ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବରେ ପରିଳାଚିତ ଏନ୍ଡିଏ ସରକାରର ତୃତୀୟ ପାଳିର ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ୍ରେ ଓଡ଼ିଶା ପାଇଁ ସନ୍ତୋଷଜନକ ବ୍ୟବସ୍ଥା କରାଯାଇଛି। କେନ୍ଦ୍ର ବଜେଟ୍ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ ଓରାମ ଓ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ମଧ୍ୟ ଖୁସି ଅନୁଭବ କରିଛନ୍ତି। ଉଭୟ କେନ୍ଦ୍ର ଓ ରାଜ୍ୟରେ ବିଜେପି ନେତୃତ୍ବାଧୀନ ସରକାର ପରିଚାଳିତ ହେଉଥିବାରୁ ଏଥର ଭଲ ସହଯୋଗ ମିଳିବ ବୋଲି ଆଶା କରାଯାଉଛି।
ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଚଳିତ ବଜେଟର ଓଡିଶାକୁ ଗୁରୁତ୍ୱ ଦିଆଯାଇଛି। ରାଜ୍ୟର ପ୍ରକୃତିକ ସୌନ୍ଦର୍ଯ୍ୟକୁ ଗୁରୁତ୍ୱ ମିଳିଛି। ବିଶେଷ କରି ପ୍ରାକୃତିକ ଶୋଭାରେ ସମୃଦ୍ଧ ଓଡିଶାର ବନ୍ୟପ୍ରାଣୀ ଅଭୟାରଣ୍ୟ ଓ ବେଳାଭୂମି ଗୁଡିକ ପର୍ଯ୍ୟଟନର ମୁଖ୍ୟ ଆଧାର ହୋଇଥିବାରୁ ଏହାକୁ ବିଶେଷ ଗୁରୁତ୍ୱ ଦିଆଯିବ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି। ଓଡ଼ିଶାକୁ ବିଶ୍ୱର ଏକ ମୁଖ୍ୟ ପର୍ଯ୍ୟଟନ ଗନ୍ତବ୍ୟ ସ୍ଥଳ ଭାବେ ପରିଣତ କରିବାକୁ ଦିଆଯିବ ଆର୍ଥିକ ସହାୟତା ଦିଆଯିବାକୁ ଘୋଷଣା କରିଛନ୍ତି। ସେହିପରି ଉତ୍ତର-ପୂର୍ବାଞ୍ଚଳ ରାଜ୍ୟରେ ଯେଉଁ ୫ଟି ରାଜ୍ୟ ଯୋଡ଼ାଯାଇଛି ଏଥିରେ ମଧ୍ୟ ଓଡ଼ିଶାର ନାମ ରହିଛି। ତେଣୁ ଆଗାମୀ ଦିନରେ ଓଡ଼ିଶାର ବିକାଶ ଅଧିକ ଆଶା କରାଯାଉଛି।
ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀଙ୍କ ପ୍ରଶଂସା
କେନ୍ଦ୍ର ବଜେଟ୍କୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, ପର୍ଯ୍ୟଟନ କ୍ଷେତ୍ର ସମେତ ବନ୍ୟଜନ୍ତୁ, ସାମୁଦ୍ରିକ ସମ୍ପଦ ଏବଂ ମନ୍ଦିରର ବିକାଶ ଆଦି ଓଡ଼ିଶାର ଆର୍ଥିକ ବିକାଶରେ ବିଶେଷ ସହାୟକ ହେବ, ଓଡ଼ିଶା ପର୍ଯ୍ୟଟନ ଆକର୍ଷଣର କେନ୍ଦ୍ର ପାଲଟିବ। ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ବିକଶିତ ଭାରତ ବଜେଟରେ ‘ପୂର୍ବୋଦୟ’ ଅଧୀନରେ ଓଡ଼ିଶା ସମେତ ବିହାର, ଝାଡଖଣ୍ଡ, ପଶ୍ଚିମବଙ୍ଗ ଓ ଆନ୍ଧ୍ରପ୍ରଦେଶ ରାଜ୍ୟ ଗୁଡିକର ସାମଗ୍ରିକ ବିକାଶ ପାଇଁ ନିଷ୍ପତି ନେଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଧନ୍ୟବାଦ ଜଣାଉଛି। ମାନବ ସମ୍ବଳ, ଭିତ୍ତିଭୂମି ଓ ଆର୍ଥିକ ସୁଯୋଗର ବିକାଶ ଉପରେ ବ୍ୟାପକ ଗୁରୁତ୍ୱ ଦେବା ସହ ପର୍ଯ୍ୟଟନ, ମନ୍ଦିର, ବେଳାଭୂମି ଓ କାରିଗରୀର ବିକାଶ ପାଇଁ ଓଡ଼ିଶାକୁ ସହାୟତା ପ୍ରଦାନ କରିବା ଦ୍ୱାରା ଓଡ଼ିଶା ଭଳି ପ୍ରାକୃତିକ ସମ୍ପଦରେ ପରିପୂର୍ଣ୍ଣ ରାଜ୍ୟର ସମ୍ଭାବନା ସଠିକ୍ ଭାବରେ ଉପଯୋଗ ହୋଇପାରିବ।
କ’ଣ କହିଲେ ମୋଦୀ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, ଏହି ବଜେଟ ମହିଳା କେନ୍ଦ୍ରିକ ଓ ମହିଳା ନେତୃତ୍ୱାଧୀନ ବିକାଶ କ୍ଷେତ୍ରରେ ସହଯୋଗ କରିବ। କର୍ମକ୍ଷେତ୍ରରେ ମହିଳାଙ୍କ ଭାଗିଦାରୀକୁ ଏହି ବଜେଟ ଆହୁରି ବଢ଼ାଇବ। ଏହା ବିକାଶ କେନ୍ଦ୍ରିକ ଓ ଭିତ୍ତିଭୂମିରେ ନିବେଶକୁ ଏହି ବଜେଟ ପ୍ରୋତ୍ସାହିତ କରିବ। ଆସନ୍ତା କିଛ ବର୍ଷ ମଧ୍ୟରେ ଭାରତକୁ ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୀତି ରୂପେ ଗଢ଼ି ତୋଳିବାରେ ଏହି ବଜେଟ ସହାୟକ ହେବ। ସ୍ପେଶ କ୍ଷେତ୍ର ପାଇଁ ୧୦୦୦ କୋଟି, ଆଞ୍ଜେଲ ଟିକସ(ଅଣ ତାଲିକା ଭୁକ୍ତ କମ୍ପାନିର ଶେୟାର ଉପରେ ଲାଗୁଥିବା ଟିକସ) ବ୍ୟବସ୍ଥାକୁ ଉଚ୍ଛେଦ କରାଯାଇଛି, ନୂଆ ସ୍ୟାଟେଲାଇଟ ସହର ନିର୍ମାଣ, ନୂଆ ଟ୍ରାଞ୍ଜିଟ ଯୋଜନା ତତ୍ୟାଦି ଭାରତକୁ ବିକଶିତ ରାଷ୍ଟ୍ର ଆଡ଼କୁ ନେଇଯିବ। ଏଥିହ ସମଗ୍ର ଭାରତରେ ଅର୍ଥନୀତିକ ପେଣ୍ଠସ୍ଥଳ ସୃଷ୍ଟି କରିବ। ସହର, ଗାଁ ଓ ଘରସ୍ତରରେ ଆମକୁ ଉଦ୍ୟୋଗର ସୃଷ୍ଟି କରିବାକୁ ପଡ଼ିବ।
୪୮ ଲକ୍ଷ କୋଟିର ବଜେଟ୍
ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରିଛନ୍ତି। ପୂର୍ଣ୍ଣାଙ୍ଗ ବଜେଟର ପରିମାଣ ୪୮,୨୦,୫୧୨ କୋଟି ଟଙ୍କା ରହିଛି। ଏଥିରେ ପେନସନ୍ ପାଇଁ ୨୪,୩୨୯୬ କୋଟି, ପ୍ରତିରକ୍ଷା ପାଇଁ ୪,୫୪,୭୭୩ କୋଟି, ସାର ପାଇଁ ୧,୬୪,୦୦୦ କୋଟି, ଖାଦ୍ୟ ପାଇଁ ୨,୦୫,୨୫୦କୋଟି, ପେଟ୍ରୋଲିୟମ ପାଇଁ ୧୧,୯୨୫କୋଟି, କୃଷି ଓ ଏହା ସହ ଜଡ଼ିତ କାର୍ଯ୍ୟକ୍ରମ ପାଇଁ ୧,୫୧,୮୫୧କୋଟି, କମର୍ସ ଓ ଇଣ୍ତଷ୍ଟ୍ରୀ ପାଇଁ ୪୭,୫୫୯ କୋଟି, ଉତ୍ତର ପୂର୍ବର ବିକାଶ ପାଇଁ ୫,୯୦୦ କୋଟି, ଶିକ୍ଷା ପାଇଁ ୧,୨୫,୬୩୮ କୋଟି, ଶକ୍ତି ପାଇଁ ୬୮,୭୬୯ କୋଟି, ବୈଦେଶିକ ବ୍ୟାପାର ପାଇଁ ୨୨,୧୫୫ କୋଟି, ଅର୍ଥ ପାଇଁ ୮୬,୩୩୯ କୋଟି, ସ୍ୱାସ୍ଥ୍ୟ ପାଇଁ ୮୯,୨୮୭ କୋଟି, ସ୍ୱରାଷ୍ଟ୍ର ପାଇଁ ୧୫୦୯୮୩ କୋଟି, ସୁଧ ପାଇଁ ୧୧,୬୨,୯୪୦ କୋଟି, ଆଇଟି ଓ ଟେଲିକମ ପାଇଁ ୧୧୬୩୪୨, ଅନ୍ୟାନ୍ୟ ବିଭାଗ ପାଇଁ ୧୪୪୪୭୭, ଯୋଜନା ଓ ପରିସଂଖ୍ୟନ ପାଇଁ ୬,୨୯୧ କୋଟି, ଗ୍ରାମୀଣ ବିକାଶ ପାଇଁ ୨,୬୫,୮୦୮ କୋଟି, ବିଜ୍ଞାନ ଭିତ୍ତିକ ବିଭାଗ ପାଇଁ ୩୨,୭୩୬ କୋଟି, ସାମାଜିକ କଲ୍ୟାଣ ପାଇଁ ୫୬,୫୦୧ କୋଟି, ଜିଏସଟି କ୍ଷତି ପୂରଣ ପାଣ୍ଠି ପାଇଁ ୧୫,୦୦୦୦, ରାଜ୍ୟର ଭାଗ ପାଇଁ ୩୨୨୭୮୭ କୋଟି, ପରିବହନ ପାଇଁ ୫,୪୪,୧୨୮ କୋଟି, କେନ୍ଦ୍ର ଶାସିତ ଅଞ୍ଚଳ ପାଇଁ ୬୮,୬୬୦ କୋଟି, ସହରୀ ବିକାଶ ପାଇଁ ୮୨,୫୭୭ କୋଟି ଟଙ୍କା ସାମିଲ ରହିଛି।
ଶସ୍ତା ହେବ ସୁନା-ରୁପା
ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ୍ ଭାଷଣରେ ସୁନା ଓ ରୂପା ଉପରେ ସୀମା ଶୁଳ୍କ ୬ପ୍ରତିଶତକୁ ହ୍ରାସ କରିବାକୁ ପ୍ରସ୍ତାବ ଦେଇଛନ୍ତି। ଏହା ବ୍ୟତୀତ ସେ ପ୍ଲାଟିନମ ଉପରେ ସୀମା ଶୁଳ୍କ ୬.୪ପ୍ରତିଶତକୁ ହ୍ରାସ କରିବା ବିଷୟରେ ମଧ୍ୟ ସୂଚନା ଦେଇଛନ୍ତି। ସରକାରଙ୍କ ଏହି ନିଷ୍ପତ୍ତି କାର୍ଯ୍ୟକାରୀ ହେବା ପରେ ସୁନା, ରୂପା ଏବଂ ପ୍ଲାଟିନମର ମୂଲ୍ୟ ହ୍ରାସ ପାଇବ। ମୋବାଇଲ୍ ଫୋନ୍ ଏବଂ ଚାର୍ଜର୍ ଉପରେ ସୀମା ଶୁଳ୍କ ୧୫ପ୍ରତିଶତ ହ୍ରାସ କରାଯାଇଛି। ଏହି କାରଣରୁ, ବର୍ତ୍ତମାନ ମୋବାଇଲ୍ ଫୋନ୍ ପୂର୍ବ ଅପେକ୍ଷା ଶାସ୍ତା ହେବ। ଏହା ବ୍ୟତୀତ ଯେଉଁସବୁ ଜିନିଷ ଉପରୁ ସୀମା ଶୁଳ୍କ ହ୍ରାସ କରାଯାଇଛି ସେଗୁଡ଼ିକ ହେଲା, ୩ଟି କର୍କଟ ଔଷଧ, ଏକ୍ସରେ ଟ୍ୟୁବ୍, ଫ୍ଲାଟ ପ୍ୟାନେଲ ଡିଟେକ୍ଟର, ୨୫ଟି କ୍ରିଟିକାଲ ମିନେରାଲ, ସୋଲାର ସେଲ ଓ ପ୍ୟାନେଲ, ସାମୁଦ୍ରିକ ଚିଙ୍ଗୁଡ଼ି ଓ ମାଛ, ଚମଡା ଓ ବୟନ ଶିଳ୍ପ ଉତ୍ପାଦ, ଫେରୋ ନିକେଲ, ବ୍ଲିଷ୍ଟର କପର, ଇଲେକ୍ଟ୍ରୋନିକ ସାମଗ୍ରୀ, ସାର, ଟେଲିକମ ଉପକରଣ, କ୍ରୁଜ୍ ଯାତ୍ରା ଇତ୍ୟାଦି।