Monday, May 20, 2024
Homeକରୋନା ଟିକା ପାଇଁ ହାହାକାର
Array

କରୋନା ଟିକା ପାଇଁ ହାହାକାର

ଭୁବନେଶ୍ୱର: କୋଭିଡ-୧୯ ମହାମାରୀକୁ ନେଇ ସମଗ୍ର ବିଶ୍ୱର ଜନତା ଚିନ୍ତିତ । ମୁକାବିଲା ପାଇଁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଠାରୁ ଆରମ୍ଭ କରି ଆମେରିକା, ରୁଷିଆ, ବ୍ରିଟେନ, ଫାନ୍ସ, ଜର୍ମାନୀ, ଭାରତ ଆଦି ଦେଶଗୁଡ଼ିକ ଦିନରାତି ଉଦ୍ୟମ ଚଳାଇଛନ୍ତି । ବୈଜ୍ଞାନିକ, ଗବେଷକ ଏବଂ ଚିକିତ୍ସକମାନେ ମଧ୍ୟ ଦିନରାତି ଏକ କରିଦେଇଛନ୍ତି । କିନ୍ତୁ ଯେତେବେଳ ପର୍ଯ୍ୟନ୍ତ କୋଭିଡ-୧୯ ମୁକାବିଲା ପାଇଁ ଔଷଧ ନମିଳୁଛି, ସଂକ୍ରମଣ ବ୍ୟାପିଚାଲିବ । ମୁକାବିଲା ପାଇଁ ଏକ ମାଧ୍ୟମ ହେଉଛି ଟିକା । ସମଗ୍ର ଭାରତ ସହିତ ଓଡ଼ିଶାରେ ମଧ୍ୟ ଗତ ଜାନୁଆରୀ ୧୬ ତାରିଖ ଠାରୁ କରୋନା ଟିକାକରଣ ଚାଲିଛି ।

ରାଜ୍ୟର ସହରାଂଚଳରେ କରୋନା ଟିକାକରଣ ସହଜ ମାଧ୍ୟମରେ ଚାଲିଥିବା ବେଳେ ଗ୍ରାମାଂଚଳରେ ବ୍ୟାପକ ଅବ୍ୟବସ୍ଥା ଦେଖାଯାଉଛି । ସହରାଂଚଳରେ ଯେପରିକି ସମସ୍ତଙ୍କୁ ଟିକା ଦିଆଯାଇପାରିବ, ସେଥିପାଇଁ ବ୍ୟବସ୍ଥା ହୋଇଛି । କିନ୍ତୁ ଗ୍ରାମାଂଚଳରେ ତାହା ହୋଇପାରୁ ନାହିଁ । ଭାରତ ଏକ ଗ୍ରାମ୍ୟ ବହୁଳ ଦେଶ ହୋଇଥିବାରୁ ସହରାଂଚଳ ତୁଳନାରେ ଗାଁଗୁଡ଼ିକରେ ଅଧିକ ଲୋକ ବସବାସ କରୁଛନ୍ତି । ତେଣୁ ଲୋକସଂଖ୍ୟା ହିସାବରେ ଟିକା ଯୋଗାଇ ହୋଇପାରୁ ନାହିଁ । କେନ୍ଦ୍ରରୁ ଦୈନିକ ମିଳୁଥିବା ଟିକା କମ ପଡ଼ିଯାଉଛି । ଫଳରେ ଅନେକ ସ୍ଥାନରେ ହିତାଧିକାରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଯାଉଛି ।

ଟିକା ଚାହିଦା ବେଶୀ, ଉତ୍ପାଦନ କମ୍

ବୈଜ୍ଞାନିକ, ଗବେଷକ ଏବଂ ଚିକିତ୍ସକଙ୍କ ଭାଷାରେ ଏପର୍ଯ୍ୟନ୍ତ ଯେହେତୁ କରୋନା ପାଇଁ ଔଷଧ ବଜାରକୁ ଆସିପାରି ନାହିଁ, ତେଣୁ ଟିକା ହିଁ କରୋନା ମୁକାବିଲା ପାଇଁ ଏକମାତ୍ର ଅସ୍ତ୍ର । ଦେଶରେ ଏବେ ୨ଟି କଂପାନୀ କରୋନା ଟିକା ଉତ୍ପାଦନ କରୁଛନ୍ତି । ସେରମ ପ୍ରତିଷ୍ଠାନର କୋଭିଶିଲ୍ଡ ଏବଂ ଭାରତ ବାୟୋଟେକ୍ ଦ୍ୱାରା ଉତ୍ପାଦିତ ଟିକା ୧୩୦ କୋଟି ବିଶିଷ୍ଟ ବିଶାଳ ଭାରତରେ କମ ପଡ଼ିଯାଉଛି । ଏହି ୨ଟି ପ୍ରତିଷ୍ଠାନରେ ଉତ୍ପାଦିତ ହେଉଥିବା ଟିକା ଦେଶର ଚାହିଦାକୁ ପୂରଣ କରିପାରୁ ନାହିଁ । ତେଣୁ ଉତ୍ପାଦନ ବୃଦ୍ଧି ଅଥବା ଅନ୍ୟ କଂପାନୀ ଦ୍ୱାରା ଯଦି ଟିକା ଉତ୍ପାଦିତ ହୋଇପାରିବ, ତା’ହେଲେ ଲୋକଙ୍କର ଆଶା ପୂରା ହୋଇପାରେ । କିନ୍ତୁ ଉତ୍ପାଦନର ୬ ମାସ ଅତିକ୍ରାନ୍ତ କରିସାରିଥିଲେ ଦେଶରେ ଟିକାକରଣ ପୂରା ହୋଇପାରି ନାହିଁ । ସଂପୂର୍ଣ୍ଣ ଭାରତରେ ଟିକାକରଣ ପାଇଁ ଆହୁରି କିଛି ସମୟ ଲାଗିବ ।

ଭାରତରେ ୨ଟି ବିଦେଶୀ ଟିକା!

ଭାରତରେ ୨ଟି ସ୍ୱଦେଶୀ ଟିକା ବ୍ୟତୀତ ରୁଷିଆର ସ୍ପୁଟନିକ-ଭି ଟିକା ଉପଲବ୍ଧ ହେଲାଣି । କିନ୍ତୁ ଏହି ଟିକା ନେବାକୁ ହେଲେ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ । ଯେହେତୁ ମାଗଣାରେ ସରକାର ଟିକା ଦେଉଛନ୍ତି, ଲୋକେ ଟଙ୍କା ଖର୍ଚ୍ଚ କରି ସ୍ପୁଟନିକ-ଭି ନେବା ପାଇଁ କମ୍ ଆଗ୍ରହ ପ୍ରକାଶ କରୁଛନ୍ତି । ‘ସ୍ପୁଟନିକ-ଭି’ର ୨ଟି ଡୋଜ ନେବା ପାଇଁ ଜଣେ ବ୍ୟକ୍ତିଙ୍କୁ ପ୍ରାୟ ୨୦୦୦ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ । ଆମେରିକୀୟ କଂପାନୀ ମଡର୍ଣ୍ଣା ଦ୍ୱାରା କରୋନା ଟିକା ଖୁବ ଶୀଘ୍ର ଭାରତରେ ଉପଲବ୍ଧ ହେବାକୁ ଯାଉଛି । ଯାହା ଆଶା କରାଯାଉଛି ଚଳିତ ମାସ ଶେଷ ସୁଦ୍ଧା ମଡର୍ଣ୍ଣା ଭାରତକୁ ଟିକା ଯୋଗାଇପାରେ ।

ଆସିଲା ମେସେଜ, ତାଲିକାରେ ନାଁ ନାହିଁ

କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଅଂଚଳରେ ଟିକାକରଣ ନେଇ ଗୁରୁତର ଅଭିଯୋଗ ଆସିଛି । ଟିକାକରଣରେ ଅନିୟମିତତା ହୋଇଥିବା ନେଇ ଚର୍ଚ୍ଚା ହେଉଛି । କଷଣଅଂଟା ଗାଁର ଗୋବିନ୍ଦ ସାହୁ କରୋନା ଟିକା ନେବା ପାଇଁ କୋ-ୱିନ୍ ପୋର୍ଟାଲରେ ନାମ ପଂଜିକରଣ କରିଥିଲେ । ଟିକା ନେବା ପାଇଁ ସେ ଟିକାକରଣ କେନ୍ଦ୍ରକୁ ଯାଇଥିଲେ । ଧାଡ଼ିରେ ୨ ଘଣ୍ଟା ଛିଡ଼ା ହେଲେ । କିନ୍ତୁ ଶେଷରେ ତାଙ୍କୁ କୁହାଗଲା ଯେ, ଟିକାତାଲିକାରେ ତାଙ୍କର ନାଁ ନାହିଁ । କିନ୍ତୁ ଗୋବିନ୍ଦଙ୍କ କହିବା ଅନୁସାରେ ତାଙ୍କର ମୋବାଇଲକୁ ମେସେଜ ଯାଇଥିଲା । ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଲା ଯେ, ଗୋବିନ୍ଦ ଟିକା ନେଇଛନ୍ତି ବୋଲି ତାଙ୍କ ମୋବାଇଲକୁ ଏକ ମେସେଜ ଆସିଥିଲା । ତେବେ ଗୋବିନ୍ଦ ଏବେ ଟିକା ନେବେ କି ନାହିଁ ସଂକଟରେ ପଡ଼ିଯାଇଛନ୍ତି । ଗୋବିନ୍ଦଙ୍କ ଟିକା ନେଲା କିଏ, ସେନେଇ ଚର୍ଚ୍ଚା ହେଉଛି । କେବଳ ଗୋବିନ୍ଦ ନୁହଁନ୍ତି, ଅନ୍ୟମାନଙ୍କୁ ମଧ୍ୟ ଅନେକ ସମୟରେ ଟିକାକରଣ କେନ୍ଦ୍ରରେ ହିତାଧିକାରୀଙ୍କୁ ହଟହଟା ହେବାକୁ ପଡୁଛି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments