ପଡ଼ୋଶୀ ବାଂଲାଦେଶରେ ନିଆଁ ଜଳୁଛି। ସରକାରୀ ଚାକିରିରେ ୫୬ ପ୍ରତିଶତ ସଂରକ୍ଷଣ ଦାବି ନେଇ ଆରମ୍ଭ ହୋଇଥିବା ଆନ୍ଦୋଳନ ଏବେ ଭିନ୍ନ ରୂପ ନେଇଛି। ପୂର୍ବରୁ ଏହି ଆନ୍ଦୋଳନ ସଂରକ୍ଷଣ ବ୍ୟବସ୍ଥା ବିରୋଧରେ ବୋଲି ଜଣାପଡୁଥିଲା। ଏବେ କିନ୍ତୁ ଯାହା ପରିଲକ୍ଷିତ ହେଉଛନ୍ତି, ଆନ୍ଦୋଳନ ପାଇଁ ଷଡ଼ଯନ୍ତ୍ର କରାଯାଇଛି। ଭାରତକୁ ଟାର୍ଗେଟ କରି ଏହି ଆନ୍ଦୋଳନ ହୋଇଛି। ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କ ସହିତ ଭାରତର ଭଲ ସଂପର୍କ ଥିବାରୁ, ଏହା ଉଦ୍ଦେଶ୍ୟମୂଳକ ଭାବେ କରାଯାଇଥିବା ବିଶେଷଜ୍ଞମାନେ ଅନୁମାନ କରୁଛନ୍ତି। ବାଂଲାଦେଶରେ ଏବେ ନୂଆ ସରକାର ଆରମ୍ଭ ହେବ। କୁହାଯାଉଛି ଯେ, ଏହି ସରକାର ସହିତ ଭାରତର ସଂପକ’ ପୂର୍ବ ଭଳି ରହିବା ନେଇ ଆଶଙ୍କା ଦେଖାଯାଉଛି। କାରଣ ସମ୍ଭାବିତ ସରକାର ଚୀନ୍ ଓ ଆମେରିକାର ନିର୍ଦ୍ଦେଶରେ ଚାଲିପାରେ। ଚୀନ ସହିତ ଭାରତର ସଂପର୍କ ଭଲ ନଥିବାରୁ ବାଂଲାଦେଶ ସହିତ ମଧ୍ୟ ଏହାର ପ୍ରଭାବ ପଡ଼ିପାରେ।
ଅତୀତରେ ପଡେଶୀ ରାଷ୍ଟ୍ରରେ ଯେତେବେଳେ ସଂକଟ ପରିସ୍ଥିତି ଦେଖାଯାଇଛି, ଭାରତ ସବୁବେଳେ ସହଯୋଗ କରିଛି। ଅତୀତରେ ମଧ୍ୟ ଯେତେବେଳେ ବାଂଲାଦେଶ, ଶ୍ରୀଲଙ୍କା ଓ ପାକିସ୍ତାନରେ ରାଜନୈତିକ ହେଉ ଅଥବା ଆର୍ଥିକ ଅବସ୍ଥା ଯୋଗୁଁ ଅସ୍ଥିରତା ଯୋଗୁଁ ସାଧାରଣ ଜନତା ପ୍ରବାଭିତ ହୋଇଛନ୍ତି, ସେହି ସମୟରେ ଭାରତ ଆବଶ୍ୟକ ସାମଗ୍ରୀ ପହଞ୍ଚାଇଛି। ଗତବର୍ଷ ଯେତେବେଳେ ଶ୍ରୀଲଙ୍କାରେ ଘୋର ସଂକଟ ପରିସ୍ଥିତି ଦେଖାଯାଇଥିଲା, ସେହି ସମୟରେ ଭାରତ ଖାଦ୍ୟ ସାମଗ୍ରୀ, ପେଟ୍ରୋଲ ଓ ଔଷଧ ପଠାଇଥିଲା। ପାକିସ୍ତାନ ସହିତ ଗତ କିଛି ବର୍ଷ ହେଲା ଭାରତର ସୁସଂପର୍କ ନାହିଁ। କିନ୍ତୁ ପୂର୍ବରୁ ପାକିସ୍ତାନକୁ ମଧ୍ୟ ଭାରତ ଆବଶ୍ୟକ ସହଯୋଗ କରିଆସିଛି। ବାଂଲାଦେଶ ସହିତ ଭାରତର ସଂପର୍କ ବହୁତ ଭଲ। କିନ୍ତୁ ଚଳିତ ଥର ହିଂସାରେ ଯେଉଁଭଳି ଭାବେ ଭାରତ ବିପକ୍ଷରେ ଷଡ଼ଯନ୍ତ୍ର କରାଯାଇଛି, ଆଗାମୀ ଦିନରେ ଉଭୟ ଦେଶ ମଧ୍ୟରେ ସଂପର୍କ କେମିତି ରହିବ, ତାହା ସମୟ କହିବ।
ଅତୀତରେ ପାକିସ୍ତାନରେ ଚାରି ଥର ସରକାର ଟଳିଛି। ୧୯୫୮ ମସିହାରେ ପାକିସ୍ତାନ ରାଷ୍ଟ୍ରପତି ଇସ୍କନ୍ଦର ମିର୍ଜା ଜେନେରାଲ ଆୟୁବ ଖାନଙ୍କୁ ସେନା ମୁଖ୍ୟ ଭାବରେ ନିଯୁକ୍ତ କରିଥିଲେ ଏବଂ ପରେ ସମ୍ବିଧାନ ସ୍ଥଗିତ ରଖିଥିଲେ। ଏହା ପରେ ଆୟୁବ ଖାନ ପାକିସ୍ତାନର ରାଷ୍ଟ୍ରପତି ହୋଇଥିଲେ। ସେ ଏକ ସାମରିକ ଶାସନ ଲାଗୁ କରିଥିଲେ ଏବଂ ୧୯୬୨ ମସିହାରେ ଏକ ନୂତନ ସମ୍ବିଧାନ ପ୍ରଣୟନ କରିଥିଲେ, ଯାହା ରାଷ୍ଟ୍ରପତିଙ୍କ ଶକ୍ତି ବୃଦ୍ଧି କରିଥିଲା। ୧୯୬୯ ମସିହାରେ ପାକିସ୍ତାନର ଜେନେରାଲ ଆୟୁବ ଖାନ କ୍ଷମତାରୁ ଇସ୍ତଫା ଦେଇଥିଲେ ଏବଂ ଜେନେରାଲ ୟାହିୟା ଖାନ ଦାୟିତ୍ୱ ଗ୍ରହଣ କରିଥିଲେ। ୟାହିୟା ଖାନ ଆଉ ଏକ ସାମରିକ ନିୟମ ଲାଗୁ କରିଥିଲେ ଏବଂ ୧୯୭୦ ରେ ସାଧାରଣ ନିର୍ବାଚନ କରିଥିଲେ, ଯାହା ପରେ ପୂର୍ବ ପାକିସ୍ତାନ (ବର୍ତ୍ତମାନ ବାଂଲାଦେଶ) ନିଜକୁ ମୁକ୍ତ କଲା। ୧୯୭୭ ମସିହାରେ ପାକିସ୍ତାନର ଜେନେରାଲ ଜିଆ ଉଲ୍ ହକ୍ ପ୍ରଧାନମନ୍ତ୍ରୀ ଜୁଲଫିକର ଅଲି ଭୁଟ୍ଟୋଙ୍କୁ ଗିରଫ କରାଇଥିଲେ ଏବଂ ପରେ ମୃତ୍ୟୁଦଣ୍ଡ ଦିଆଯାଇଥିଲା। ଜିଆ ଉଲ୍ ହକ୍ ଦେଶରେ ଏକ କଠୋର ଇସଲାମିକ୍ ନିୟମ ଲାଗୁ କରିଥିଲେ। ପୁଣି ୧୯୯୯ରେ, ପାକିସ୍ତାନର ଜେନେରାଲ ପରଭେଜ ମୁଶରଫ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କୁ ସରକାରରୁ ହଟାଇ ସାମରିକ ଶାସନ ଲାଗୁ କରି ନିଜକୁ ରାଷ୍ଟ୍ରପତି ଘୋଷଣା କରିଥିଲେ । ୨୦୦୧ରେ, ସେ ଆତଙ୍କବାଦ ବିରୋଧରେ ଯୁଦ୍ଧରେ ଆମେରିକା ସହ ସହଯୋଗ କରିଥିଲେ। ୨୦୦୮ରେ ସେ ଇସ୍ତଫା ଦେଇଥିଲେ ଏବଂ ପାକିସ୍ତାନକୁ ଗଣତାନ୍ତ୍ରିକ ସରକାର ଫେରିଥିଲ।
୧୯୮୦ ଏବଂ ୧୯୯୦ ଦଶକରେ ଦେଶରେ ରାଜନୈତିକ ଏବଂ ସାମାଜିକ ଅସ୍ଥିରତା ଦେଖାଦେଇଥିଲା। ଶ୍ରୀଲଙ୍କା ଗୃହଯୁଦ୍ଧ (୧୯୮୩–୨୦୦୯) ଦେଶରେ ଅନେକ ରାଜନୈତିକ ସଙ୍କଟ ସୃଷ୍ଟି କରିଥିଲା। ଯେଉଁଥିରେ ତାମିଲ ଟାଇଗର ଏବଂ ସରକାରଙ୍କ ନେତୃତ୍ୱରେ ବିଦ୍ରୋହ ମଧ୍ୟରେ ହିଂସାତ୍ମକ ବିବାଦ ରହିଥିଲା। ୨୦୧୮ରେ, ରାଷ୍ଟ୍ରପତି ମୈତ୍ରୀପାଲା ସିରିସେନା ହଠାତ୍ ପ୍ରଧାନମନ୍ତ୍ରୀ ରାନିଲ ବିକ୍ରମସିଂଘେଙ୍କୁ ବରଖାସ୍ତ କରି ପୂର୍ବତନ ରାଷ୍ଟ୍ରପତି ମହିନ୍ଦା ରାଜପକ୍ସାଙ୍କୁ ନୂତନ ପ୍ରଧାନମନ୍ତ୍ରୀ ଭାବରେ ନିଯୁକ୍ତ କରିଥିଲେୱ। ଏହି ପଦକ୍ଷେପ ବଡ଼ ବିବାଦ ଏବଂ ବିରୋଧର କାରଣ ହୋଇଥିଲା। ସୁପ୍ରିମକୋର୍ଟ ସିରିସେନାଙ୍କ ନିଷ୍ପତ୍ତିକୁ ଅସାମ୍ବିଧାନିକ ଘୋଷଣା କରିଥିଲେ ଏବଂ ବିକ୍ରମସିଂଘେଙ୍କୁ ପୁଣିଥରେ ପ୍ରଧାନମନ୍ତ୍ରୀ ଭାବରେ ନିଯୁକ୍ତ ହୋଇଥିଲେ।