Monday, May 20, 2024
Homeଚିନ୍ତା ବଢ଼ାଉଛି ବିଶ୍ୱର ଜନସଂଖ୍ୟା ବୃଦ୍ଧି
Array

ଚିନ୍ତା ବଢ଼ାଉଛି ବିଶ୍ୱର ଜନସଂଖ୍ୟା ବୃଦ୍ଧି

ଭୁବନେଶ୍ୱର: ପ୍ରତିବର୍ଷ ଜୁଲାଇ ୧୧ ତାରିଖକୁ ବିଶ୍ୱ ଜନସଂଖ୍ୟା ଦିବସ ଭାବେ ପାଳନ କରାଯାଉଛି । ବିଶ୍ୱରେ ହୁହୁ ହୋଇ ବଢୁଥିବା ଲୋକସଂଖ୍ୟାରେ ନିୟନ୍ତ୍ରଣ ଆଣିବା ପାଇଁ ସଚେତନତାମୂଳକ ବାର୍ତ୍ତା ଦିଆଯାଉଛି । ବର୍ତ୍ତମାନ ପରିପ୍ରେକ୍ଷୀରେ ଜନସଂଖ୍ୟା ବୃଦ୍ଧି ଆମ ସମସ୍ତଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି । ଚୀନ ଓ ଭାରତ ସହିତ ଅନ୍ୟ ଦେଶରେ ମଧ୍ୟ ଲୋକସଂଖ୍ୟା ଆଶାତୀତ ଭାବେ ବୃଦ୍ଧି ହୋଇଛି । ମାତ୍ରାଧିକ ଲୋକସଂଖ୍ୟା ବୃଦ୍ଧି ଆଗାମୀ ଦିନରେ ବିଶ୍ୱ ଧ୍ୱଂସ ହେବାର କାରଣ ବୋଲି କେହି କେହି କହୁଛନ୍ତି । ସଂଯୁକ୍ତ ରାଷ୍ଟ୍ର କହିବା ଅନୁସାରେ ଶହ ଶହ ବର୍ଷ ପରେ ବିଶ୍ୱରେ ଜନସଂଖ୍ୟା ୧ ବିଲିୟନ ଅତିକ୍ରମ କରଥିବା ବେଳେ ମାତ୍ର ୨୦୦ ବର୍ଷରେ ଏହି ସଂଖ୍ୟା ୭ ଗୁଣ ବଢ଼ିଛି ।

ବର୍ଷ ୨୦୧୧ରେ ବିଶ୍ୱର ଜନସଂଖ୍ୟା ୭ ବିଲିୟନରେ ପହଂଚିଥିଲା ଏବଂ ଆଜିର ଦିନରେ ଏହି ସଂଖ୍ୟା ୭.୭ ବିଲିୟନ ହୋଇଛି । ଯାହା ଆଶା କରାଯାଉଛି ୨୦୩୦ ମସିହା ବେଳକୁ ବିଶ୍ୱର ଜନସଂଖ୍ୟା ୮.୫ ବିଲିୟନରେ ପହଂଚିସାରିଥିବ । ସେହିପରି ୨୦୫୦ରେ ୯.୭ ବିଲିୟନ ଏବଂ ୨୧୦୦ ମସିହା ବେଳକୁ ବିଶ୍ୱରେ ୧୦.୯ ବିଲିୟନ ଲୋକ ବସବାସ କରୁଥିବେ । ତେଣୁ ଏବେ ଠାରୁ ବିଶ୍ୱବାସୀଙ୍କୁ ସତର୍କ ରହିବାର ଅଛି । କାରଣ ଲୋକସଂଖ୍ୟା ବୃଦ୍ଧି ଆଗାମୀ ଦିନରେ ବିନାଶର ଅନ୍ୟତମ କାରଣ ହୋଇପାରେ ।

୩ଟି ଦେଶରେ ୪୦.୧୨ ପ୍ରତିଶତ ଲୋକ

ଲୋକସଂଖ୍ୟା ବୃଦ୍ଧି ଯୋଗୁଁ ସମାଜରେ ଏକାଧିକ ସମସ୍ୟା ଉପୁଜୁଛି । ବିଶେଷ କରି ଖାଦ୍ୟାଭାବ, ଚିକିତ୍ସା ସେବାରେ ବାଧା ପହଂଚୁଛି । ତେଣୁ ସମସ୍ତଙ୍କୁ ପରିବାର ଯୋଜନା, ଦାରିଦ୍ର‌୍ୟତା, ସ୍ୱାସ୍ଥ୍ୟ, ନାଗରିକର ଅଧିକାର ଉପରେ ଚିନ୍ତା କରିବାକୁ ଅଛି । ବିଶ୍ୱରେ ଚୀନ ପରେ ଭାରତ ହେଉଛି ୨ୟ ଜନବହୁଳ ଦେଶ । ବିଶ୍ୱରେ ଥିବା ଲୋକ ସଂଖ୍ୟାର ୧୮.୪୭ ପ୍ରତିଶତ ଲୋକ ଚୀନବାସୀ । ବିଶ୍ୱର ଜନସଂଖ୍ୟାରେ ଭାରତର ଭାଗ ୧୭.୭୦ ଓ ସଂଯୁକ୍ତ ରାଷ୍ଟ୍ରର ଲୋକସଂଖ୍ୟା ୪.୨୫ ପ୍ରତିଶତ । ଅର୍ଥାତ ବିଶ୍ୱର ମୋଟ ଜନସଂଖ୍ୟାର ଚୀନ, ଭାରତ ଓ ସଂଯୁକ୍ତ ରାଷ୍ଟ୍ରରେ ୪୦.୧୨ ପ୍ରତିଶତ ଲୋକ ରୁହନ୍ତି ।

ଭାରତର ୪ଟି ରାଜ୍ୟରେ ୫୦ କୋଟି ଲୋକ

ଭାରତର ମୋଟ ୧୩୦ କୋଟି ଲୋକ ସଂଖ୍ୟାରୁ ଉତ୍ତର ପ୍ରଦେଶରେ ରୁହନ୍ତି ୨୦ କୋଟି ୪୨ ଲକ୍ଷ । ୨୦୧୧ ଜନଗଣନା ଅନୁସାରେ ମହାରାଷ୍ଟ୍ରର ଜନସଂଖ୍ୟା ୧୧.୨୩ କୋଟି, ବିହାରରେ ୧୦.୪ କୋଟି ଓ ପଶ୍ଚିମବଙ୍ଗରେ ୯.୧୨ କୋଟି ଲୋକ ଥିଲେ । ଅର୍ଥାତ କେବଳ ୪ଟି ରାଜ୍ୟର ଲୋକସଂଖ୍ୟା ୫୦ କୋଟିରୁ ଅଧିକ । ତେଣୁ ସରକାରଙ୍କ ଚିନ୍ତା ବଢ଼ିଛି । ଉତ୍ତର ପ୍ରଦେଶ ସରକାର ଲୋକସଂଖ୍ୟା ନିୟନ୍ତ୍ରଣ ପାଇଁ ନୂତନ ଡ୍ରାଫ୍ଟ ପ୍ରସ୍ତୁତ କରିଛି ।

ଉତ୍ତରପ୍ରଦେଶରେ ନୂଆ ଜନସଂଖ୍ୟା ନୀତି

ଉତ୍ତରପ୍ରଦେଶ ସରକାର ରାଜ୍ୟର ସମସ୍ତ ନାଗରିକଙ୍କୁ ଭଲ ସୁବିଧା ଦେବା ପାଇଁ ଉଦ୍ୟମ କରୁଛି । ଏଥି ପାଇଁ ଜନସଂଖ୍ୟା ନିୟନ୍ତ୍ରଣ ଉପରେ ଜୋର ଦେଇଛନ୍ତି । ରାଜ୍ୟ ସରକାର ବର୍ଦ୍ଧିତ ଜନସଂଖ୍ୟା ଉପରେ ନିୟନ୍ତ୍ରଣ ଆଣିବା ପାଇଁ ସ୍ୱତନ୍ତ୍ର ଯୋଜନା ପ୍ରସ୍ତୁତ କରୁଛନ୍ତି । ଉତ୍ତର ପ୍ରଦେଶ ଆଇନ ଆୟୋଗ ଉତ୍ତରପ୍ରଦେଶ ଜନସଂଖ୍ୟା ବିଧେୟକ-୨୦୨୧ ଡ୍ରାଫ୍ଟ ପ୍ରସ୍ତୁତ କରିଛି । ଡ୍ରାଫ୍ଟ ଅନୁସାରେ ୨ରୁ ଅଧିକ ସନ୍ତାନ ଥିବା ଲୋକ ଏକାଧିକ ସୁବିଧାରୁ ବଂଚିତ ହେବେ । ସରକାରୀ ଚାକିରୀ ପାଇଁ ସଂପୃକ୍ତ ବ୍ୟକ୍ତି ଆବେଦନ କରିପାରିବେ ନାହିଁ । ସ୍ଥାନୀୟ ପୌର ନିର୍ବାଚନ ଲଢ଼ିବା ମନା ତଥା ଅନ୍ୟ ସରକାରୀ ଯୋଜନାରୁ ବାଦ୍ ପଡ଼ିବାର ଆଶା ରହୁଛି । ଆୟୋଗ ଡ୍ରାଫ୍ଟକୁ ନିଜର ୱେବସାଇଟରେ ଅପଲୋଡକରିଛି । ଜୁଲାଇ ୧୯ ଯାଏଁ ଜନତାଙ୍କୁ ରାୟ ମାଗିଛି ।

ଗରିବୀ-ନିରକ୍ଷରତା ଦାୟୀ

ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗତ ୮ ତାରିଖରେ କହିଥିଲେ ଯେ, ଗରିବି ଓ ନିରକ୍ଷର ବଢ଼ିବାର କାରଣ ହେଉଛି ଜନସଂଖ୍ୟା ବୃଦ୍ଧି । ଏହାରି କାରଣରୁ ଲୋକଙ୍କ ମଧ୍ୟରେ ସଚେତନତାର ବାର୍ତ୍ତା କମ ହେଉଛି । ତେଣୁ ଏଥି ପାଇଁ ସାମୂହିକ ଭାବେ କାମ କରିବାର ଆବଶ୍ୟକତା ରହିଛି । ରାଜ୍ୟରେ ନୂତନ ଜନସଂଖ୍ୟା ନୀତିର ଆବଶ୍ୟକତା ରହିଛି ।

ପୂର୍ବତନ ମନ୍ତ୍ରୀଙ୍କ ଆକ୍ରୋଶ

ଭାରତର ପୂର୍ବତନ ବିଦେଶ ମନ୍ତ୍ରୀ ସଲମାନ ଖୁର୍ଶୀଦ ଉତ୍ତର ପ୍ରଦେଶ ସରକାର ଦ୍ୱାରା ଅଣାଯିବାକୁ ଥିବା ନୂଆ ଜନସଂଖ୍ୟା ନୀତିକୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି ସରକାରଙ୍କ ମନ୍ତ୍ରୀ ଏବଂ ନେତା ନିଜର ବୈଧ ଓ ଅବୈଧ ସନ୍ତାନଙ୍କ ବିଷୟରେ ତାଲିକା ଦିଅନ୍ତୁ । ପଂଚାୟତ ନିର୍ବାଚନରେ ଯାହା ହେଲା, ତାକୁ ନିର୍ବାଚନ କୁହାଯାଇପାରିବ ନାହିଁ ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments