ଭୁବନେଶ୍ବର: ଭଗବାନ, ଭକ୍ତି ଓ ଭକ୍ତ। ଏହା ତିନୋଟି ଶବ୍ଦ ହୋଇଥିଲେ ମଧ୍ୟ ପରସ୍ପର ମଧ୍ୟରେ ନିବିଡ଼ ସଂପର୍କ ରହିଛି। ଭଗବାନଙ୍କୁ ପ୍ରକୃତରେ କେହି ଦେଖି ନାହାନ୍ତି। କିନ୍ତୁ ମନରେ ବିଶ୍ବାସ ହିଁ ଭଗବାନଙ୍କ ଚିନ୍ତା ସୃଷ୍ଟି କରିଥାଏ। ଜଣଙ୍କ ପ୍ରତି ମାତ୍ରାଧିକ ଭଲ ପାଇଲେ ହୃଦୟରେ ଭଗବାନ ଭଳି ସ୍ଥାନ ଦିଆଯାପାରିବ। କିନ୍ତୁ ଏଥିରେ ସ୍ବାର୍ଥ ନରହିବା ଦରକାର। ଭକ୍ତ ଯେତେବେଳେ ମନ୍ଦିରକୁ ପୂଜା କରିବାକୁ ଯାଇଥାଏ, କିଛି ପାଇବା ଆଶାରେ ଯାଇ ନଥାଏ। କାରଣ ମନ୍ଦିରରୁ ଫେରିଲା ବେଳେ ସାଥୀରେ କିଛି ନେଇ ଆସିବାକୁ ଜିନିଷ ମିଳି ନଥାଏ। କେବଳ ବିଶ୍ବାସକୁ ମଜବୁତ କରିହୁଏ। ଆମ ଦେଶରେ ଓ ରାଜ୍ୟରେ ବିରଳ ମନ୍ଦିର ରହିଛି, ଯେଉଁଠି ଅପୂର୍ବ ଭକ୍ତିର ସ୍ମୁତି ରହିଯାଇଛି।
ପୁଷ୍କରର ବ୍ରହ୍ମା ମନ୍ଦିର
ରାଜସ୍ଥାନର ପୁଷ୍କରରେ ରହିଛି ଜଗତପିତା ବ୍ରହ୍ମା ମନ୍ଦିର। ପ୍ରସିଦ୍ଧ ପୁଷ୍କର ହ୍ରଦ ନିକଟରେ ଭଗବାନ ବ୍ରହ୍ମା ଏଠି ପୂଜା ପାଆନ୍ତି। ଏହି ମନ୍ଦିର ଭାରତରେ ହିନ୍ଦୁ ନିର୍ମାତା ଭଗବାନ ବ୍ରହ୍ମାଙ୍କୁ ସମର୍ପିତ ବହୁତ କମ ଦେଖାଯାଉଥିବା ମନ୍ଦିରଗୁଡ଼ିକରୁ ଏକ। ମନ୍ଦିରର ନିର୍ମାଣ ୧୪ଶ ଶତାଦ୍ଦୀରେ କରାଯାଇଥିଲା। କିନ୍ତୁ ପରେ ଆଂଶିକ ରୂପେ ପୁନଃନିର୍ମାଣ କରାଯାଇଥିଲା। ଏହି ମନ୍ଦିର ଶଙ୍ଖମଲମଲ ପଥର ଓ ସାଧାରଣ ପଥରରେ ନିର୍ମିତ ହୋଇଛି। ମନ୍ଦିରର ଗର୍ଭଗୃହରେ ୪ଟି ମୁଣ୍ଡ ଥିବା ବ୍ରହ୍ମା ଓ ତାଙ୍କର ପତ୍ନୀ ଗାୟତ୍ରୀ ଦେବୀ ଅଛନ୍ତି। କାର୍ତ୍ତିକ ପୂର୍ଣ୍ଣିମା ଦିନ ବ୍ରହ୍ମାଙ୍କୁ ସମପିର୍ତ କରି ଏକ ବଡ଼ ମହୋତ୍ସବ ପାଳନ ହୋଇଥାଏ। ଏଥିରେ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଯୋଗ ଦେଇଥାନ୍ତି। ତୀର୍ଥଯାତ୍ରୀମାନେ ପବିତ୍ର ହ୍ରଦରେ ସ୍ନାନ କରି ମନ୍ଦିର ଯାଇଥାନ୍ତି। କୁହାଯାଇଥାଏ ଯେ, ପୁଷ୍କରରେ ୫୦୦ରୁ ଅଧିକ ମନ୍ଦିର ରହିଛି। ଏଥିରୁ ଅନେକ ପ୍ରାଚୀନ ରହିଛି। ମାତ୍ର ମୋଗଲ ସମ୍ରାଟ ଔରଙ୍ଗଜେବ (୧୬୫୮-୧୭୦୭) ଶାସନ କାଳରେ ଅନେକ ମନ୍ଦିର ଭାଙ୍ଗି ଦିଆଯାଇଛି। କିନ୍ତୁ ବ୍ରହ୍ମା ମନ୍ଦିରକୁ ପରେ ପୁନଃ ନିର୍ମାଣ କରାଯାଇଥିଲା।
ଲିଙ୍ଗରାଜଙ୍କ ନିକଟରେ ବ୍ରହ୍ମା ମନ୍ଦିର
ଭୁବନେଶ୍ବରର ଏକାମ୍ର କ୍ଷେତ୍ରରେ ମଧ୍ୟ ଏକ ବ୍ରହ୍ମା ମନ୍ଦିର ରହିଛି। ବିନ୍ଦୁସାଗର କୂଳ ଅନନ୍ତ ବାସୁଦେବ ମନ୍ଦିର ସମ୍ମୁଖରେ ଏହି ମନ୍ଦିର ଅଛି। କିନ୍ତୁ କ୍ଷୋଭର ବିଷୟ ହେଲା ଯେ, ଏହି ମନ୍ଦିର ସଂପର୍କରେ ଓଡ଼ିଶାର ଖୁବ୍ କମ୍ ଲୋକ ଜାଣନ୍ତି। ଐତିହାସିକଙ୍କ ମତ ଅନୁଯାୟୀ, ୧୫ଶହ ଶତାବ୍ଦୀର ଏହି ମନ୍ଦିର ଲୋକଲୋଚନକୁ ଆସି ପାରିନାହିଁ। ଏକାମ୍ର କ୍ଷେତ୍ରକୁ ପ୍ରତିଦିନ ଶହଶହ ପର୍ଯ୍ୟଟକ ଆସୁଥିଲେ ମଧ୍ୟ ଏହି ମନ୍ଦିରକୁ କେହି ଯାଆନ୍ତି ନାହିଁ। ମନ୍ଦିର ନିକଟ ରାସ୍ତାରେ ହଜାର ହଜାର ଭକ୍ତ ଯିବା ଆସିବା କରୁଥିଲେ ମଧ୍ୟ ସେଠାରେ ବ୍ରହ୍ମା ମନ୍ଦିର ରହିଛି ବୋଲି ଅନେକ ଜାଣନ୍ତି ନାହିଁ। କିମ୍ୱଦନ୍ତୀ ଅନୁଯାୟୀ, ବିନ୍ଦୁସାଗର ପ୍ରତିଷ୍ଠା ବେଳେ ବ୍ରହ୍ମା ଏଠାକୁ ଆସିଥିଲେ। ସେତେବେଳେ ଏହି ମନ୍ଦିର ପ୍ରତିଷ୍ଠା ହୋଇଥିଲା ବୋଲି ସ୍ଥାନୀୟ ଲୋକେ କୁହନ୍ତି। ମନ୍ଦିରରେ ପ୍ରତିଷ୍ଠା ହୋଇଛନ୍ତି ଚାରି ବାହୁ ବିଶିଷ୍ଟ ବ୍ରହ୍ମା ମୂର୍ତି। ଦୁଇ ପାର୍ଶ୍ବରେ ରହିଛି ସାବିତ୍ରୀ ଓ ସରସ୍ୱତୀଙ୍କ ମୂର୍ତି। ଏହି ମନ୍ଦିରରେ ବ୍ରହ୍ମାଙ୍କୁ ଦର୍ଶନ ପରେ ଶ୍ରୀଅନନ୍ତ ବାସୁଦେବ ଓ ଶ୍ରୀଲିଙ୍ଗରାଜଙ୍କୁ ଦର୍ଶନ କଲେ ତ୍ରିଦେବ ଦର୍ଶନ ହୁଏ ବୋଲି କୁହାଯାଏ।
ଓଡ଼ିଶାରେ ଗାନ୍ଧୀ ମନ୍ଦିର
ଓଡ଼ିଶାରେ ୨ଟ ଗାନ୍ଧୀ ମନ୍ଦିର ରହିଛି। ଗୋଟିଏ ସମ୍ବଲପୁର ନିକଟ ଭତ୍ରା ଗାଁରେ ରହିଛି। ଅନ୍ୟ ମନ୍ଦିରଟି ରହିଛି ଅନୁଗୁଳ ଜିଲ୍ଲା ପାଳଲହଡ଼ା ସହର ଠାରୁ ମାତ୍ର ୫ କି.ମି. ଦୂର ପେଣ୍ଡରାବସା (ବର୍ତ୍ତମାନର ଗାନ୍ଧୀନଗର)ରେ। ଦେଶପାଇଁ ସ୍ବାଧୀନତା ଆଣିଥିବା ଜାତିର ଜନକ ମହାତ୍ମା ଗାନ୍ଧୀ ଶ୍ରଦ୍ଧାଞ୍ଜଳି ଉଦେଶ୍ୟରେ ଏହି ମନ୍ଦିର ନିର୍ମାଣ କରାଯାଇଛି। ପାଳଲହଡ଼ା ନିକଟରେ ୧୯୬୪ ମସିହାରେ ତତ୍କାଳୀନ ଶିକ୍ଷାମନ୍ତ୍ରୀ ତଥା ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ସ୍ବର୍ଗତ ପବିତ୍ର ପ୍ରଧାନ ଗାନ୍ଧୀ ମନ୍ଦିର ନିର୍ମାଣ ସହ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରିଥିଲେ। ସମୟକ୍ରମେ ଗାନ୍ଧୀ ମନ୍ଦିରର ଅବସ୍ଥା ଶୋଚନୀୟ ହୋଇଗଲା। ଘର ଭାଙ୍ଗିଗଲା। ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି କୁଆଡ଼େ ଗଲା, ପତ୍ତା ମିଳିଲା ନାହିଁ୍। ତେଣୁ ୨୦୧୬ ଜାନୁଆରିରେ ପୂର୍ବତନ ଢେଙ୍କାନାଳ ସାଂସଦ ମହେଶ ସାହୁ ବିଧାୟକ ପାଣ୍ଠିରୁ ଏଠାରେ ନୂଆ ଗାନ୍ଧୀ ମନ୍ଦିର ନିର୍ମାଣ କରି ପ୍ରତିମୂର୍ତ୍ତି ସ୍ଥାପନ କରିଛନ୍ତି।
କେରଳର ଦୁର୍ଯ୍ୟେଧନ ମନ୍ଦିର
ମହାଭାରତର ଖଳନାୟକଙ୍କୁ ସମର୍ପିତ କେରଳର କୋଲ୍ଲମ ଜିଲ୍ଲାର ଏକ ଗାଁରେ ଦୁର୍ଯ୍ୟେଧନଙ୍କ ବିରଳ ମନ୍ଦିର ରହିଛି। ସମ୍ଭବତଃ ଦେଶରେ ଏହା ଏକମାତ୍ର ମନ୍ଦିର, ଯେଉଁଠି ଦୁର୍ଯ୍ୟୋଧନଙ୍କୁ ପୂଜାର୍ଚ୍ଚନା କରାଯାଇଥାଏ। ଏହି ମନ୍ଦିର ନିର୍ମାଣ ନେଇ ଏକ କିମ୍ବଦନ୍ତୀ ଅଛି। ଲୋକଙ୍କ କହିବା ଅନୁସାରେ ଦୁର୍ଯ୍ୟୋଧନ ଏକଦା ଏହି ଗାଁରେ ଅଟକିଥିଲେ। ଅଳ୍ପ ସମୟର ରହଣୀ ସମୟରେ ତାଙ୍କୁ ଶୋଷ ହୋଇଥିଲା। କିନ୍ତୁ ସେହି ସମୟରେ ତାଙ୍କୁ ପିଇବା ପାଇଁ ପାଣି ମିଳି ନଥିଲା। ଜଣେ ମହିଳା ପାଣି ବଦଳରେ ଅନ୍ୟ ପାନୀୟ ଦେଇଥିଲେ। ଦୁର୍ଯ୍ୟୋଧନ ଏଥିରେ ଖୁସି ହୋଇ ମହିଳାଙ୍କୁ ଆଶୀର୍ବାଦ ଦେଇଥିଲେ। ସେ ଗାଁ ଲୋକଙ୍କୁ ଜମି ଦେଇଥିଲେ। ବଦଳରେ ଗାଁ ଲୋକେ ଦୁର୍ଯ୍ୟୋଧନଙ୍କ ସମ୍ମାନରେ ଏହି ମନ୍ଦିର ନିର୍ମାଣ କରିଥିଲେ। ଦୁର୍ଯ୍ୟୋଧନଙ୍କ ମନ୍ଦିରରେ କୌଣସି ମୂର୍ତ୍ତି ନାହିଁ। ବରଂ ଏଠାରେ ଦୁର୍ଯ୍ୟୋଧନଙ୍କ ଗଦା (ମୁଦ୍ଗର)କୁ ପୂଜା କରାଯାଉଛି। ମନ୍ଦିରରେ ଦୁର୍ଯ୍ୟୋଧନଙ୍କୁ ଭୋଗ ପାଇଁ ତାଡ଼ି ଅର୍ପଣ କରାଯାଇଥାଏ।