Friday, September 13, 2024
Homeଖବରଓଡ଼ିଶା ପଛୁଆ ହେବା ପଛରେ ଦାୟୀ କିଏ?

ଓଡ଼ିଶା ପଛୁଆ ହେବା ପଛରେ ଦାୟୀ କିଏ?

ଭୁବନେଶ୍ବର: ଓଡ଼ିଶାରେ ଜମି, ଜଳ ଓ ଜଙ୍ଗଲର ଅଭାବ ନାହିଁ। ଜମି ଓ ଜଳକୁ ବ୍ୟବହାର କରି କୃଷିଜାତ ଦ୍ରବ୍ୟର ଉତ୍ପାଦନ କରାଯାଇପାରିବ। ଓଡ଼ିଶାର ମାନବ ସମ୍ବଲକୁ ଏଥିରେ ବିନିଯୋଗ କରାଯାଇ ବେକାରୀ ଓ ପଳାୟନ ଜନିତ ସମସ୍ୟାର ସମାଧାନ ଏକ ପ୍ରକାରର କରାଯାଇ ପାରିବ। ରାଜ୍ୟ ପାଇଁ ଦରକାର ପଡୁଥିବା ଖାଦ୍ୟାନ୍ନ ରଖି, ବାକି ସବୁ ରପ୍ତାନୀ କରାଯାଇ ପାରିବ, ଯାହା ଦ୍ବାରା କି ରାଜ୍ୟର ଅର୍ଥନୀତି ବୃଦ୍ଧି ପାଇବ। ଦେଶର ଅର୍ଥନୀତିକୁ ସମୃଦ୍ଧ କରୁଥିବା ପ୍ରାକୃତିକ ସମ୍ବଳ ମଧ୍ୟ ଓଡ଼ିଶାରେ ପ୍ରଚୁର ପରିମାଣରେ ରହିଛି। ଏହି ପ୍ରାକୃତିକ ସମ୍ବଳର ସୁବିନିଯୋଗ ହୋଇପାରୁ ନାହିଁ। ଏଗୁଡ଼ିକର ସଠିକ୍‌ ବ୍ୟବହାର ହୋଇପାରିଲେ ଓଡ଼ିଶାରୁ ଗରିବୀ ହଟି ବିକାଶ ହୋଇପାରିବ। ଲୋକଙ୍କୁ ରୋଜଗାର ମିଳିପାରିବ। କେବଳ ଓଡ଼ିଶା ନୁହେ, ବରଂ ବାହାର ରାଜ୍ୟର କୋଟିକୋଟି ଲୋକଙ୍କ ପାଇଁ ନୂଆଁ ଆଶା ସଂଚାର ହୋଇପାରିବ। କିନ୍ତୁ ଏହା ହୋଇପାରୁ ନଥିବାରୁ ପ୍ରାୟ କୋଟିଏ ଓଡ଼ିଆ ଲୋକଙ୍କୁ ଭିଟାମାଟି ଛାଡ଼ି ରାଜ୍ୟ ବାହାରକୁ ଦାଦନ ଖଟିବାକୁ ଯିବାକୁ ପଡୁଛି।

ସ୍ବାଧୀନ ଭାରତରେ ଓଡ଼ିଶାକୁ ୫୦ ବର୍ଷ କଂଗ୍ରେସ ଓ ୨୪ ବର୍ଷ ବିଜେଡି ଶାସନ କରି ସାରିଛି। ୨୦୦୦ ମସିହା ଠାରୁ ରାଜ୍ୟରେ ବିଜେଡିର ସ୍ଥିର ସରକାର ରହିଛି। ଏହାରି ମଧ୍ୟରେ ରାଜ୍ୟର ସବୁଠାରୁ ସମ୍ବେଦନଶୀଳ ହୋଇଛି ଦାଦନ ସମସ୍ୟା। ୨୦୦୦ ମସିହାରେ ତୁଳାନରେ ୨୦୨୪ରେ ଦାଦନ ଯନ୍ତ୍ରଣା ଢେର ବଢ଼ିଛି। ପ୍ରତିମାସରେ ପ୍ରବାସୀ ଓଡ଼ିଆଙ୍କ ମୃତଦେହ ଅନ୍ୟ ରାଜ୍ୟ ଓ ବିଦେଶରୁ ଆସୁଛି। ଏହା ଓଡ଼ିଆ ଅସ୍ମିତା ପାଇଁ ସବୁଠାରୁ ବଡ଼ ଅପମାନ ନୁହେଁ କି? ଶିକ୍ଷା, ସ୍ବାସ୍ଥ୍ୟ, କୃଷି, ଗମନାଗମନ, କ୍ରୀଡ଼ା ଓ ଅନ୍ୟ କ୍ଷେତ୍ରରେ ରୂପାନ୍ତରିତ ହୋଇଛି ବୋଲି ବିଜେଡି ସରକାର ସବୁ ବେ‌ଳେ କହୁଛି। କିନ୍ତୁ ଯଦି ବିକାଶ ହେଉଛି ଗୋଟିଏ କୋଠରିରେ ୪ଟି ଶ୍ରେଣୀର ପିଲା ବସି କାହିଁକି ପାଠ ପଢୁଛନ୍ତି। ରୋଗୀ ଓ ଗର୍ଭବତୀଙ୍କୁ କାହିଁକି ଖଟିଆରେ ବୁହା ହେଉଛି? ସାତ ମହଲା କୋଠାରେ ପରିଚାଳିତ ଡାକ୍ତରଖାନାଗୁଡ଼ିକ କାହିଁକି ରେଫରାଲ ହସ୍ପିଟାଲ ହୋଇଛି? ରାଜ୍ୟର ସବୁ ଗାଁକୁ କାହିଁକି ଆମ୍ବୁଲାନ୍ସ ଯାଇପାରୁ ନାହିଁ? ଜାତୀୟ ସ୍ତରରେ କେତେ ଜଣ କ୍ରୀଡ଼ାବିତ୍‌ ବାହାରୁଛନ୍ତି। ପ୍ରବଳ ଖରାରେ ଦୁର୍ଗମ ଓ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ଲୋକେ ପାଣି ଟୋପେ ପାଇଁ ଘାଣ୍ଟି ହେଉଛନ୍ତି। ଆହୁରି ଅନେକ ସମସ୍ୟା ରହିଛି। ରାଜ୍ୟର ସବୁଠାରୁ ଚର୍ଚ୍ଚାର ପ୍ରସଙ୍ଗ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ। ମହାପ୍ରଭୁ ଜଗନ୍ନାଥ ହେଉଛନ୍ତି, ଓଡ଼ିଶାର ସବୁଠାରୁ ବଡ଼ ପରିଚୟ। କିନ୍ତୁ ରୂପାନ୍ତରିଣ ନାମରେ ବିଜେଡି ସରକାର ଶ୍ରୀମନ୍ଦିର ଚାରି ପାର୍ଶ୍ବରେ ଥିବା ଐତିହାସିକ ମଠ ଓ ମନ୍ଦିରଗୁଡ଼ିକ ଭାଙ୍ଗି ଦେଲେ। ୪ଟି ଶୌଚାଳୟର ନିର୍ମାଣ ଓ ଟାଇଲ ପକାଇବା ପାଇଁ ପ୍ରାୟ ୯୦୦ କୋଟି ଟଙ୍କା ଖର୍ଚ୍ଚ କଲେ। ଗୁଆ ଓ ଚାଉଳ ଅର୍ପଣ ନାମରେ ରାଜ୍ୟସାରା ଶ୍ରୀଜଗନ୍ନାଥ ରଥ ବୁଲାଇଲେ। ମନ୍ଦିରର ପ୍ରଚାର ପାଇଁ ଶ୍ରୀ ପାଣ୍ଡିଆନ ୟୁଟ୍ୟୁବର କାମିନା ଜାନୀଙ୍କୁ ମନ୍ଦିର ଭିତରକୁ ପ୍ରବେଶ କରାଇଲେ, ଯିଏକି ଗୋମାଂସର ପ୍ରଚାର କରନ୍ତି।

ଓଡ଼ିଶା ସରକାରଙ୍କୁ କାହିଁକି ଟର୍ଗେଟ୍‌?

ନବୀନ ପଟ୍ଟନାୟକଙ୍କୁ ଓଡ଼ିଶାବାସୀ ଭଲ ପାଇଁ ଏପର୍ଯ୍ୟନ୍ତ ସମର୍ଥନ ଦେଇଆସିଛନ୍ତି। କିନ୍ତୁ କିଛି ବର୍ଷ ହେଲା ନବୀନ ଆଉ ସକ୍ରିୟ ଦେଖାଯାଉ ନାହାନ୍ତି। ସୁସ୍ଥ ଭାବେ ଚାଲିପାରୁ ନାହାନ୍ତି। ଏପରିକି କଲମ ଉଠାଇବା ପାଇଁ ବଳ ନାହିଁ। ହାତ ଥରୁଛି। ମୁଖ୍ୟମନ୍ତ୍ରୀ ନବୀନ ପୂର୍ବତନ ବ୍ୟକ୍ତିଗତ ତଥା ୫ଟି ସଚିବ ଭି.କେ ପାଣ୍ଡିଆନ୍‌ଙ୍କୁ ନିଜର ପ୍ରତିନିଧି ଭାବେ ରାଜ୍ୟସାରା ବୁଲାଇଥିଲେ। ସେ ଆଇଏଏଏସ୍‌ ଚାକିରିରୁ ସ୍ବେଚ୍ଛାକୃତ ଭାବେ ଅବସର ନେଇ ବିଜେଡିରେ ଯୋଗ ଦେଲା ନବୀନଙ୍କ ପରେ ଦଳର ଦ୍ବିତୀୟ ସର୍ବେସର୍ବା ହୋଇଛନ୍ତି। ୬ ମାସ ତଳେ ଦଳରେ ଯୋଗ ଦେଇଥିବା ଶ୍ରୀ ପାଣ୍ଡିଆନଙ୍କୁ ରାଜ୍ୟର ଅର୍ଦ୍ଧାଧିକ ବିରୋଧ କରୁଛନ୍ତି। କିନ୍ତୁ ଜଣେ ଅଣଓଡ଼ିଆ ନେତାଙ୍କୁ ବିଜେଡିର ଅନ୍ୟ ନେତା ଓ କର୍ମୀମାନେ ପୂର୍ଣ୍ଣ ସମର୍ଥନ ଦେଇ ଚାଲିଛନ୍ତି। ନେତା, କର୍ମୀ ଓ ସମର୍ଥକ ବଳରେ ପାଣ୍ଡିଆନ୍‌ ବିଜେଡିର ଦ୍ବିତୀୟ ସର୍ବବୃହତ କ୍ଷମତାଶାଳୀ ବ୍ୟକ୍ତି ହୋଇପାରିଛନ୍ତି। ଶ୍ରୀ ପାଣ୍ଡିଆନ୍‌ଙ୍କ ଗତିବିଧି ନେଇ ଏବେ କେନ୍ଦ୍ରୀୟ ନେତାମାନେ ସମାଲୋଚନା କରିବା ଆରମ୍ଭ କରିଦେଇଛନ୍ତି, ଯାହାକି ଆଗାମୀ ନିର୍ବାଚନରେ ପ୍ରଭାବ ପକାଇପାରେ ବୋଲି ମଧ୍ୟ ପୂର୍ବାନୁମାନ କରାଯାଉଛି।

ଓଡ଼ିଶା ଏକ ନମ୍ବର ହେବା କଥା

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶେଷରେ ଓଡ଼ିଶାର ବର୍ତ୍ତମାନ ସ୍ଥିତି ଉପରେ ମୁହଁ ଖୋଲିଛନ୍ତି। ଓଡ଼ିଆ ଅସ୍ମିତା ଓ ଭାଷା ପ୍ରତି ବିପଦ ରହିଛି। ଓଡ଼ିଶାର ସାଂପ୍ରତିକ ସ୍ଥିତିରେ ଏହାର ଭାଷା ଓ ଅସ୍ମିତା କିଭଳି ବିପଦରେ ପଡ଼ିଛି ତାହା ସମସ୍ତେ ଜାଣୁଛନ୍ତି ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି। ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ନିଜ ଭାଷା ଓ ଗୌରବ ପ୍ରତି ଆସିଥିବା ବିପଦକୁ ଓଡ଼ିଶାବାସୀ ଅଧିକ ଦିନ ବରଦାସ୍ତ କରିବେ ନାହିଁ। ଓଡ଼ିଶା ପ୍ରାକୃତିକ ସମ୍ପଦରେ ସମୃଦ୍ଧ। ରାଜ୍ୟ ଏତେ ସମୃଦ୍ଧ ଯେ ଏହା ଏକ ନମ୍ବର ରାଜ୍ୟ ହେବା କଥା, କିନ୍ତୁ ଏବେ ଓଡ଼ିଶାର ସ୍ଥିତି କ’ଣ ତାହା ଆମେ ସମସ୍ତେ ଦେଖୁଛୁ। ଏଭଳି ସ୍ଥିତିରେ ଆମକୁ ଓଡ଼ିଶାର ସେବା କରିବାର ସୁଯୋଗ ମିଳିବା ଉଚିତ।

ଓଡ଼ିଶାରେ ନାହାନ୍ତି କି ନେତା?

ବ୍ରହ୍ମପୁରରେ ଗତ ୨୮ ତାରିଖରେ ଆୟୋଜିତ ବିଜୟ ସଂକଳ୍ପ ସମାବେଶରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜଗତ ପ୍ରକାଶ ନଡ୍ଠା କହିଛନ୍ତି,‌ ଓଡ଼ିଶାରେ କ’ଣ ନେତୃତ୍ବ ନେବା ପାଇଁ ଆଉ କେହି ଓଡ଼ିଆ ନାହାନ୍ତି, ଯେଉଁଥି ପାଇଁ ବାହାରୁ ନେତା ଆଣିବେ? କିନ୍ତୁ ଓଡ଼ିଶାରେ ନବୀନ ବାବୁଙ୍କ ନେତୃତ୍ବରେ ଏଭଳି ପ୍ରୟାସ ଚାଲିଛି। ଯାହାକି ବର୍ତ୍ତମାନ ଚିନ୍ତାର ବିଷୟ ହୋଇଛି। ଓଡ଼ିଶାବାସୀ ଏଥିପ୍ରତି ସତର୍କ ରହିବା ଦରକାର। ମୋଦୀ ସରକାରଙ୍କ ଅମଳରେ ଯାହା ସବୁ ବିକାଶ କାର୍ଯ୍ୟକ୍ରମ ଆଗେଇଛି ତାକୁ ଓଡ଼ିଶାରେ ବାଧା ଦିଆଯାଉଛି। ଆୟୁଷ୍ମାନ ଭାରତ ଯୋଜନାକୁ ଓଡ଼ିଶାରେ କାର୍ଯ୍ୟକାରୀ ନକରିବା ଏହାର ଏକ ଉଦାହାରଣ। ଓଡ଼ିଶାର ବିଜେଡି ସରକାରରେ ଦୁର୍ନୀତି ଚାଲିଛି। ଏଣୁ ଜନସାଧାରଣ ଏହାର କଡ଼ା ଜବାବ ଦିଅନ୍ତୁ। ୧୬୦ଟି ଚିଟ୍‌ଫଣ୍ଡ ସଂସ୍ଥା ଜନସାଧାରଣଙ୍କ ଠାରୁ ୩୨ହଜାର କୋଟି ଟଙ୍କା ଠକି ନେଇଛନ୍ତି। ବିଜେଡି ସରକାର କ’ଣ କରିଛନ୍ତି? ବ୍ଲାକ୍‌ଲିଷ୍ଟ୍‌ ହୋଇଥିବା ଠିକାଦାରଙ୍କୁ ଜଳଜୀବନ ମିସନ୍‌ରେ କାମ ଦିଆଯାଉଛି। ଏହା ମଧ୍ୟ ଏକ ପ୍ରକାର ଦୁର୍ନୀତି। ମୋଦୀ ଯେଉଁ ବିକାଶ ଦିଲ୍ଲୀରେ କରୁଛନ୍ତି, ତାହା ଓଡ଼ିଶାରେ କରିବା ପାଇଁ ପଦ୍ମ ଫୁଟିବା ଦରକାର। ଓଡ଼ିଶାରେ ୩କୋଟି ୨୦ଲକ୍ଷ ଲୋକ ମାଗଣାରେ ରାସନ ସାମଗ୍ରୀ ପାଉଛନ୍ତି। ଉଜ୍ବଳା ଯୋଜନାରେ ଓଡ଼ିଶାରେ ୫୩ଲକ୍ଷ ଓ ଗଞ୍ଜାମରେ ୨୭ହଜାର ଲୋକ ଉପକୃତ ହୋଇଛନ୍ତି।  

ରାହୁଲଙ୍କ ଟାର୍ଗେଟ୍‌ରେ ମୋଦୀ, ନବୀନ

କେବଳ ପ୍ରଧାନମନ୍ତ୍ରୀ ମୋଦୀ ଓ ନଡ୍ଠା ନୁହଁନ୍ତି, ବରଂ ଓଡ଼ିଆ ଅସ୍ମିତାକୁ ନେଇ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ମଧ୍ୟ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ଓଡିଶାକୁ ନବୀନ ନୁହେଁ, ପାଣ୍ଡିଆନ ଚଳାଉଛନ୍ତି ବୋଲି କହିଛନ୍ତି। କଟକ ଜିଲ୍ଲା ସାଲେପୁରରେ ଆୟୋଜିତ ଜନସଭାକୁ ସମ୍ବୋଧିକ କରି ଶ୍ରୀ ଗାନ୍ଧୀ କହିଛନ୍ତି ଯେ, ନବୀନ ବାବୁ କିଛି ଲୋକଙ୍କୁ ନେଇ ସରକାର ଚଳାଉଛନ୍ତି। କେନ୍ଦ୍ର ଓ ରାଜ୍ୟରେ କଂଗ୍ରେସ ସରକାର ଆସିଲେ, ପ୍ରତ୍ୟେକ ଗରିବ ପରିବାରର ଜଣେ ଜଣେ ମହିଳାଙ୍କୁ ବର୍ଷକୁ ୧ ଲକ୍ଷ ଟଙ୍କା ସିଧାସଳଖ ବ୍ୟାଙ୍କ ଆକାଉଣ୍ଟ ଜରିଆରେ ମିଳିବ ବୋଲି କହିଛନ୍ତି। ଯୁବଗର୍ବଙ୍କ ପାଇଁ ‘ପେହେଲି ନୌକରି ପକ୍କି’ ଯୋଜନା ଆଣିବ। ବେରୋଜଗାର ଶିକ୍ଷିତ ଯୁବକଙ୍କୁ ଚାକିରି ଗ୍ୟାରେଣ୍ଟି ମିଳିବ। ସରକାରଙ୍କ ପାଖରେ ଚାକିରି ଆବେଦନ କରିବା ମାତ୍ରେ ୧ ବର୍ଷର ଆପ୍ରେଣ୍ଟିସିପ୍ ମିଳିବ। କେନ୍ଦ୍ରରେ କଂଗ୍ରେସ ସରକାର ଗଢିଲେ ୫ ଐତିହାସିକ ନିଷ୍ପତ୍ତି ନିଆଯିବ। ରାଜ୍ୟରେ ବିଭିନ୍ନ ଯୋଜନାରେ ଯେଉଁ ହଜାର ହଜାର କୋଟି ଟଙ୍କାର ଦୁର୍ନୀତି ହୋଇଛି କଂଗ୍ରେସ ସରକାରକୁ ଆସିଲେ ସେ ସବୁ ଟଙ୍କା ଫେରସ୍ତ ହେବ। ପ୍ରତି ଘରକୁ ୨୦୦ ୟୁନିଟ ମାଗଣା ବିଜୁଳି, ଧାନ କୁଇଣ୍ଟାଲ ପ୍ରତି ସହାୟକ ମୂଲ୍ୟ ୩ ହଜାର ଟଙ୍କା, ମହିଳାଙ୍କୁ ୨ ହଜାର ଟଙ୍କା ଭତ୍ତା, ବେକାର ଯୁବକଙ୍କୁ ୩ ହଜାର ଟଙ୍କା, ଚାଷୀଙ୍କୁ ୩ ହଜାର ଟଙ୍କା ମାସିକ ଭତ୍ତା ମିଳିବ। ଚାଷୀଙ୍କ ଋଣ ଛାଡ଼ କରାଯିବ। ଆଶା, ଅଙ୍ଗନବାଡ଼ି ଦିଦିଙ୍କ ପାରିଶ୍ରମିକ ଦୁଇଗୁଣା ବୃଦ୍ଧି କରାଯିବ। ମନରେଗା ମଜୁରୀ ୪ ଶହ ଟଙ୍କାକୁ ବୃଦ୍ଧି କରାଯିବ। ଆଦିବାସୀଙ୍କୁ ଜଙ୍ଗଲ, ଜଳ, ଜମି ହସ୍ତାନ୍ତର କରାଯିବ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments