁ କିଛି ଅସ୍ଥାୟୀ ନିର୍ମାଣ କରିଥିଲି, ଲୋକଙ୍କ ଅଭିଯୋଗ ଶୁଣାଣି ଓ ସୁବିଧା ପାଇଁ।’ ସେଗୁଡିକୁ ଭାଙ୍ଗିବାରେ କିଛି ଅସୁବିଧା ନାହିଁ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments