Monday, October 14, 2024
Homeଖବରପଛରେ ପଡିଯିବେ କି ନବୀନ ଓଡ଼ିଶାର ପିଲା?

ପଛରେ ପଡିଯିବେ କି ନବୀନ ଓଡ଼ିଶାର ପିଲା?

ଭୁବନେଶ୍ବର: ବିଜୁ ଜନତା ଦଳ (ବିଜେଡି) ନେତୃତ୍ବରେ ରାଜ୍ୟରେ ୨୪ ବର୍ଷ ହେଲା ସ୍ଥିର ସରକାର ଚାଲିଛି। ଗତବର୍ଷ ଠାରୁ ରାଜ୍ୟ ସରକାର ’ନବୀନ ଓଡ଼ିଶା’ ଦିଗରେ କାମ କରୁଛି। ନବୀନ ଓଡ଼ିଶାକୁ ବିଶେଷ କରି ଶିକ୍ଷାନୁଷ୍ଠାନରେ ବ୍ୟବହାର କରାଯାଇଛି। ସ୍କୁଲଗୁଡ଼ିକରେ ପିଲାମାନେ ପିନ୍ଧୁଥିବା ଗଣବେଶ (ୟୁନିଫର୍ମ)କୁ ପରିବର୍ତ୍ତନ କରାଯାଇଛି। କେନ୍ଦ୍ରୀୟ ବିଦ୍ୟାଳୟ ଶୈଳୀରେ ରାଜ୍ୟର ସରକାର ପିଲାମାନଙ୍କୁ ବିଭିନ୍ନ ରଂଗର ପୋଷାକ ଦେଇଛନ୍ତି। ହାଇସ୍କୁଲ ଗୁଡ଼ିକ ୫ଟି ଯୋଜନାରେ ଅନ୍ତଭୁର୍କ୍ତ କରାଯାଇଛି। କଲେଜଗୁଡ଼ିକରେ ଆମଓଡ଼ିଶା ନବୀନ ଓଡ଼ିଶା ବ୍ୟାନରରେ କାର୍ଯ୍ୟକ୍ରମ କରାଯାଇ ବ୍ୟାପକ ଟଙ୍କା ଖର୍ଚ୍ଚ କରାଯାଇଛି। ତେବେ ସବୁରି ମୁଳରେ ନୂଆ ସୁବିଧା ଦିଆଯିବା ପରେ ରାଜ୍ୟର ଶିକ୍ଷା ବ୍ୟବସ୍ଥା କେତେ ବଦଳିଛି।

ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ବାରା ପ୍ରକାଶିତ ମାଟ୍ରିକ ପରୀକ୍ଷାଫଳ ଏଥର ସଂପୂର୍ଣ୍ଣ ଭିନ୍ନ ଢଙ୍ଗରେ ପ୍ରକାଶ କରିଛି। ବୋର୍ଡ କର୍ତ୍ତୃପକ୍ଷ ବର୍ଷବର୍ଷ ଧରି ଗଣମାଧ୍ୟମ ସାମନାରେ ମାଟ୍ରିକ ପରୀକ୍ଷାଫଳ ପ୍ରକାଶ କରୁଥିଲେ, ସେ ପରମ୍ପରାକୁ ଏଥର ସଂପୂର୍ଣ୍ଣ ବଦଳାଇ ଦେଇଛନ୍ତି। ଚଳିତ ବର୍ଷ ‌କେତେ ଛାତ୍ରଛାତ୍ରୀ ୯୦ ପ୍ରତିଶତରୁ ଅଧିକ ନମ୍ବର ରଖି ଏ-୧ ଗ୍ରେଡ୍ ପାଇଲେ, ଅଥବା ପରକୁ ପର ଏ-୨, ବି-୧, ବି-୨ ଗ୍ରେଡ୍‌ରେ କେତେ ଛାତ୍ରଛାତ୍ରୀ ରହିଲେ, ସେ ସଂପର୍କିତ ସୂଚନା ବୋର୍ଡ ପକ୍ଷରୁ ଜାରି କରାଯାଇ ନାହିଁ। ପିଲାମାନଙ୍କର ପ୍ରଦର୍ଶନ ହାର ହ୍ରାସ ପାଇଛି ବୋଲି ବୋଧେ ଏଥର ବିନା ସାମ୍ବାଦିକ ସମ୍ମିଳନୀରେ ରେଜଲ୍ଟ ପ୍ରକାଶନ କରାଯାଇଛି।

ପରୀକ୍ଷା ଫଳ କଲା ନିରାଶ

୨୦୨୩ ମାଟ୍ରିକ ପରୀକ୍ଷାରେ ରାଜ୍ୟରେ ୪ ହଜାର ୧୫୮ ଜଣ ଛାତ୍ରଛାତ୍ରୀ ୯୦ ପ୍ରତିଶତ ଅଥବା ତା’ଠାରୁ ଅଧିକ ନମ୍ବର ରଖି ଏ-୧ ଗ୍ରେଡ୍‌ରେ ପାସ୍ କରିଥିବା ବେଳେ ୨୦୨୪ରେ କେତେ‌ ଜଣ ପିଲା ଏ-୧ ଗ୍ରେଡ଼ ପାଇଲେ ତାହା ପ୍ରେସ୍‌ ବିଜ୍ଞପ୍ତିରେ ନାହିଁ। କିନ୍ତୁ ଅନୁମାନ କରାଯାଉଛି ଯେ, ଚଳିତ ବର୍ଷ ସେହି ସଂଖ୍ୟା ୭୫ ପ୍ରତିଶତରୁ ଅଧିକ ଏ-୧ ଗ୍ରେଡ ହ୍ରାସ ପାଇଥିବା ଜଣାପଡିଛି। ଉଦାହରଣ ସ୍ବରୂପ କଟକ ଜିଲ୍ଲାରେ ୬୦୪ ଜଣ ଛାତ୍ରଛାତ୍ରୀ ୨୦୨୩ରେ ଏ-୧ ଗ୍ରେଡ୍‌ରେ ପାସ୍ କରିଥିଲେ, ଚଳିତ ବର୍ଷ ସେହି ସଂଖ୍ୟା ୧୫୦କୁ ଖସି ଆସିଛି। ଜଗତସିଂହପୁର ଜିଲ୍ଲାରେ ୨୦୨୩ରେ ୯୩ ଜଣ ଏ-୧ ଗ୍ରେଡ୍‌ରେ ପାସ୍ କରିଥିବା ବେଳେ ଚଳିତ ବର୍ଷ ସେହି ସଂଖ୍ୟା ୨୯କୁ ଖସି ଆସିଛି। କେନ୍ଦ୍ରାପଡ଼ାରେ ବି ୨୦୨୩ରେ ୧୧୨ ଜଣ ଏ-୧ ଗ୍ରେଡ୍ ପାଇଥିବା ବେଳେ ଚଳିତ ବର୍ଷ ସଂଖ୍ୟା ୩୧କୁ ଖସିଛି। ସୁବର୍ଣ୍ଣପୁର ଜିଲ୍ଲାରେ ମାତ୍ର ୨୫ ଜଣ ଛାତ୍ରଛାତ୍ରୀ ଏ-୧ ଗ୍ରେଡ଼ ରଖିଛନ୍ତି।  

କେନ୍ଦ୍ରୀୟ ବିଦ୍ୟାଳୟ ସହ ସମକକ୍ଷ ଉଦ୍ୟମ

ରାଜ୍ୟ ସରକାର କେନ୍ଦ୍ରୀୟ ଶିକ୍ଷାନୁଷ୍ଠାନ ସହିତ ତୁଳନୀୟ ହେବାକୁ ଉଦ୍ୟମ କରୁଛନ୍ତି। କେନ୍ଦ୍ରୀୟ ବିଦ୍ୟାଳୟ ଶୈଳୀରେ ଆଦର୍ଶ ବିଦ୍ୟାଳୟ କରିଛନ୍ତି। କେନ୍ଦ୍ରୀୟ ବିଦ୍ୟାଳୟର ପିଲାଙ୍କ ଭଳି ପୋଷାକ ଦେଉଛନ୍ତି। କିନ୍ତୁ କେନ୍ଦ୍ରୀୟ ବିଦ୍ୟାଳୟ ଭଲି ଶିକ୍ଷା ଦେବାକୁ ସେହିଭଳି ଦୃଷ୍ଟାନ୍ତମୂଳକ ପ‌ଦକ୍ଷେପ ଗ୍ରହଣ କରି ନାହାନ୍ତି। ସିବିଏସ୍‌ଇ ୧୦ମ ପରୀକ୍ଷାରେ ଛାତ୍ରଛାତ୍ରୀମାନେ ୯୯.୮ ପ୍ରତିଶତ ରଖି ରାଜ୍ୟ ଟପର ହେବା ଏବଂ ବହୁ ସଂଖ୍ୟାରେ ପିଲା ୯୦ ପ୍ରତିଶତରୁ ଅଧିକ ନମ୍ବର ରଖିଥିବା ବେଳେ ଓଡ଼ିଶା ‌ବୋର୍ଡର ଏଭଳି ପରୀକ୍ଷାଫଳକୁ ନେଇ ଓଡ଼ିଆ ମାଧ୍ୟମ ଛାତ୍ରଛାତ୍ରୀମାନେ ପରବର୍ତ୍ତୀ ନାମଲେଖା ପ୍ରକ୍ରିୟାରେ ପଛରେ ପଡିଯିବେ ବୋଲି ଆଶଙ୍କା କରାଯାଉଛି।

ଜୀବନ ହାରିଲେ ଛାତ୍ର

ପୂର୍ବ ବର୍ଷଗୁଡ଼ିକ ଭଳି ଏଥର ମଧ୍ୟ ମାଟ୍ରିକ୍‌ ଫଳ‌ ନେଇ ଛାତଛାତ୍ରୀ ଅସନ୍ତୁଷ୍ଟ ଦେଖାଯାଇଛନ୍ତି। ଯାଜପୁର ଜିଲ୍ଲା ପାଣିକୋଇଲି ଥାନା ଅନ୍ତର୍ଗତ ବଡବିରୁଆ ଗାଁର ବ୍ରଜବିହାରୀ ପଣ୍ଡା ଓ ମନ୍ଦାକିନୀ ପଣ୍ଡାଙ୍କ ପୁଅ ପ୍ରଜ୍ଞାନ କୁମାର ପଣ୍ଡା ମାଟ୍ରିକ୍‌ ରେଜଲ୍ଟ ବାହାରିବାର ପରେ ମା’ଙ୍କ ଶାଢିରେ ଫାଶୀ ଲଗାଇ ଜୀବନ ହାରିଥିବା ଅଭିଯୋଗ ହୋଇଛି। ପ୍ରଜ୍ଞାନ ଚଳିତବର୍ଷ ମାଟ୍ରିକ ପରୀକ୍ଷାରେ ସି ଗ୍ରେଡ ପାଇ ଚିନ୍ତିତ ଥିଲେ। ମୟୂରଭଂଜ ଜିଲ୍ଲା ବେତନଟୀ ଅଞ୍ଚଳରେ ମଧ୍ୟ ମାଟ୍ରିକ୍‌ ପରୀକ୍ଷା ଫଳ ପ୍ରକାଶ ହେବାର ମାତ୍ର କେଇ ଘଣ୍ଟା ପରେ ଜଣେ ଛାତ୍ର ଜୀବନ ହାରିବାକୁ ଉଦ୍ୟମ କରିଥିଲେ। ପୁରୁଣାପାଣି ଗ୍ରାମର ରାମଜୀବନ ସିଂଙ୍କ ୧୬ ବର୍ଷୀୟ ପୁଅ ରାଜେଶ ପରୀକ୍ଷାରେ ସେ ଅଧିକ ନମ୍ବର ଆଶା କରିଥିଲେ ବି ଗ୍ରେଡ୍‌। ମାତ୍ର ୨୪୨ ମାର୍କ ରଖି ଡି ଗ୍ରେଡ଼ରେ ପାସ କରିଥିବାରୁ ରେଜଲ୍ଟ ବାହାରିବା ପରେ ତାକୁ ଶକ୍ତ ଧକ୍କା ଲାଗିଥିଲା। ଫଳରେ ମାନସିକ ଭାରସ୍ୟାମ ହରାଇ ଘରେ କେହି ନଥିବାର ସୁଯୋଗ ନେଇ ଘରେ ଗଛରେ ପଡ଼ିବାକୁ ଥିବା ପେଷ୍ଟିସାଇଡ ଖାଇଥିଲେ। ତୁରନ୍ତ ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରି ବୈଶିଙ୍ଗା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ପରିବାର ଲୋକ। ତାଙ୍କ ଅବସ୍ଥା ଗୁରୁତର ହେବାରୁ ରାଜେଶକୁ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments