Monday, May 20, 2024
Homeଖବରନିର୍ବାଚନ ପୂର୍ବରୁ ଲୋଭ ଦେଖାଇଲେ ସରକାର

ନିର୍ବାଚନ ପୂର୍ବରୁ ଲୋଭ ଦେଖାଇଲେ ସରକାର

ଭୁବନେଶ୍ବର: ମହିଳା ଦିବସ ଓ ଏହି ଅନ୍ତର୍ଜାତୀୟ ଦିବସ ପୂର୍ବରୁ ସରକାର ଦରଦୀପଣିଆ ଦେଖାଇଛନ୍ତି। ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ସରକାର ମହିଳାଙ୍କୁ ଲୋଭ ଦେଖାଇଛନ୍ତି। ବିଭିନ୍ନ ଯୋଜନା ମାଧ୍ୟମରେ ମହିଳା ଭୋଟରମାନଙ୍କୁ ଆକର୍ଷିତ କରିଛନ୍ତି। କେନ୍ଦ୍ରର ମୋଦୀ ହୁଅନ୍ତୁ ବା ରାଜ୍ୟର ନବୀନ ସରକାର ନିର୍ବାଚନ ବୈତରଣୀ ପାରି ହେବା ପାଇଁ ଉଦ୍ୟମ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ଏଲପିଜି ଗ୍ୟାସ ଦର ହ୍ରାସ କରିଥିବା ବେଳେ ନବୀନ ସରକାର ରାଜ୍ୟର ଆଶା, ଅଙ୍ଗନବାଡ଼ି, ମିସନ ଶକ୍ତି ମହିଳା, କଲେଜ ଛାତ୍ରୀଙ୍କ ଦରମା ବଢ଼ାଇବା ଓ ପ୍ରୋତ୍ସାହନ ଦେଇଛନ୍ତି।

ମହିଳାଙ୍କୁ ଉପହାର, କମିଲା ଗ୍ୟାସ୍ ଦର
ଆନ୍ତର୍ଜାତୀୟ ମହିଳା ଦିବସରେ ପ୍ରଧାନମନ୍ତ୍ରୀ ମୋଦୀ ଏଲପିଜି ସିଲିଣ୍ଡର ମୂଲ୍ୟରେ ୧୦୦ ଟଙ୍କା ହ୍ରାସ କରିଛନ୍ତି। ସେ  କହିଛନ୍ତି, ଏହା ଦେଶର ଲକ୍ଷ ଲକ୍ଷ ପରିବାର ଉପରେ ରହିଥିବା ଆର୍ଥିକ ବୋଝକୁ ଯଥେଷ୍ଟ ସହଜ କରିବ।  ରନ୍ଧନ ଗ୍ୟାସକୁ ଅଧିକ ସୁଲଭ କରି ଆମେ ପରିବାରର ଉନ୍ନତି ତଥା ଏକ ସୁସ୍ଥ ପରିବେଶ ସୁନିଶ୍ଚିତ କରିବାକୁ ଲକ୍ଷ୍ୟ ରଖିଛୁ। ଏହା ମହିଳା ସଶକ୍ତୀକରଣ ତଥା ସେମାନଙ୍କ ପାଇଁ ‘ସହଜ ଜୀବନ’ ସୁନିଶ୍ଚିତ କରିବା ପାଇଁ ଆମର ପ୍ରତିବଦ୍ଧତା ସହିତ ମେଳ ଖାଉଛି। ୧୦୦ ଟଙ୍କା ଦର ହ୍ରାସ ହେଲା ପରେ ଏବେ ଘରୋଇ ଗ୍ୟାସ ସିଲିଣ୍ଡର ପିଛା ୮୨୯ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ। ପୂର୍ବରୁ ମାର୍ଚ୍ଚ ୧ ତାରିଖରେ ଅଏଲ୍ ମାର୍କେଟିଂ କମ୍ପାନିଗୁଡିକ (ଓଏମସି) ୧୯ କିଲୋଗ୍ରାମର ବ୍ୟବସାୟିକ ଏଲପିଜି ଗ୍ୟାସ ସିଲିଣ୍ଡର ମୂଲ୍ୟ ବୃଦ୍ଧି ଘୋଷଣା କରିଥିଲେ।  

ପଡ଼ୋଶୀରେ ଆଶାଙ୍କ ପାରିଶ୍ରମିକ ୯୦୦୦

ରାଜ୍ୟ ସରକାର ଆଶା କର୍ମୀମାନଙ୍କର ମାସିକ ପାରିଶ୍ରମିକ ୪୫୦୦ଟଙ୍କାରୁ ୭ହଜାର ଟଙ୍କାକୁ ବୃଦ୍ଧି କରିଛନ୍ତି। ଆଶା କର୍ମୀଙ୍କର ସେବା ନିବୃତ୍ତି ପ୍ରୋତ୍ସାହନ ରାଶି ୫୦ହଜାର ଟଙ୍କାରୁ ୧ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି। ଏହାଦ୍ବାରା ରାଜ୍ୟର ୪୯,୫୨୨ ଆଶା କର୍ମୀ ଉପକୃତ ହେବେ। ଏଥିପାଇଁ ରାଜ୍ୟ ସରକାର ବର୍ଷକୁ ଅତିରିକ୍ତ ୧୪୮.୫୭ କୋଟି ଟଙ୍କା ଖର୍ଚ୍ଚ କରିବେ। ରାଜ୍ୟ ସରକାର ଆଶା କର୍ମୀଙ୍କ ପାରିଶ୍ରମିକ ବାବଦକୁ ବାର୍ଷିକ ୫୯.୪୩ କୋଟି ଖର୍ଚ୍ଚ କରୁଥିବା ବେଳେ ଏହି ନୂତନ ଘୋଷଣା ଦ୍ବାରା ଏହା ବାର୍ଷିକ ୨୦୮କୋଟିକୁ ବୃଦ୍ଧି ପାଇବ। ସେହିଭଳି ସେବା ନିବୃତ୍ତି ସହାୟତା ବାବଦରେ ରାଜ୍ୟ ସରକାର ୫୫ ଲକ୍ଷ ଟଙ୍କା ବହନ କରିବେ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। ସୂଚନାଯୋଗ୍ୟ ଆମ ପଡ଼ୋଶୀ ପଶ୍ଚିମବଙ୍ଗରେ ଆଶାକର୍ମୀଙ୍କ ଦରମା ୯୦୦୦ ଟଙ୍କା ଅଛି।

ମଧ୍ୟପ୍ରଦେଶରେ ଅଙ୍ଗନବାଡ଼ି ଦିଦିଙ୍କ ପାରିଶ୍ରମିକ ୧୩୦୦୦

ଆଶାଦିଦିଙ୍କ ପୂର୍ବରୁ ନବୀନ ସରକାର ଅଙ୍ଗନବାଡ଼ି କର୍ମୀଙ୍କୁ ଖୁସି ଖବର ଦେଇଥିଲେ। ଅଙ୍ଗନବାଡ଼ି କର୍ମୀମାନେ ପୂର୍ବରୁ ୭୫୦୦ ଟଙ୍କା ଦରମା ପାଉଥିବା ବେଳେ ଏଣିକି ୨୫୦୦ ଟଙ୍କା ଅଧିକ ପାଇବେ। ଅର୍ଥାତ ଅଙ୍ଗନବାଡ଼ି କର୍ମୀଙ୍କ ଦରମା ୭୫୦୦ରୁ ୧୦,୦୦୦କୁ ବୃଦ୍ଧି ହୋଇଛି। ମିନି ଅଙ୍ଗନବାଡ଼ି କର୍ମୀଙ୍କ ପାରିଶ୍ରମିକ ୫୩୫୦ରୁ ୭୨୫୦ ଟଙ୍କା ହୋଇଛି। ରାଜ୍ୟ ସରକାର ଅଙ୍ଗନବାଡ଼ି ସହାୟିକାଙ୍କ ପାରିଶ୍ରମିକ ୩୭୫୦ରୁ ୫୦୦୦ ଟଙ୍କା ବୃଦ୍ଧି କରିଛନ୍ତି। ବର୍ଦ୍ଧିତ ଦର ପିଛଲା ଭାବେ ୨୦୨୩ ଅକ୍ଟୋବର ମାସରୁ ଲାଗୁ ହେବ। ଅଙ୍ଗନବାଡ଼ି କର୍ମୀଙ୍କ ପାରିଶ୍ରମିକ ବୃଦ୍ଧି କରିବା ପରେ ରାଜ୍ୟ ସରକାର ବାର୍ଷିକ ୩୫୦ କୋଟି ଟଙ୍କା ଅଧିକ ଖର୍ଚ୍ଚ କରିବେ। ଏହା ଦ୍ବାରା ୧ଲକ୍ଷ ୪୮ ହଜାର କର୍ମୀ ଉପକୃତ ହେବେ। ସେବାନିବୃତ୍ତ କର୍ମୀମାନେ ଯେଉଁମାନେ ପୂର୍ବରୁ ୪୦ ହଜାର ଟଙ୍କା ପାଉଥିଲେ, ସେମାନେ ଏବେ ୧ ଲକ୍ଷ ଟଙ୍କା ପାଇବେ। ୩୦ ହଜାର ପାଉଥିବା କର୍ମୀମାନେ ୭୫ ହଜାର ଟଙ୍କା ଓ ୨୦ ହଜାର ପାଉଥିବା କର୍ମୀ ୫୦ ହଜାର ଟଙ୍କା ପାଇବେ। ଚାକିରି ସମୟରେ ମୃତ୍ୟୁ ହେଲେ ବା ଅକର୍ମଣ୍ୟ ହେଲେ ୨ ଲକ୍ଷ ଟଙ୍କା ଓ ଦୁର୍ଘଟଣାର ଶିକାର ହୋଇ ଆଂଶିକ ଅକମଣ୍ୟ ହେଲେ ୧ ଲକ୍ଷ ଟଙ୍କା ସହାୟତା ମିଳିବ। ଆନ୍ଧ୍ରପ୍ରଦେଶରେ ଅଙ୍ଗନବାଡ଼ି କର୍ମୀଙ୍କ ଦରମା ୧୧,୫୦୦ ଟଙ୍କା ଥିବା ବେଳେ ମଧ୍ୟପ୍ରଦେଶରେ ଏହା ୧୩,୦୦୦ ଟଙ୍କା ରହିଛି।

ମିସନ ଶକ୍ତି ମୋର ସବୁଠାରୁ ପ୍ରିୟ କାର୍ଯ୍ୟକ୍ରମ: ମୁଖ୍ୟମନ୍ତ୍ରୀ

ନିକଟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାର ୭୦ ଲକ୍ଷ ସ୍ବୟଂସହାୟକ ଗୋଷ୍ଠୀ ମା’ମାନଙ୍କ ପାଇଁ ବିନା ସୁଧରେ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମିସନ ଶକ୍ତି ଋଣ ବ୍ୟବସ୍ଥା ଆରମ୍ଭ କରିଛନ୍ତି। ଏହାସହିତ ମିସନ ଶକ୍ତି ମା’ମାନଙ୍କ ପାଇଁ ୟୁନିଫର୍ମ ଓ ବ୍ଲେଜର ସହାୟତା ଏବଂ ୧୪୫ କୋଟି ଟଙ୍କାର ସୁଧ ଫେରସ୍ତ ବ୍ୟବସ୍ଥାର ମଧ୍ୟ ଆରମ୍ଭ କରାଯାଇଛି। ମୁଖ୍ୟମନ୍ତ୍ରୀ କହିଥିଲେ ଯେ ମିସନ ଶକ୍ତି ମୋର ସବୁଠାରୁ ପ୍ରିୟ କାର୍ଯ୍ୟକ୍ରମ। ମା’ମାନଙ୍କ ସମ୍ମାନ ଓ ଉନ୍ନତି ପାଇଁ ମୋ ସରକାର ନିରନ୍ତର ଭାବେ କାମ କରିଚାଲିଛି। ଏକ ସ୍ୱତନ୍ତ୍ର ଜୀବିକା ଅର୍ଜନ ପଦକ୍ଷେପ ମାଧ୍ୟମରେ ମିସନ ଶକ୍ତି ମା’ମାନଙ୍କୁ ୮ ହଜାର କୋଟି ଟଙ୍କାର ସରକାରୀ ବିଜ୍ନେସ୍ ସହାୟତା ଯୋଗାଇ ଦିଆଯାଇଛି। ମା’ମାନେ ଏବେ ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମରେ ଅଂଶୀଦାର ହୋଇଛନ୍ତି, ନୂଆ ଓଡ଼ିଶା ଗଠନରେ ସାମିଲ ହୋଇଛନ୍ତି। ଆଜି ମିସନ ଶକ୍ତି ମା’ମାନଙ୍କର ଭଲ କାମ ଦେଶବିଦେଶରେ ପହଞ୍ଚି ପାରିଛି।  

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments