Monday, May 20, 2024
Homeଗଂଜାମରେ ବ୍ୟାପକ ସମସ୍ୟା, ତଥାପି ଶ୍ରେଷ୍ଠ ଜିଲ୍ଳା
Array

ଗଂଜାମରେ ବ୍ୟାପକ ସମସ୍ୟା, ତଥାପି ଶ୍ରେଷ୍ଠ ଜିଲ୍ଳା

ଭୁବନେଶ୍ବର: ସବୁବେଳେ ହେଡଲାଇନ୍ ତିଆରି କରିବାରେ ଧୂରନ୍ଧର ବିଜେଡି ସରକାର ପୁଣି ଥରେ ଏକ ନୂଆ ଅଭିଜ୍ଞତା ହାସଲ କରିଛି। ଭାରତ ସରକାରଙ୍କ ପଞ୍ଚାୟତିରାଜ ମନ୍ତ୍ରାଳୟ ପକ୍ଷରୁ ‘ଜାତୀୟ ପଞ୍ଚାୟତ ପୁରସ୍କାର-୨୦୨୩’ରେ ଗଂଜାମ ଜିଲ୍ଲା ସାମିଲ ହେବା ପରେ ରାଜ୍ୟ ସରକାରଙ୍କ ମନୋବଳ ଆହୁରି ବଢ଼ିଯାଇଛି। ତୃଣମୂଳସ୍ତରରେ ଲୋକଙ୍କ ଅବସ୍ଥା ଶୋଚନୀୟ ଥିଲେ ବି ନେତା ଓ ପ୍ରଶାସନିକ ଅଧିକାରୀମାନେ ଖୁସି ହୋଇଯାଇଛନ୍ତି। ବାସ୍ତବ କଥା ଯାହା ହେଉନା କାହିଁକି ଗଂଜାମ ଜିଲ୍ଲା ଦେଶର ଶ୍ରେଷ୍ଠ ଜିଲ୍ଲା ପରିଷଦ ଓ ହିଞ୍ଜିଳିକାଟୁ ଦେଶର ଶ୍ରେଷ୍ଠ ବ୍ଲକ ପଞ୍ଚାୟତ ଭାବେ ଘୋଷଣା ପରେ ନେତା, ମନ୍ତ୍ରୀ ଓ ପ୍ରଶାସନକୁ ବହୁତ ଖୁସି ଲାଗୁଛି।

ଗଂଜାମ ଜିଲ୍ଲା ହିଞ୍ଜିଳିକାଟୁର କଣଚୁରା ପଞ୍ଚାୟତକୁ ପୁରସ୍କାର ପାଇଁ ଚୟନ କରାଯାଇଛି। ପରିମଳ ଓ ସବୁଜ ପଞ୍ଚାୟତ ପାଇଁ ଏହି ବ୍ଲକ ଅନ୍ତର୍ଗତ ସ୍ୟାସନ ଅମ୍ବାଗାମ, ଭଂଜନଗର  ବ୍ଲକ କୁଲାଡ ପଞ୍ଚାୟତକୁ ସାମାଜିକ ସୁରକ୍ଷା ପାଇଁ, ଗ୍ରାମ ଉର୍ଜା ସ୍ବରାଜ ବିଶେଷ ପଂଚାୟତ ପୁରସ୍କାର ପାଇଁ ପାତ୍ରପୁର ବ୍ଲକ ଆଙ୍କୁଲି ପଞ୍ଚାୟତ ପୁରସ୍କାର ପାଇଁ ଚୟନ ହୋଇଛି। ‘ଜାତୀୟ ପଞ୍ଚାୟତ ପୁରସ୍କାର-୨୦୨୩’ କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ୧୭ ତାରିଖରେ ‘ଗଂଜାମ ଜିଲ୍ଲା ଦେଶର ଶ୍ରେଷ୍ଠ ଜିଲ୍ଲା ପରିଷଦ ଓ ହିଞ୍ଜିଳିକାଟୁ ଦେଶର ଶ୍ରେଷ୍ଠ ବ୍ଲକ ପଞ୍ଚାୟତ’ ଭାବେ ଚୟନିତ ହୋଇଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସମ୍ମାନିତ କରିବେ। ରାଜ୍ୟର ସବୁଠାରୁ ଅଭାବୀ ଓ ଗରିବ ଜିଲ୍ଲା ଗଂଜାମ ପାଇଁ ଏହି ପୁରସ୍କାର ମିଳୁଥିବାରୁ ବୁଦ୍ଧିଜୀବୀଙ୍କୁ ଘୋର ଆଘାତ ଲାଗୁଛି। ଯେଉଁମାନେ ଗଂଜାମକୁ ତୃଣମୂଳସ୍ତରରେ ଭଲଭାବରେ ଦେଖିଛନ୍ତି ସେମାନଙ୍କୁ ଆଶ୍ଚର୍ଯ୍ୟ ଲାଗୁଛି। ଶିକ୍ଷା, ସ୍ବାସ୍ଥ୍ୟ, ସୁରକ୍ଷା, ରୋଜଗାର, ଅତ୍ୟାବଶ୍ୟକ ଜିନିଷର ଘୋର ଅଭାବ ଥିଲା ଜିଲ୍ଲା କେମିତି ଶ୍ରେଷ୍ଠ ହୋଇପାରିଲା ବୋଲି ଆଶ୍ଚର୍ଯ୍ୟ ହେଉଛନ୍ତି।  

ଗଂଜାମରେ ହାତଗଣତି କାରଖାନା

ଗଂଜାମ ଜିଲ୍ଲା ଦେଶର ଶ୍ରେଷ୍ଠ ଜିଲ୍ଲା ଓ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିକାଟୁ ଶ୍ରେଷ୍ଠ ବ୍ଲକ ହେବା ଖୁସିର ବିଷୟ। କିନ୍ତୁ ଏଇଥି ପାଇଁ କ୍ଷୋଭର ବିଷୟ ହେଲା ଯେ, ଲୋକସଂଖ୍ୟା ଦୃଷ୍ଟିରୁ ରାଜ୍ୟର ସର୍ବବୃହତ୍ ଜିଲ୍ଲାରେ ଲୋକଙ୍କ ପାଇଁ ରୋଜଗାର ସୃଷ୍ଟି ହୋଇପାରିଲା ନାହିଁ। ଫଳରେ ପ୍ରତିଦିନ ଜିଲ୍ଲାରୁ ଯୁବକ, ଯୁବତୀମାନେ ସୁରତ, ଅହମଦାବାଦ, ତାମିଲନାଡୁ, ଆନ୍ଧ୍ରପ୍ରଦେଶକୁ ଦାଦନ ଖଟିବାକୁ ଯାଉଛନ୍ତି। ଦାଦନ ଯାଉଥିବା ଲୋକେ ଆଉ ଫେରିବାକୁ ଚାହୁଁନାହାନ୍ତି। ଏଠାରେ ନିଜର ପୂର୍ବ ପୁରୁଷ ରହୁଛନ୍ତି ବୋଲି ବର୍ଷକୁ ଥରେ ଦିଥର ଆସିବା ଉଚିତ ମନେ କରୁଛନ୍ତି।

ଗଂଜାମରୁ ୫ ଲକ୍ଷ ଦାଦାନ ଖଟୁଛନ୍ତି

ବେସରକାରୀ ଭାବେ କୁହାଯାଇପାରିବ ଯେ, ଗଂଜାମ ଜିଲ୍ଲାର ୫ଲକ୍ଷରୁ ଊଦ୍ଧ୍ବ ଲୋକ ବିଭିନ୍ନ ରାଜ୍ୟରେ ଦାଦନ ଶ୍ରମିକ ଭାବେ କାମ କରୁଛନ୍ତି। ଏଥିରୁ ପ୍ରାୟ ୭୦ରୁ ୭୫ ପ୍ରତିଶତ ଲୋକ ସୁରତର ସୁତାକଳରେ କାମ କରୁଛନ୍ତି। ଜିଲ୍ଲାରୁ କେତେ ଦାଦନ ଶ୍ରମିକ ବାହାର ରାଜ୍ୟରେ ଖଟୁଛନ୍ତି ତା’ର ହିସାବ ଶ୍ରମ ବିଭାଗ ପାଖରେ ମଧ୍ୟ ନାହିଁ। ଯଦି କୌଣସି ସ୍ଥାନରେ ଦାଦନ ଶ୍ରମିକଙ୍କ ମୃତ୍ୟୁ ଘଟୁଛି, ତା’ ହେଲେ ଘଟଣା ଜଣାପଡ଼ୁଛି। ବିଗତ ୩ ମାସ ମଧ୍ୟରେ କେବଳ ଗଂଜାମ ଜିଲ୍ଲାରୁ ୧୧ ଜଣ ଦାଦନ ଶ୍ରମିକଙ୍କର ମୃତ୍ୟୁ ହୋଇଥିବା ଗଣମାଧ୍ୟମର ଖବରରୁ ଜଣାପଡ଼ିଛି। ଅର୍ଥାତ ବର୍ଷକୁ ହାରାହାରୀ ୪୦ ଜଣଙ୍କର ମୃତ୍ୟୁ ହେଉଛି। ଏହି ସମସ୍ୟା ବର୍ଷବର୍ଷ ଧରି ଚାଲି ଆସିଛି। ସମାଧାନ ପାଇଁ ବାଟ ଫିଟୁନାହିଁ। ଗଂଜାମ ତଥା ରାଜ୍ୟରୁ ବେକାରୀ ସମସ୍ୟା ଦୂରକରିବା ଓ ଲୋକଙ୍କୁ ରୋଜଗାର ଦେବା ପାଇଁ ୨୩ ବର୍ଷର ବିଜେଡି ସରକାର ସେହିଭଳି ରୋଡମ୍ୟାପ କରିପାରି ନାହିଁ। ଫଳରେ ରୋଜଗାର ଅନୁସନ୍ଧାନରେ ଲକ୍ଷାଧିକ ଲୋକ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଉଛନ୍ତି। ହେଲେ ସେଠାରେ ବିଭିନ୍ନ ସମୟରେ ଦୁର୍ଘଟଣା, ନିର୍ଯାତନା ଓ ଆକ୍ରମଣ ଭଳି ବିଭିନ୍ନ କାରଣରୁ ସେମାନଙ୍କ ମୃତ୍ୟୁ ଘଟୁଛି।  

ସରକାରଙ୍କୁ ଟାର୍ଗେଟ କଲା ବିଜେପି

ଅନ୍ୟପଟରେ ଦାଦାନଜନିତ ସମସ୍ୟା ନେଇ ରବିବାର ବିଜେଡି ସରକାରକୁ ବିଜେପି ଟାର୍ଗେଟ କରିଛି। ସାମ୍ବାଦିକ ସମ୍ମିଳନୀରେ ସାଧାରଣ ସଂପାଦିକା ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି, କେଉଁ ରାଜ୍ୟରେ କେତେ ଓଡ଼ିଆ ଦାଦାନ ଖଟୁଛନ୍ତି ତାହାର ଏକ ଶ୍ବେତପତ୍ର ପ୍ରକାଶ କରନ୍ତୁ। ଓଡ଼ିଶା ଧନୀ, ବିଜେଡି ଧନୀ କିନ୍ତୁ ଓଡ଼ିଆ ଦାଦାନ ହୋଇଛି। ଏହାର କାରଣ କୁହନ୍ତୁ। ଓଡ଼ିଆ ପୁଅ ଅନ୍ୟ ରାଜ୍ୟକୁ ଦାଦନ ହୋଇ ଯାଇ ଶବ ହୋଇ ଫେରୁଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ଓ ଶ୍ରମମନ୍ତ୍ରୀଙ୍କ ଜିଲ୍ଲା ଗଂଜାମରୁ ଅଧିକ ଦାଦନ ଯାଉଛନ୍ତି। ଗଂଜାମ ଜିଲ୍ଲାରୁ କେବଳ ୫ ଲକ୍ଷ ଲୋକ ଦାଦାନ ଖଟିବାକୁ ଯାଉଛନ୍ତି। ରାଜ୍ୟ ସରକାର ଦାଦନ ପଂଜୀକରଣ କଲେ ଅସଲ ଚେହେରା ପଦାରେ ପଡ଼ିଯିବ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments