ଭୁବନେଶ୍ବର: ଶ୍ରାବଣ ଶିବରାତ୍ରୀ ଏକ ପବିତ୍ର ହିନ୍ଦୁ ପର୍ବ। ଏହା କେବଳ ଭଗବାନ ଶିବଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ। ଶ୍ରାବଣ ମାସରେ ଭଗବାନ ଶିବଙ୍କୁ ସାରା ଦେଶରେ ପୂଜା କରାଯାଏ। ଏହି ମାସ କାଉଁଡ଼ିଆ ଯାତ୍ରା ପାଇଁ ପ୍ରସିଦ୍ଧିଲାଭ କରିଛି। ଭକ୍ତମାନେ ଗଙ୍ଗା ଜଳ ଆଣି ଶିବରାତ୍ରୀ ଦିନ ଭଗବାନ ଶିବଙ୍କୁ ଅର୍ପଣ କରନ୍ତି। ଭଗବାନ ଶିବଙ୍କ ପ୍ରିୟ ମାସ ଶ୍ରାବଣ ଜୁଲାଇ ୨୨ ତାରିଖ ସୋମବାର ଆରମ୍ଭ ହେଉଛି। ମହାଦେବଙ୍କ ପାଇଁ ଅନ୍ୟତମ ପବିତ୍ର ମାସରେ ଜଳାଭିଷେକ କରିବେ ବୋଲି ଶିବଭକ୍ତମାନେ ଉତ୍ସାହିତ ଦେଖାଯାଇଛନ୍ତି। ରାଜପଥରେ ଦଳଦଳ ହୋଇ କାଉଁଡିଆମାନେ ପଦଯାତ୍ରା କରୁଛନ୍ତି। କାଉଁଡ଼ିଆମାନେ ଏଥି ପାଇଁ ଶନିବାର ଓ ରବିବାର ଶୁଦ୍ଧ ଓ ପବିତ୍ର ମନରେ ଜଳଭାର ଉଠାଇଛନ୍ତି। ଅନ୍ୟପଟରେ ଶିବଭକ୍ତଙ୍କୁ ସେବା ଯୋଗାଇବା ପାଇଁ ଅନେକ ଶ୍ରଦ୍ଧାଳୁ ଓ ସ୍ବେଚ୍ଛାସେବୀ ସଂଗଠନ ପକ୍ଷରୁ ବିଭିନ୍ନ ସ୍ଥାନରେ ସେବା ଦେଉଛନ୍ତି।
ମହାଦେବଙ୍କ ଭକ୍ତଙ୍କ ପାଇଁ ଉତ୍ତରପ୍ରଦେଶ ସରକାର ଏଥର ଏକ ବିରଳ ମାର୍ଗଦର୍ଶିକା ଜାରି କରିଛନ୍ତି। ଏହି ମାର୍ଗଦର୍ଶିକା ମାଧ୍ୟମରେ କାଉଁଡ଼ିଆମାନଙ୍କୁ ଶୁଦ୍ଧ ଶାକାହାରୀ ଭୋଜନ ଦେବାକୁ ଚିନ୍ତା କରୁଛନ୍ତି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କାଉଁଡ଼ିଆ ଯାତ୍ରା ମାର୍ଗରେ ଥିବା ସମସ୍ତ ଭୋଜନାଳୟକୁ ସେମାନଙ୍କ ମାଲିକଙ୍କ ନାମ ପ୍ରଦର୍ଶନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ନିର୍ଦ୍ଦେଶ ଅନୁଯାୟୀ ପ୍ରତ୍ୟେକ ଖାଦ୍ୟ ଦୋକାନ ବୋର୍ଡରେ ମାଲିକଙ୍କ ନାମ ରଖିବାକୁ ପଡିବ। କାଉଁଡ଼ିଆ ଶ୍ରଦ୍ଧାଳୁଙ୍କ ପବିତ୍ରତା ବଜାୟ ରଖିବା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ରେଷ୍ଟୁରାଣ୍ଟ, ରାସ୍ତାକଡ଼ ଢାବା ହେଉ କିମ୍ବା ଖାଦ୍ୟ ଗାଡ଼ି, ପ୍ରତ୍ୟେକ ଭୋଜନାଳୟ ମାଲିକଙ୍କ ନାମ ଦେଖାଇବାକୁ ବାଧ୍ୟ ହେବେ। ଉତ୍ତରପ୍ରଦେଶ ମନ୍ତ୍ରୀ କପିଲଦେବ ଅଗ୍ରୱାଲ ଏ ବାବଦରେ କହିଛନ୍ତି ଯେ ମୁସଲମାନମାନେ ହିନ୍ଦୁ ନାମ ବ୍ୟବହାର କରି ତୀର୍ଥଯାତ୍ରୀଙ୍କୁ ଆମିଷ ଖାଦ୍ୟ ବିକ୍ରି କରୁଛନ୍ତି। ସେମାନେ ବୈଷ୍ଣୋ ଢାବା ଭଣ୍ଡାର, ଶାକମ୍ଭରୀ ଦେବୀ ଭୋଜନାଳୟ ଓ ଶୁଦ୍ଧ ଭୋଜନାଳୟ ଭଳି ନାମ ଲେଖି ଆମିଷ ଖାଦ୍ୟ ବିକ୍ରି କରନ୍ତି। ଯଦି ମନ୍ତ୍ରୀଙ୍କ କଥା ସତ, ତାହେଲେ ଏଭଳି ଆଶଙ୍କା କରି ସରକାର ମାର୍ଗଦର୍ଶିକା ଜାରି କରିଛନ୍ତି।
ବାରାଣସୀରେ ବ୍ୟାପକ ନଜର
ଉତ୍ତରପ୍ରଦେଶ ପରେ ଉତ୍ତରାଖଣ୍ଡ ଏବଂ ମଧ୍ୟପ୍ରଦେଶର ରାଜ୍ୟ ସରକାର କାଉଁଡ଼ିଆ ଯାତ୍ରା ମାର୍ଗରେ ଥିବା ଭୋଜନାଳୟରେ ମାଲିକଙ୍କ ନାମ ଏବଂ ଫୋନ୍ ନମ୍ବର ପ୍ରଦର୍ଶନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। କିଛି ଅଞ୍ଚଳର ଦୋକାନକୁ ରାଜ୍ୟ ସରକାରଙ୍କ ନିକଟରକୁ ଏଭଳି ନିର୍ଦ୍ଦେଶ ମିଳିବା ପରେ ଏହି ନିର୍ଦ୍ଦେଶନାମା ଆସିଛି। ରାଜ୍ୟ ସରକାର ଦ୍ବାରା କାଉଁଡ଼ିଆ ଯାତ୍ରା ମାର୍ଗରେ ଥିବା ସମସ୍ତ ମାଂସ ଏବଂ କୁକୁଡ଼ା ଦୋକାନକୁ ଶ୍ରାବଣ ମାସ ପାଇଁ ବନ୍ଦ ରଖିବାକୁ ବାରାଣସୀ ମହାନଗର ନିଗମ (ବିଏମ୍ସି) ମଧ୍ୟ ଏକ ଆଦେଶ ଜାରି କହିଛନ୍ତି। କାଉଁଡ଼ିଆ ଯାତ୍ରା କରୁଥିବା ତୀର୍ଥଯାତ୍ରୀଙ୍କ ପାଇଁ କୌଣସି ସୁବିଧା କିମ୍ବା ସମସ୍ୟାକୁ ରୋକିବା ପାଇଁ କାଉଁଡ଼ିଆ ମାର୍ଗରେ ଥିବା ଏହି ଆମିଷ ଦୋକାନଗୁଡ଼ିକ ଧର୍ମ ମାସ ଶ୍ରାବଣରେ ବନ୍ଦ କରିବା ପାଇଁ ମେୟର ସଂପୃକ୍ତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଯେହେତୁ କାଉଁଡ଼ିଆଙ୍କୁ ବିଭିନ୍ନ ମାର୍ଗରୁ ତୀର୍ଥଯାତ୍ରୀ ଆସୁଛନ୍ତି, ତେଣୁ ସେମାନଙ୍କ ମାର୍ଗରେ ଏକ ସର୍ଭେ କରାଯିବ। ଯାହା ଦ୍ୱାରା ମାର୍ଗରେ ଥିବା ମାଂସ ଏବଂ କୁକୁଡ଼ା ଦୋକାନ ଯଥାଶୀଘ୍ର ବନ୍ଦ ହୋଇଛି କି ନାହିଁ ଜଣାପଡ଼ିବ। ଏହାରି ମଧ୍ୟରେ ଉତ୍ତରପ୍ରଦେଶ ପୁଲିସ୍ କହିଛି ଯେ ଶ୍ରାବଣ ଶିବରାତ୍ରୀ ମହୋତ୍ସବ ପାଇଁ ସମସ୍ତ ପ୍ରସ୍ତୁତି ସଫଳ ହୋଇଛି।
ଯୋଗଗୁରୁ ବାବା ରାମଦେବଙ୍କ ସମର୍ଥନ
ଶିବଭକ୍ତ କାଉଁଡିଆଙ୍କ ରାସ୍ତାରେ ଥିବା ଦୋକାନରେ ମାଲିକଙ୍କ ଅସଲି ନାମ ଲଗାଇବାକୁ ନେଇ ସରକାରଙ୍କ ନିଷ୍ପତ୍ତି ଦେଶବ୍ୟାପୀ ଚର୍ଚ୍ଚା ହେଉଥିବା ବେଳେ ଯୋଗଗୁରୁ ବାବା ରାମଦେବଙ୍କ ପ୍ରବେଶ ହୋଇଛି। ସେ ମୁଖ୍ୟମନ୍ତ୍ରୀ ଯୋଗୀଙ୍କୁ ସମର୍ଥନ ଦେଇ କହିଛନ୍ତି, ଏହା ଦ୍ବାରା କୌଣସି ଭୁଲ ହେଇ ନାହିଁ। ପୂରା ବିଶ୍ବର ନଜର ଭାରତ ଉପରେ ରହିଛି। ରାମଦେବଙ୍କୁ ନିଜର ପରିଚୟ ସୃଷ୍ଟି କରିବାରେ କୌଣସି ସମସ୍ୟା ନାହିଁ। ରହମାନଙ୍କୁ କାହିଁକି ଅସୁବିଧା ହେବ। ହିନ୍ଦୁ ଓ ମୁସଲମାନ ସମସ୍ତଙ୍କୁ ନିଜର ପରିଚୟ ସୃଷ୍ଟି କରିବାର ଅଛି। ଆମର ଈଶ୍ବର ଏକ। ତେଣୁ କାହାରିକୁ ନିଜର ପରିଚୟ ସୃଷ୍ଟି କରିବାରେ କୌଣସି ଅସୁବିଧା ନାହିଁ। କାଉଁଡିଆମାନେ ଭଲ ଦେଖନ୍ତୁ ଓ ଅନୁଶାସନ ଜାରି ରଖନ୍ତୁ। ମୁଁ ସନାତନ ଧର୍ମର ଜନତାଙ୍କୁ ଆହ୍ବାନ କରୁଛି ଯେ, ସନାତନ ଧର୍ମକୁ ନିଜର ଆଚରଣରେ ଧାରଣ କରନ୍ତୁ। ଆମେ ନିଜର ଆଚରଣ ମାଧ୍ୟମରେ ପରିଚୟ ଦେବା ଉଚିତ।
ନିୟମ ଉଲ୍ଲଂଘନ କଲେ ଜରିମାନା
ଭାରତୀୟ ଜନତା ପାର୍ଟି (ବିଜେପି) ଶାସିତ ଉଜ୍ଜୈନ ନଗର ନିଗମ ଦୋକାନୀଙ୍କୁ ପ୍ରାଚୀନ ସହରରେ ନିଜର ପ୍ରତିଷ୍ଠାନର ବାହାରେ ନିଜ ନାମ ଫଳକ ଓ ମୋବାଇଲ ନମ୍ବର ପ୍ରଦର୍ଶିତ କରିବାକୁ ଆଦେଶ ଦେଇଛି। ଏହି ନିର୍ଦ୍ଦେଶ କାଉଁଡିଆ ଯାତ୍ରା ମାର୍ଗରେ ଭୋଜନାଳୟ ପାଇଁ ଉତ୍ତରପ୍ରଦେଶ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଗଣମାଧ୍ୟମର ରିପୋର୍ଟ ଅନୁସାରେ ଉଜ୍ଜୈନର ମେୟର ମୁକେଶ ଟଟୱାଲ କହିଛନ୍ତି, ଉଜ୍ଜୈନର ମହାପୌର ପରିଷଦ ୨୦୦୨ ସେପ୍ଟେମ୍ବର ୨୬ରେ ଦୋକାନୀମାନଙ୍କୁ ନିଜର ନାମ ପ୍ରଦର୍ଶିତ କରିବା ପାଇଁ ପ୍ରସ୍ତାବକୁ ମଂଜୁରୀ ଦେଇଥିଲା। ଏହା ପରେ ଗୃହରେ ମଧ୍ୟ ଏହାକୁ ମଂଜୁରୀ ମିଳିଥିଲା। ପରେ ଆପତ୍ତି ଓ ଔପଚାରିକତା ନେଇ ରାଜ୍ୟ ସରକାରଙ୍କୁ ପଠାଇଥିଲେ, ଯାହା ଏବେ ଲାଗୁ ହେବ। ଉଜ୍ଜୈନ ମେୟର ମୁକେଶ ଟଟୱାଲ ଶନିବାର କହିଛନ୍ତି, ଉଲ୍ଲଂଘନ କରୁଥିବା ବ୍ୟକ୍ତି କାର୍ଯ୍ୟାନୁଷ୍ଠାନର ଶିକାର ହେବେ। ପ୍ରଥମ ଥର ତ୍ରୁଟି କଲେ ୨୦୦୦ ଟଙ୍କା ଜରିମାନା ଦେବାକୁ ପଡ଼ିବ। ଦ୍ବିତୀୟ ଥର ଭୁଲ ନେଇ ଧରାପଡ଼ିଲେ ଦୋକାନୀଙ୍କୁ ୫୦୦୦ ଟଙ୍କା ଜରିମାନା ଦେବାକୁ ହେବ।