Monday, May 20, 2024
Homeକୋଟି କୋଟି ଟଙ୍କା ଜମା କରିବାରେ ବ୍ୟସ୍ତ ଥିଲେ ଅର୍ଥଲୋଭୀ ବିରଂଚି
Array

କୋଟି କୋଟି ଟଙ୍କା ଜମା କରିବାରେ ବ୍ୟସ୍ତ ଥିଲେ ଅର୍ଥଲୋଭୀ ବିରଂଚି

ଭୁବନେଶ୍ୱର: ରାଜ୍ୟର ଅନ୍ୟତମ ଅର୍ଥ ଲୋଭୀ ଅଧିକାରୀ ତଥା ଓଡ଼ିଶା କର୍ମଚାରୀ ଚୟନ ଆୟୋଗ (ଓଏସ୍‌ଏସ୍‌ସି)ଙ୍କ ପିଏସ୍ ବିରଂଚି ନାରାୟଣ ସାହୁଙ୍କ ରିମାଣ୍ଡ ଅବଧି ଶେଷ ହେବା ପରେ ପୁଣି ଥରେ ଜେଲକୁ ଯାଇଛନ୍ତି । କିନ୍ତୁ ସ୍ୱତନ୍ତ୍ର ଭିଜିଲାନ୍ସ ଅଦାଲତରେ ଜାମିନ ଖାରଜ ହେବା ପରେ ଜେଲରୁ ମୁକୁଲିବା ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । କୋଟିପତି ପିଏସ୍‌ଙ୍କ ପାଇଁ ମାମଲାର ପରିଚାଳନା କରୁଥିବା ଓକିଲ ସ୍ମୃତିରଂଜନ ମହାପାତ୍ରଙ୍କ ଜରିଆରେ ଅଭିଯୁକ୍ତ ବିରଂଚି କହିଛନ୍ତି ଯେ, ଭିଜିଲାନ୍ସ ମାମଲାରେ ତାଙ୍କ ବିରୋଧରେ କୌଣସି ମାମଲା ନାହିଁ । ତାଙ୍କୁ ଉଦ୍ଦେଶ୍ୟମୂଳକ ଭାବେ ଫସାଇ ଦିଆଯାଇଛି । ଏକଥା ସମସ୍ତେ ଜାଣିଛେ ଯେ, ଚୋର ମୁହଁ ଟାଣ । ଅର୍ଥ ଲୋଭୀ ବିରଂଚି କେତେ ଟଙ୍କା ଦରମା ପାଉଥିଲେ ଯେ, ୩.୭୦ କୋଟି ଟଙ୍କାରୁ ଊର୍ଦ୍ଧ୍ୱ ସଂପତ୍ତିର ମାଲିକ ହୋଇପାରିଲେ ।

ଭିଜିଲାନ୍ସ ହାତରେ ଧରାପଡ଼ିବା ପରେ ବିରଂଚିଙ୍କ ବାସଭବନରୁ ଘଟଣା ଦିନ ୧୧୪ଟି ଆଡମିଟ କାର୍ଡ଼ ଜବତ ହୋଇଥିଲା । ତେବେ ତଦନ୍ତରୁ ଜଣାପଡ଼ିଥିଲା ଯେ, ଉଦ୍ଧାର ହୋଇଥିବା ୧୦୭ ଜଣ ପ୍ରାର୍ଥୀ ଓଏସଏସ୍‌ସି ପରୀକ୍ଷାରେ ଉତୀର୍ଣ୍ଣ ହୋଇ ନାହାନ୍ତି । କିନ୍ତୁ ଅନ୍ୟ ୭ ଜଣ ଶ୍ରୀ ସାହୁଙ୍କ ମାଧ୍ୟମରେ ଚାକିରି ପାଇଛନ୍ତି କି ନାହିଁ, ସେନେଇ ତଦନ୍ତ ଚାଲିଛି ବୋଲି କହିଛନ୍ତି ଭିଜିଲାନ୍ସ ଅଧୀକ୍ଷକ ଆରଆର ପ୍ରକାଶ ।

ବୃତ୍ତି ଚାକିରି, ଧନ୍ଦା ବ୍ୟବସାୟ

ଗଣମାଧ୍ୟମକୁ ଶ୍ରୀ ପ୍ରକାଶ ଦେଇଥିବା ସୂଚନା ଅନୁସାରେ ଶ୍ରୀ ସାହୁ ସରକାରୀ ଚାକିରି କରୁଥିଲେ ବି ପତ୍ନୀଙ୍କ ନାଁରେ ବୀମା ପଲିସି ବ୍ୟବସାୟ କରୁଥିଲେ । ସେ ଏହି କାମ ଦୀର୍ଘ ୧୧ ବର୍ଷ ପୂର୍ବରୁ କରିଆସୁଛନ୍ତି । ସେ ୨୦୦୯ ମସିହା ଠାରୁ କିଛି ଆଶା କର୍ମୀଙ୍କ ସମେତ ୯୦୦ରୁ ଅଧିକ ବୀମା ପଲିସି ବିକ୍ରି କରିସାରିଥିଲେ । କୁହାଯାଉଛି ଯେ, ପ୍ରାର୍ଥୀମାନେ ଚାକିରି ପାଇଁ ଚୟନ ହେବା ପୂର୍ବରୁ ଏହି ତାଲିକା ବିରଂଚି ବାବୁଙ୍କ ପାଖକୁ ପହଂଚିଯାଉଥିଲା । ଫଳରେ ଚାକିରି ପାଇଁ ବ୍ୟାକୁଳ ହୋଇ ଉଠୁଥିବା ପ୍ରାର୍ଥୀମାନେ ବିରଂଚିଙ୍କୁ ଲକ୍ଷାଧିକ ଟଙ୍କା ଲାଂଚ ଦେଉଥିଲେ । ଗ୍ରୁପ-ବି ଚାକିରି ପାଇଁ ୧୦ ଲକ୍ଷ ଟଙ୍କା ଓ ଗ୍ରୁପ-ସି ପାଇଁ ୫ ଲକ୍ଷ ଟଙ୍କା ନେଉଥିଲେ । ଚାକରି ଆଶାୟୀଙ୍କ ଭିଜିଲାନ୍ସ ହାତରେ ଧରାପଡ଼ିବା ପରେ ରାଜ୍ୟ ସରକାର ବିରଂଚିଙ୍କୁ ଚାକିରିରୁ ବହିଷ୍କାର କରିଛନ୍ତି ।

୪୦ ଅଧିକାରୀଙ୍କ ଚଢ଼ଉ

ଆୟ ବର୍ହିଭୂତ ସଂପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ବିଭାଗ ଗତ ମାସ ୩୧ ତାରିଖରେ ଯୋଜନା ମୂଳକ ଭାବରେ ଚଢ଼ଉ କରିଥିଲା । ବିରଂଚିଙ୍କ ଭୁବନେଶ୍ୱର ଓ କଟକସ୍ଥିତ ୬ଟି ଠିକଣାରେ ଏକାକାଳୀନ ଚଢ଼ାଉ ହୋଇଥିଲା । ଏହି ଚଢ଼ଉରେ ବିଭାଗର ପ୍ରାୟ ୪୦ ଜଣ ଅଧିକାରୀ ନିୟୋଜିତ ଥିଲେ । ଟିମ୍ ଗୁଡ଼ିକୁ ୫ ଜଣ ଡିଏସ୍‌ପି ନେତୃତ୍ୱ କରୁଥିଲେ । ଚଢ଼ଉ ସମୟରେ ବିରଂଚିଙ୍କ ଘରୁ ୧୩ ଲକ୍ଷ ଟଙ୍କା, ଦେଢ଼ କିଲୋ ସୁନା ଅଳଂକାର, ଭୁବନେଶ୍ୱର, ପୁରୀ, ଖୋର୍ଦ୍ଧାରେ ୧୪ଟି ପ୍ଲଟ, ୫୬ ଲକ୍ଷ ଟଙ୍କାର ଜୀବନ ବୀମା, କାର, ବାଇକ୍‌, ଆଦି ଜବତ ହୋଇଥିଲା ।

ଫୁରସତରେ ବିଦେଶ ବୁଲୁଥିଲେ ବିରଂଚି

୩ କୋଟି ୭୯ ଲକ୍ଷ ଟଙ୍କା ସଂପତ୍ତିର ମାଲିକ ବିରଂଚି ଯେତେବେଳେ ଅବସର ମିଳୁଥିଲା ବିଦେଶ ବୁଲିବାକୁ ଯାଉଥିଲେ । ବିଦେଶ ଯାଇ ମୌଜମସ୍ତି କରିବାକୁ ପାଖରେ ଅର୍ଥର ଅଭାବ ନଥିଲା । ସେ ମାଲେସିଆ, ଦୁବାଇ, ସିଙ୍ଗାପୋର ଏବଂ ଥାଇଲାଣ୍ଡ ବୁଲିଛନ୍ତି । ଦେଶ ବିଦେଶରେ ବୁଲିବା ସମୟରେ ବିମାନ ଟିକେଟ ଓ ହୋଟେଲ ବିଲ ଜବତ ହୋଇଛି । ବିରଂଚିଙ୍କ ପାଖରେ ପ୍ରବଳ ଅର୍ଥ ଥିବାରୁ ଏଥିରୁ ତାଙ୍କର ସଢୁଙ୍କୁ ମଧ୍ୟ କିଛି ପରିମାଣରେ ମିଳି ଯାଉଥିଲା । ସଢୁ ପାଖରୁ ଭିଜିଲାନ୍ସ ବିଭାଗ ୨୫ ଲକ୍ଷ ଟଙ୍କା ଜବତ କରିଥିଲା ।

କାର୍ଯ୍ୟାନୁଷ୍ଠାନର ଅଭାବ

ରାଜ୍ୟ ସରକାର ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନେଉ ନାହାନ୍ତି, ଯେଉଁଥି ପାଇଁ ଦୁର୍ନୀତିର ଚେର ବଢ଼ି ବଢ଼ି ଚାଲିଛି । ଯଦି ଦୁର୍ନୀତିଗ୍ରସ୍ତ କର୍ମଚାରୀଙ୍କ ପାଇଁ କଠୋର ଦଣ୍ଡ ବ୍ୟବସ୍ଥା ହୁଅନ୍ତା ତା’ହେଲେ ଅନ୍ୟମାନେ ଏହି କାମରେ ଲିପ୍ତ ରହିବାକୁ ସାହାସ କରିପାରନ୍ତେ ନାହିଁ । ଦୁର୍ନୀତିଗ୍ରସ୍ତ ଅଧିକାରୀ ହେଉ ବା କର୍ମଚାରୀ ଯେତେବେଳେ ଭିଜିଲାନ୍ସ ହାତରେ ଧରାପଡୁଛନ୍ତି, କେବଳ ବହିଷ୍କାର ଓ ଗିରଫରେ ସୀମିତ ରହୁଛି । ଯଦି ଜବତ ହୋଇଥିବା ସଂପତ୍ତି ସର୍ବସାଧାରଣଙ୍କ ଉଦ୍ଦେଶ୍ୟରେ ଦେଇ ଦିଆଯାଆନ୍ତା, ତା’ହେଲେ ଅଧିକାରୀମାନେ ଏଭଳି କାମ କରିବାକୁ ସାହାସ କରିପାରନ୍ତେ ନାହିଁ ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments