Tuesday, September 10, 2024
Homeଖବରଡବଲ ଇଞ୍ଜିନ୍‌ ନା ଯୋଡ଼ି ଶଙ୍ଖ: କ’ଣ ଦରକାର?

ଡବଲ ଇଞ୍ଜିନ୍‌ ନା ଯୋଡ଼ି ଶଙ୍ଖ: କ’ଣ ଦରକାର?

ଭୁବନେଶ୍ବର: ଭାରତୀୟ ଜନତା ପାର୍ଟି (ବିଜେପି) ୨୦୧୯ ନିର୍ବାଚନ ସମୟରୁ ଓଡ଼ିଶାରେ ଡବଲ ଇଞ୍ଜିନ୍‌ ସରକାର ନାରା ଦେଇ ଆସୁଛି। ରାଜସ୍ଥାନ, ମଧ୍ୟପ୍ରଦେଶ, ଛତିଶଗଡ଼, ଉତ୍ତରପ୍ରଦେଶ, ଆସାମ, ତ୍ରିପୁରା ଓ କର୍ଣ୍ଣାଟକର ଉଦାହରଣ ଦେଉଛି। କର୍ଣ୍ଣାଟକ, ରାଜସ୍ଥାନ ଓ ଛତିଶଗଡ଼ରେ ସମୟ କ୍ରମେ ଡବଲ ଇଂଜିନ କାମ କରିନାହିଁ। କିନ୍ତୁ ସେଠାକାର ଲୋକେ କଂଗ୍ରେସ ଇଂଜିନକୁ ଭୋଟ୍‌ ଦେଇ ଚିନ୍ତିତ ରହିଥିଲେ ଏବଂ ପରବର୍ତ୍ତୀ ସମୟରେ ପୁଣି ଡବଲ ଇଂଜିନ ଆଣିଥିଲେ। ଓଡ଼ିଶାରେ ୨୦୦୦ ମସିହା ଠାରୁ ଏଯାଏଁ ନବୀନ ଇଂଜିନ ଚାଲିଛି। ଚଳିତ ନିର୍ବାଚନ ପାଇଁ ପ୍ରକ୍ରିୟା ଜାରି ଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହ ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଓଡ଼ିଆ ଭାଷା ଓ ଅସ୍ମିତାକୁ କେନ୍ଦ୍ର କରି ପ୍ରଚାର କରୁଛନ୍ତି। ଡବଲ ଇଂଜିନ ସରକାର ଆସିଲେ ଓଡ଼ିଶାର ବିକାଶର ରଥ ଶୀର୍ଷକୁ ଛୁଇଁବ ବୋଲି କହିଛନ୍ତି। ତେବେ ଆଗକୁ କ’ଣ ହେବ ତାହା ଚଳିତ ନିର୍ବାଚନରେ ଜନତା ଜବାବ ଦେବେ।

ତେବେ ବିଜେପି ଓଡ଼ିଶାରେ ଡବଲ ଇଞ୍ଜିନ ନେଇ ପରିକଳ୍ପନା କରୁଥିବା ବେଳେ କିଛି ଦିନ ହେଲା ବିଜେଡି ଯୋଡ଼ି ଶଙ୍ଖ ଦେଖାଉଛି। ବିଜେଡି ନେତା ଭୈରବ କାର୍ତ୍ତିକ ପାଣ୍ଡିଆନ୍‌ ବାରମ୍ବାର ନବରଂଗପୁର, ମାଲକାନଗିର, କଳାହାଣ୍ଡିରେ ଜନସଭାକୁ ସମ୍ବୋଧନ ବେଳେ ଚଳିତ ନିର୍ବାଚନରେ ଯୋଡ଼ି ଶଙ୍ଖରେ ଭୋଟ ଦେବାକୁ ମତଦାତାଙ୍କ ନିକଟରେ ଅନୁରୋଧ କରୁଛନ୍ତି। ସେ କହୁଛନ୍ତି, ଓଡ଼ିଶାରେ ଡବଲ ଇଂଜିନ କାମ ଦେବ ନାହିଁ। କେବଳ ନବୀନଙ୍କ ଇଂଜିନ ଦରକାର। କିନ୍ତୁ ଓଡ଼ିଶାରେ ଡବଲ ଇଂଜିନ କାମ ଦେବ କି ନାହିଁ, ତାହା ଆକଳନ କରାଯିବା ଭୁଲ। କାରଣ ଡବଲ ଇଂଜିନଙ୍କୁ ଓଡ଼ିଶାବାସୀ କେବେ ସୁଯୋଗ ଦେଇ ନାହାନ୍ତି। ଆଉ ସୁଯୋଗ ନଦେଇ କେମିତି କହିପାରିବା ଯେ, କାମ ଦେବ କି ନାହିଁ। ଉଦାହରଣ ସ୍ବରୂପ ପିଲା ଜନ୍ମ ନ ହୋଇ ଆମେ କେମିତି କହିପାରିବା ଯେ, ସେ ପିଲାଟି ମହାନ୍‌ ହେବ କି ଅକାଳ କୁଷ୍ମାଣ୍ଡ ହେବ?

ଛତିଶଗଡ଼ ସହିତ ପାଣ୍ଡିଆନ୍‌ଙ୍କ ତୁଳନା ଚିତ୍ର

ଚଳିତ ମାସ ୨୮ ତାରିଖରେ ଭିକେ ପାଣ୍ଡିଆନ୍‌ ମାଲକାନଗିରି ଗସ୍ତ କରିଥିଲେ। ସେ  ଜିଲ୍ଲାର ବିଭିନ୍ନ ସ୍ଥାନରେ ଯୋଗଦେଇ ଜନସଭାକୁ ସମ୍ବୋଧିତ କରିଥିଲେ। ଓଡ଼ିଶା ପାଇଁ ଡବଲ ଇଞ୍ଜିନ୍‌ ନୁହେଁ, ଯୋଡ଼ି ଶଙ୍ଖ ଆବଶ୍ୟକ ବୋଲି କହିଥିଲେ। ପଡ଼ୋଶୀ ଛତିଶଗଡ଼ର ଡବଲ ଇଞ୍ଜନ୍‌ ସରକାର ସହ ଓଡ଼ିଶାକୁ ତୁଳନା କଲେ ଫରକ ସ୍ପଷ୍ଟ ଜଣାପଡ଼ିବ ବୋଲି ଉଦହାରଣ ଦେଇ କହିଥିଲେ। ହେଲେ ଶ୍ରୀ ପାଣ୍ଡିଆନ୍‌ ଗୋଟିଏ କଥା କହି ନଥିଲେ। ତାହା ହେଲା ଛତିଶଗଡ଼ ୨୦୦୦ ମସିହାରେ ନୂଆ ରାଜ୍ୟ ଗଠନ ହେଲା। ସେହି ଦିନ ଠାରୁ ୨୦୧୮ ଯାଏଁ ଛତିଶଗଡ଼ରେ ବିଜେପି ସରକାର ଥିଲା। ୨୦୧୮ ବିଧାନସଭା ନିର୍ବାଚନରେ କଂଗ୍ରେସ ସରକାର ଗଢ଼ିଥିଲା। କିନ୍ତୁ ୨୦୨୩ରେ ଛତିଶଗଡ଼ର ଜନତା କଂଗ୍ରେସକୁ ପ୍ରତ୍ୟାଖାନ କଲେ। ପୁଣି ବିଜେପକୁ ସମର୍ଥନ ଦେଇ ଡବଲ ଇଞ୍ଜିନ ଆଣିଥିଲେ। ଏହି ନିର୍ବାଚନରେ ବିଜେପିର ଭୋଟ୍‌ ପ୍ରତିଶତ ୪୬. ୨୭ ଥିଲା, ଯାହାକି ୧୩.୩ ପ୍ରତିଶତ ଅଧିକ। ଉତ୍ତରପ୍ରଦେଶ ଓ ବହାରରେ ଅଧିକ ଅପରାଧିକ ଘଟଣା ହେଉଥିବା ଚର୍ଚ୍ଚା ହେଉଥିଲା। ଏହା ୧୦ ବର୍ଷ ତଳର ଘଟଣା। ଏବେ ନୁହେଁ। ଉତ୍ତର ପ୍ରଦେଶରେ ବିଳମ୍ବିତ ସନ୍ଧ୍ୟାରେ ଜଣେ ମହିଳା ଏକାକୀ ରାସ୍ତାରେ ଯିବା ଅସହଜ ହେଉଥିଲା। କିନ୍ତୁ ଆଜି ତାହା ପରିବର୍ତ୍ତନ ହୋଇଯାଇଛି। ଯୋଗୀ ସରକାର ଆସିଲା ପରେ ଅପରାଧିକ ଘଟଣା ହ୍ରାସ ପାଇଛି। ଅନ୍ୟପଟରେ ଓଡ଼ିଶାରେ ଅପରାଧିକ ଘଟଣା ବଢ଼ିବଢ଼ି ଚାଲିଛି।

ମହିଳାଙ୍କ ପାଇଁ ବିଜେଡିର ଚିନ୍ତା କେତେ?

ରାଜସ୍ଥାନରେ ୨୦୧୮ରେ ବିଜେପି ବିପକ୍ଷରେ କଂଗ୍ରେସ ଜିତିଥିବା ବେଳେ ୨୦୨୩ ନିର୍ବାଚନରେ ପୁଣି ଡବଲ ଇଂଜିନ ସରକାର ଚାଲିଛି। ଓଡ଼ିଶାବାସୀ ଡବଲ ଇଂଜିନ ସରକାର ଦେଖି ନାହାନ୍ତି। ରାଜ୍ୟର ଶାସନ ବିଜେପିକୁ ନଦେଇ ଅଯଥାଟାରେ କହିବା ଠିକ୍‌ ହେବ ନାହିଁ। ବିଜେଡି ନେତା ଶ୍ରୀ ପାଣ୍ଡିଆନ୍‌ ଯେଉଁଠିକୁ ଯାଉଛନ୍ତି ସେଠାରେ ହିସାବ ଦେଉଛନ୍ତି। ଆମେ ଅମୁକ କରିଛୁ, ସମୁକ କରିଛୁ। ଘୋଡ଼ା ଆଣିଛୁ। ହାତୀ ଦୌଡ଼ାଉଛୁ। ବିଜେଡି ହାତରେ ୨୪ ବର୍ଷର ସ୍ଥିର ସରକାର ରହିଛି, ରାଜ୍ୟରେ ଯାହା ଭଲ ବା ଖରାପ କାମ ହୋଇଛି, ତାହା ବିଜେଡି ନ କରି ଆଉ କିଏ କରନ୍ତା? ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ, ଯୋଗାଯୋଗ କଥା କହି ଲୋକଙ୍କୁ ଭୋଟ୍‌ ମାଗୁଛନ୍ତି। ବିଜେପି କ୍ଷମତାକୁ ଆସିଲେ ମିସନ ଶକ୍ତି ବନ୍ଦ କରିଦେବ ବୋଲି କହୁଛନ୍ତି। ରାଜ୍ୟ ସରକାର ଯେଉଁ ମିସନ ଶକ୍ତି କଥା କହୁଛନ୍ତି, ସେଥି ପାଇଁ କେନ୍ଦ୍ର ଅନୁଦାନ ଦେଉ ନାହିଁ କି?  ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା(ବିଏସ୍‌କେୱାଇ) ବି ବନ୍ଦ କରିଦେବେ ବୋଲି କହୁଛନ୍ତି। ଯଦି ‌ବିଜେପି ସରକାର ଆସିଲେ ବିଏସ୍‌କେୱାଇ ବନ୍ଦ କରିବେ, ତା’ହେଲେ ଆୟୁଷ୍ମାନ ଯୋଜନା ଲାଗୁ କରିପାରନ୍ତି। ଯେଉଁ ରାଜ୍ୟ ସରକାର ବିଏସ୍‌କେୱାଇ ନେଇ ଏତେ ଗର୍ବିତ ରୋଗୀ ଓ ଗର୍ଭବତୀଙ୍କୁ ଆମ୍ବୁଲାନ୍ସ ବଦଳରେ ଖଟିଆରେ ବୁହାଯିବା ନେଇ ମଧ୍ୟ ଅବଗତ ହେବା ଦରକାର। ସେହିଭଳି  ମା’ ମାନଙ୍କୁ ଦୁବାଇ ଗସ୍ତ କରାଇବା ବଦଳରେ ୫ କିମି ଦୂର ଚାଲିଚାଲି ପହାଡ଼ ତଳ ଝରଣା କୂଳରୁ ଜଳ ସଂଗ୍ରହ କରୁଥିବା ମହିଳାଙ୍କ ପାନୀୟ ଜଳ ବ୍ୟବସ୍ଥା କରିବା ଦରକାର। ବେବିନା, ମାଧବୀଲତା, ଟିକିନା, ମମିତା ମେହେରଙ୍କୁ ନ୍ୟାୟ ବି ଦେବା ଦରକାର।

ଅଭିଯୁକ୍ତଙ୍କ ଠାରୁ ମାମଲା ପ୍ରତ୍ୟାହୃତ କେତେ ଠିକ?

ଆଦିବାସୀମାନଙ୍କ ଉପରୁ ୫୦,୦୦୦ ମାମଲା ପ୍ରତ୍ୟାହାର କରାଯାଇଛି ବୋଲି ନବୀନ ସରକାର କହୁଛି। ଅପରାଧକୁ ଏହାର ଅର୍ଥ ପ୍ରୋତ୍ସାହନ ଦିଆଯାଉଛି। ଯିଏ ବି ଅଭିଯୁକ୍ତ ତା’ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବା ଦରକାର, ବ୍ୟକ୍ତି ଯେଉଁ ସଂପ୍ରଦାୟର ହେଉନା କାହିଁକି? ଯଦି ଆଦିବାସୀମାନଙ୍କ ଉପରୁ ମାମଲା ପ୍ରତ୍ୟାହାର କରାଯିବ, ଅପରାଧ ବଢ଼ିବ ନା କମିବ? ଗତ ୫ବର୍ଷ ମଧ୍ୟରେ ମାଲକାନଗିରି ଜିଲ୍ଲାର ‌ବିକାଶ ଗତି, ପ୍ରଗତି ତଥା ଲୋକଙ୍କ ଜୀବିକାରେ ଆସିଥିବା ପରିବର୍ତ୍ତନ ସଂପର୍କରେ ପାଣ୍ଡିଆନ ହିସାବ ଦେଇଛନ୍ତି। ଶିକ୍ଷା ଓ ଯୋଗାଯୋଗ ଭିତ୍ତିଭୂମିର ପରିକଳ୍ପନା କରି ତାହାକୁ କିଭଳି ସାକାର କରାଗଲା ବର୍ଣ୍ଣନା କରିଛନ୍ତି। କିନ୍ତୁ ବାକି ୧୯ ବର୍ଷର ହିସାବ କାହିଁକି ଦେଇ ପାରି ନାହାନ୍ତି। ମାଲକାନଗିରି ଜିଲ୍ଲାରେ ସାଇକଲ ଗଡ଼ୁନଥିଲା, ବର୍ତ୍ତମାନ ଉଡ଼ାଜାହାଜ ଉଡ଼ୁଛି। ଏକଥା ସତ। କିନ୍ତୁ ଜାହାଜ ଉଡ଼ାଇବାରେ ଭୂମିକା କାହାର? କେନ୍ଦ୍ର ସରକାରଙ୍କ ନାଁ ରାଜ୍ୟର? କେନ୍ଦ୍ର ସରକାରଙ୍କ ଉଡାନ ଯୋଜନାରେ ମାଲକାନଗିରି, ଜୟପୁର, ଉତ୍କେଲା, ରାଉରକେଲା ଓ ଝାରସୁଗୁଡ଼ାରେ ବିମାନବନ୍ଦର ହୋଇଛି। ଏକଥା କିନ୍ତୁ ରାଜ୍ୟ ସରକାର କୁହନ୍ତି ନାହିଁ।

କେତେ ମଜବୁତ ସରକାରୀ ଶିକ୍ଷା ବ୍ୟବସ୍ଥା

ଗତକାଲି ବିଜେଡିର ଦୁଇ ଜଣ ନେତା ଗଣମାଧ୍ୟମ ଆଗରେ କହୁଥିଲେ, ବିଜେପି ରାଜ୍ୟରେ ସରକାର ଗଢ଼ିଲେ ବହୁ ତଳକୁ ଖସାଇଦେବେ। କାରଣ ବିଜେପିର ନେତା ଜୟନାରାୟଣ ମିଶ୍ର ଓ ପ୍ରଶାନ୍ତ ଜଗଦ୍ଦେବଙ୍କ ନାମରେ ବହୁ ମାମଲା ଥାନାରେ ରୁଜୁ ହୋଇଛି। ବିଜେଡି ନେତା ଅରୁଣ ସାହୁ, ପ୍ରତାପ‌ ଜେନା, ଦିବ୍ୟଶଙ୍କର ମିଶ୍ର, ଶ୍ରୀକାନ୍ତ ସାହୁ, ସମୀର ଦାସଙ୍କ ନାମରେ ବି ମାମଲା ରହିଛି, ତାହାକୁ ଜନତାଙ୍କ ସାମ୍ନାରେ ଅସୁବିଧା କେଉଁଠି? କେବଳ ଏତିକି ନୁହେଁ, ରାଜ୍ୟରେ ସରକାରୀ ଶିକ୍ଷା ବ୍ୟବସ୍ଥା ଭୁଶୁଡ଼ିବାରେ ଲାଗିଛି। ୫ଟି ନାମରେ ବିଦ୍ୟାଳୟ କୋଠାଗୁଡ଼ିକ ରଂଗ ଲଗାଇଦେଲେ ପାଠ ହେବ ନାହିଁ। ବେସରକାରୀ ତୁଳନାରେ ସରକାରୀ ଶିକ୍ଷାନୁଷ୍ଠାନର ପିଲା କେତେ ମଜବୁତ ଅଛନ୍ତି, ତାହା ମଧ୍ୟ ସମୀକ୍ଷା କରିବା ଉଚିତ। ଯେଉଁ ସରକାର ରାଜ୍ୟ ଶିକ୍ଷା ନେଇ ଏତେ ବାହାସ୍ପଟ ମାରୁଛନ୍ତି, ତାଙ୍କର ପିଲାଛୁଆଙ୍କୁ ସରକାରୀ ଶିକ୍ଷାନୁଷ୍ଠାନରେ ପାଠ ପଢ଼ାଉଛନ୍ତି କି?

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments