Monday, May 20, 2024
Homeକାର୍ତ୍ତିକରେ କଟକଣା: ମନ୍ଦିରରେ ୧୪୪ ଧାରା
Array

କାର୍ତ୍ତିକରେ କଟକଣା: ମନ୍ଦିରରେ ୧୪୪ ଧାରା

ଭୁବନେଶ୍ୱର: ପବିତ୍ର କାର୍ତ୍ତିକ ମାସ ଶେଷ ହେବାକୁ ଆଉ ୫ ଦିନ ରହିଲା । ଆଜିଠାରୁ ପଂଚୁକ ବ୍ରତ ଆରମ୍ଭ ହେଲା । କିନ୍ତୁ ମନ୍ଦିର ଭିତରକୁ ପ୍ରବେଶ କରିପାରିଲେ ନାହିଁ ସାଧାରଣ ଭକ୍ତ ଓ ଶ୍ରଦ୍ଧାଳୁ । ମହାମାରୀ କରୋନା ଭାଇରସ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଆଶାକୁ ଫଳବତୀ ହେବାକୁ ଦେଇନାହିଁ । ଗତର ମାର୍ଚ୍ଚ ମାସ ଠାରୁ ମଠ ଓ ମନ୍ଦିର ସମେତ ଅନ୍ୟ ଧର୍ମାନୁଷ୍ଠାନ ଗୁଡ଼ିକ ବନ୍ଦ ଥିବା ବେଳେ କାର୍ତ୍ତିକ ମାସରେ ଖୋଲିବ ବୋଲି ଆଶା ଦେଖାଯାଉଥିଲା । କିନ୍ତୁ ଏମାସରେ ମଧ୍ୟ ଦେବାଳୟଗୁଡ଼ିକ ସାଧାରଣ ଲୋକଙ୍କ ପାଇଁ ନ ଖୋଲିବାରୁ ନିରାଶ ହେବାକୁ ପଡିଛି । ପଂଚୁକ ଆରମ୍ଭ ହୋଇଯାଇଥିଲେ ବି ଭକ୍ତମାନେ ମନ୍ଦିର ଭିତରକୁ ପ୍ରବେଶ କରିପାରିନାହାନ୍ତି । ବରଂ ପ୍ରଶାସନ ମନ୍ଦିର ଉପରେ କଡ଼ା ନଜର ରଖିଛି । ପୁରୀ ଜିଲ୍ଲା ସାକ୍ଷୀଗୋପାଳ ମନ୍ଦିର ଓ କଟକ ଜିଲ୍ଲା ଧବଳେଶ୍ୱର ପୀଠରେ ୧୪୪ ଧାରା ଜାରି କରାଯାଇଛି ।

ମନକୁ ବୁଝାଇଲେ ଶ୍ରଦ୍ଧାଳୁ

ପବିତ୍ର ଅଁଳା ନବମୀ ଅବ୍ୟବହିତ ପୂର୍ବରୁ ସାକ୍ଷୀଗୋପାଳ ମନ୍ଦିର ପରିସର ଠାରୁ ୨୦୦ ମିଟର ବ୍ୟବଧାନ ପର୍ଯ୍ୟନ୍ତ ୧୪୪ ଧାରା ଲାଗୁ ହୋଇଛି । କୋଭିଡ-୧୯ କଟକଣା ମଧ୍ୟରେ ଆଜି ସକାଳୁ ମହାପ୍ରଭୁଙ୍କ ନୀତିକାନ୍ତି ଶେଷ ହୋଇଛି । ପୂର୍ବରୁ ନିର୍ଦ୍ଧାରିତ ବୈଠକ ଅନୁସାରେ ସାଧାରଣ ଭକ୍ତଙ୍କୁ ମନ୍ଦିର ଭିତରକୁ ପ୍ରବେଶ ପାଇଁ ଅନୁମତି ଦିଆଯାଇ ନାହିଁ । ଫଳରେ ଭକ୍ତଙ୍କୁ ନିରାଶ ହେବାକୁ ପଡିଛି । ରାଧାପାଦ ଦର୍ଶନ କରିବାକୁ ଆଗ୍ରହ ରଖିଥିବା କିଛି ଭକ୍ତ ମନ୍ଦିର ଠାରୁ ଦୂରରେ ଥାଇ ମା’ ରାଧାଙ୍କୁ ମୁଣ୍ଡିଆ ମାରି ଆଶୀର୍ବାଦ ନେଇଛନ୍ତି ।

ଅଁଳା ନବମୀରେ ୨ କିଲୋମିଟର ଲମ୍ବାଧାଡ଼ି

ପବିତ୍ର ଅଁଳା ନବମୀ ଦିନ ସାକ୍ଷୀଗୋପାଳ ମନ୍ଦିରରେ ଠାକୁରାଣୀ ଶ୍ରୀଶ୍ରୀ ରାଧାରାଣୀଙ୍କ ପାଦ ଦର୍ଶନ କରିବାକୁ ସାରା ରାଜ୍ୟରୁ ଭକ୍ତମାନଙ୍କର ସମାଗମ ହୋଇଥାଏ । ଭକ୍ତମାନେ ୨ କିଲୋମିଟର ପର୍ଯ୍ୟନ୍ତ ଧାଡିରେ ରହିଥାନ୍ତି । ଭୋର ସକାଳ ଠାରୁ ପୂର୍ବାହ୍ନ ୧୨ଟା ଯାଏଁ ମନ୍ଦିର ଅଂଚଳରେ ପ୍ରବଳ ଭିଡ ଲାଗିଥାଏ । ହବିଷ୍ୟାଳିମାନେ ମା’ ରାଧାଙ୍କ ପାଦ ଦର୍ଶନ କରି ନିଜର ଆଶା ଓ ଅଭିଳାଷ ପୂରଣ କରିଥାନ୍ତି । କିନ୍ତୁ ଚଳିତ ବର୍ଷ କୋଭିଡ କଟକଣା ଯୋଗୁଁ ମନ୍ଦିର ପରିସର ଖାଁ ଖାଁ ଲାଗିଥିଲା ।

ଧବଳେଶ୍ୱରରେ ୫ ଦିନ ୧୪୪ ଧାରା

ପ୍ରସିଦ୍ଧ ଶୈବପୀଠ ଧବଳେଶ୍ୱରରେ ପଂଚୁକ ଅବସରରେ ଶ୍ରଦ୍ଧାଳୁଙ୍କ ସମ୍ଭାବିତ ଆଗାମନକୁ ଦୃଷ୍ଟିରେ ରଖି ୧୪୪ ଧାରା ଜାରି କରଯାଇଛି । ଏହା ୫ ଦିନ ଯାଏଁ ଜାରି ରହିବ । ତେଣୁ ଶ୍ରଦ୍ଧାଳୁମାନେ ମନ୍ଦିର ଭିତରକୁ ପ୍ରବେଶ କରିପାରି ନାହାନ୍ତି । ପଂଚୁକ ଅବସରରେ ଧବଳେଶ୍ୱର ପୀଠରେ ପ୍ରବଳ ଭକ୍ତଙ୍କ ସମାଗମା ହୋଇଥାଏ । ଅନୁରୂପ ଭାବେ ହବିଷ୍ୟାଳିମାନଙ୍କ ମଧ୍ୟରେ ଉତ୍ସାହିତ ଥାଆନ୍ତି ।

କରୋନା କମିଛି, କଟକଣା ଜାରି ରହିଛି

ରାଜ୍ୟରେ କରୋନା ସଂକ୍ରମଣ ଧୀରେ ଧୀରେ କମିଛି । କିନ୍ତୁ ମନ୍ଦିର ଖୋଲିବା ଉପରେ କଟକଣା ଜାରି ରହିଛି । ମନ୍ଦିର ସମେତ ଅନ୍ୟ ଧର୍ମାନୁଷ୍ଠାନଗୁଡ଼ିକ ଖୋଲିବା ନେଇ ସରକାର ପଦକ୍ଷେପ ଗ୍ରହଣ କରୁନାହାନ୍ତି । ଏକଦା ରାଜ୍ୟରେ ଦିନକୁ ପ୍ରାୟ ୪ ହଜାର ଲୋକ କରୋନା ପଜିଟିଭ ଚିହ୍ନଟ ହେଉଥିଲେ । କିନ୍ତୁ କିଛି ଦିନ ହେବ ଏହା ୧ ହଜାରରୁ କମ ରହୁଛି । ସେହିଭଳି କିଛି ମାସ ତଳେ ରାଜ୍ୟରେ ୨୦ରୁ ଅଧିକ ସକ୍ରିୟ ଆକ୍ରାନ୍ତ ଥିବା ବେଳେ ଏହା ଏବେ ୮ ହଜାରରୁ କମ ରହିଛି । କିନ୍ତୁ ଦିଲ୍ଲୀ, ରାଜସ୍ଥାନ, ଗୁଜୁରାଟ, ମହାରାଷ୍ଟ୍ର ଓ ମଧ୍ୟପ୍ରଦେଶରେ ପୁଣି ଥରେ କରୋନା ପ୍ରବାହ ବଢ଼ିଥିବାରୁ ଓଡ଼ିଶାରେ କଟକଣା ପୂର୍ବଭଳି ଜାରି ରହିଛି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments