Monday, May 20, 2024
Homeଖବରଅସାବଧାନ ଯୋଗୁଁ ଦୁର୍ଘଟଣା

ଅସାବଧାନ ଯୋଗୁଁ ଦୁର୍ଘଟଣା

ଭୁବନେଶ୍ବର: ରାସ୍ତାରେ ଯାତାୟତ ସମୟରେ ଅବହେଳା ପ୍ରଦର୍ଶନ କରିବା ସବୁ‌ବେଳେ ଜୀବନ ପ୍ରତି ବିପଦ ସୃଷ୍ଟି କରିଥାଏ। ଏକଥା ଉଣା ଅଧିକେ ସମସ୍ତେ ଜାଣିଥାନ୍ତି। ତଥାପି ଲୋକେ ଯେତ‌େବେଳେ ବାହାରକୁ ଯାଉଛନ୍ତି, ସତର୍କତା ଅବଲମ୍ବନ କରିବାରେ ଢିଲା ମାରୁଛନ୍ତି। ତେଣୁ ଦୁର୍ଘଟଣାର ସାମ୍ନା କରୁଛନ୍ତି। ଫଳରେ ‌ଅକାରଣରେ ଜୀବନ ଚାଲିଯାଉଛି। ଦୁର୍ଘଟଣା ଯୋଗୁଁ ଧନଜୀବନ ନଷ୍ଟ ହେଉଛି। ପୀଡିତ ପରିବାର ଲୋକ ଆଜୀବନ ଯନ୍ତ୍ରଣା ଭୋଗୁଥିବା ବେଳେ ପ୍ରଶାସନ ଓ ସରକାର ଉପରେ ମଧ୍ୟ ଚାପର ସମ୍ମୁଖୀନ ହେଉଛନ୍ତି।

ବୁଧବାର ରାତିରେ ମଧ୍ୟପ୍ରଦେଶର ଡିଣ୍ଡୋରି ଓ ପଡ଼ୋଶୀ ଝାଡ଼ଖଣ୍ଡର ଜାମତରା ନିକଟରେ ଦୁର୍ଘଟଣା ଘଟିଛି। ଫଳରେ ୧୬ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩୦ରୁ ଊର୍ଦ୍ଧ୍ବ ଲୋକଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏହି ଦୁଇଟି ଦୁର୍ଘଟଣାର କାରଣ ହେଉଛି ଅବହେଳା ପ୍ରଦର୍ଶନ। ମଧ୍ୟପ୍ରଦେଶର ସଡ଼କ ଦୁର୍ଘଟଣା ପାଇଁ ଦାୟୀ ହେଉଛନ୍ତି ଗାଡ଼ି ଚାଳକ, ଯିଏକି ନିଜର ବାହନର ଭାର ତୁଳନାରେ ଅଧିକ ଓଜନ ନେଇ ଆଗକୁ ବଢୁଥିଲେ। କିନ୍ତୁ ଝାଡ଼ଖଣ୍ଡର ଦୁର୍ଘଟଣା ପାଇଁ ଉଣା ଟ୍ରେନ୍‌ ପରିଚାଳକ ଓ ଯାତ୍ରୀମାନେ ହିଁ ଦାୟୀ।

ପିକ୍‌ଅପ୍‌ ଭ୍ୟାନ୍‌ ଦୁର୍ଘଟଣାଗ୍ରସ୍ତ

ମଧ୍ୟପ୍ରଦେଶରର ଶାହପୁରା ଥାନା ଅଧୀନ ଡିଣ୍ଡୋରିର ବଡ଼ଝରଘାଟରେ ବୁଧବାର-ଗୁରୁବାର ବିଳମ୍ବିତ ରାତିରେ ଏକ ବଡ଼ଧରଣର ସଡ଼କ ଦୁର୍ଘଟଣା ଘଟିଛି। ୩୫ ଜଣଙ୍କୁ ନେଇ ଯାଉଥିବା ପିକ୍‌ଅପ୍‌ ଭ୍ୟାନ୍‌ ଭାରସାମ୍ୟ ହରାଇବାରୁ ୧୪ ଜଣଙ୍କର ମୃତ୍ୟୁ ହୋଇଛି। ମୃତକମାନଙ୍କ ମଧ୍ୟରେ ଅଛନ୍ତି ୬ ଜଣ ମହିଳା ଓ ଜଣେ ନାବାଳକ। ଦୁର୍ଘଟଣାର ସାମ୍ନା କରିଥିବା ଲୋକେ ବୁଧବାର ଦିନ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଇଥିଲେ। ସେଠାରୁ ଫେରିବା ବେଳେ ଗାଡ଼ିଟି ଦ୍ରୁତ ଗତିରେ ଥିବା ବେଳେ ଡ୍ରାଇଭର ତାହା ଉପରୁ ନିୟନ୍ତ୍ରଣ ହରାଇ ଥିଲେ। ଏହାପରେ ଗାଡ଼ିଟି ବଡ଼ଝର ଘାଟିରେ ଓଲଟି ପଡ଼ିଥିଲା। ଚିତ୍କାର ଶୁଣି ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚିଥିଲେ। ତୁରନ୍ତ ପୁଲିସ୍‌ ଓ ଅଗ୍ନିଶମ କର୍ମଚାରୀ ପହଞ୍ଚିବା ପରେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା। ମାତ୍ର ଏହାପୂର୍ବରୁ ୧୪ ଜଣଙ୍କର ମୃତ୍ୟୁ ହୋଇସାରିଥିଲା। ଦୁର୍ଘଟଣାର ସାମ୍ନା କରିଥିବା ୨୧ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ସେମାନଙ୍କୁ ତୁରନ୍ତ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି।

ବର୍ତ୍ତିଗଲା ବହୁ ଜୀବନ

ଝାଡ଼ଖଣ୍ଡର ଜାମତାରାରେ ମଧ୍ୟ ବୁଧବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ଟ୍ରେନ୍ ଦୁର୍ଘଟଣା ଘଟିଥିଲା, ଯେଉଁଥିରେ କି ୨ ଜଣଙ୍କର ମ୍ୟତ୍ୟୁ ହୋଇଥିଲା। ଏହି ଘଟଣାରେ ପାଖାପାଖି ଅଧା ଡଜନ ଲୋକ ଆହତ ହୋଇଥିଲେ। କରମାଟାଣ୍ଡ ନିକଟ କଳାଝରିଆରେ ଏହି ଘଟଣା ଘଟିଥିଲା। ଘଟଣା ସମୟରେ ଟ୍ରେନ୍‌ଲାଇନ୍‌ ନିକଟରେ ଥିବା ବାଲି ଉଡିଥିଲା। କିନ୍ତୁ ଟ୍ରେନ୍‌ର ଡ୍ରାଇଭରଙ୍କୁ ସୂଚନା ମିଳିଥିଲା ଯେ, ଆଙ୍ଗ ଏକ୍ସପ୍ରେସ୍ ଟ୍ରେନ୍‌ରେ ନିଆଁ ଲାଗିଛି। ଫଳରେ ଏଥିରେ ଥିବା ଯାତ୍ରୀମାନେ ଭୟଭୀତ ହୋଇ ତଳକୁ ଡେଇଁବାକୁ ଲାଗିଥିଲେ। ଏହି ସମୟରେ ବିପରୀତ ଦିଗରୁ ଆସୁଥିବା ଝାଝା-ଆସାନସୋଲ ପାସେଞ୍ଜର ଟ୍ରେନ୍ ରେଳ ଧାରଣାରେ ପଡ଼ିଥିବା ଯାତ୍ରୀଙ୍କ ଉପରେ ଚଢ଼ି ଯାଇଥିଲା। ଆଙ୍ଗ ଏକ୍ସପ୍ରେସକୁ ମଧ୍ୟ ବନ୍ଦ କରି ଦିଆଯାଇଥିଲା। ସେହି ସମୟରେ ବେଙଗାଲୁରୁ-ଯଶବନ୍ତପୁର ଏକ୍ସପ୍ରେସ ଡାଉନ ଲାଇନରେ ଯାଉଥିଲା। ଅନ୍ୟପକ୍ଷରେ ରେଳବାଇ ପକ୍ଷରୁ କୁହାଯାଇଛି ଯେ ଚେନ୍ ଟାଣିବା କାରଣରୁ ଟ୍ରେନ୍ ଅଟକି ଯାଇଥିବାରୁ ଟ୍ରାକ୍ ପାର ହେଉଥିବା କିଛି ଲୋକ ସାମ୍ନାରେ ଥିବା ଟ୍ରେନ୍ ସହ ଧକ୍କା ଖାଇଥିଲେ। ମାତ୍ର ଖୁସିର ବିଷୟ ଯେ, ଯେଉଁଭଳି ଭାବେ ଯାତ୍ରୀମାନେ ଚଳନ୍ତା ଟ୍ରେନ୍‌ରୁ ଡେଇଁଥିଲେ, ମୃତ୍ୟୁ ସଂଖ୍ୟା ଆହୁରି ଅଧିକ ବଢ଼ିଯିବାର ଆଶଙ୍କା ଦେଖାଯାଉଥିଲା।

ଭାରତରେ ଦିନକୁ ୧୨୬୪ ଦୁର୍ଘଟଣା

ଭାରତରେ ଦିନକୁ ହାରାହାରି ୧୨୬୪ଟି ସଡ଼କ ଦୁର୍ଘଟଣା ଘଟୁଛି। ଏଥିରେ ପ୍ରାୟ ୪୬୨ ଜଣଙ୍କର ମୃତ୍ୟୁ ହେଉଛି। ସଡ଼କ ଦୁର୍ଘଟଣା ରିପୋର୍ଟ ଅନୁସାରେ ପ୍ରତିଘଣ୍ଟାରେ ୧୯ ଜଣଙ୍କର ମୃତ୍ୟୁ ହେଉଛି। ୨୦୨୨ରେ ପ୍ରକାଶିତ ରିପୋର୍ଟ ଅନୁସାରେ ତାମିଲନାଡୁରେ ସର୍ବାଧିକ ସଡ଼କ ଦୁର୍ଘଟଣା ହେଉଛି, ଯେଉଁଠି ଦୈନକି ମୃତ୍ୟୁ ସଂଖ୍ୟା ୬୪। ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ରିପୋର୍ଟ ଅନୁସାରେ ସଡ଼କ ଦୁର୍ଘଟଣାରେ ବର୍ଷକୁ ପାଖାପାଖି ୧.୧୯ ମିଲିୟନ ଲୋକଙ୍କର ମୃତ୍ୟୁ ହେଉଛି। ଦ୍ରୁତଗତିରେ ଗାଡ଼ି ଚଳାଚଳ କରିବା, ଅସାବଧାନ ହୋଇ ରାସ୍ତାରେ ଯାତାୟତ କରିବା ଦୁର୍ଘଟଣାର ମୂଳ କାରଣ।  

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments