Thursday, May 9, 2024
Homeଖବରବିଜେପି-ବିଜେଡି ମେଣ୍ଟର ଆବଶ୍ୟକ କେତେ?

ବିଜେପି-ବିଜେଡି ମେଣ୍ଟର ଆବଶ୍ୟକ କେତେ?

ଭୁବନେଶ୍ବର: ଗତ ଦୁଇ ସପ୍ତାହ ହେଲା ରାଜ୍ୟରେ ବିଜେଡି-ବିଜେପି ମେଣ୍ଟ ନେଇ ଜୋରଦାର ଚର୍ଚ୍ଚା ହେଉଛି। ଉଭୟ ବିଜେଡି ଓ ବିଜେପିର ଦଳୀୟ ବୈଠକ ବସୁଛି। ତେବେ ବୈଠକରେ କ’ଣ ଚର୍ଚ୍ଚା ହେଉଛି, ସେନେଇ ସତକଥା ବାହାରକୁ ଆସୁନାହିଁ। ଉଭୟ ଦଳର ନେତାମାନଙ୍କୁ ଯେତେବେଳେ ଗଣମାଧ୍ୟମର ପ୍ରତିନିଧିମାନେ ପ୍ରଶ୍ନ କରୁଛନ୍ତି, କେବଳ ଉତ୍ତର ମିଳୁଛି ଶୀର୍ଷ ସ୍ତରର ନେତା ଏହାର ଉତ୍ତର ଦେଇପାରିବେ। ଉଭୟ ଦଳ ସ୍ପଷ୍ଟ ଭାବେ ମେଣ୍ଟ ନେଇ ଖଣ୍ଡନ କରିପାରୁ ନାହାନ୍ତି। ତେବେ ଦୁଇ ସପ୍ତାହ ଧରି ଚାଲିଥିବା ଚର୍ଚ୍ଚା ମଧ୍ୟରେ ତୃଣମୂଳସ୍ତରର ନେତାମାନେ ସଂକଟରେ ପଡୁଛନ୍ତି। ଘରେ ଚୁପ୍‌ଚାପ୍‌ ବସିଛନ୍ତି।  

ଭାରତୀୟ ନିର୍ବାଚନ କମିସନ ଉଭୟ ଲୋକସଭା ଏବଂ ଓଡ଼ିଶା ସମେତ ୪ ରାଜ୍ୟରେ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରିସାରିଛନ୍ତି। ନିର୍ବାଚନ ଆଚରଣ ବିଧି ମଧ୍ୟ ଲାଗୁ ହୋଇସାରିଛି। ଏହି ସମୟରେ ରାଜନୈତିକ ଦଳର ନେତାମାନେ ଅଧିକ ସକ୍ରିୟ ରହିବା କଥା। କିନ୍ତୁ ରାଜ୍ୟରେ ବିଜେଡି-ବିଜେପି ମେଣ୍ଟ ନେଇ ଚର୍ଚ୍ଚା ଭିତରେ ନେତାମାନଙ୍କୁ ଚୁପଚାପ ବସିବାକୁ ପରିସ୍ଥିତି ବାଧ୍ୟ କରିଛି। ଓଡ଼ିଶାରେ ବିଜେଡି-ବିଜେପି ମେଣ୍ଟର କେତେ ଆବଶ୍ୟକତା ଅଛି ଯଦିଓ ସାଧାରଣ ଲୋକଙ୍କୁ ଏବାବଦରେ ଆଦୌ ଜଣା ନାହିଁ, ତଥାପି ଉଭୟ ଦଳର ନେତାମାନେ ଏପ୍ରସଙ୍ଗକୁ ଗୁରୁତ୍ବ ଦେଉଥିବା ଅନୁମାନ କରାଯାଉଛି। ଏହାର କାରଣ ହେଲା ବିଜେଡି-ବିଜେପିର ନେତାମାନେ ଖୋଲାଖୋଲି ଭାବେ ମେଣ୍ଟକୁ ମନା କରିପାରୁ ନାହାନ୍ତି। ବରଂ କର୍ମୀଙ୍କ ସଚେତନ ନାଗରିକଙ୍କର ଦ୍ବନ୍ଦ୍ବ ବଢ଼ାଉଛନ୍ତି।

କାର୍ଯ୍ୟାନୁଷ୍ଠାନ ଭୟ ପାଇଁ ମେଣ୍ଟ କି?

ବିଗତ ୨୪ ବର୍ଷ ହେଲା ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ଓଡ଼ିଶାରେ ସରକାର ଚାଲିଛି। ବିଗତ ୧ ମାସରେ ରାଜ୍ୟର ସରକାର ସରକାରୀ କର୍ମଚାରୀ, ଠିକା କର୍ମଚାରୀ ଓ ଆଉଟ୍ସୋର୍ସିଂ ମାଧ୍ୟମରେ କାର୍ଯ୍ୟରତ କର୍ମଚାରୀଙ୍କ ଦରମା ଏବଂ ପାରିଶ୍ରମିକ ଯଥେଷ୍ଟ ବଢ଼ାଇଛନ୍ତି। ବାର୍ଦ୍ଧକ୍ୟ, ବିଧବା, ଦିବ୍ୟାଙ୍ଗ ଭତ୍ତା ବୃଦ୍ଧି କରିଛନ୍ତି। ଅଙ୍ଗନବାଡ଼ି, ଆଶାକର୍ମୀ, ମିସନ ଶକ୍ତି, ଗାଁ ସାଥୀ, ଶ୍ରମିକଙ୍କ ପାରିଶ୍ରମିକ ବୃଦ୍ଧି କରିଛନ୍ତି। ସେହିପରି ପଞ୍ଚାୟତିରାଜ ବ୍ୟବସ୍ଥାରେ ନିୟୋଜିତ ଜନପ୍ରତିନିଧି ଓ ସହରାଞ୍ଚଳ ବ୍ୟବସ୍ଥାରେ ନିୟୋଜିତ ଥିବା ଲୋକପ୍ରତିନିଧିଙ୍କ ମାସିକ ରାଶି ବଢ଼ାଇଛନ୍ତି। ତେଣୁ ଆଗାମୀ ନିର୍ବାଚନରେ ବିଜେଡିକୁ ଭଲ ଭୋଟ ମିଳିବାର ଆଶଙ୍କା ରହୁଛି। କିନ୍ତୁ ବିଗତ ୨୪ ବର୍ଷ ମଧ୍ୟରେ ରାଜ୍ୟରେ ନାରୀ ନିର୍ଯାତନା, ଦୁର୍ନୀତି, ଅପରାଧ, ବେକାରୀ ସମସ୍ୟା ନେଇ ବିରୋଧୀ ଦଳ ସରକାରଙ୍କୁ ଟାର୍ଗେଟ କରି ଆସୁଛନ୍ତି। ଆଗାମୀ ନିର୍ବାଚନରେ ବିଜେପି ମଧ୍ୟ ଭଲ ପ୍ରଦର୍ଶନ କରିପାରେ। ଅଥଚ ଶାସକ ଦଳର ନେତାଙ୍କ ବିରୋଧରେ ଇଡି ଓ ସିବିଆଇର ସମ୍ଭାବିତ କାର୍ଯ୍ୟାନୁଷ୍ଠାନକୁ ମଧ୍ୟ ଏଡ଼େଇ ଦିଆଯାଇ ନପାରେ, ତେଣୁ ମେଣ୍ଟ ଚର୍ଚ୍ଚା ହେବାର ଆଶଙ୍କା ରହୁଛି।

ମୋଦୀ-ନବୀନ ଭଲ ବନ୍ଧୁ: ପାଣ୍ଡିଆନ୍

ବିଜେଡି ଓ ବିଜେପି ମେଣ୍ଟ ଚର୍ଚ୍ଚା ଭିତରେ ଭି କାର୍ତ୍ତିକ ପାଣ୍ଡିଆନ ବଡ଼ ବୟାନ ଦେଇଛନ୍ତି। ଏକ ଘରୋଇ ଟିଭି ଚ୍ୟାନେଲର ସମାରୋହରେ ଯୋଗଦେଇ ସେ କହିଛନ୍ତି, ଉଭୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଷ୍ଟେଟସମ୍ୟାନ୍। ରାଜନୀତିକୁ ଛାଡି ଦୁଇ ଜଣ ଭଲ ବନ୍ଧୁ। ରାଜ୍ୟର ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ବିଜେଡି ଓ ବିଜେପି ଏକାଠି ହୋଇପାରନ୍ତି। ଓଡିଶାରେ ନବୀନ ପଟ୍ଟନାୟକ ଆଗାମୀ ଦିନରେ ମୁଖ୍ୟମନ୍ତ୍ରୀ ହେବେ। ସେହିପରି ମୋଦୀ ମଧ୍ୟ ପ୍ରଧାନମନ୍ତ୍ରୀ ହେବେ। ଓଡିଶାରେ ବିଜେଡିକୁ ସରକାର ଗଢିବାକୁ ହେଲେ ବିଜେପିର ଆବଶ୍ୟକତା ନାହିଁ। କି କେନ୍ଦ୍ରରେ ବିଜେପିକୁ ସରକାର ଗଢ଼ିବାକୁ ହେଲେ ବିଜେଡିର ସହଯୋଗ ଆବଶ୍ୟକ ପଡ଼ିବ ନାହିଁ। ଦୁଇଟି ଦଳ ନିଜ ନିଜ ସ୍ଥାନରେ ମଜବୁତ ଅଛନ୍ତି। ନବୀନଙ୍କ ସଫଳତାର ରହସ୍ୟ ହେଲା, ସେ ରାଜନୀତିକୁ ରାଜନୀତି ଭଳି ଦେଖନ୍ତିନି, ସେ ରାଜନୀତିକୁ ଲୋକଙ୍କ ସେବା ଭଳି ଦେଖନ୍ତି। ଲୋକମାନେ ମଧ୍ୟ ତାଙ୍କୁ ରାଜନୈତିକ ନେତା ଭଳି ଦେଖନ୍ତ ନାହିଁ। ଲୋକମାନେ ତାଙ୍କୁ ତାଙ୍କର ସେବକ ବୋଲି ଭାବନ୍ତି, ସେଥିପାଇଁ ତାଙ୍କୁ ଭଲପାଆନ୍ତି।  

କ’ଣ କହିଥିଲେ ଶାହା

ବିଜେଡି-ବିଜେପି ମେଣ୍ଟ ଚର୍ଚ୍ଚା ମଧ୍ୟରେ ଗତ ଶୁକ୍ରବାର ଦିନ ବଡ଼ ବୟାନ ଦେଇଥିଲେ। ଜାତୀୟ ଗଣମାଧ୍ୟମର ଏକ କାର୍ଯ୍ୟକ୍ରମରେ ଯୋଗଦେଇ ସେ କହିଥିଲେ ”ଓଡ଼ିଶାରେ ବିଜେପି କେମିତି ଆଗକୁ ବଢ଼ିବ ସେନଇ କାର୍ଯ୍ୟ କରୁଛୁ। ଓଡ଼ିଶାରେ ଉଭୟ ବିଧାନସଭା ଓ ଲୋକସଭାରେ ଦଳ ଭଲ କରିବ ବୋଲି ଆଶା ରହିଛି। ମେଣ୍ଟ ନେଇ ରାଷ୍ଟ୍ରୀୟ ଅଧ୍ୟକ୍ଷ ଓ ପ୍ରଧାନମନ୍ତ୍ରୀ ନିଷ୍ପତ୍ତି ନେଇଛନ୍ତି। ମୁଁ ବର୍ତ୍ତମାନ ଏହା ବିଷୟରେ କହିପାରିବି ନାହିଁ। କାରଣ ବିଜେପି ସଭାପତି ଜେପି ନଡ୍ଡା ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ଦଳର ନେତୃତ୍ୱ ଆମେ ସ୍ଥିର କରିନାହୁଁ। କିନ୍ତୁ ଫଳାଫଳ ଯାହା ହେଉନା କାହିଁକି, ମୁଁ ଆପଣଙ୍କୁ ନିଶ୍ଚିତ କରିପାରେ ଯେ ଆମେ ଉଭୟ ବିଧାନସଭା ଏବଂ ଓଡ଼ିଶାରେ ଲୋକସଭାରେ ବିଜେପିର ସ୍ଥିତିରେ ସୁଧାର ଆସିବ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments