Tuesday, September 10, 2024
Homeଖବରସୁରକ୍ଷା ନେଇ ଚାପରେ ମହିଳା

ସୁରକ୍ଷା ନେଇ ଚାପରେ ମହିଳା

ମାନବ ସମାଜରେ ମହିଳାଙ୍କ ସ୍ଥାନ ବହୁ ଉଚ୍ଚରେ ରହିଛି। ନାରୀ ବିନା ସମାଜର ପରିକଳ୍ପନା କରାଯାଇ ପାରିବ ନାହିଁ। ମହିଳାଙ୍କ ଦୁଇହାତର ସ୍ପର୍ଶରେ ଶିଶୁଟିଏ ପୂର୍ଣ୍ଣାଙ୍ଗ ମାନବରେ ପରିଣତ ହୋଇଥାଏ। ସମାଜର ବିକାଶରେ ମହିଳାଙ୍କର ଭୂମିକା ଏତେ ଯେ, ତାହା ଯେତେ ପ୍ରଶଂସା କଲେ ବି କମ ପଡ଼ିଯିବ। ମହିଳାଙ୍କ ପାଖରେ ଏତେ ଗୁଣ ଥାଇ ମଧ୍ୟ ସଭ୍ୟ ସମାଜରେ ମହିଳାଙ୍କ ପ୍ରତି ଅବହେଳା କରାଯାଉଛି। ଗାଁଠୁ ଆରମ୍ଭ କରି ମିଳିତ ଜାତି ସଂଘ ପର୍ଯ୍ୟନ୍ତ ମହିଳାଙ୍କ ପାଇଁ ଆଇନକାନୁନର ବ୍ୟବସ୍ଥା ଥିଲେ ମଧ୍ୟ ସେମାନଙ୍କୁ ନିର୍ଯାତନାର ଶିକାର ହେବାକୁ ପଡୁଛି। ଅତ୍ୟାଧୁନକ ଯୁଗରେ ଆମେ ମହିଳା ସଶକ୍ତୀକରଣ କଥା କହୁଥିଲେ ମଧ୍ୟ ବାସ୍ତବରେ ସୁରକ୍ଷା ମିଳିପାରି ନାହିଁ।

ପଶ୍ଚିମବଙ୍ଗର କୋଲକାତାସ୍ଥିତ ଆରଜି କର ମେଡିକାଲ କଲେଜ ଓ ଡାକ୍ତରଖାନାରେ ଗତ ୮ ତାରିଖ ରାତିରେ ଜଣେ ମହିଳାଙ୍କୁ ଜଣେ କର୍ମଚାରୀ ପଶୁ ଭଳି ଦୁଷ୍କର୍ମ ଓ ହତ୍ୟା କରିବା ନେଇ ଦେଶବ୍ୟାପୀ ଆନ୍ଦୋଳନର ନିଆଁ ଜଳିଛି। ଘଟଣାକୁ ତିନି ସପ୍ତାହ ବିତିଯାଇଥିଲେ ମଧ୍ୟ ଦେଶବାସୀ ଏହା ଭୁଲିପାରି ନାହାନ୍ତି। ମୁଖ୍ୟ ଅଭିଯୁକ୍ତ ସଂଜୟ ରାୟ ଏବଂ ଅନ୍ୟ ୬ ଜଣଙ୍କର ପଲିଗ୍ରାଫ୍ ଟେଷ୍ଟ୍ ଆରମ୍ଭ ହୋଇଛି। ଜେଲ୍ରେ ସଂଜୟ ରାୟର ପଲିଗ୍ରାଫ୍ ଟେଷ୍ଟ୍ କରାଯାଇଥିବା ବେଳେ ପୂର୍ବତନ ପ୍ରିନ୍ସପାଲ୍ ସନ୍ଦୀପ ଘୋଷ ଓ ୪ ଡାକ୍ତରଙ୍କ ସମେତ ମୋଟ୍ ୬ ଜଣଙ୍କର କୋଲକାତା ସ୍ଥିତ ସିବିଆଇ ଅଫିସରେ ପଲିଗ୍ରାଫ୍ ଟେଷ୍ଟ କରାଯାଇଛି। ସିବିଆଇ ଘଟଣାର ତଦନ୍ତ ଜାରି ରଖିଛି। କୋଲକାତାର ଘଟଣା ଦେଶରେ ପ୍ରତିଦିନ ପୁନରାବୃତ୍ତି ହେଉଛି। ମହିଳାଙ୍କୁ ସମ୍ମାନ ଦେବା ପାଇଁ ଦେଶରେ ଆଇନ୍କାନୁନ ଥିଲେ ମଧ୍ୟ ତାହାକୁ ପୁରୁଷ ସମାଜ ଅଣଦେଖା କରୁଛନ୍ତି। ଅବଶ୍ୟ କିଛି କ୍ଷେତ୍ରରେ ପୁରୁଷ ଠିକ୍ ଥିଲେ ମଧ୍ୟ ମହିଳାମାନେ ଫସାଇ ଦେଉଛନ୍ତି। ଏଭଳି କ୍ଷେତ୍ରରେ ପୁରୁଷମାନେ ହିଂସ୍ର ପାଲଟୁଛନ୍ତି।

କଙ୍ଗାରୁ କୋର୍ଟ ପ୍ରଥା କେବେ ସରିବ?

ଝାରସୁଗୁଡ଼ା ଜିଲ୍ଲା ଲଇକେରା ଥାନା ଜାମମାଲ ପଞ୍ଚାୟତ ରାଉତବାହାଲ ଗ୍ରାମରେ କଙ୍ଗାରୁ କୋର୍ଟ କରାଯାଇଛି। ଏଠାରେ ଜଣେ ମହିଳାଙ୍କୁ ଲଣ୍ଡା କରିଦିଆଯାଇଛି। ଏନେଇ ମହିଳାଙ୍କ ପୁଅ ନିରଞ୍ଜନ କିସାନ ଥାନାରେ ଅଭିଯୋଗ କରିଛନ୍ତି। ମହେନ୍ଦ୍ର କିସାନ ଓ ସ୍ତ୍ରୀ ହେମ(୪୫)ଙ୍କ ମଧ୍ୟରେ ଗତ ୯ ତାରିଖରେ କୌଣସି କାରଣକୁ ନେଇ ବଚସା ହୋଇଥିଲା। ଏଥିରେ ଉତ୍ତ୍ୟକ୍ତ ମହେନ୍ଦ୍ର ତାର ସ୍ତିଙ୍କୁ ମାଡ଼ ମାରିଥଲେ। ଧସ୍ତାଧସ୍ତି ସମୟରେ ହେମର ହାତ ସ୍ୱାମୀ ଦେହରେ ବାଜିଯିବାରୁ ଏହି ଘଟଣା ଜାତି ସମାଜକୁ ଯାଇଥିଲା। ସେଠାରେ ହେମଙ୍କୁ ତାଙ୍କ ଅପରାଧ ପାଇଁ ଦଣ୍ଡିତ କରାଯାଇ ତାଙ୍କୁ ନଣ୍ଡା କରାଯାଇଥିଲା। ଏହାପରେ ତାଙ୍କୁ ଦଣ୍ଡ ବିଧାନ ସ୍ୱରୂପ ଜାତିରୁ ବାସନ୍ଦ କରି ଦିଆଯାଇଥିଲା। ଜାତିରେ ମିଶାଇବା ପାଇଁ ତାଙ୍କୁ ଖାସି ମାଂସର ଭୋଜି ଦେବାକୁ ନିର୍ଦ୍ଦେଶ ଦିଆ ଯାଇଥିଲା। ଜାତିରୁ ବାସନ୍ଦ ହେଇ ଥିବାରୁ ହେମ ବାଧ୍ୟ ହୋଇ ଭୋଜି ମଧ୍ୟ ଦେଇଥିଲେ। ତାଙ୍କର ପୁଅ ନିରଞ୍ଜନ ତାମିଲନାଡୁରେ କାମ କରୁଥିବା ବେଳେ ଘରକୁ ଫେରି ଘଟଣା ସମ୍ପର୍କରେ ଜାଣି ପୁଲିସରେ ଅଭିଯୋଗ କରିଥିଲେ।

ମହିଳାଙ୍କ ବିରୋଧରେ କଡ଼ା ଆଇନ୍

ଆଫଗାନିସ୍ତାନର ତାଲିବାନ ସରକାର ଦିନକୁ ଦିନ ଅଧିକ କଠୋର ହେବାରେ ବ୍ୟସ୍ତ ଅଛି। କିଛି ଦିନ ପୂର୍ବରୁ ସରକାରୀ କର୍ମଚାରୀମାନେ ଦିନରେ ୫ଥର ନମାଜ ପାଠ ନିର୍ଦ୍ଦେଶ ଦେଇଥିବା ବେଳେ ଏବେ ମହିଳାଙ୍କୁ ନେଇ ଆଦେଶନାମା ଜାରି କରିଛି। ତାଲିବାନ ସରକାରର ନୂଆ ଆଇନ ଦ୍ୱାରା ମହିଳାଙ୍କ ଉପରେ ଅତ୍ୟାଚାର ବୃଦ୍ଧି ପାଇବ। ତାଲିବାନ ସରକାର ମନ୍ଦ ଏବଂ ନୈତିକତା ଉପରେ ଏକ ନୂତନ ଆଇନ ପ୍ରଣୟନ କରିଛନ୍ତି। ଏହି ଆଇନ ଅନୁଯାୟୀ ମହିଳାମାନେ ଆଉ ମୁହଁ ଖୋଲା ରଖିପାରିବେ ନାହିଁ। ସେମାନଙ୍କୁ ନିଜ ପୂରା ଶରୀରକୁ ଘୋଡ଼ାଇ ରଖିବାକୁ ପଡ଼ିବ। ୨୦୨୧ରେ ତାଲିବାନ ଆଫଗାନିସ୍ତାନ ଦଖଲ କରିବା ପରେ ଏହି ଆଇନ ପ୍ରଣୟନ କରାଯାଇଥିଲା। କିନ୍ତୁ ଏହାକୁ ଏବେ କାର୍ଯ୍ୟକାରୀ କରାଯାଇଛି। ମନ୍ତ୍ରାଳୟର ମୁଖପାତ୍ର ମୌଲବୀ ଅବଦୁଲ ଗଫର ଫାରୁକ୍ କହିଛନ୍ତି, ଇନଶାଲ୍ଲାହ ଆମେ ଆପଣଙ୍କୁ ଆଶ୍ୱାସନା ଦେଉଛୁ ଯେ ଏହି ଇସଲାମିକ ଆଇନ ପୁଣ୍ୟକୁ ପ୍ରୋତ୍ସାହିତ କରିବା ଏବଂ ମନ୍ଦକୁ ଦୂର କରିବାରେ ବହୁତ ସହାୟକ ହେବ।  ଜଣେ ମହିଳା କିପରି ସର୍ବସାଧାରଣରେ ପୋଷାକ ପିନ୍ଧିବା ଏବଂ ଆଚରଣ କରିବା ଉଚିତ ତାହା ଏଥିରେ ବର୍ଣ୍ଣନା କରାଯାଇଛି। ଏବେ ମହିଳାମାନେ ସର୍ବସାଧାରଣ ସ୍ଥାନରେ ନିଜର ମୁହଁ ସମେତ ପୂରା ଶରୀରକୁ ସର୍ବଦା ଘୋଡ଼ାଇ ରଖିବା ବାଧ୍ୟତାମୂଳକ ହୋଇଛି, ଯାହାଦ୍ୱାରା ସେମାନେ ଅନ୍ୟମାନଙ୍କୁ ଆକୃଷ୍ଟ ନ କରିବେ।  ତାଲିବାନ ସରକାର ମଧ୍ୟ ମହିଳାମାନଙ୍କୁ ସର୍ବସାଧାରଣ ସ୍ଥାନରେ ଗୀତ ଶୁଣିବା ଏବଂ ଉଚ୍ଚ ସ୍ୱରରେ ପଢ଼ିବା ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ମହିଳାମାନେ ସେହି ପୁରୁଷମାନଙ୍କୁ ଦେଖିପାରିବେ ନାହିଁ ଯେଉଁମାନଙ୍କ ସହିତ ସେମାନଙ୍କର ରକ୍ତ କିମ୍ବା ବିବାହ ଦ୍ୱାରା କୌଣସି ସମ୍ପର୍କ ନାହିଁ। ଯଦି କୌଣସି ମହିଳା ଆଇନ ଉଲ୍ଲଂଘନ କରନ୍ତି ତେବେ ତାଙ୍କ ସମ୍ପତ୍ତି ଜବତ ହୋଇପାରିବ। ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇପାରେ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments