ଭୁବନେଶ୍ବର: ଶେଷରେ ବିଜୁ ଜନତା ଦଳ (ବିଜେଡି) ନିର୍ବାଚନୀ ଇସ୍ତାହାର ଆଣିଛି। ରାଜ୍ୟରେ ପ୍ରଥମ ପର୍ଯ୍ୟାୟରେ ମତଦାନର ତିନି ଦିନ ପୂର୍ବରୁ ଏହି ମେନିଫେଷ୍ଟୋ ପ୍ରକାଶ କରି ମତଦାତାଙ୍କୁ ଆକର୍ଷିତ କରିବା ପାଇଁ ଉଦ୍ୟମ କରିଛି। ଏଥିରେ ସବୁଠାରୁ ବଡ଼ ଘୋଷଣା କରିଛି ଯେ, ଓଡ଼ିଶାରେ ଶହେ ୟୁନିଟ୍ ପର୍ଯ୍ୟନ୍ତ ବିଜୁଳି ମାଗଣା ମିଳିବ। ୧୦୦ରୁ ୧୫୦ ୟୁନିଟ୍ ପର୍ଯ୍ୟନ୍ତ ବିଜୁଳି ବ୍ୟବହାର ଉପରେ ଗ୍ରାହକମାନେ ରିହାତି ପାଇବେ। ରାଜ୍ୟରେ ଏବେ ୭୫ ପ୍ରତିଶତ ପରିବାର ୧୦୦ ୟୁନିଟ୍ରୁ କମ୍ ବିଜୁଳି ବ୍ୟବହାର କରୁଥିବାରୁ ବହୁ ସଂଖ୍ୟାରେ ଲୋକ ଏହାଦ୍ବାରା ଉପକୃତ ହେବେ ବୋଲି ବିଜେଡି କହିଛି। ନିର୍ବାଚନୀ ଇସ୍ତାହାରରେ ରାଜ୍ୟବାସୀଙ୍କୁ ଏମିତି ପ୍ରତିଶ୍ରୁତି ଦେଇଛି ଯାହା ଦ୍ବାରାକି ଯୁବପିଢ଼ି, ମହିଳାଙ୍କ, ଚାଷୀ, ମଧ୍ୟବିତ୍ତ ପରିବାର ଆକର୍ଷିତ ହୋଇ ଭୋଟ ଦେବେ।
ବିଜେଡି ଇସ୍ତାହାରରେ ଦିଆଯାଇଥିବା ପ୍ରତିଶ୍ରୁତି ଅନୁଯାୟୀ, ଓଡ଼ିଶାର ଯୁବକମାନଙ୍କ ନିମନ୍ତେ ୧୦ ବର୍ଷ ପାଇଁ ଏକ ଲକ୍ଷ କୋଟିର ଅଲଗା ବଜେଟ୍ ରଖାଯିବ। ଯୁବକମାନଙ୍କ ଦ୍ୱାରା ଦିଆଯାଇଥିବା ପରାମର୍ଶକୁ ଆଧାର କରି ପ୍ରତିବର୍ଷ ଏଥିରୁ ହଜାରେ କୋଟି ଟଙ୍କା ଖର୍ଚ୍ଚ ହେବ। ବିଶ୍ୱରେ ଏହା ପ୍ରଥମ ପ୍ରକାରର ପ୍ରୟାସ ହେବ, ଯେଉଁଠାରେ ଯୁବକମାନେ ନିଜର ତଥା ଓଡ଼ିଶାର ପରିଚୟ ସୃଷ୍ଟି କରିପାରିବେ। ନୂଆ ‘ଓ’ ମ୍ୟାଜିକ୍ କାର୍ଡ ଦ୍ୱାରା ଏକାଧିକ ସୁବିଧା ସୁଯୋଗ ସହିତ ଏହାର ପରିସରକୁ ବିସ୍ତାର କରାଯିବ। ନୂଆ ‘ଓ’ ଛାତ୍ରବୃତ୍ତି ବାଳିକାମାନଙ୍କ ପାଇଁ ବାର୍ଷିକ ୧୪,୦୦୦ ଏବଂ ପୁଅମାନଙ୍କ ପାଇଁ ବାର୍ଷିକ ୧୨,୦୦୦ ଟଙ୍କାକୁ ବୃଦ୍ଧି କରାଯିବ। ଯୁବକମାନଙ୍କର କଥା ଯେତେବେଳେ ବିଜେଡି କହୁଛି, ହସ ଲାଗୁଛି। ରାଜ୍ୟରୁ ପ୍ରାୟ କୋଟିଏ ଯୁବକ-ଯୁବତୀ ବାହାର ରାଜ୍ୟରେ ଦାଦନ ଖଟୁଛନ୍ତି। ଏଥିରେ ଉଚ୍ଚ ଶିକ୍ଷିତ ମଧ୍ୟ ଅଛନ୍ତି। କିନ୍ତୁ ନିର୍ବାଚନ ଜିତିଲେ ୨ ଲକ୍ଷ ଯୁବକଙ୍କୁ ଚାକିରି ଦେବ ବୋଲି ବିଜେଡି କହୁଛି। ବିଗତ ୨୪ ବର୍ଷରେ ୪୮ ଲକ୍ଷ ଯୁବକ/ଯୁବତୀଙ୍କୁ ଚାକିରି ଦେଇଛି କି?
ନବୀନଙ୍କୁ କ୍ଷମତାର ଲୋଭ
ଦୀର୍ଘ ୨୪ ବର୍ଷ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ପଦବିରେ ରହିଲା ପରେ ମଧ୍ୟ ନବୀନ ପଟ୍ଟନାୟକ କ୍ଷମତା ବିନା ରହିପାରିବେ ନାହିଁ। ଏତେ ବର୍ଷ ନିରବଚ୍ଛିନ ଭାବେ ମୁଖ୍ୟମନ୍ତ୍ରୀ ଗାଦିରେ ବସିଲା ପରେ ମଧ୍ୟ ରାଜ୍ୟବାସୀଙ୍କୁ ଗରିବୀ ସୀମାରେଖା ତୁଳ ମୁକ୍ତ କରିପାରିଲେ ନାହିଁ, ଯେଉଁଥି ପାଇଁ ନିର୍ବାଚନୀ ଇସ୍ତାହାରରେ ଲୋଭ ଦେଖାଉଛନ୍ତି। ଯଦି ସରକାର ଜମିକୁ ଜଳ, ଖଣିଜ ସାମଗ୍ରୀକୁ କଳକାରଖାନା ମାଧ୍ୟମରେ ବିନିଯୋଗ, ବେରୋଜଗାରୀଙ୍କୁ ରୋଜଗାର ଦେଇପାରନ୍ତେ, ତା’ହେଲେ ଏହି ଯୋଜନାଗୁଡ଼ିକର ଆବଶ୍ୟକତା ହୁଅନ୍ତା ନାହିଁ। ଓଡ଼ିଶାର ଏହି ଟଙ୍କା ରାଜ୍ୟର ସାମଗ୍ରିକ ବିକାଶ କାମରେ ଲାଗି ପାରନ୍ତା। ଲୋକେ ବ୍ୟକ୍ତିଗତ ଭାବେ ସଶକ୍ତ ହୋଇପାରନ୍ତେ।
ମେନିଫେଷ୍ଟୋକୁ ଗୁରୁତ୍ବ ଦେବେ କି ଭୋଟର?
ଚଳିତ ନିର୍ବାଚନ ୨୦୧୪ ଓ ୨୦୧୯ ତୁଳନାରେ ଭିନ୍ନ। ଅତୀତର ୨ଟି ସାଧାରଣ ନିର୍ବାଚନରେ ମୁଖ୍ୟମନ୍ତ୍ରୀ ନୀବନ ପଟ୍ଟନାୟକଙ୍କ ଭାବମୂର୍ତ୍ତି ଓଡ଼ିଶାବାସୀ ଜାଣି ନଥିଲେ। ଏଥର କିନ୍ତୁ ଜାଣି ସାରିଛନ୍ତି। ଜଣେ ଅଣଓଡ଼ିଆ ଭି କେ ପାଣ୍ଡିଆନ୍ ନିର୍ବାଚନୀ ସଭାଗୁଡ଼ିକରେ ନବୀନ ପଟ୍ଟନାୟକଙ୍କ ନାମ ନେଇ ଓଡ଼ିଶାବାସୀଙ୍କୁ ବିଜେଡି ସପକ୍ଷରେ ଭୋଟ ଦେବା ପାଇଁ ନିବେଦନ କରୁଛନ୍ତି। ବିଜୁ ସ୍ବାସ୍ଥ୍ୟ କଲ୍ୟାଣ କାର୍ଡ ଓ ୫ଟି ରୂପାନ୍ତରଣକୁ ଢାଳ କରି ସେ ଭୋଟରଙ୍କ ନିକଟତର ହେବାକୁ ଚାହୁଁଛନ୍ତି। କିନ୍ତୁ ଶ୍ରୀ ପାଣ୍ଡିଆନଙ୍କ ପ୍ରକୃତ ରହସ୍ୟ ଲୋକଙ୍କୁ ଆଉ ଅବୁଝା ନାହିଁ। ଯଦିଓ ବିଜେଡିର ନେତାମାନେ ପରିସ୍ଥିତିରେ ପଡ଼ି ପାଣ୍ଡିଆନଙ୍କ ବିରୋଧରେ ସ୍ବର ଉଠାଇ ପାରୁ ନାହାନ୍ତି। କିନ୍ତୁ ସାଧାରଣ ମତଦାତା ନିଜ ପସନ୍ଦର ଯୋଗ୍ୟ ପ୍ରାର୍ଥୀଙ୍କୁ ଭୋଟ୍ ଦେବେ। ଆଜିର ଯୁଗରେ ଆଉ ମେନିଫେଷ୍ଟୋ ଦେଖି ମତଦାତା ଭୋଟ୍ ଦେବେ ନାହିଁ।
ପୁଣି ଲୋଭ ଦେଖାଇଲା ବିଜେଡି
ରାଜ୍ୟର ମଧ୍ୟବିତ୍ତଙ୍କଙ୍କୁ ବିଏସ୍କେୱାଇ କଭରେଜ୍ ସହିତ ୨୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଗୃହ ଋଣ ଉପରେ ସୁଧ ରିହାତି ଏବଂ ପିଲାମାନଙ୍କ ପାଇଁ ଛାତ୍ରବୃତ୍ତି ଓ ଉଚ୍ଚଶିକ୍ଷା ପାଇଁ ଋଣ ଉପରେ ସୁଧ ରିହାତି ପ୍ରଦାନ କରାଯିବ ବୋଲି ବିଜେଡି ଇସ୍ତାହାରରେ କହିଛି। ବିଦ୍ୟୁତ ସବ୍ସିଡି ମଧ୍ୟବିତ୍ତ ପରିବାର ପାଇଁ ମଧ୍ୟ ଲାଗୁ ହେବ। ବିନା ସୁଧରେ ୧୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଯୋଗାଇ ଦେବ। ସେହିପରି ଆସନ୍ତା ୫ ବର୍ଷ ମଧ୍ୟରେ ଏସ୍ଏଚ୍ଜିଗୁଡ଼ିକୁ ୧.୫ ଲକ୍ଷ କୋଟି ଟଙ୍କାର ଆର୍ଥିକ ଲିଙ୍କେଜ୍ ହାସଲ କରି ୨୫୦୦ କୋଟି ଟଙ୍କାର ସୁଧ ସେମାନଙ୍କ ନିକଟକୁ ଫେରାଇ ଦିଆଯିବ। ଏସ୍ଏଚ୍ଜିକୁ ଆଗାମୀ ୧୦ ବର୍ଷରେ ୨୦,୦୦୦ କୋଟିର ସରକାରୀ ବ୍ୟବସାୟ ଯୋଗାଇ ଦିଆଯିବ। ବିନା ସୁଧରେ ହଜାର ହଜାର କୋଟି ଟଙ୍କା ଯଦି ସରକାର ଋଣ ଦେବେ, ତା’ହେଲେ ଏତେ ଟଙ୍କା ଥାଇ ରାଜ୍ୟର କୃଷି, ଶିଳ୍ପ ଓ ଗମନାଗମନର ଭିତ୍ତିଭୂମି ମଜବୁତ କାହିଁକି ହେଉନାହିଁ ବୋଲି ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହେଉଛି
କ’ଣ କହିଲେ ଧର୍ମେନ୍ଦ୍ର
ବିଜେଡିର ଇସ୍ତାହାର ଉପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିଜର ପ୍ରତିକ୍ରିୟାରେ କହିଛନ୍ତି, ଏଥିରେ କୌଣସି ନୂତନତ୍ବ ନାହିଁ। ବରଂ ଏହା କାଳଗଜର ଦସ୍ତାବିଜ୍। ଏହା ଲୋକଦେଖାଣିଆ। ବିଜେଡି ବିଜେପିର ସଂକଳ୍ପପତ୍ରକୁ କପି କରିବାକୁ ଚେଷ୍ଟା କରିଛି। ୨ ଲକ୍ଷ ଚାକିରି ଦେବ କହୁଛି ବିଜେଡି, ତାହାହେଲେ ୨୪ ବର୍ଷ ହେଲା କରୁଥିଲେ କ’ଣ? ୧ ଲକ୍ଷ ସରକାରୀ ପଦବି ଖାଲି ପଡ଼ିଛି, କାହିଁକି ପୂରଣ କଲେନି ନବୀନ ସରକାର ବୋଲି ସେ ପ୍ରଶ୍ନ କରିଛନ୍ତି। ୨୦୧୪ ଓ ୨୦୧୯ ଭଳି ଏଥର ଲୋକଙ୍କୁ ମିଥ୍ୟା ପ୍ରତିଶ୍ରୁତି ଦେଉଛି ବିଜେଡି। ଯୁଯୁମୁରା ନିଲଡୁଙ୍ଗୁରିରେ ଟର୍ମିନାଲ୍ ମାର୍କେଟ୍ କମ୍ପ୍ଲେକ୍ସ ଆଗେଇଲାନି। ଶିଳାନ୍ୟାସର ୧୦ ବର୍ଷ ପରେ ବି ନିର୍ମାଣ କାମ ହେଲାନି ବୋଲି ଲୋକେ ପ୍ରଶ୍ନ କରୁଛନ୍ତି।