ଭୁବନେଶ୍ବର: ରାଜ୍ୟର ଅନ୍ୟତମ ପ୍ରମୁଖ ଗଣପର୍ବ ‘ରଜ’ ଆସିଛି। ଗାଁରୁ ସହର ଚାରିଆଡ଼େ ଉତ୍ସବର ମାହୋଲ ଦେଖାଯାଇଛି। ଦୁଇ ଦଶନ୍ଧି ପୂର୍ବରୁ ରଜ ଯେଉଁଭଳି ଭାବେ ପାଳନ ହେଉଥିଲା, ଯଦିଓ ଆଜିକାଲି ସେହିଭଳି ନାହିଁ, ତଥାପି ସ୍ମୁତି ବଞ୍ଚିଛି। ରଜ ପର୍ବ କିଛି ଜିନିଷକୁ ନେଇ ଉଦ୍ଦିଷ୍ଟ। ଯେପରି ଝିଅମାନେ ସଜବାଜ ହେବା, ଝିଅମାନଙ୍କ ପାଇଁ ଦୋଳି, ପିଠା, ପାନ, ଆମିଷ ଭୋଜନର ପ୍ରସ୍ତୁତ କରାଯିବା। ରଜ ଦୋଳି ଆଗ ଭଳି ଆଉ ଦେଖାଯାଉ ନାହିଁ। ପାରଂପରିକ ପିଠାର ଚାହିଦା ମଧ୍ୟ ଦିନକୁ ଦିନ ହ୍ରାସ ପାଇବାରେ ଲାଗିଲାଣି। ଆଜିକାଲିର ପିଲା ପିଠା ଖାଇବାକୁ ପସନ୍ଦ ହିଁ କରୁନାହାନ୍ତି। ପିଠାର ସ୍ଥାନ ନେଇଛି ଫାଷ୍ଟ ଫୁଡ୍।
ରଜ ସମୟ ଆସିଲେ ଓଡ଼ିଶାବାସୀ ‘ବନସ୍ତେ ଡାକିଲା ଗଜ..ବରଷକେ ଥରେ ଆସିଛି ରଜ…’ ଏହି ଗୀତକୁ ମନେ ପକାନ୍ତି। ଗାଁରୁ ସହର ଯାଏଁ ସମସ୍ତେ ଯଦିଓ ରଜପର୍ବକୁ ଉତ୍ସାହର ସହିତ ପାଳନ କରୁଛନ୍ତି। ବଣରେ ଗଜ ଅର୍ଥାତ ହାତୀମାନେ ଉତ୍ସାହିତ ନାହାନ୍ତି। ଏକାଧିକ ସମସ୍ୟା ନେଇ ହାତୀମାନେ କାନ୍ଦୁଛନ୍ତି କହିଲେ କିଛି ଭୁଲ ହେବନାହିଁ। ଜଙ୍ଗଲରେ ହାତୀମାନେ ଆଉ ସୁରକ୍ଷିତ ମଣୁନାହାନ୍ତି। ଖାଇବାକୁ ପାଉନାହାନ୍ତି। ପିଇବା ପାଇଁ ଜଳର ମଧ୍ୟ ଘୋର ସଂକଟ ଦେଖାଯାଇଛି। ଏହି କାରଣରୁ ହାତୀମାନେ ଜଙ୍ଗଲ ଭିତରୁ ବାହାରି ଆସି ଆକ୍ରମଣର ଶିକାର ହେଉଛନ୍ତି ଅଥବା ଧନଜୀବନକୁ କ୍ଷତି ପହଞ୍ଚାଉଛନ୍ତି।
ଜଙ୍ଗଲରେ ହାତୀମାନେ କାହିଁକି ଅସୁରକ୍ଷିତ
ଜଙ୍ଗଲରେ ହାତୀମାନେ ସୁରକ୍ଷିତ ନରହିବା ପଛରେ ଏକାଧିକ କାରଣ ରହିଛି। ଏହାର ପ୍ରମୁଖ କାରଣ ଘଂଚ ଜଙ୍ଗଲ ହ୍ରାସ ପାଇବା। ଜଳବାୟୁ ପରିବର୍ତ୍ତନ ଓ ମନୁଷ୍ୟର ଆଧିପତ୍ୟ ଯୋଗୁଁ ଦିନକୁ ଦିନ ଘୋର ପରିମାଣରେ ଜଙ୍ଗଲ ହ୍ରାସ ପାଇଛି। ପରେ ବିଗତ କିଛି ବର୍ଷ ହେଲା ସରକାର ଏଦିଗରେ ପଦକ୍ଷେପ ନେଉଛନ୍ତି। ଜଙ୍ଗଲ ଭିତରେ କୃତ୍ରିମ ଜଳାଶୟ କରୁଛନ୍ତି। ବୃକ୍ଷ ରୋପଣ କରୁଛନ୍ତି। ଜଙ୍ଗଲୀ ଗଛ ବଦଳରେ ଅନ୍ୟ ଗଛ ମଧ୍ୟ ରୋପଣ କରାଯାଉଛି। କିନ୍ତୁ ଏଥିରୁ କିଛି ଲାଭ ହେଉନାହିଁ। ଏକ ଗଛ ମହାଦ୍ରୁମ ପାଲଟିବା ପାଇଁ ବହୁ ବର୍ଷ ଲାଗିଥାଏ। ପୂର୍ବରୁ ଜଙ୍ଗଲ ଭିତରେ କଂକ୍ରିଟ୍ ରାସ୍ତା ନିର୍ମାଣକୁ ଅନୁମତି ମିଳୁ ନଥିଲା। ଏବେ କିନ୍ତୁ ଆଉ ସେହି ଅସୁବିଧା ନାହିଁ। ଜଙ୍ଗଲ ଭିତରେ କଂକ୍ରିଟ ରାସ୍ତାରେ ହାତୀମାନେ ଚଳାଚଳ କରିବା ଅଭ୍ୟସ୍ତ ହୋଇଛନ୍ତି। ତେଣୁ ହାତୀମାନେ ଏହି କଂକ୍ରିଟ ରାସ୍ତାରେ ଗାଁ ଓ ସହରରେ ପହଞ୍ଚି ଯାଉଛନ୍ତି।
ଓଡ଼ିଶାରେ ୨୦୯୮ଟି ହାତୀ
ଓଡ଼ିଶାରେ ହୋଇଥିବା ହାତୀ ଗଣନାର ରିପୋର୍ଟ ଗତ ସପ୍ତାହରେ ପ୍ରକାଶ ପାଇଥିଲା। ଏହି ରିପୋର୍ଟରେ କୁହାଯାଇଥିଲା ଯେ, ୨୦୧୭ରେ ହୋଇଥିବା ହାତୀ ଗଣନା ସମୟରେ ଓଡ଼ିଶାରେ ୧୯୭୬ଟି ହାତୀ ରହିଥିଲେ। ଏବେ ଓଡ଼ିଶା ଜଙ୍ଗଲରେ ୨୦୯୮ଟି ହାତୀ ରହିଛନ୍ତି। ଗତ ୭ ବର୍ଷ ମଧ୍ୟରେ ରାଜ୍ୟରେ ୧୨୨ଟି ହାତୀ ବଢ଼ିଛନ୍ତି। ଅର୍ଥାତ୍ ବର୍ଷକୁ ୨୦ଟି ହାତୀଙ୍କ ସଂଖ୍ୟା ମଧ୍ୟ ବଢୁନାହିଁ। ଚିହ୍ନଟ ହୋଇଥିବା ୨୦୯୮ଟି ହାତୀଙ୍କ ମଧ୍ୟରୁ ୪୭୪ଟି ଅଣ୍ଡିରା ହାତୀ ରହିଥିବା ବେଳେ ୧୦୩୦ଟି ମାଈ ହାତୀ ରହିଛନ୍ତି। ୫୯୪ଟି ହାତୀ ଛୁଆ ରହିଥିବା ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ ପ୍ରକାଶିତ ରିପୋର୍ଟରେ କୁହାଯାଇଛି। ଅନୁଗୁଳ, ଆଠଗଡ଼, ଢେଙ୍କାନାଳ, ବାରିପଦା, ଚନ୍ଦକା, ଖୋର୍ଦ୍ଧା, ବଣାଇ ଓ କେନ୍ଦୁଝର ଡିଭିଜନ୍ରେ ଆଖିଦୃଶିଆ ଭାବେ ହାତୀଙ୍କ ସଂଖ୍ୟା ବୃଦ୍ଧି ହୋଇଛି। ପିସିସିଏଫ୍(ବନ୍ୟପ୍ରାଣୀ) ସୁଶାନ୍ତ ନନ୍ଦ କହିଥିଲେ, ଗତ ୫ ବର୍ଷରେ ବିଭିନ୍ନ କାରଣରୁ ରାଜ୍ୟରେ ୪୦୩ ହାତୀ ମରିଛନ୍ତି। ଅର୍ଥାତ୍ ବର୍ଷକୁ ମାତ୍ର ୩ରୁ ୪% ହାତୀ ମରୁଛନ୍ତି, ଯାହାକି ସ୍ୱାଭାବିକ ରହିଛି। ଗତବର୍ଷ ମାତ୍ର ୬୬ ହାତୀଙ୍କର ମୃତ୍ୟୁ ହୋଇଛି।
ହାତୀ ଉତ୍ପାତ
ଘଂଚ ଜଙ୍ଗଲ ଅଭାବରୁ ହାତୀମାନେ ରହିବା ଭଳି ପରିବେଶ ଆଉ ନାହଁ। ଖାଦ୍ୟ ଓ ପାଣିର ଅଭାବ ଯୋଗୁଁ ହାତୀମାନେ ଗାଁ ଓ ସହରାଭିମୁଖୀ ହେଉଛନ୍ତି। କିଛି ବର୍ଷ ପୂର୍ବରୁ ହାତୀମାନେ ଫସଲ ଅମଳ ସମୟରେ ଜଙ୍ଗଲ ନିକଟ ଜମିକୁ ଆସୁଥିଲେ। ବିଶେଷ କରି ଖରିଫ ଧାନ ଅମଳ ସମୟରେ ହାତୀ ଉପଦ୍ରବ ଅଧିକ ପରିମାଣରେ ଦେଖାଯାଇଥାଏ। ଏବେ କିନ୍ତୁ ସ୍ଥିତି ଭିନ୍ନ ହୋଇଯାଇଛି। ହାତୀମାନେ ଯେକୌଣସି ସମୟରେ ଗାଁକୁ ପହଞ୍ଚୁଛନ୍ତି। କଦଳୀ, ମକା, ଆଖୁ ବଗିଚା ଉଜାଡି ଦେଉଛନ୍ତି। ସେହିପରି ପରିବା ଚାଷ ଦଳି ଦେଉଛନ୍ତି। ଘର ଭାଙ୍ଗି ଧାନ ଓ ଚାଉଳ ଖାଇଦେଉଛନ୍ତି। ଲୋକଙ୍କୁ ଭୟଭୀତ କରାଉଛନ୍ତି। ଗତ ଏକ ମାସ ହେଲା ହାତୀମାନେ କନ୍ଧମାଳ ଜିଲ୍ଲା ଘୁମୁସର ଉଦୟଗିରି ଅଞ୍ଚଳରେ ଉପଦ୍ରବ ସୃଷ୍ଟି କରୁଛନ୍ତି। ଫସଲ ଖାଇବା ସହିତ ଘର ଭାଙ୍ଗୁଛନ୍ତି।