Monday, May 20, 2024
Homeକୋଟିପତି ହେବାକୁ ଠକେଇ ବିକଳ୍ପ!
Array

କୋଟିପତି ହେବାକୁ ଠକେଇ ବିକଳ୍ପ!

ଭୁବନେଶ୍ବର: କମ ପରିଶ୍ରମରେ ଧନୀ ଅଥବା କୋଟି ହେବା ସହଜ ନୁହେଁ। ସ୍ବଚ୍ଛ ଉପାର୍ଜିତ ଟଙ୍କାରେ ବଡ଼ ଘର କରିବା, ପିଲାଛୁଆଙ୍କୁ ଦାବି ଶିକ୍ଷାନୁଷ୍ଠାନରେ ପଢ଼ାଇବା, ବିଳାସପୂର୍ଣ୍ଣ ହୋଟେଲରେ ଖାଇବା-ରହିବା, କାର କିଣିବା, ମନ ଇଚ୍ଛାରେ ରାଜ୍ୟ ଅଥବା ବିଦେଶ ବୁଲିବା ଆଦି ସହଜ ନୁହେଁ। ତେଣୁ ଏସବୁ କରିବା ପାଇଁ ବେଆଇନ ଅଥବା କଳାଧନ ଉପାର୍ଜନ ହିଁ ବିକଳ୍ପ। ଆଜିକାଲିର ଦୁନିଆରେ ଲୋକେ ବିଳାସମୟ ଜୀବନ ବଞ୍ଚିବା ପାଇଁ ଅନ୍ୟକୁ ଶୋଷଣ କରୁଛନ୍ତି। କିଛି ଲୋକ ଅନ୍ୟକୁ ଠକି ଅଳ୍ପ କିଛି ବର୍ଷ ମଧ୍ୟରେ କୋଟିପତି ହେବାର ସ୍ବପ୍ନକୁ ପୂରା କରୁଛନ୍ତି। ସାଇବର ଠକମାନେ ସରଳ ବିଶ୍ବାସୀ ଲୋକଙ୍କୁ ବିଭିନ୍ନ ମାଧ୍ୟମରେ ଆତ୍ମବିଶ୍ବାସ ବଢ଼ାଇ ଠକୁଛନ୍ତି।  

ଚୋରି, ଡାକୟତି, ରାହଜାନି, ଲୁଟ ଆଦି ହିଂସା ଠାରୁ ଠକେଇ ବଳିପଡ଼ିଲାଣି। ବିଗତ ଏକ ମାସ ମଧ୍ୟରେ ଏଭଳି କିଛି ହାଇପ୍ରୋଫାଇଲର ଠକେଇ ଧରାପଡ଼ିଛି, ଯାହାକି ସାଧାରଣ ଲୋକଙ୍କୁ ଗପ ଭଳି ଲାଗିବ। ଅର୍ଥନୈତିକ ଅପରାଧିକ ଶାଖା (ଇଓଡବ୍ଲୁ) କୋଟି କୋଟି ଟଙ୍କାର ଠକେଇ ଅଭିଯୋଗରେ କିଛି ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ ମୋଟା ଅଙ୍କ ଫ୍ରିଜ୍ କରିଛି। ସବୁଠାରୁ କ୍ଷୋଭର ବିଷୟ ହେଲା ଯେ, ସୂଚନା ଓ ପ୍ରଯୁକ୍ତିବିଦ୍ୟା ବହୁ ଆଗକୁ ବଢ଼ି ସାରିଥିବା ବେଳେ ଆଜି ବି ଲୋକେ ଲୋଭର ବଶବର୍ତ୍ତୀ ହୋଇ ଠକାମୀର ଶିକାର ହେଉଛନ୍ତି। ପୁଲିସ ଓ ସାଇବର ସେଲ ପକ୍ଷରୁ ସଚେତନ କରାଯାଉଥିଲେ ମଧ୍ୟ ଲୋକେ ଠକ ଦଳଙ୍କ ଚକ୍ରାନ୍ତରେ ଫସିଯାଉଛନ୍ତି।

ଫ୍ଲାଟ ନାମରେ ୧୫ କୋଟି ଠକେଇ

ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲୁ) ୧୫ କୋଟି ଟଙ୍କା ଠକେଇ ଅଭିଯୋଗରେ ଏକ ରିୟଲ ଇଷ୍ଟେଟ୍ କଂପାନିର ପରିଚାଳନା ନିର୍ଦ୍ଦେଶକ ଜ୍ୟୋତିରଞ୍ଜନ ମିଶ୍ରଙ୍କୁ ଗିରଫ କରିଛି। ଅଭିଯୁକ୍ତ ହେଉଛନ୍ତି, ମିଶ୍ର କ୍ରିଏସନ୍ ପ୍ରାଇଭେଟ୍ ଲିମିଟେଡର ପରିଚାଳନା ନିର୍ଦ୍ଦେଶକ (ଏମ୍ଡି), ଯିଏକି ଭୁବନେଶ୍ବରର ଚନ୍ଦକା ଅଞ୍ଚଳରେ ଫ୍ଲାଟ ଦେବାକୁ କହି ୨୦୧୬ ମସିହା ଠାରୁ ୧୨୭ ଜଣଙ୍କୁ ଠକି ଆସୁଥିଲେ। ତେବେ ଜଣେ ବ୍ୟକ୍ତି ଏନେଇ ଅଭିଯୋଗ କଲା ପରେ ଘଟଣାର ପର୍ଦ୍ଦାଫାସ ହୋଇଛି।  ଇଡଓବ୍ଲୁ ତନ୍ତରୁ ଜାଣିବାକୁ ପାଇଛି ଯେ, କଂପାନି ୧୨୭ ଜଣଙ୍କ ଠାରୁ ୧୫ କୋଟି ଟଙ୍କା ସଂଗ୍ରହ କରିଛି।

ଅଭିନେତାଙ୍କ ଫଟୋ ଦେଖାଇ ଠକେଇ

ସେହିପରି  ଅର୍ଥନୈତିକ ଅପରାଧ ଶାଖା(ଇଓଡବ୍ଲୁ) ଏହା ପୂର୍ବରୁ ଏକ ପୋନଜି ଆପ୍ ଜଏନ୍ ଟ୍ରେଡ୍’ର ୧.୨୨ କୋଟି ଟଙ୍କା ଫ୍ରିଜ୍ କରିଥିଲା। ଠକ ସଂସ୍ଥା ଚତୁରତାର ସହିତ ଲୋକପ୍ରିୟ ବଲିଉଡ ଅଭିନେତା ଅକ୍ଷୟ କୁମାର ଏବଂ ମନୀଷ ପଲଙ୍କ ଚିତ୍ର ଦେଇ ବିଜ୍ଞାପନ ମାଧ୍ୟମରେ ଜନସାଧାରଣଙ୍କୁ ଭ୍ରମିତ କରିବା ଏବଂ ବିଶ୍ୱାସ ସୃଷ୍ଟି କରିବା ନେଇ ଅନୁସନ୍ଧାନ ପରେ ଜଣାପଡ଼ିଥିଲା। ଗୁଗୁଲରେ ଜଏନ୍ ଟ୍ରେଡ୍ ନାମକ ଜାଲିଆତିକାରୀ ଆପ୍ ଡାଉନଲୋଡ୍ କରି ୩ଟି ବଡ଼ କଂପାନି ସମେତ ୫ଟି ଏକାଉଣ୍ଟରୁ ୧୮.୬୭ କୋଟି ଟଙ୍କାର ଜମା କରିଥିବା ମଧ୍ୟ ଜଣାଯାଇଥିଲା। ଲୋକଙ୍କଠାରୁ ୧୦୦ରୁ ୨୦ ହଜାର ଟଙ୍କା ଲେଖାଏଁ ଆଦାୟ କରୁଥିଲା ଠକ ସଂସ୍ଥା। ପ୍ରାୟ ୧ ଲକ୍ଷ ଲୋକ ଏହି ଠକାମିର ଶିକାର ହୋଇଥିବା ଜଣାପଡ଼ିଥିଲା।  

ରାଜ୍ୟ ବାହାରୁ ଓଡ଼ିଶାକୁ ଟାର୍ଗେଟ

କେବଳ ଏତିକି ନୁହେଁ। ଇଓଡବ୍ଲୁ ଗତମାସରେ ୧୮ ଫୁଟବଲ ଡଟ୍ କମ ନାମରେ  ହଜାରେ କୋଟି ଟଙ୍କାର ଠକେଇ  ମାମଲାର ପର୍ଦାଫାସ କରିଥିଲା। ଓଡ଼ିଶାରୁ ମଧ୍ୟ କିଛି ପୁଞ୍ଜିନିବେଶକାରୀ ଫସିଥିଲେ। ଏହି ମାମଲାରେ ମୋଟ ୪ ଜଣ ଅଭିଯୁକ୍ତ ଗିରଫ ହୋଇସାରିଛନ୍ତି। ଗିରଫ ଅଭିଯୁକ୍ତମାନଙ୍କ ମଧ୍ୟରୁ କୋଲକାତାରୁ ହାକିମ ଆଉ ରୁସ୍ତମ ଏବଂ ଅନ୍ୟ ଜଣେ ରାଜସ୍ଥାନରୁ ଗିରଫ ହୋଇଥିଲେ। ମାଷ୍ଟର ମାଇଣ୍ଡ ବୋଲାଉଥିବା ଦୁବାଇର ମହମ୍ମଦ ସୈଫ ନାମରେ  ଲୁକ ଆଉଟ  ନୋଟିସ ଜାରି କରିଥିଲାl ଏପ୍ରିଲ  ୧୨ ତାରିଖରେ  ପି.ଦିଲ୍ଲୀପ କୁମାର ବୋଲି ଅନ୍ୟ ଜଣେ ଇନଭେଷ୍ଟରକୁ କେରଳ ତ୍ରିଶୂରରୁ ଗିରଫ କରାଯାଇଥିଲାl  

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments