Monday, May 20, 2024
Homeତେଲ ଦର ହ୍ରାସ, କେବେ କମିବ ଅନ୍ୟ ଜିନିଷର ଦାମ୍‌
Array

ତେଲ ଦର ହ୍ରାସ, କେବେ କମିବ ଅନ୍ୟ ଜିନିଷର ଦାମ୍‌

ଭୁବନେଶ୍ୱର: କେନ୍ଦ୍ର ସରକାର ପେଟ୍ରୋଲ ଓ ଡିଜେଲ ଉପରୁ ଏକ୍ସାଇଜ ଡ୍ୟୁଟି ହ୍ରାସ କରିଛନ୍ତି। ଫଳରେ ପେଟ୍ରୋଲ ଓ ଡିଜେଲ ଦର କମିଛି। ଏଥି ସହିତ ଉଜ୍ଜ୍ୱଳା ଯୋଜନାରେ ହିତାଧିକାରୀମାନଙ୍କୁ ସିଲିଣ୍ଡର ପିଛା ୨୦୦ ଟଙ୍କା ରିହାତି ମିଳିପାରୁଛି। ପେଟ୍ରୋଲ-ଡିଜେଲ ଦର ହ୍ରାସ ପାଇବାରୁ ଦେଶର ଜନତା ଖୁସି ଅନୁଭବ କରୁଛନ୍ତି। ତେଲ ଦର କେତେ ଦିନ ପର୍ଯ୍ୟନ୍ତ ସ୍ଥିର ରହିବ, ତାହା ଭିନ୍ନ କଥା। କିନ୍ତୁ ଯଦି ଏହା ଅସାମୟିକ ପାଇଁ ମଧ୍ୟ ହୋଇଥାଏ, ଅତିକମରେ ବ୍ୟକ୍ତିଗତ ସ୍ତରରେ ଲୋକଙ୍କୁ ଆଶ୍ୱସ୍ତି ମିଳିଛି। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପେଟ୍ରୋଲ ଲିଟର ପିଛା ୯ଟଙ୍କା ୫୦ ପଇସା ଓ ଡିଜେଲ ଲିଟର ପିଛା ୭ ଟଙ୍କା ହ୍ରାସ କରିବା ନେଇ ଶନିବାର ଘୋଷଣା କରିବା ପରେ ରବିବାର ସକାଳ ୬ଟାରୁ ନୂଆ ଦଳ ଲାଗୁ ହୋଇଛି।

ଏବେ ସବୁଠାରୁ ବଡ଼ କଥା ହେଲା ଯେ, ଦୋକାନୀମାନେ ପେଟ୍ରୋଲ ଓ ଡିଜେଲର ଦର ବୃଦ୍ଧି ଯୋଗୁଁ ପରିବହନ କ୍ଷେତ୍ରରେ ଅଧିକ ଖର୍ଚ୍ଚାନ୍ତ ହେଉଥିଲେ। ଏବେ ପରିବହନ କ୍ଷେତ୍ରରେ କାମ କରୁଥିବା ସଂସ୍ଥା ବା ବ୍ୟକ୍ତି ସେମାନଙ୍କର ଭଡା କମାଇବାର ଆବାଶ୍ୟକତା ଅଛି। ଫଳରେ ଦୋକାନୀମାନେ ମଧ୍ୟ ଜନିଷ-ପତ୍ରର ଦର ହ୍ରାସ କରିପାରିବେ।  ବିଶେଷ କରି ଦରବୃଦ୍ଧିମାନେ ରାସ୍ତାକଡ଼ର ଜଳିଖିଆ ଦୋକାନ ଠାରୁ ହୋଟେଲ, ହାଟ ପ୍ରତ୍ୟେକ ସ୍ଥାନରେ ବ୍ୟବସାୟୀମାନେ ଜନସାଧାରଣଙ୍କ ଠାରୁ ଅଧିକ ଟଙ୍କା ନେଉଛନ୍ତି। ଏହାରି ଉପରେ ସ୍ଥାନୀୟ ପ୍ରଶାସନ ନଜର ଦେବାର ଆବଶ୍ୟକତା ରହିଛି।

ଭ୍ୟାଟ୍‌ ହ୍ରାସ କରିବେ କି ରାଜ୍ୟ?

କେନ୍ଦ୍ର ସରକାର ଏକ୍ସାଇଜ ଡ୍ୟୁଟି ହ୍ରାସ କରିବା ପରେ ରାଜ୍ୟମାନଙ୍କର ଦାୟିତ୍ୱ ବିଢ଼ିଯାଇଛି। କାରଣ ରାଜ୍ୟ ସରକାରମନଙ୍କ ଉପରେ ପେଟ୍ରୋଲ-ଡିଜେଲ ଉପରେ ଭ୍ୟାଟ ହ୍ରାସ କରିବାକୁ ନେଇ ଚାପ ବଢ଼ିଯାଇଛି। ପେଟ୍ରୋଲ ଓ ଡିଜେଲ୍‌ର ନୂଆ ଦର ଲାଗୁ ହେବା ପରେ କେରଳ ପ୍ରଥମ ରାଜ୍ୟ ଭାବେ ଏହାରି ଉପରୁ ଭ୍ୟାଟ ହଟାଇଛି। କେରଳ ସରକାର ପେଟ୍ରୋଲ ଲିଟର ପିଛା ୨.୪୧ ଟଙ୍କା ଭ୍ୟାଟ ହ୍ରାସ କରିଛନ୍ତି। ଡିଜେଲ ଉପରୁ ଲିଟର ପିଛା ୧.୩୬ ପଇସା ଭ୍ୟାଟ୍‌ କମ କରିଦେଇଛନ୍ତି। ଏମିତିରେ କେରଳରେ ପେଟ୍ରୋଲ ଲିଟର ପିଛା ୧୧.୯୧ ଟଙ୍କା ହ୍ରାସ ପାଇଛି। କେରଳକୁ ଅନୁସରଣ କରିଛନ୍ତି ରାଜସ୍ଥାନ ସରକାର। ତେବେ ଏହି ୨ଟି ରାଜ୍ୟ ଭ୍ୟାଟ୍‌ ହ୍ରାସ କରିବା ପରେ ଅନ୍ୟ ରାଜ୍ୟ ସରକାରମାନଙ୍କର ଚିନ୍ତା ବଢ଼ିଯାଇଛି। ଏବେ ଦେଖିବାର ଅଛି ନବୀନ ସରକାର କ’ଣ ପଦକ୍ଷେପ ନେଉଛନ୍ତି। ସେହିପରି ବିଜେପି ଶାସିତ ରାଜ୍ୟଗୁଡ଼ିକରେ କେତେ ଭ୍ୟାଟ୍‌ ହ୍ରାସ ହେଉଛି, ତାହା ମଧ୍ୟ ଦେଖିବାର ଅଛି।

ସରକାରଙ୍କୁ ବିରୋଧୀଙ୍କ ଟାର୍ଗେଟ

ପେଟ୍ରୋଲ ଓ ଡିଜେଲ ଦର ହ୍ରାସ ପାଇଲା ପରେ ରାଜନୀତିରେ ବିରୋଧୀ ଦଳରେ ନେତାଙ୍କୁ ଏହା ହଜମ ହୋଇପାରୁ ନାହିଁ। ବିରୋଧୀ ଦଳର ନେତାଙ୍କ କହିବା ଅନୁସାରେ ବିଗତ ଦିନରେ ପେଟ୍ରୋଲ ଦର ଯେଭଳି ଭାବରେ ବୃଦ୍ଧି ହେଲା, ସେହି ହିସାବରେ ଏବେ ସରକାର ଦର କମ୍‌ କରିନାହାନ୍ତି। କିଛି ମାସ ପୂର୍ବରୁ ପେଟ୍ରୋଲ ଲିଟର ୭୫ ଟଙ୍କା ମିଳୁଥିଲା। ଏହା ୧୨୦ ଟଙ୍କା ଅତିକ୍ରମ କରିଥିଲା। ପେଟ୍ରୋଲ ଦର ମାତ୍ର ୯ଟଙ୍କା ୫୦ ପଇସା ହ୍ରାସ କରି ସରକାର ଏତେ ବଡ଼ କାମ କରିନାହାନ୍ତି। ଯଦି ପୂର୍ବଭଳି ପେଟ୍ରୋଲ ଲିଟର ପିଛା ୭୫ ଟଙ୍କା ରୁହନ୍ତା, ତା’ହେଲେ ପ୍ରଶଂସନୀୟ ପଦକ୍ଷେପ ହୋଇପାରନ୍ତା। ସରକାରଙ୍କୁ ବିରୋଧୀ ଦଳର ନେତାମାନେ ଏବେ ଟାର୍ଗେଟ କରିବା ଆରମ୍ଭ କରିଦେଇଛନ୍ତି।

ମୋଦୀଙ୍କୁ ଇମ୍ରାନ୍‌ଙ୍କ ପ୍ରଶଂସା

ଭାରତରେ ପେଟ୍ରୋଲ ଓ ଡିଜେଲ ଦର ହ୍ରାସ ପାଇବା ଖବର ଜାଣିବା ପରେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ଖୁସି ହୋଇଯାଇଛନ୍ତି। ସେ ମୋଦୀ ସରକାରଙ୍କ ଏହି ନିଷ୍ପତ୍ତିକୁ ପ୍ରଶଂସା କରିଛନ୍ତି। ଭାରତର ସ୍ୱତନ୍ତ୍ର ବିଦେଶୀ ନୀତି ରହିଛି।ଏହି ଦେଶ ଆମେରିକାର ଚାପରେ ନାହିଁ ଓ ରୁଷିଆ ଠାରୁ ତେଲ କିଣି ନିଜ ଦେଶର ନାଗରିକମାନଙ୍କୁ ଆଶ୍ୱସ୍ତି ପ୍ରଦାନ କରିଛି ବୋଲି ଇମ୍ରାନ୍‌ କହିଛନ୍ତି। ଇମ୍ରାନ୍‌ ଗୋଟିଏ ପରେ ଗୋଟିଏ ଭିଡିଓ ଜାରି କରି ମୋଦୀ ସରକାରଙ୍କୁ ପ୍ରଶଂସା ସହ ଲେଖିଛନ୍ତି ଯେ, କ୍ୱାର୍ଡର ଅଂଶବିଶେଷ ହେବା ପରେ ବି ଆମେରିକାର ଚାପରେ ଭାରତ ନାହିଁ। ଭାରତ ନିଜର ଉଦ୍ୟମରେ ରୁଷିଆ ଠାରୁ ତେଲ କିଣିଛି ଏବଂ ନିଜର ଲୋକଙ୍କୁ ଆଶ୍ୱସ୍ତି ପ୍ରଦାନ କରିଛି।

କ’ଣ କହିଲେ ନରସିଂହ

‘କେନ୍ଦ୍ର ସରକାର ବହୁତ ଚାଲାକ। ପେଟ୍ରୋଲ ୨୦ ଟଙ୍କା ବଢେଇ ଦେଇ ୧୦ ଟଙ୍କା କମେଇ ଦେଉଛନ୍ତି। ସରକାର  ଚାଲବାଜି ବନ୍ଦ କରନ୍ତୁ ବୋଲି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଛନ୍ତି। ତୈଳ ଦର ୫୦ରୁ ୬୦ ଟଙ୍କା ଭିତରେ ରଖିବାକୁ ସେ କହିଛନ୍ତି । ଅର୍ନ୍ତଜାତୀୟ ବଜାରରେ ତୈଲ ଦର ଯଥେଷ୍ଟ କମ ଥିବା ବେଳେ ପୂର୍ବରୁ ଯେଉଁଭଳି ଆଧାରରେ ତୈଳଦର ନିର୍ଣ୍ଣୟ କରାଯାଉଥିଲା ଠିକ୍‌ ସେହିଭଳି କରିବାକୁ ଦାବି କରିଛନ୍ତି। ଏହା କରାଯାଇ ପାରିଲେ ସାଧାରଣ ଲୋକେ ଆଶ୍ୱସ୍ତି ପାଇପାରିବେ। କେବଳ କେନ୍ଦ୍ର ନୁହେଁ ରାଜ୍ୟ ସରକାର ଯେଉଁ ଟିକସ ନେଉଛନ୍ତି ସେଥିରେ କେବଳ ଜିଏସଟି ଲାଗୁ କରି ଅନ୍ୟ କୌଣସି ଟିକସ ଲାଗୁ କରା ନଯାଉ। ଏହା ହେଲେ ହିଁ ଦର କମିବ। ରାଜ୍ୟବାସୀ ଆହୁରି ଶସ୍ତାରେ ପେଟ୍ରୋଲ-ଡିଜେଲ ପାଇପାରିବେ।  

ପୁଣି ବଢ଼ିବ କି ତେଲ ଦର?

ଓଡ଼ିଶା ପେଟ୍ରୋଲିୟମ ଡିଲର ସଂଘ କହିଛି ଯେ, ପେଟ୍ରୋଲ-ଡିଜେଲ ଦର ହ୍ରାସ ପାଇବାର ଏହି ଖୁସି ଅଳ୍ପ ଦିନ ପାଇଁ ରହିପାରେ। ପେଟ୍ରୋଲିୟମ ଡିଲର ସଂଘର ସାଧାରଣ ସମ୍ପାଦକ ସଞ୍ଜୟ ଲାଠ୍‌ କହିଛନ୍ତି, ବର୍ତ୍ତର୍ମାନ ତୈଳ କମ୍ପାନିଗୁଡ଼ିକ ବଡ଼ଧରଣର କ୍ଷତି ସହୁଛନ୍ତି । ଏପରିକି ଦେଶର ତିନୋଟି ତୈଳ କମ୍ପାନିଙ୍କ ମଧ୍ୟରୁ ଦୁଇଟି ଚଳିତ ମାସ ୨୦ ତାରିଖ ସୁଦ୍ଧା ୧୨ ହଜାର କୋଟି ଟଙ୍କାର କ୍ଷତି ସହିଛନ୍ତି । ଏଭଳି ଅବସ୍ଥା ଲାଗିରହିଲେ ପୂର୍ବରୁ ଥିବା ‘ଡେଲି ପ୍ରାଇସ ମେକାନିଜିମ୍‌’ ଅର୍ଥାତ୍‌ ଅନ୍ତର୍ଜାତୀୟ ଦର ଅନୁସାରେ ପ୍ରତ୍ୟେକ ଦିନ ଦର ବଦଳିବାର ବ୍ୟବସ୍ଥାକୁ ତୈଳ କମ୍ପାନିମାନେ ଲାଗୁ କରିପାରନ୍ତି। ତେଣୁ ପୁଣି ଥରେ ପେଟ୍ରୋଲ ଓ ଡିଜେଲର ଦର ପୁଣି ବଢିବାର ଆଶଙ୍କାକୁ ଏଡେଇ ଦିଆଯାଇ ନ ପାରେ। 

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments