Wednesday, October 9, 2024
Homeଖବରବିପର୍ଯ୍ୟୟ ପାଇଁ ଦାୟୀ କିଏ? 

ବିପର୍ଯ୍ୟୟ ପାଇଁ ଦାୟୀ କିଏ? 

ଭୁବନେଶ୍ବର: ସାଧାରଣ ନିର୍ବାଚନ-୨୦୨୪ର ଫଳାଫଳ ଆସିଛି। ଓଡ଼ିଶାରେ ଏଥର ଭାରତୀୟ ଜନତା ପାର୍ଟି ୨୦ ଲୋକସଭା ଆସନ ଓ ୭୮ଟି ବିଧାନସଭା ଆସନରେ ଭଲ ପ୍ରଦର୍ଶନ କରିଥିବା ବେଳେ ୨୪ ବର୍ଷର ବିଜେଡି ସରକାର ଗାଦିଚ୍ୟୁତ ହୋଇଛି। ନବୀନ ପଟ୍ଟନାୟକଙ୍କ ପରେ ବିଜେଡିର ଦ୍ବିତୀୟ କ୍ଷମତାର କେନ୍ଦ୍ର ଭୈରବ କାର୍ତ୍ତିକେୟନ୍ ପାଣ୍ଡିଆନ୍ଙ୍କ ଯୋଗୁ ବିଜେଡି ବିପର୍ଯ୍ୟୟ ହେଲା ବୋଲି ଦଳର ବରିଷ୍ଠ ନେତା ଅଭିଯୋଗ ଆଣୁଛନ୍ତି। ସାମାଜିକ ଗଣମାଧ୍ୟମରେ ମଧ୍ୟ ବିଜେଡି ପରାସ୍ତ ହେବାର କାରଣ ଶ୍ରୀ ପାଣ୍ଡିଆନ୍ ବୋଲି କୁହାଯାଉଛି। ତେବେ ଏହାରି ମଧ୍ୟରେ ବିଜେଡି ପରାଜିତର କାରଣ ଖୋଜୁଛି ଓ ସମୀକ୍ଷା କରୁଛି। ଅପରପକ୍ଷେ ଜୁନ୍ ୪ ତାରିଖ ପରଠାରୁ ରାଜ୍ୟରେ ରାଜନୈତିକ ଝଡ଼ ଦେଖିବାକୁ ମିଳୁଛି।

ନେତା ମନ୍ତ୍ରୀ ଅସନ୍ତୁଷ୍ଟ

ବିଜେଡିର ବଡ଼ଧରଣର ବିପର୍ଯ୍ୟୟ ପରେ ଗାଁରୁ ଆରମ୍ଭ କରି ସହର-ବଜାର ଚାରିଆଡ଼େ ଚର୍ଚ୍ଚା ଚାଲିଛି। ଭିକେ ପାଣ୍ଡିଆନ୍ ପାଇଁ ଏଭଳି ପରିସ୍ଥିତି ହେଲା। ବିଜେଡି ମୁଖପାତ୍ର ମାନସ ବସ୍ତିଆ ଦୃଢ଼ ଭାବେ କହିଛନ୍ତି, ପାଣ୍ଡିଆନ୍ ଯୋଗୁଁ ଦଳକୁ ପରାଜିତ ହେବାକୁ ପଡ଼ିଲା। ପୂର୍ବତନ ମନ୍ତ୍ରୀ ଶଶିଭୂଷଣ ବେହେରା ମଧ୍ୟ କହିଛନ୍ତି, ଦଳରେ ବରିଷ୍ଠ ନେତାଙ୍କୁ ଅଣଦେଖା କରାଗଲା। ଆହୁରି ମଧ୍ୟ ପୂର୍ବରୁ ବରିଷ୍ଠ ନେତାମାନେ କହୁଛନ୍ତି, ବିଜେଡି ହାରିବା ପରେ ମୁଖ୍ୟମନ୍ତ୍ରୀ ଏବେ ଯେମିତି ନେତା, ମନ୍ତ୍ରୀ ଓ ବରିଷ୍ଠମାନଙ୍କୁ ଗୁରୁତ୍ବ ଦେଉଛନ୍ତି, କିଛି ବର୍ଷ ହେଲା ସେଭଳି କରାଯାଉ ନଥିଲା। ମୁଖ୍ୟମନ୍ତ୍ରୀଙ୍କୁ ଦେଖା କରିବା ପାଇଁ ପାଣ୍ଡିଆନ୍ଙ୍କ ଅନୁମତି ଦରକାର ପଡୁଥିଲା। ମୋଟାମୋଟି ଭାବେ କହିବାକୁ ଗଲେ ପାଣ୍ଡିଆନ୍ଙ୍କ ବିନା ଅନୁମୋଦନରେ ନବୀନଙ୍କୁ ଦେଖା କରିବା ସହଜ ହେଉ ନଥିଲା।

କ’ଣ କହିଲେ ନବୀନ

ବିଜେଡି ସଭାପତି ପୂର୍ବ ଭଳି ପୁଣି ଥରେ ବୟାନ୍ ଜାରି କରି କହିଛନ୍ତି, ଭିକେ ପାଣ୍ଡିଆନ୍ ମୋର ଉତ୍ତରାଧିକାରୀ ନୁହଁନ୍ତି। ବରଂ ମୋ ପରେ ମୋର ଉତ୍ତରାଧିକାରୀ କିଏ ହେବ ରାଜ୍ୟବାସୀ ସେନେଇ ନିଷ୍ପତ୍ତି ନେବେ।  ଜାତୀୟ ଗଣମାଧ୍ୟମରେ ମୁହଁ ଖୋଲି କହିଛନ୍ତ ‘ବାରମ୍ବାର ମୋତେ ସେବାର ସୁଯୋଗ ଦେଇଥିବାରୁ ମୁଁ ଓଡିଶାବାସୀଙ୍କ ପାଖରେ ଚିର କୃତଜ୍ଞ। ରାଜ୍ୟବାସୀଙ୍କ ଆଶୀର୍ବାଦରେ ଆମେ ଓଡିଶାକୁ ବିକାଶରେ ଉଚ୍ଚକୋଟିର ଯୋଗଦାନ ଦେଇଆସିଥିଲୁ। ଲଗାତାର ୨୪ ବର୍ଷ ଆମେ ଓଡିଶାବାସୀଙ୍କୁ ଯଥାସାଧ୍ୟ ସେବା ଯୋଗାଇଛୁ। ସେ ଭିକେ ପାଣ୍ଡିଆନଙ୍କ ଉପରେ ହେଉଥିବା ସମାଲୋଚନାକୁ ଖଣ୍ଡନ କରିଛନ୍ତି। ଜଣେ ଅଫିସର ଭାବେ ସେ ଭଲ କାମ କରିଛନ୍ତି। ଗତ ୧୦ ବର୍ଷ ଭିତରେ ଅନେକ କ୍ଷେତ୍ରରେ ସେ ନିଜର ପାରଦର୍ଶିତା ଦେଖାଇଛନ୍ତି। ମହାବତ୍ୟା ଠାରୁ ଆରମ୍ଭ କରି ମହାମାରୀ କୋଭିଡ ସମୟରେ ସେ ଭଲ କାମ କରିଛନ୍ତି। ସରକାରୀ ପଦରୁ ଇସ୍ତଫା ଦେଇ ପାଣ୍ଡିଆନ ମୋ ଦଳରେ ଯୋଗ ଦେଇ ପ୍ରଶଂସନୀୟ କାମ କରିଛନ୍ତି।  

ଡାକିଲେ ନବୀନ, ଗଲେନି ସନାତନ

ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅତୀତରେ ଯିଏ ଦେଖା କରୁଥିଲେ ନିଜକୁ ସୌଭାଗ୍ୟ ମନେ କରୁଥିଲେ। ଆଜିକାଲି କିନ୍ତୁ ଆଉ ସେହିଭଳି ପରସ୍ଥିତି ନାହିଁ। ବିଜେଡି ସରକାର  ଯିବା ପରେ ସବୁକିଛି ଯେମିତି ବଦଳିଯାଇଛି।  ନବନିର୍ବାଚିତ ବିଧାୟକଙ୍କ ବୈଠକରେ ଯୋଗଦେବା ପାଇଁ ନବୀନ ଡାକିଥିଲେ ବି କେନ୍ଦୁଝର ଜିଲ୍ଲା ଚମ୍ପୁଆର ନବନିର୍ବାଚିତ ବିଜେଡି ବିଧାୟକ ସନାତନ ମହାକୁଡ଼ ଯାଇନାହାନ୍ତି। ଗତ ୫ ତାରିଖରେ ବୈଠକରେ ଯୋଗଦେବାକୁ ସନାତନଙ୍କୁ ଫୋନ୍ ଆସିଥିଲେ ବି ସେ ବାହାନା ଦେଖାଇ ବୈଠକକୁ ଯାଇପାରିବେନି କହିଥିଲେ।  ଯେତେବେଳେ ନବୀନ ନିବାସରେ ବିଧାୟକମାନଙ୍କର ବୈଠକ ସରିଲା, ଠିକ୍ ସେହିଦିନ ସନ୍ଧ୍ୟାରେ ସନାତନ ଚମ୍ପୁଆରୁ ଭୁବନେଶ୍ବର ଅଭିମୁଖେ ଯାଇଥିଲେ ବୋଲି କୁହାଯାଉଛି। ଦଳର ସୁପ୍ରିମୋଙ୍କ ବୈଠକକୁ କାହିଁକି ସେ ଜାଣିଶୁଣି ଗଲେନି ତାକୁ ନେଇ ଜିଲ୍ଲାସାରା ଭିନ୍ନ ଚର୍ଚ୍ଚା ହେଉଛି।  

ଶଙ୍ଖ ଭବନ ଯାଇପାରିବେନି କି ପାଣ୍ଡିଆନ୍

ଭିକେ ପାଣ୍ଡିଆନ୍ଙ୍କ ଉପରେ ଅଧିକ ତାତିଛନ୍ତି ବିଜେଡି ଯୁବ ଛାତ୍ର ନେତା। ସେମାନେ କ୍ଷୁବ୍ଧ ହୋଇ ପାଣ୍ଡିଆନ୍ଙ୍କ ବିରୋଧରେ ପ୍ରତିବାଦ ଜଣାଇଛନ୍ତି। ସାମ୍ବାଦିକ ସମ୍ମିଳନୀ କରି ସସ୍ମିତ ପାତ୍ର କାହିଁକି ପାଣ୍ଡିଆନ୍ଙ୍କୁ ସୁରକ୍ଷା ପ୍ରଦାନ କରୁଛନ୍ତି ସେ ନେଇ ଯୁବ ତଥା ଛାତ୍ର ନେତା ଅଭିଯୋଗ କରିଛନ୍ତି। ବିଜେଡିର ବହୁ ଯୁବ ଓ ଛାତ୍ର ନେତା ଶଙ୍ଖ ଭବନରେ ପହଞ୍ଚି ଭିକେ ପାଣ୍ଡିଆନ୍, ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଓ ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜଙ୍କ ବିରୋଧରେ ସ୍ଲୋଗାନ ଦେଇଥିଲେ। ଏସବୁ ନେତାମାନେ ମିଳିତ ଭାବେ ଦଳକୁ ବୁଡ଼ାଇଦେଲେ ବୋଲି ଯୁବ ଓ ଛାତ୍ର ନେତାମାନେ ଅଭିଯୋଗ କରିଥିଲେ। ପରେ ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାଶ ଘଟଣା ସ୍ଥଳକୁ ଆସି ଯୁବ ଓ ଛାତ୍ର ନେତାଙ୍କୁ ବୁଝାସୁଝା କରିଥିଲେ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments