Tuesday, September 10, 2024
Homeଖବରଖୋଲିବନି ନୂଆ, ପୁରୁଣା ଦୋକାନରେ ମଦ

ଖୋଲିବନି ନୂଆ, ପୁରୁଣା ଦୋକାନରେ ମଦ

ଭୁବନେଶ୍ବର: ମଦ୍ୟପାନ କରିବା କେବଳ ପରିବାର ନୁହେଁ। ବରଂ ସମାଜ ପାଇଁ ମଧ୍ୟ କ୍ଷତିକାରକ। ମଦ ପିଇ ଅନେକ ଲୋକ ନିଜର ସୁନାର ପରିବାରକୁ ନର୍କରେ ପରିଣତ କରିଦେଉଛନ୍ତି। ମଦ୍ୟପାନ ଯୋଗୁଁ ସ୍ବାମୀ-ସ୍ତ୍ରୀ ମଧ୍ୟରେ ମତମତାନ୍ତର, ପାରିବାରିକ ଗଣ୍ଡଗୋଳ, ସାମାଜିକ ହିଂସା ଦେଖାଯାଉଛି। ମଦ୍ୟପାନ କାରଣରୁ ହୃତ୍ପିଣ୍ଡ, କିଡ୍ନି ଓ ଫୁସଫୁସ୍ ନଷ୍ଟ ହେଉଛି। ମଦପିଇବା କାରଣରୁ ଅନେକ ଲୋକ ଦୁର୍ଘଟଣାର ଶିକାର ହୋଇ ସବୁଦିନ ପାଇଁ ପଙ୍ଗୁ ପାଲଟି ଯାଉଛନ୍ତି। ପ୍ରତି ବର୍ଷ ହଜାର ହଜାର ଲୋକଙ୍କର ମୃତ୍ୟୁ ହେଉଛି। ସେହିପରି ଦୁଷ୍କର୍ମ ଓ ହତ୍ୟାକାଣ୍ଡ ମଧ୍ୟ ମଦ୍ୟପାନ ପ୍ରୋତ୍ସାହନ ଦେଉଛି। ମଦ ପ୍ରସ୍ତୁତି ଓ ବିକ୍ରିକୁ ସଚେତନ ନାଗରିକ ଓ ବୁଦ୍ଧିଜୀବୀମାନେ ତୀବ୍ର ବିରୋଧ କରୁଥିବା ବେଳେ ସରକାର ରାଜସ୍ବ ବୃଦ୍ଧି ପାଇଁ ଅଭିନବ ଚିନ୍ତା କରୁଛନ୍ତି। ପୁଲିସ ଓ ଅବକାରୀ ବିଭାଗ ବେଆଇନ ଭାବେ ଚଢ଼ାଉ କରି ଚାନ୍ଦା ଆଦାୟ କରୁଛନ୍ତି।

ସାଧାରଣ ନିର୍ବାଚନ-୨୦୨୪ ପରେ ରାଜ୍ୟରେ ବିଜେଡି ସରକାରର ଯୁଗ ଶେଷ ହୋଇଛି। ରାଜ୍ୟରେ ବିଜେପି ସରକାର ଗଢ଼ିଛି। ମୋହନ ମାଝୀଙ୍କ ସରକାର ନୂଆ ଅବକାରୀ ନୀତି ଲାଗୁ କରିବେ ବୋଲି କହିଛନ୍ତି। ରାଜ୍ୟରେ ଯେତେବେଳେ ବିଜେପି ସରକାର ଆସିଲା ଶୁଣାଯାଉଥିଲା ଯେ, ମଦ ପ୍ରସ୍ତୁତି ଓ ବିକ୍ରି ସଂପୂର୍ଣ୍ଣ ରୂପେ ବନ୍ଦ ହୋଇଯିବ। ନେତା ଓ ମନ୍ତ୍ରୀମାନେ ମଧ୍ୟ ଏହିଭଳି ବୟାନ ଦେଇଥିଲେ। ବିଜେପି ସରକାର ରାଜ୍ୟରେ ନୂଆ ମଦ ଦୋକାନ ଖୋଲିବେ ନାହିଁ ବୋଲି କହିଥିଲେ। କିନ୍ତୁ ପରେ ବୟାନ ବଦଳାଇ ଦେଇଥିଲେ। ରାଜ୍ୟରେ ଆଉ ନୂଆ ମଦ ଦୋକାନ ଖୋଲିବାକୁ ଅନୁମତି ମିଳିବ ନାହିଁ ଏବଂ ଚୋରା ମଦ କାରବାର ଉପରେ ସମ୍ପୂର୍ଣ୍ଣ ରୋକ ଲାଗିବା ସମ୍ଭବପର ହେବ ବୋଲି କହିଥିଲେ।

ଗଂଜାମରେ ବିଷାକ୍ତ ମଦ

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ଅଧୀନ କରବାଲୁଆ, ଜେନାପୁରରେ ଦେଶୀ ମଦ ପିଇ ୨୦ ଜଣ ଲୋକ ଅସୁସ୍ଥ ହେବା ଘଟଣାରେ ପୁଲିସ ୫ ଜଣଙ୍କୁ ଗିରଫ କରିଛି। ଚିକିଟି, କରବାଲୁଆ, ଜେନାପୁର ଅଞ୍ଚଳରେ ବିଷାକ୍ତ ମଦ ବିକ୍ରି ନେଇ ଅଭିଯୋଗ ହୋଇଥିଲା। ଅସୁସ୍ଥ ବ୍ୟକ୍ତିମାନଙ୍କ ମଧ୍ୟରୁ ୧୪ ଜଣଙ୍କୁ ବ୍ରହ୍ମପୁରସ୍ଥିତ ମହରାଜା କୃଷ୍ଣଚନ୍ଦ୍ର ଗଜପତି (ଏମକେସିଜି) ମେଡିକାଲରେ ଭର୍ତ୍ତି କରାଯାଇଥିବାବେଳେ ଚିକିଟିରେ ଦୁଇ ଚିକିତ୍ସିତ ହେଉଛନ୍ତି। ସେଠାରେ ସ୍ଵତନ୍ତ୍ର ଡାକ୍ତରୀ ଦଳ ସେମାନଙ୍କ ଚିକିତ୍ସା କରୁଛନ୍ତି। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଛି। ସେପଟେ ଆଜି ଅବକାରୀ କମିସନର ନରସିଂହ ଭୋଳ ଏମକେସିଜି ମେଡିକାଲ ଯାଇ ସ୍ଥିତି ଅନୁଧ୍ୟାନ କରିଥିବାବେଳେ ସ୍ଵାସ୍ଥ୍ୟ ବିଭାଗର ଏକ ଟିମ୍  ମାଇନ୍ଦପୁର ଗାଁରେ ପହଞ୍ଚିଥିବା ଜଣାପଡିଛି।

କ’ଣ କହିଥିଲେ ମନ୍ତ୍ରୀ

ଗତ ୮ ତାରିଖ ଦିନ ଶାସକ ଦଳ ‘ବିଜେପି’ ପକ୍ଷରୁ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଆଇନ ଓ ଅବକାରୀ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ କହିଥିଲେ, ‘ଯେଉଁ ମଦ ନୀତି ଥିଲା, ତାକୁ ସାବଲୀଳ କରିବା ପାଇଁ ଏହି ପଲିସି ଅଣାଯାଉଛି। ଏହା ଫଳରେ ନୂଆ ମଦ ଦୋକାନ ସୃଷ୍ଟି ହେବ ନାହିଁ । ଚୋରା ମଦ ବିକ୍ରି ଆମ ପାଇଁ ଚ୍ୟାଲେଞ୍ଜ ଥିଲା, ଯାହା ପୁରା ବନ୍ଦ ହୋଇପାରିବ । ଏବେ ଯେଉଁ ନୀତି ଆସିବାକୁ ଯାଉଛି, ତାହା ୮ ମାସ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହେବ। ଆସନ୍ତାବର୍ଷ ପଲିସି ପ୍ରସ୍ତୁତ ହେଲେ ସେଥିରେ ବ୍ୟାପକ ପରିବର୍ତ୍ତନ ହେବ। ’  

ପ୍ରତି ଲକ୍ଷେ ଲୋକରେ ୩୮ ଜଣଙ୍କ ମୃତ୍ୟୁ

ମଦ୍ୟପାନ ସମସ୍ୟା କେବଳ ଓଡ଼ିଶାର ନୁହେଁ। ଏହା ପୂରା ଭାରତର ଏକ ବଡ଼ ବ୍ୟାଧୀ। ବିଶ୍ବରେ ଭାରତର ଲୋକେ ଅଧିକ ମଦ୍ୟପାନ କରୁଛନ୍ତି ବୋଲି ମଧ୍ୟ ଅନେକ କୁହନ୍ତି। ବିଦେଶ ତୁଳନାରେ ଭାରତୀୟଙ୍କ ଆର୍ଥିକ ସ୍ଥିତି ସେତେ ଭଲ ନଥିବାରୁ ଲୋକେ ଦେଶୀ ମଦ ପିଇଥାନ୍ତି। ଦେଶୀ ମଦ ପ୍ରସ୍ତୁତିରେ ରସାୟନିକ ସାମଗ୍ରୀ ମିଶ୍ର ହେଉଥିବାରୁ ଅନ୍ୟଥାରେ ଶହଶହ ଜୀବନ ଚାଲିଯାଉଛି। ଜୁନ ମାସରେ ଏକ ରିପୋର୍ଟ ପ୍ରକାଶ ପାଇଥିଲା, ଯେଉଁଥିରେ କୁହାଯାଇଥିଲା ଯେ, ଭାରତରେ ପ୍ରତି ୧ ଲକ୍ଷ ଲୋକଙ୍କ ମଧ୍ୟରୁ ୩୮.୫ ଜଣଙ୍କର ମଦ୍ୟପାନ ଯୋଗୁଁ ମୃତ୍ୟୁ ହେଉଛି। ଚୀନରେ ଏହି ସଂଖ୍ୟା ୧୬.୧। ଗତ ଜୁନ ମାସରେ ତାମିଲନାଡୁରେ ମଦଜନିତ ବଡ଼ଧରଣର ଅଘଟଣ ଘଟିଥିଲା। ବିଷାକ୍ତ ମଦ ପିଇ ୬୫ ଜଣଙ୍କର ମୃତ୍ୟୁ ହୋଇଥିଲା। ଆହୁରି ଦେଢ଼ ଶହ ଲୋକଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।  

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments