Wednesday, October 9, 2024
Homeଖବରନବୀନଙ୍କ ଉତ୍ତରାଧିକାରୀ କିଏ?

ନବୀନଙ୍କ ଉତ୍ତରାଧିକାରୀ କିଏ?

ଭୁବନେଶ୍ବର: ନବୀନ ପଟ୍ଟନାୟକଙ୍କ ପରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ କିଏ ହେବେ? ଏହି ପ୍ରଶ୍ନ ଦୀର୍ଘ ୧୦ ବର୍ଷ ହେଲା ଓଡ଼ିଶାବାସୀଙ୍କ ମନରେ ଆସୁଛି। ତେବେ ଏହି ପ୍ରଶ୍ନର ଉତ୍ତର ସେତେବେଳେ ମିଳିବ, ଯେତେବେଳେ ଏହା ଦରକାର ପଡ଼ିବ। ଦରକାର ସମୟରେ କ୍ଷମତାର ଥିବା ଦଳ ହିଁ ନିର୍ଦ୍ଧାରଣ କରିବ? ଯଦି ସେହି ସମୟରେ ବିଜେଡି ସରକାରରେ ଥିବ, ତା’ହେଲେ ବିଜେଡି ହିଁ ଏହା କହିବ। ପ୍ରଶାସକରୁ ରାଜନେତା ପାଲଟିଥିବା ଭିକେ ପାଣ୍ଡିଆନ ଆତ୍ମଘୋଷିତ ଉତ୍ତରାଧିକାରୀ ଭାବେ ନିଜକୁ ଉପସ୍ଥାପିତ କରିବା, ବିରୋଧୀ ଦଳର କ୍ରମାଗତ ଆକ୍ରମଣ ଓ ରାଜ୍ୟରେ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇବା ପରେ ଶେଷରେ ନବୀନ ପଟ୍ଟନାୟକ ମୁହଁ ଖୋଲିଛନ୍ତି। ସ୍ବର୍ଗତଃ ବିଜୁ ପଟ୍ଟନାୟକଙ୍କ ଭଳି ଉତ୍ତର ଦେଇ କହିଛନ୍ତି, ଭିକେ ପାଣ୍ଡିଆନ ତାଙ୍କର ଉତ୍ତରାଧିକାରୀ ନୁହନ୍ତି। ସୂଚନାଯୋଗ୍ୟ, ଏକଦା ବିଜୁ ପଟ୍ଟନାୟକଙ୍କୁ ଯେତେରବେଳେ ଗଣମାଧ୍ୟମ ତରଫରୁ ପଚରାଯାଇଥିଲା ଯେ, ତାଙ୍କର ଉତ୍ତରାଧିକାରୀ କିଏ? ଜବାବରେ ବିଜୁବାବୁ କହିଥିଲେ, ମୋର ଉତ୍ତରାଧିକାରୀ ରାଜ୍ୟବାସୀ ବାଛିବେ। ନିକଟରେ ଏହି ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଥିଲା।

ଜାତୀୟ ଖବର ସରବରାହ ସଂସ୍ଥାକୁ ଏକ ସାକ୍ଷାତକାର ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ଓଡ଼ିଶା ଲୋକ ତାଙ୍କର ଉତ୍ତରାଧିକାରୀ ସ୍ଥିର କରିବେ। କିନ୍ତୁ ଏକଥା ସ୍ପଷ୍ଟ ଯେ, ପାଣ୍ଡିଆନ ତାଙ୍କ ଉତ୍ତରାଧିକାରୀ ନୁହନ୍ତି। ଏ କଥାକୁ ଅଯଥାରେ କେବଳ ଅପପ୍ରଚାର କରାଯାଉଛି। ମୁଖ୍ୟମନ୍ତ୍ରୀଙ୍କ ଏହି କଥାକୁ ଓଡ଼ିଶାର ଜନତା ବହୁଦିନ ଆଗରୁ ଶୁଣିବାକୁ ଚାହୁଁଥିଲେ। କାରଣ ଓଡ଼ିଶାର ଜନତା ଚାହୁଁ ନାହାନ୍ତି ଯେ, ଭିକେ ପାଣ୍ଡିଆନ ଓଡ଼ିଶର ମୁଖ୍ୟମନ୍ତ୍ରୀ ହୁଅନ୍ତୁ। ଏହାର କାରଣ ଅନେକ ରହିଛି। ତେବେ ଏବେ ପ୍ରଶ୍ନ ଉଠୁଛି, ଯଦି ପାଣ୍ଡିଆନ ଉତ୍ତରାଧିକାରୀ ନୁହଁନ୍ତି, ନବୀନଙ୍କ ପରେ ତାଙ୍କର ଭୂମିକା କ’ଣ ରହିବ? ଏକଥା ମଧ୍ୟ ଓଡ଼ିଶାବାସୀ ଜାଣିବାକୁ ଅପେକ୍ଷାରେ ଅଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ସହ ଖାଲି ପାଣ୍ଡିଆନ କାହିଁକି ବୁଲୁଛନ୍ତି। ଏନେଇ ଜାଣିବାକୁ ସମଗ୍ର ରାଜ୍ୟବାସୀ ଉତ୍ସୁକ ଅଛନ୍ତି।

କାହିଁକି ଟାର୍ଗେଟରେ ପାଣ୍ଡିଆନ

ଆଇଏଏସ୍ ଚାକିରିରୁ ସ୍ବେଚ୍ଛାକୃତ ଅବସର ନେଇଥିବା ଭିକେ ପାଣ୍ଡିଆନ୍ ଚଳିତ ନିର୍ବାଚନ ପୂର୍ବରୁ ରାଜ୍ୟବ୍ୟାପୀ ଗସ୍ତ କରିଥିଲେ। ଆମ ଓଡ଼ିଶା ନବୀନ ଓଡ଼ିଶା ଏବଂ ୫ଟି ଅଧ୍ୟକ୍ଷ ପଦବିରେ ଜିଲ୍ଲାଗୁଡ଼ିକରେ ଆୟୋଜିତ କାର୍ଯ୍ୟକ୍ରମରେ ସେ ମୁଖ୍ୟ ଭୂମିକା ତୁଲାଉଥିଲେ। ସେହି ସମୟରେ ବିଜେଡିର ବିଧାୟକମାନେ ପାଣ୍ଡିଆନଙ୍କ ସଭାମଂଚ ହେପାଯତ୍ନ ନେଉଥିଲେ। ସେହିପରି ଟ୍ରାଫିକ୍ ପରିଚାଳନା ମଧ୍ୟ କରୁଥିଲେ। ମଂଚରେ ଏକାକୀ ପାଣ୍ଡିଆନ ଭାଷଣ ଦେଉଥିଲେ। ସ୍ଥାନୀୟ ନେତା ପ୍ରତିନିଧିଙ୍କୁ ଅଣ ଦେଖା କରାଯାଉଥିଲା। ନିର୍ବାଚନ ସମୟରେ ମଧ୍ୟ ପାଣ୍ଡିଆନଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ ରହିଛି। ବିଜେଡିର ୪୦ ଜଣିଆ ଷ୍ଟାର ପ୍ରଚାରକ ମଧ୍ୟରୁ ନବୀନଙ୍କ ପରେ ଲୋକେ କେବଳ ପାଣ୍ଡିଆନଙ୍କୁ ହିଁ ଦେଖିଛନ୍ତି। ଅନ୍ୟ ୩୮ ଜଣ ଷ୍ଟାର ପ୍ରଚାରକ କେଉଁଆଡ଼େ ଗଲେ ବୋଲି ପ୍ରଶ୍ନ କରିଛନ୍ତି। ମୋଟାମୋଟି ଭାବେ କହିବାକୁ ଗଲେ ବିଜେଡିରେ ଏକପ୍ରକାର ଅଶାନ୍ତି ସୃଷ୍ଟି ହୋଇଛି। କିନ୍ତୁ କେହି ମୁହଁ ଖୋଲିପାରୁ ନାହାନ୍ତି।  

ବରିଷ୍ଠ ଦେଲେ ଏମିତି ପ୍ରତିକ୍ରିୟା

ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାରରେ ମୁଖ୍ୟମନ୍ତ୍ରୀଙ୍କ ମନ୍ତବ୍ୟକୁ ନେଇ କେନ୍ଦ୍ରାପଡ଼ା ସାଂସଦ ପ୍ରାର୍ଥୀ ବୈଜୟନ୍ତ ପଣ୍ଡା ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ଏ ଲୋକ ତାଙ୍କୁ କଣ୍ଟ୍ରୋଲ କରିବା ପୂରା ରାଜ୍ୟବାସୀ ଦେଖୁଛନ୍ତି। ସେ ଲୋକଟି ଦଳ, ସରକାର ଏବଂ ମୁଖ୍ୟମନ୍ତ୍ରୀଙ୍କୁ କଣ୍ଟ୍ରୋଲ କରୁଛି। ତାଙ୍କ ମାଇକ୍ ଧରିବା ଠାରୁ ଆରମ୍ଭ କରି ଭାଷଣ ପ୍ରମ୍ପଟିଂ ମଧ୍ୟ ସେହି ବ୍ୟକ୍ତି କରୁଛନ୍ତି। ସେହି ଲୋକଟି ଉଭୟ ସରକାର ଓ ଦଳକୁ ନିୟନ୍ତ୍ରଣ କରୁଛନ୍ତି। ଲୋକ ଜାଣିଛନ୍ତି, ଯଦି ଏଥର ସେମାନେ ନବୀନଙ୍କୁ ଭୋଟ ଦିଅନ୍ତି, ତେବେ ତାଙ୍କ ଭୋଟ୍ ଉକ୍ତ ଅଣଓଡ଼ିଆ ତାମିଲ ଲୋକ ପାଖକୁ ଯିବ। ଅନ୍ୟପଟରେ ବରିଷ୍ଠ ସାମ୍ବାଦିକ ତଥା ପୂର୍ବତନ ସାଂସଦ ତଥାଗତ ଶତପଥୀ କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବହୁ ବିଳମ୍ବରେ ଏହା କହିଲେ। କିନ୍ତୁ ସେ ଏହି କଥାକୁ ବହୁ ପୂର୍ବରୁ ସ୍ପଷ୍ଟ କରିବାର ଥିଲା।

ମୁହଁ ଖୋଲିଲେନି ପାଣ୍ଡିଆନ୍

ମୁହଁ ଖୋଲିଲେନି ପାଣ୍ଡିଆନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜାତୀୟ ଗଣମାଧ୍ୟମକୁ ଦେଇଥିବା ପ୍ରତିକ୍ରିୟା ନେଇ ଭୈରବ କାର୍ତ୍ତିକ ପାଣ୍ଡିଆନ ମୁହଁ ଖୋଲି ନାହାନ୍ତି। କିନ୍ତୁ ସେ ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ଉତ୍ତରାଧୀକାରୀ ବୋଲି ଘୋଷଣା କରିଥିଲେ। ଚଳିତ ମାସ ପ୍ରଥମ ସପ୍ତାହରେ ପାଣ୍ଡିଆନ ନିଜକୁ ନବୀନ ପଟ୍ଟନାୟକଙ୍କ ମୂଲ୍ୟବୋଧର ପ୍ରକୃତ ଉତ୍ତରାଧିକାରୀ ବୋଲି କହିଥିଲେ। ଗତ କିଛି ବର୍ଷ ଧରି ପାଣ୍ଡିଆନ ନବୀନଙ୍କ ଊତ୍ତରାଧିକାରୀ ପରି ଆଚରଣ କରି ଉଭୟ ବିଜେଡି ଓ ରାଜ୍ୟ ଶାସନରେ ନିଜ ନିୟନ୍ତ୍ରଣ ବଢ଼ାଇବାରେ ସକ୍ଷମ ହୋଇଛନ୍ତି। ତେବେ ପାଣ୍ଡିଆନଙ୍କ ଆତ୍ମଘୋଷିତ ଉତ୍ତରାଧିକାରୀ ସ୍ୱପ୍ନକୁ ଆଜି ନବୀନଙ୍କ ବୟାନ ଧୂଳିସାତ କରିଛି ନାଁ ଶେଷ ପର୍ଯ୍ୟାୟରେ ହେବାକୁ ଥିବା ମତଦାନରେ ବିଜେଡି ସପକ୍ଷରେ ମତ ଆଣିବା ପାଇଁ ଏକ ଭିନ୍ନ ପ୍ରୟାସ, ତାହା ଆଗାମୀ ଦିନରେ ଜଣାପଡ଼ିବ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments