Monday, May 20, 2024
Homeଖବରଗର୍ଭବତୀ ମହିଳା: ଯନ୍ତ୍ରଣା ପାଉଛି, ଜୀବନ ଯାଉଛି

ଗର୍ଭବତୀ ମହିଳା: ଯନ୍ତ୍ରଣା ପାଉଛି, ଜୀବନ ଯାଉଛି

ଭୁବନେଶ୍ବର: ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା ଅଧୀନ ନପଙ୍ଗ କବିସାହି ରାସ୍ତାକଡ଼ରୁ ସୋମବାର ପୂର୍ବାହ୍‌ଣରେ ଜଣେ ଗର୍ଭବତୀ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି। ଯେଉଁ ମହିଳାଙ୍କର ମୃତଦେହ ରାସ୍ତାକଡ଼ରୁ ଉଦ୍ଧାର ହୋଇଛି, ସେ ୮ ମାସ ତଳେ ଜଣେ ବିବାହିତ ପୁରୁଷଙ୍କୁ ପ୍ରେମ ବିବାହ କରିଥିଲେ। ଆର୍ଥିକ ବା ସାମାଜିକ ସମସ୍ୟା ହେଉ ଅନ୍ୟ କୌଣସି ବ୍ୟକ୍ତିଗତ କାରଣ ହେଉ ଜଣେ ୨୩ ବର୍ଷ ବୟସର ଯୁବତୀ ତପସ୍ବିନୀ ଦାସଙ୍କ କେଉଁ ପରିସ୍ଥିତିରେ ହତ୍ୟା କରାଗଲା ବା ସେ ନିଜେ ବଞ୍ଚିବାକୁ ଚାହିଁ ନଥିଲେ, ତାହା ତଦନ୍ତ କହିବ। ଆଉ ଯଦିଓ ଅଭିଯୁକ୍ତଙ୍କୁ ଗିରଫ କରି ପଠାଇ ଦିଆଯିବ, ତଥାପି ଯୁବତୀଙ୍କ ପରିବାର ଲୋକଙ୍କ ଆଖିରୁ ଲୁହ ବନ୍ଦ ହେବ ନାହିଁ। ଅନ୍ୟପଟରେ ରାଜ୍ୟରେ ଆଇନଶୃଙ୍ଖଳା ଭରସାଯୋଗ୍ୟ ନୁହେଁ। କାରଣ ବିଗତ ଦିନରେ ରାଜ୍ୟରେ ଅନେକ ମହିଳାଙ୍କୁ ନିର୍ଯାତନାର ଶିକାର ହୋଇ ଜୀବନ ହରାଇବାକୁ ପଡ଼ିଛି ଅଥବା ହତ୍ୟା କରିଦିଆଯାଇଛି, ଯାହାର ତଦନ୍ତ ବର୍ଷବର୍ଷ ଧରି ଚାଲିଛି।

ଏହି ଘଟଣା ହେଉ ବା ମହିଳାଙ୍କ ବିରୋଧରେ ଘଟୁଥିବା ଅନ୍ୟ ଘଟଣା ଦେଖିଲା ପରେ ସ୍ବଷ୍ଟ ଭାବେ ଏତିକି କୁହାଯାଇ ପାରିବ ଯେ, ଆମର ମା’ ଓ ଭଉଣୀମାନେ ସଶକ୍ତ ହୋଇପାରି ନାହାନ୍ତି। ଆମ ସମାଜରେ ମା’ ଓ ଭଉଣୀମାନେ ଦୁଷ୍କର୍ମ ଓ ଆର୍ଥିକ ଦୃଷ୍ଟିକୋଣରୁ ସ୍ବଚ୍ଛଳ ହୋଇ ନିର୍ଯ୍ୟାତନାମୁକ୍ତ ହେବେ, ସେହିଦିନ ଯାଇ ପ୍ରକୃତରେ ମହିଳା ସଶକ୍ତୀକରଣର ଯୁଗ ଆରମ୍ଭ ହେଲା ବୋଲି କୁହାଯାଇ ପାରିବ। ସରକାରଙ୍କ ହେଡଲାଇନ୍‌ ଭାଷଣବାଜୀରେ ମହିଳା ସଶକ୍ତୀକରଣ ହୋଇପାରିବ ନାହିଁ। ବରଂ ସମାଜର ପ୍ରତ୍ୟେକ ପୁରୁଷଙ୍କର ମାନସିକତା ବଦଳିବା ପରେ ମହିଳାମାନେ ସଶକ୍ତୀକରଣ ହୋଇପାରିବେ।

ଓଡ଼ିଶା ମିସନ ଶକ୍ତି

ଓଡ଼ିଶା ସରକାର ମହିଳାଙ୍କୁ ସଶକ୍ତୀକରଣ କରିବା ଲକ୍ଷ୍ୟରେ ହେଉ ବା ଭୋଟ ବ୍ୟାଙ୍କ ପ୍ରସ୍ତୁତ କରନ୍ତୁ, ମିସନ ଶକ୍ତି ନାଁରେ ଗାଁରୁ ସହର ଯାଏଁ ଗୋଷ୍ଠୀ ଗଢ଼ିଛନ୍ତି। ସ୍ବୟଂ ସହାୟକ ଗୋଷ୍ଠୀ (ଏସ୍‌ଏଚ୍‌ଜି) ଦଳ ମାଧ୍ୟମରେ ମହିଳାମାନଙ୍କୁ ରୋଜଗାରକ୍ଷମ କରାଉଛନ୍ତି ବୋଲି ନିଜେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନେକ ସମୟରେ ଭାଷଣବାଜି ମଧ୍ୟ କରୁଛନ୍ତି। ଓଡ଼ିଶା ସରକାରଙ୍କଦ୍ୱାରା ୨୦୦୧ ମସିହା ମାର୍ଚ୍ଚ ୮ ତାରିଖରେ ଆନ୍ତଜାତିକ ମହିଳା ଦିବସରୁ ପ୍ରଚଳନ କରାଯାଇଥିବା ଏହି ଯୋଜନା ମାଧ୍ୟମରେ ମହିଳା ସ୍ୱୟଂ ସହୟିକା ଗୋଷ୍ଠୀ ଗୁଡିକୁ ସଂଗଠିତ ଓ ମଜବୁତ କରିବା ମୂଳ ଉଦ୍ଦେଶ୍ୟ ଥିଲା। ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ଓ ମିସନ ଶକ୍ତି ଯୋଜନା ଏକତ୍ର କାର୍ଯ୍ୟ କରନ୍ତି । ୨୦୨୦ ମସିହା ମାର୍ଚ୍ଚ ୮ ତାରିଖରେ ଆନ୍ତଜାତିକ ମହିଳା ଦିବସରେ, ରାଜ୍ୟ ସରକାର ମିସନ ଶକ୍ତିକୁ ଏକ ସ୍ୱତନ୍ତ୍ର ବିଭାଗ ଭାବରେ ଘୋଷଣା କରିଥିଲେ।ଏହି ମିସନ ମାଧ୍ୟମରେ ଏବେ ୬ ଲକ୍ଷ ଦଳରେ ୭୦ ଲକ୍ଷ ମହିଳା ସାମିଲ ଅଛନ୍ତି। କିନ୍ତୁ ଏହି ଦଳଗୁଡ଼ିକ ସମସ୍ତେ ନିଜନିଜ ବ୍ୟକ୍ତିଗତ କାମ ଉପରେ ଅଧିକ ଚିନ୍ତିତ।

ଗର୍ଭବତୀଙ୍କୁ ଖିଆ ଭରସା

ରାଜ୍ୟର ବିକାଶ ମୂଳକ ବ୍ୟବସ୍ଥା ଚିନ୍ତା ଜନକ। ମାଲକାନଗିରି ଜିଲ୍ଲାର ମାଛକୁଣ୍ଡ ଠାରୁ ମୟୂରଭଂଜ ଜିଲ୍ଲାର ରାଇରଂଗପୁର ବ୍ଲକ ଯାଏଁ ବ୍ୟାପକ ଅସୁବିଧା। ଗମନାଗମନର ଅବସ୍ଥା ଏଭଳି ଯେ, ଅନେକ ଗାଁକୁ ଆମ୍ବୁଲାନ୍ସ ଯାଇପାରେ ନାହିଁ, ଯେଉଁଥି ପାଇଁ ଗର୍ଭବତୀଙ୍କୁ ଆମ୍ବୁଲାନ୍ସରେ ପହଞ୍ଚାଇବା ପାଇଁ ପରିବାର ଲୋକଙ୍କୁ ୪କିମି ଖିଆରେ ବୁହାଯିବା ନଜିର ରହିଛି। ଅନ୍ୟପଟରେ ଆମ୍ବୁଲାନ୍ସକୁ ଯୋଗାଯୋଗ କରାଗଲେ, ଅନେକ ଡାକ୍ତରଖାନାରେ ଏହି ସୁବିଧା ନଥାଏ। ଗର୍ଭବତୀଙ୍କୁ ଖଟିଆରେ ବୁହାହେବା ଏକ ସାଧାରଣ ଖବର ହୋଇଯାଇଛି। ଏପରିକି ଗୋଟିଏ ଦିନରେ ୨ଟି ଏଭଳି ଘଟଣା ମଧ୍ୟ ଦେଖିବାକୁ ମିଳିଛି।

ନିର୍ଯାତିତ ମହିଳା

ରାଜ୍ୟରେ ମହିଳାମାନେ ସୁରକ୍ଷିତ ନୁହଁନ୍ତି। ଏଥିରେ ଗର୍ଭବତୀ ମଧ୍ୟ ସାମିଲ ଅଛନ୍ତି। ଗତବର୍ଷ ଅଗଷ୍ଟ ୧ ତାରିଖରେ ସ୍ଵାମୀର ନିର୍ଯାତନାକୁ ସହି ନପାରି ଜଣେ ୭ ମାସର ଗର୍ଭବତୀ ମହିଳା ନିଜ ଜୀବନ ଶେଷ କରିଥିଲେ। ନବରଙ୍ଗପୁର ଜିଲ୍ଲାର ଉମରକୋଟ ଥାନା ଅନ୍ତର୍ଗତ ତହରା ଗ୍ରାମ ପଞ୍ଚାୟତର ଅର୍ଜୁନପାଣି ଗ୍ରାମରେ ଏହି ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା। ବିହାର ଅଞ୍ଚଳର ଜଣେ ୨୨ ବର୍ଷୀୟା ଯୁବତୀ ସୋର ଅଞ୍ଚଳର ଜଣେ ଯୁବକଙ୍କୁ ପ୍ରେମ ବିବାହ କରିବା ପରେ ପ୍ରତାରଣାର ଶିକାର ହୋଇ ସୋର ଥାନାରେ ଦ୍ୱାରସ୍ଥ ହୋଇଥିଲେ। ଏହି ଘଟଣା ଗତ ଫେବ୍ରୁଆରି ମାସରେ ଘଟିଥିଲା। ସୋର ଥାନା ସବିରା ଅଞ୍ଚଳର ଅବିନାଶ ପରିଡା ହାଇଦ୍ରାବାଦର ଏକ ରେଷ୍ଟୁରାଣ୍ଟରେ କାମ କରିବା ସମୟରେ ବିହାର ଅଞ୍ଚଳର ଜଣେ ଯୁବତୀଙ୍କ ପ୍ରେମରେ ପଡ଼ିଥିଲେ। ଗତବର୍ଷ ଡିସେମ୍ବରରେ ମନ୍ଦିରରେ ଓ ଚଳିତ ବର୍ଷ ଜାନୁଆରିରେ ନୋଟାରି ବିବାହ କରିଥିଲେ। ପରେ ଅବିନାଶ ଉକ୍ତ ଯୁବତୀଙ୍କର ଲାପଟପ, ମୋବାଇଲ, କିଛି ଗହଣା ଓ ନଗଦ ୬୦ ହଜାର ଟଙ୍କା ନେଇ ଫେରାର ହୋଇଯାଇଥିଲେ।

ଗର୍ଭବତୀଙ୍କୁ ଦୁଷ୍କର୍ମ

ଗର୍ଭବତୀ ମହିଳାମାନେ କେବଳ ଓଡ଼ିଶରେ ଯନ୍ତ୍ରଣା ବା ନିର୍ଯାତନା ପାଇଛନ୍ତି ତାହା ନୁହେଁ, ବରଂ ଅନ୍ୟ ରାଜ୍ୟରେ ମଧ୍ୟ ସମାନ ପରିସ୍ଥିତି ଦେଖିବାକୁ ମିଳୁଛି। ଗତବର୍ଷ ନଭେମ୍ବର ପ୍ରଥମ ସପ୍ତାହରେ ଉତ୍ତରପ୍ରଦେଶରେ ଛୁରୀ ଦେଖାଇ ଜଣେ ଗର୍ଭବତୀ ମହିଳାଙ୍କ ସହ ୨ ଜଣ ଅଭିଯୁକ୍ତ ଦୁଷ୍କର୍ମ କରିଥିଲେ। ପିଲିଭିତ୍ ଜିଲ୍ଲାର ସୁନଗଢ଼ୀ ପୁଲିସ ଷ୍ଟେସନ ଅଧିନରେ ଥିବା ଏକ ଗାଁରେ ଜଣେ ଗର୍ଭବତୀ ମହିଳାଙ୍କ ସହ ଦୁଷ୍କର୍ମ କରାଯାଇଥିଲା। ପୀଡ଼ିତା ନିଜ ସ୍ୱାମୀଙ୍କୁ ଖାଦ୍ୟ ଦେଇ ଘରକୁ ଫେରୁଥିବା ବେଳେ ଦୁଇଜଣ ବ୍ୟକ୍ତି ଛୁରୀ ଦେଖାଇ ତାଙ୍କ ସହ ଦୁଷ୍କର୍ମ କରିଥି‌ଲେ ବୋଲି ଅଭିଯୋଗ ହୋଇଥିଲା।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments