ଭଲ ମଣିଷଙ୍କୁ ବର୍ତ୍ତମାନ ପ୍ରଶଂସା ଓ ନନ୍ଦା କରାଯାଉଛି। ଭଲ ମଣିଷର ମୃତ୍ୟୁ ପରେ ମୂର୍ତ୍ତି ମାଧ୍ୟମରେ ଭବିଷ୍ୟତରେ ପୂଜା କରାଯାଇଥାଏ। ତେଣୁ ମୂର୍ତ୍ତି ହେଉଛି ଐତିହ୍ୟର ଅନ୍ୟତମ ପ୍ରତୀକ ବୋଲି ସ୍ବୀକାର କରାଯିବ। ଏହା ଭଗବାନଙ୍କର ହୋଇପାରେ ଅଥବା ମହାପୁରୁଷଙ୍କର। ମନ୍ଦିର, ସହରର ମୁଖ୍ୟ ଛକ, ସ୍କୁଲ-କଲେଜ, ପାର୍କ ଓ ଅନ୍ୟ ସର୍ବସାଧାରଣ ସ୍ଥଳରେ ପ୍ରତିଷ୍ଠା କରାଯାଉଥିବା ମୂର୍ତ୍ତିର ନିଶ୍ଚିତ ଭାବେ ଗୁରୁତ୍ବ ରହିଛି। କିନ୍ତୁ କ୍ଷୋଭର ବିଷୟ ହେଲା ଯେ, ମୂର୍ତ୍ତିର ଇତିହାସ, ସମାଜ ପ୍ରତି ଅବଦାନକୁ ଭଲରେ ନବୁଝି ଅନେକ ସମୟରେ ଦୁର୍ବୃତ୍ତମାନେ ଏହାକୁ କ୍ଷତି ପହଞ୍ଚାଇଥାନ୍ତି। ଏହି କ୍ଷତି ପହଞ୍ଚାଇବାରେ ନିଶ୍ଚିତ ରୂପେ ଖଳନାୟକ ଥାନ୍ତି। ଏମାନଙ୍କୁ ଠାବ କରିବାରେ ବେଳେବେଳେ ପ୍ରଶାସନ ମଧ୍ୟ ହାର ମାନିଥାଏ।
୨୦୧୮ ମସିହାରେ କେରଳରେ ମହାତ୍ମା ଗାନ୍ଧୀଙ୍କ ମୂର୍ତ୍ତି ଭଙ୍ଗା ଯାଇଥିବା ବେଳେ ବାବା ସାହେବ ଭୀମ ରାଓ ଆମ୍ବେଦକରଙ୍କ ମୂର୍ତ୍ତିକୁ ବିକୃତ କରାଯାଇଥିଲା। ୨୦୨୧ ଜାନୁଆରିରେ ଜାତିର ପିତା ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତି ଆମେରିକୀୟ ସହର ନ୍ୟୁୟର୍କରେ ଭଙ୍ଗା ଯାଇଥିଲା। ଏହି ଘଟଣାକୁ ବିଶ୍ବବ୍ୟାପୀ ତୀବ୍ର ନନ୍ଦା କରାଯାଇଥିଲା। ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀଙ୍କ ପୂତିମୂର୍ତ୍ତିକୁ ବିକୃତ କରାଯାଇଥିବା ମଧ୍ୟ ଅଭିଯୋଗ ଆସିଛି। ବିଭିନ୍ନ ମହଲରୁ ନନ୍ଦା କରାଯିବା ପରେ ସରକାର ପୁଣି ଠିକ ମୂର୍ତ୍ତି ପ୍ରତିଷ୍ଠା କରିଥିଲେ।
ଶିବାଜୀ ମୂର୍ତ୍ତି ମାମଲାରେ ଠିକାଦାର ଗିରଫ
କିଛି ଦିନ ପୂର୍ବରୁ ମହାରାଷ୍ଟ୍ରର ସିନ୍ଧୁଦୁର୍ଗସ୍ଥିତ ରାଜକୋଟ ଦୁର୍ଗରେ ଛତ୍ରପତି ଶିବାଜୀ ମହାରାଜଙ୍କ ପ୍ରତିମୂର୍ତ୍ତି ଭାଙ୍ଗିବା ଘଟଣାରେ ପୁଲିସ ଠିକାଦାର ତଥା ଆର୍କିଟେକ୍ଟ ଜୟଦୀପ ଆପ୍ଟେ ଏବଂ ଷ୍ଟ୍ରକ୍ଚରାଲ କନସଲଟାଣ୍ଟ ଚେତନ ପାଟିଲଙ୍କୁ ଅଭିଯୁକ୍ତ ଦର୍ଶାଇଥିଲା। ଅଭିଯୁକ୍ତ ଚେତନ ପାଟିଲଙ୍କୁ କୋହ୍ଲାପୁର ପୁଲିସ ଗୁରୁବାର ରାତି ୩ଟାରେ କୋହ୍ଲାପୁର ପୁଲିସ ଗିରଫ କରିଛି। ଠିକାଦାର ଓ ଆର୍ଟିସରି କଂପାନୀର ମାଲିକ ଜୟଦୀପ ଆପଟେ ଏବଂ ଷ୍ଟ୍ରକଚରାଲ କନସଲଣ୍ଟାଣ୍ଟ ଡାକ୍ତର ଚେତନ ପାଟିଲଙ୍କ ଅବହେଳା ଏବଂ ନିମ୍ନମାନର କାମ ଯୋଗୁଁ ସାଧାରଣ ଜନତାକୁ କ୍ଷତି ପହଞ୍ଚାଇଥିବା କୁହାଯାଇଛି। ଜୟଦୀପ ଆପଟେ କଲ୍ୟାଣରେ ରହୁଥିବା ବେଳେ ଡାକ୍ଟର ପାଟିଲ କୋହ୍ଲାପୁର ନିବାସୀ ଅଟନ୍ତି। ଉଭୟଙ୍କ ନାମରେ ଭାରତୀୟ ନ୍ୟାୟ ସହିଂତାର ବିଭିନ୍ନ ଧାରାରେ ମାମଲା ରୁଜୁ ହୋଇଛି।
ବର୍ଷେ ଛିଡ଼ା ହୋଇପାରିଲାନି ମୂର୍ତ୍ତି
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଛତ୍ରପତି ଶିବାଜୀ ମହାରାଜଙ୍କ ଏହି ପ୍ରତିମୂର୍ତ୍ତିକୁ ଗତବର୍ଷ ଡିସେମ୍ବର ମାସରେ ଉନ୍ମୋଚନ କରିଥିଲେ। ତେଣୁ ମାତ୍ର ୮ ମାସ ମଧ୍ୟରେ ଶିବାଜୀଙ୍କ ମୂର୍ତ୍ତି ଭାଙ୍ଗିବା ଘଟଣାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇବା ପରେ ଶିନ୍ଦେ ସରକାର ଘଟଣାର ତଦନ୍ତ ପାଇଁ ଏକ ଯୁଗ୍ମ ବୈଷୟିକ କମିଟି ଗଠନ କରିଛନ୍ତି। ଏଥିରେ ସିଭିଲ ଇଞ୍ଜିନିୟର, ବିଶେଷଜ୍ଞ, ଆଇଆଇଟି ଓ ନୌସେନାର ପ୍ରତିନିଧି ରହିଛନ୍ତି। ପ୍ରତିମୂର୍ତ୍ତି ଭାଙ୍ଗିବା ପରେ ଛତ୍ରପତି ଶିବାଜୀ ମହାରାଜଙ୍କ ଦ୍ୱିତୀୟ ପ୍ରତିମୂର୍ତ୍ତି ନିର୍ମାଣ କରାଯାଇଛି, ଯାହା ତାଙ୍କ ଭାବମୂର୍ତ୍ତି ସହ ସମାନ ହେବ ବୋଲି ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ କହିଛନ୍ତି। ୨୦୨୩ ପୁରୁଷ ହକି ବିଶ୍ବକପ୍ ସମୟରେ ରାଉରକେଲାରେ ହକି ସଂପର୍କିତ ଏକ ମୂର୍ତ୍ତି ରାଉରକେଲାରେ ନିର୍ମାଣ ହୋଇଥିଲା। ବ୍ୟୟ ବହୁଳ ଏହି ମୂର୍ତ୍ତି ମଧ୍ୟ ଅଳ୍ପ କିଛି ମାସ ପରେ ଭାଙ୍ଗି ଯାଇଥିଲା। ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା। ପୁଲିସ ମାମଲା ରୁଜୁ କଲା ନାହିଁ। ହକି ପ୍ରତି ଦରଦୀପଣ ଦେଖାଉଥିବା ତତ୍କାଳନୀ ବିଜେଡି ସରକାର ଏହାର ତଦନ୍ତ କରାଇପାରିଲେ ନାହିଁ।
ମୂର୍ତ୍ତି ନିର୍ମାଣକୁ ନେଇ ବିବାଦ
ତତ୍କାଳୀନ ନବୀନ ପଟ୍ଟନାୟକଙ୍କ ସରକାର ମୂର୍ତ୍ତି ନିର୍ମାଣକୁ ନେଇ ଗତବର୍ଷ ଆରମ୍ଭରୁ ବଡ଼ ବିବାଦ ଦେଖାଯାଇଥିଲା। ଅନୁଗୁଳ ଜିଲ୍ଲା ପ୍ରତିଷ୍ଠା ଦିବସ ଏବଂ ଓଡ଼ିଶା ଦିବସ ପାଳନ ଅବସରରେ ଅନୁଗୁଳ ପୌରପାଳିକାର ଗୋପବନ୍ଧୁ ପାର୍କରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀଙ୍କର ଏକ ମୂର୍ତ୍ତି ନିର୍ମାଣ କରାଯାଇଥିଲା। ସ୍ବର୍ଗତଃ ନବକୃଷ୍ଣ ଚୌଧୁରୀ ପାରଂପରିକ ଧୋତି ଓ କୁର୍ତ୍ତା ପରିଧାନ କରୁଥିବା ବେଳେ, ପ୍ୟାଣ୍ଟ, ସାର୍ଟ, ଜୋତା ପିନ୍ଧା ପ୍ରତିମୂର୍ତ୍ତି ସ୍ଥାପିତ କରିଥିବା ଦେଖିବାକୁ ମିଳିଥିଲା। ଏହାକୁ ନେଇ ଜନ ଅସନ୍ତୋଷ ଦେଖାଦେଇଥିଲା। ଅବଶ୍ୟ ସରକାର ପରେ ନୂତନ ମୂର୍ତ୍ତି ପ୍ରତିଷ୍ଠା କରିଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀର ଭୁଲ ପ୍ରତିମୂର୍ତ୍ତି ନିର୍ମାଣ କରାଯାଇନାହିଁ, ବରଂ ଅନୁଗୁଳ ଜିଲ୍ଲାର ଅନ୍ୟତମ ବରପୁତ୍ର ତଥା ସ୍ଵାଧୀନତା ସଂଗ୍ରାମୀ, ପ୍ରଜାମଣ୍ଡଳ ଆନ୍ଦୋଳନର କର୍ଣ୍ଣଧାର, ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସ୍ଵର୍ଗତ ପବିତ୍ର ମୋହନ ପ୍ରଧାନଙ୍କର ପ୍ରତିମୂର୍ତ୍ତିକୁ ବିକୃତକରି ସ୍ଥାପିତ କରିଥିଲା ପୌର ପ୍ରଶାସନ। ସ୍ୱର୍ଗତ ପ୍ରଧାନ ବି ଥିଲେ ଧୋତିପିନ୍ଧା ମଣିଷ। ତାଙ୍କୁ ବି ପୌର ପ୍ରଶାସନ ପ୍ରକୃତ ପରିଧାନ ବଦଳରେ ପ୍ୟାଣ୍ଟ୍ ପିନ୍ଧାଇ ଦେଇଥିଲା। ଯଦିଓ ପରବର୍ତ୍ତୀ ସମୟରେ ଏହି ତ୍ରୁଟିକୁ ପୌର ପ୍ରଶାସନ ସୁଧାରିଥିଲା।