Monday, May 20, 2024
Homeଖବରଡାକ୍ତରଖାନାରେ ମନ୍ତ୍ରୀ, ବିଧାୟକ

ଡାକ୍ତରଖାନାରେ ମନ୍ତ୍ରୀ, ବିଧାୟକ

ଭୁବନେଶ୍ବର: ସେବା ଓ ସମର୍ପଣ ମନୋଭାବ ହେଉ କି ଲୋକପ୍ରିୟତା ହାସଲ କରିବା ଲକ୍ଷ୍ୟ ହେଉ ଆଜିର ଦିନରେ ଅନେକ ଜଣାଶୁଣା ବ୍ୟକ୍ତି ଭଲ ବା ମନ୍ଦ କାମ କରି ଚର୍ଚ୍ଚାକୁ ଆସୁଛନ୍ତି। ଭଲକାମ କରି ଚର୍ଚ୍ଚାକୁ ଆସୁଥିବା ଲୋକଙ୍କୁ ସମସ୍ତେ ପ୍ରଶଂସା କରିଥାନ୍ତି। କିନ୍ତୁ ଜବାବରେ କିଛି ଲୋକ ସରକାରୀ ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ମଧ୍ୟ ସୃଷ୍ଟି କରିଥାନ୍ତି। ବିଗତ ଦିନରେ ଆମେ ଦେଖିଛେ ଯେ, ସରକାରୀ ବାବୁ ହୁଅନ୍ତୁ ଅବା ନେତାମାନେ ସ୍କୁଲରେ ପଢ଼ାଇଛନ୍ତି ଓ ରୋଗୀଙ୍କୁ ଡାକ୍ତରଖାନାକୁ ନେଇଛନ୍ତି। କିନ୍ତୁ ବାସ୍ତବରେ ଏହା ଏକ ମହାନ କାର୍ଯ୍ୟ କୁହାଯାଇ ପାରିବ ନାହିଁ। ସରକାରୀ ବାବୁ ହୁଅନ୍ତୁ ଅବା ନେତାମାନଙ୍କର କାମ ହେଲା କୌଣସି ପ୍ରକାରରେ ଲୋକଙ୍କର ସେବା କରିବା।

ରୋଗୀ ଚିକିତ୍ସା କଲେ ବିଧାୟକ

ସ୍ବାସ୍ଥ୍ୟର ଉନ୍ନତି ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ରାଜ୍ୟ ସରକାର ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଓ ପ୍ରତି ଜିଲ୍ଲାରେ ୬ ମହଲା କୋଠା ବିଶିଷ୍ଟ ଡାକ୍ତରଖାନା ନିର୍ବାଣ ନେଇ ବାହାସ୍ପୋଟ ମାରୁଥିବା ବେଳେ ତୃଣମୂଳସ୍ତରରେ ଲେକେ କିଭିଳି ଚିକିତ୍ସା ସୁବିଧା ପାଇପାରୁଛନ୍ତି, ନିକଟରୁ ନଦେଖିଲେ ତାହା ବିଶ୍ବାସ ହୋଇ ନଥାାଏ। ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଡାକ୍ତରମାନେ ଦଶହରା ଛୁଟିରେ ଯିବା ପରେ ସେଠାରେ ବିଧାୟକ ଡକ୍ଟର ସିଏସ ରାଜେନ ଏକ୍କାଙ୍କୁ ରୋଗୀ ଚିକିତ୍ସା କରିବାକୁ ପଡ଼ିଛି। ଅକ୍ଟୋବର ୨୫ରୁ ଲଗାତାର ଦୁଇ ଦିନ ଯାଏଁ ସେ ରୋଗୀଙ୍କ ଚିକିତ୍ସା କରୁଥିବାର ଖବର ଗଣମାଧ୍ୟମର ଦେଖିବାକୁ ମିଳିଛି। ଏଠାରେ ଥିବା ସିଏଚ୍ସିରେ ରୋଗୀ ସେବା ବିପର୍ଯ୍ୟସ୍ତ ହୋଇପଡ଼ିଥିବାରୁ ବିଧାୟକଙ୍କୁ ରୋଗୀ ଚିକିତ୍ସା କରିବାକୁ ପଡ଼ିଛି। ଅକ୍ଟୋବର ୨୫ରେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଓପିଡି ସମ୍ପୂର୍ଣ୍ଣ ରୂପେ ବନ୍ଦ ଥିଲା। ରୋଗୀମାନେ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆସି ବହୁ ଅସୁବିଧାର ସମ୍ମୁଖୀନ ହେଉଥିଲେ। ଏହା ଜାଣିବା ପରେ ବିଧାୟକ ଡକ୍ଟର ସିଏସ ରାଜେନ ଏକ୍କା ପହଞ୍ଚି ଓପିଡିରେ ବସି ରୋଗୀ ଚିକିତ୍ସା କରିଥିଲେ।  ଡାକ୍ତର ଏକ୍କାଙ୍କ ସେବା ମନୋଭାବକୁ ବୁଦ୍ଧିଜୀବୀ ମହଲରେ ପ୍ରଶଂସା କରାଯାଉଛି।

ରକ୍ତଦାତାଙ୍କ ରକ୍ତ ଟାଣି ମନ୍ତ୍ରୀ

ନିକଟରେ ରାଜ୍ୟ ସରକାରଙ୍କ ଶ୍ରମମନ୍ତ୍ରୀ ସାରଦା ନାୟକ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ ଅବସରରେ ରାଉରକେଲା ସରକାରୀ ଡାକ୍ତରଖାନାସ୍ଥିତ ରକ୍ତଭଣ୍ଡାରରେ ଆୟୋଜିତ ରକ୍ତଦାନ ଶିବିରରେ ଜଣେ ରକ୍ତଦାତାଙ୍କ ରକ୍ତ ଟାଣିଥିଲେ। ଏହାକୁ ନେଇ ନେଇ ଗଣମାଧ୍ୟମରେ ବିବାଦ ଦେଖାଯାଇଥିଲା। ରକ୍ତ ସଂଗ୍ରହ ଏକ ସମ୍ବେଦନଶୀଳ କାର୍ଯ୍ୟକ୍ରମ, ସତର୍କ ଓ ସୁରକ୍ଷିତ ପ୍ରକ୍ରିୟା ମଧ୍ୟରେ ଅଭିଜ୍ଞ କର୍ମଚାରୀ ହାତରେ ଗ୍ଲୋଭ ଲଗାଇ ରକ୍ତ ଟାଣିଥାନ୍ତି। କିନ୍ତୁ ରକ୍ତ ଟାଣିଲା ବେଳେ ମନ୍ତ୍ରୀ ହାତରେ ଗ୍ଲୋଭ ଲଗାଇ ନଥିଲେ। ଏପରିକି ମନ୍ତ୍ରୀ ଗୁଡ୍ଡୁ ସୋନାର ନାମକ ଜଣେ ବିଜେଡି କର୍ମକର୍ତ୍ତା ରକ୍ତଦାତାଙ୍କ ହାତରେ ଠିକ୍ ଭାବରେ ଛୁଞ୍ଚି ଲଗାଇ ପାରୁ ନଥିଲେ। ଏହି ଅଭାବନୀୟ ପରିସ୍ଥିତିକୁ ସାଧାରଣରେ ନାପସନ୍ଦ କରାଯାଇଥିଲା। କେଉସ୍ଥିତିରେ ମନ୍ତ୍ରୀ ଶ୍ରୀ ନାୟକଙ୍କୁ ରକ୍ତ ଟାଣିବାକୁ ଅନୁମତି ଦିଆଗଲା ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା।

ବାପ-ପୁଅଙ୍କୁ ଡାକ୍ତରଖାନା ନେଇଥିଲେ ବିଧାୟକ

ଗତବର୍ଷ ଅକ୍ଟୋବର ମାସ ୧୦ ତାରିଖର ଘଟଣା। ସଡକ ଦୁର୍ଘଟଣାରେ ଆହତ ବାପ-ପୁଅଙ୍କୁ ଉଦ୍ଧାର ପରେ ଦେବଗଡ ବିଧାୟକ ସୁବାସ ପାଣିଗ୍ରାହୀ ନିଜ ଗାଡିରେ ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ।  ଏକ କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗ ଦେବାପାଇଁ ବିଧାୟକ ଶ୍ରୀ ପାଣିଗ୍ରାହୀ ରାଞ୍ଚି-ବିଜୟୱାଡା ରାସ୍ତାଦେଇ ପଳସମା ଗ୍ରାମକୁ ଯାଉଥିଲେ।  ରିଆମାଳ ବ୍ଲକ କୁଣ୍ଢେଇଗୋଳା ଥାନା ଅନ୍ତର୍ଗତ ତଲେସର ଗ୍ରାମ ନିକଟସ୍ଥ ରାଞ୍ଚି-ବିଜୟୱାଡା ରାସ୍ତାରେ ୨ ଜଣ ଗୁରୁତର ଆହତ ଅବସ୍ଥାରେ ରାସ୍ତାରେ ପଡିଥିବା ଦେଖିବାକୁ ପାଇଥିଲେ। ଶ୍ରୀ ପାଣିଗ୍ରାହୀ କାରର ଚାଳକକୁ ସେଠାରେ କାରଟିକୁ ଅଟକାଇବାକୁ କହିବାସହ ନିଜେ କାରରୁ ଓହ୍ଲାଇ ସେମାନଙ୍କର ଅବସ୍ଥା ଅନୁଧ୍ୟାନ ସହ ଆହତମାନଙ୍କର ପରିଚୟ ପଚାରି ବୁଝିଥିଲେ। ଏହାପରେ ସେ ନିଜ ସମର୍ଥକଙ୍କ ସହାୟତାରେ ଉଭୟ ଆହତ ବାପ-ପୁଅଙ୍କୁ ଉଦ୍ଧାର ପରେ ଚିକିତ୍ସା ନିମନ୍ତେ ନିଜ କାର ଯୋଗେ ଦେବଗଡ ଜିଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ।  

ସମ୍ଭାବ୍ୟ କରୋନା ରୋଗୀଙ୍କୁ ଡାକ୍ତରଖାନାରେ ପହଞ୍ଚାଇଲେ

ଜଣେ ସମ୍ଭାବ୍ୟ କରୋନା ରୋଗୀଙ୍କୁ ଆମ୍ବୁଲାନ୍ସ ନ ମିଳିବାରୁ ପିପିଇ କିଟ୍ ପିନ୍ଧି ମଟର ସାଇକଲରେ ବସାଇ ନେତା ଜଣକ ଡାକ୍ତରଖାନା ନେଇ ଯାଉଥିବାର ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ୨୦୦୦ ମସିହା ଅଗଷ୍ଟ ମାସରେ ଏହି ଖବର ଗଣମାଧ୍ୟମକୁ ଆସିଥିଲା। ତୃଣମୂଳ କଂଗ୍ରେସର ନେତାଙ୍କ ଏଭଳି ଉଦ୍ୟମକୁ ସବୁସ୍ତରରେ ପ୍ରଶଂସା କରାଯାଇଥିଲା। ପଶ୍ଚିମବଙ୍ଗର ଝାଡ଼ଗ୍ରାମ ସିଜୁଆ ଗ୍ରାମର ଅମଲ ବାରିକ ବାହାର ରାଜ୍ୟରେ କାମ କରୁଥିଲେ। ତାଙ୍କୁ ଜର ହେଉଥିଲା ଏବଂ କରୋନାର ଲକ୍ଷଣ ମଧ୍ୟ ଦେଖା ଦେଇଥିଲା। ଜର ନ ଛାଡ଼ିବାରୁ କାଳେ କରୋନାରେ ସଂକ୍ରମିତ ହୋଇଥିବେ ତେଣୁ ଡାକ୍ତରଖାନା ଯିବାକୁ ଆମ୍ବୁଲାନ୍ସକୁ ଫୋନ୍ କରିଥିଲେ। ତାଙ୍କ ପତ୍ନୀ ଓ ଦୁଇ ପିଲା ମଧ୍ୟ ବହୁ ଚେଷ୍ଟା ସତ୍ତ୍ବେ ଆମ୍ବୁଲାନ୍ସ ଯୋଗାଡ଼ କରିପାରି ନଥିଲେ। ଟିଏମ୍ସି ନେତା ଯୁବକଙ୍କୁ ନିଜ ଗାଡ଼ିରେ ଡାକ୍ତରଖାନା ନେଇଥିଲେ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments