Wednesday, October 9, 2024
Homeଖବରନିଆରା ରଥଯାତ୍ରା-୨୦୨୪

ନିଆରା ରଥଯାତ୍ରା-୨୦୨୪

ଭୁବନେଶ୍ବର: ଶ୍ରୀକ୍ଷେତ୍ରରେ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ଆଷାଢ଼ ଶୁକ୍ଲପକ୍ଷ ଦ୍ବିତୀୟ ତିଥି ଅବସରରେ ରବିବାର (୨୦୨୪ ଜୁଲାଇ ୭) ଦିନ ଠାରୁ ଆରମ୍ଭ ହେଉଛି। ମହାପ୍ରଭୁଙ୍କ ୯ଦିନିଆ ପବିତ୍ର ରଥଯାତ୍ରା-୨୦୨୪କୁ ସଫଳ ରୂପ ଦେବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଜୁଟିଛନ୍ତି। ସେହିପରି ପୁରୀ ଜିଲ୍ଲା ପ୍ରଶାସନ ଓ ଶ୍ରୀମନ୍ଦିର ପରିଚାଳନ କମିଟି ମଧ୍ୟ ନିଜନିଜ ସ୍ତରରେ ପ୍ରସ୍ତୁତିକୁ ଚୂଡ଼ାନ୍ତ ରୂପ ଦେଇଛନ୍ତି। ଦଇତାପତି ସେବାୟତମାନେ ଯୁଦ୍ଧକାଳୀନ ଭିତ୍ତିରେ ନିଜନି ଦାୟିତ୍ବ ପୂରା କରିଛନ୍ତି। ସିଂହଦ୍ବାର ସମ୍ମୁଖରେ ତିନି ରଥ (ଜଗନ୍ନାଥଙ୍କ ନନ୍ଦିଘୋଷ, ବଳଭଦ୍ରଙ୍କ ତାଳଧ୍ବଜ ଓ ସୁଭଦ୍ରାଙ୍କ ଦର୍ପଦଳନ) ପ୍ରସ୍ତୁତ ହୋଇସାରିଛନ୍ତି। ତିନି ଥର ରବିବାର ସନ୍ଧ୍ୟା ୫ଟାରେ ଶ୍ରୀଗୁଣ୍ଡିଚା ମନ୍ଦିର ଅଭିମୁଖେ ଗଡ଼ି‌ବେ। ଏଥି ପାଇଁ ରଥର ପଥ ଅର୍ଥାତ ବଡ଼ଦାଣ୍ଡକୁ ମଧ୍ୟ ପ୍ରସ୍ତୁତ କରାଯାଇଛି।

ରଥଯାତ୍ରା-୨୦୨୪କୁ ନିଆରା କୁହାଯାଇପାରିବ। ଏହି ଯାତ୍ରାରେ ଚିରାଚରିତ ଘଟଣା ବ୍ୟତୀତ ଆହୁରି କିଛି ନୂଆ ପୃଷ୍ଠା ଯୋଡ଼ି ହେବାକୁ ଯାଉଛି। ପ୍ରଥମ କଥା ହେଲା ଦୀର୍ଘ ୫୩ ବର୍ଷ ପରେ ରଥଯାତ୍ରା ଦୁଇ ଦିନ ଅନୁଷ୍ଠିତ ହେଉଛି। ଅର୍ଥାତ ଏହି ରଥଯାତ୍ରାର ସାକ୍ଷୀ ଯେଉଁମାନେ ହେବେ ସେମାନେ ଚଳିତ ଥର ଭଳି ବ୍ୟବସ୍ଥା ଦେଖି ନଥିବେ। ଯଦିଓ ଯେଉଁମାନେ ୫୩ ବର୍ଷ ପୂର୍ବରୁ ଦୁଇଦିନିଆ ରଥଯାତ୍ରା ଦେଖିଖେିବେ ଏଥର ଭଳି ଆଧିନିକତାର ଭିଡ଼ ଓ ବ୍ୟବସ୍ଥା ଦେଖି ନଥିବେ ବୋଲି ଆଶଙ୍କା କରାଯାଉଛି। ୧୯୭୨ ମସିହାରେ ହୋଇଥିବା ରଥଯାତ୍ରା ଓ ୨୦୨୪ ମସିହାର ରଥଯାତ୍ରା ମଧ୍ୟରେ ନିଶ୍ଚିତ ତାରତମ୍ୟ ହେବ।

ରଥ ଟାଣିବେ ରାଷ୍ଟ୍ରପତି

ଅତୀତରେ ମହାପ୍ରଭୁଙ୍କ ତିନି ରଥକୁ କେବଳ ଭକ୍ତ ଟାଣୁଥିଲେ। କାଳକମେ ଶୃଙ୍ଖଳାକୁ ଦୃଷ୍ଟିରେ ରଖି ସେବାୟତ ଓ ପୁଲିସ କର୍ମଚାରୀ ଟାଣିଲେ। କିଛି ବର୍ଷ ହେଲା ରଥ ଟଣା କାର୍ଯ୍ୟରେ ମୁଖ୍ୟମନ୍ତ୍ରୀ ସାମିଲ ହୋଇଛନ୍ତି। କିନ୍ତୁ ଏହି କ୍ରମରେ ଏଥର ଏକ ନୂଆ ପୃଷ୍ଠା ଯୋଡ଼ି ହେଉଛି। ମହାମହିମ ରାଷ୍ଟ୍ରପତି ଏଥର ରଥ ଟାଣିବେ। ରଥଯାତ୍ରା ସହିତ ଅନ୍ୟାନ୍ୟ କାର୍ଯ୍ୟକ୍ରମ ପାଇଁ ରାଷ୍ଟ୍ରପତି ୪ ଦିନିଆ ଓଡ଼ିଶା ଗସ୍ତ କରିଛନ୍ତି। ଏହି ଗସ୍ତର ପ୍ରଥମ ଦୁଇ ଦିନରେ ରାଷ୍ଟ୍ରପତି ଶ୍ରୀ‌କ୍ଷେତ୍ରରେ ଅତିବାହିତ କରିବେ।

ବଡ଼ଦାଣ୍ଡରେ ଝାଡୁମାରିଲେ ମନ୍ତ୍ରିମଣ୍ଡଳ

ପୁରୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସ୍ବଚ୍ଛ ଭାରତ ଅଭିଯାନରେ ସାମିଲ ହୋଇଛନ୍ତି। ନିଜେ ମୁଖ୍ୟମନ୍ତ୍ରୀ ଅନ୍ୟ ସ୍ବେଚ୍ଛାସେବୀ ସଂଗଠନର କାର୍ଯ୍ୟକର୍ତ୍ତା ଓ ବିଜେପିର ବହୁ ନେତା ଓ କର୍ମୀଙ୍କ ସହ ହାତରେ ଝାଡ଼ୁ ଧରି ବଡ଼ଦାଣ୍ଡରେ ଅଳିଆ ସଫେଇ କରିଛନ୍ତି। ବଡ଼ଦାଣ୍ଡର ଏହି ସଫେଇ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସ‌ହ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ,  ପ୍ରଭାତୀ ପରିଡ଼ା ମଧ୍ୟ ଯୋଡ଼ି ହୋଇଥିଲେ। ମୋହନଙ୍କ ଅନ୍ୟମନ୍ତ୍ରୀମାନେ ମଧ୍ୟ ସଫେଇ ଅଭିଯାନରେ ଯୋଗ ଦେଇଥିଲେ।  

ମୂଳ ସେବକ ହେଉଛନ୍ତି ଆଦିବାସୀ: ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପ୍ରଥମ ତଥା ମୂଳ ସେବକ ହେଉଛନ୍ତି ଆଦିବାସୀ। ଆମ ଓଡ଼ିଶାର ସଂସ୍କୃତି ଓ ଇତିହାସର ଗୌରବମୟ ଗାଥାକୁ ଆଜି ବି କୋଟି କୋଟି ଭକ୍ତ ଶ୍ରଦ୍ଧା ଓ ସମ୍ମାନର ସହ ନିଜ ହୃଦୟରେ ସାଇତି ରଖିଛନ୍ତି। ଏହା ଆମ ଅସ୍ମିତା ଓ ଦାୟିତ୍ବବୋଧ ମଧ୍ୟ। ମହାପ୍ରଭୁଙ୍କ ମୂଳ ସେବକ ତଥା ‌ଜଣେ ଆଦିବାସୀ ଭାବେ ମୁଁ ନିଜକୁ ସେହି ଜଗତର ନାଥ ଶ୍ରୀଜଗନ୍ନାଥଙ୍କ ନିକଟରେ ସମ୍ପୂର୍ଣ୍ଣ ସମର୍ପଣ କରି ଦେଇଛି। ଏଣୁ ସେହି ବିଶ୍ବ ଦେବତାଙ୍କ ପବିତ୍ର ଘୋଷଯାତ୍ରାରେ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ପ୍ରତ୍ୟେକ ବିଧି, ନିର୍ଘଣ୍ଟ ନୀତିକାନ୍ତି ଓ ଯାନିଯାତ୍ରା ଜନିତ ବିଧିବ୍ୟବସ୍ଥା ଯେପରି ତ୍ରୁଟିଶୂ୍ନ୍ୟ ଓ ସଫଳ ରୂପେ ଶେଷ ହେବ, ସେ ନେଇ ମୁଁ ସମସ୍ତଙ୍କଠାରୁ ଆନ୍ତରିକ ସହଯୋଗ କାମନା କରୁଛି।

ରଥଯାତ୍ରାରେ ଲୋକଗଣତି

ପୁରୀ ରଥଯାତ୍ରାରେ ପ୍ରବଳ ଜନସମାଗମ ହୋଇଥାଏ। ଶ୍ରୀମନ୍ଦର ଠାରୁ ଶ୍ରୀଗୁଣ୍ଡିଚା ମନ୍ଦିର ଯାଏଁ ଲୋକଙ୍କର ଭିଡ଼ ଲାଗି ରହିଥାଏ। କେବଳ ବଡ଼ଦାଣ୍ଡକୁ ବାଦ୍‌ ଦେଲେ ପୁରୀ ସହରର ଗଳିକନ୍ଦି ଓ ସମୁଦ୍ର କୂଳରେ ମଧ୍ୟ ଲୋକାରଣ୍ୟ ହୋଇଥାଏ। ପ୍ରତିବର୍ଷ ରଥଯାତ୍ରାରେ ଲକ୍ଷାଧିକ ଲୋକଙ୍କର ଭିଡ଼ହୋଇଥାଏ। କିନ୍ତୁ ରଥଯାତ୍ରାରେ କେତେ ଲୋକଙ୍କର ଭିଡ଼ ହୋଇଥାଏ, ତାହା ସଠିକ ଭାବେ ଗଣତି କରିବା ସମ୍ଭବ ନୁହେଁ। କିନ୍ତୁ ସରକାର ଏହି କାମକୁ ସଫଳ ରୂପ ଦେବା ପାଇଁ ଉଦ୍ୟମ କରୁଛନ୍ତି। ଏହି ଦିବ୍ୟ ଓ ଭବ୍ୟ ଯାତ୍ରାରେ ଏଥର କେତେ ଭକ୍ତଙ୍କ ସମାଗମ ହେବ ସେନେଇ ଗଣତି କରାଯିବ। ପୁରୀକୁ ସଂଯୋଗ କରୁଥିବା ତିନିଟି ମୁଖ୍ୟ ମାର୍ଗ (ଭୁବନେଶ୍ବର-ପୁରୀ, କୋଣାର୍କ-ପୁରୀ ଓ ବ୍ରହ୍ମଗିରି-ପୁରୀ) ରାସ୍ତାରେ ଭକ୍ତଙ୍କ ଗଣତି ପାଇଁ ବ୍ୟବସ୍ଥା କରାଯିବ। ଏହି ତିନି ରାସ୍ତାରେ ଦେଇ ପୁରୀକୁ ଯାଉଥିବା ବସ୍‌, କାର, ଅଟୋ ଓ ବାଇକକୁ ଆଧାର କରି ଲୋକଙ୍କ ଗଣତି କରାଯିବ। ସେହିପରି ପୁରୀର ହୋଟେଲ, ଲଜ୍‌, ଧର୍ମଶାଳା, ମଠ‌ଗୁଡ଼ିକରେ ମଧ୍ୟ ଗଣତି କରାଯିବ। ପୁରୀକୁ ‌ଟ୍ରେନ୍‌ରେ କେତେ ଭକ୍ତି ଆସିଛନ୍ତି ତାହା ମଧ୍ୟ ହିସାବକୁ ନିଆଯିବ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments