Monday, May 20, 2024
Homeଖବରମେନିଫେଷ୍ଟୋ ରାଜନୀତି: ରଣନୀତି କମ୍‌, ଟାର୍ଗେଟ ବେଶୀ

ମେନିଫେଷ୍ଟୋ ରାଜନୀତି: ରଣନୀତି କମ୍‌, ଟାର୍ଗେଟ ବେଶୀ

ଭୁବନେଶ୍ବର: ଭାରତୀୟ ଜନତା ପାର୍ଟି (ବିଜେପି)ର ମେନିଫେଷ୍ଟୋ ଉନ୍ମୋଚିତ ହେଲା ପରେ ବିଜୁ ଜନତା ଦଳ (ବିଜେଡି) ବ୍ୟସ୍ତ ହୋଇପଡ଼ିଛି।‌ ମେନିଫେଷ୍ଟୋକୁ ନେଇ ବିଜେଡି ମୁଖପାତ୍ର ସସ୍ମିତ ପାତ୍ର, ସ୍ବୟଂପ୍ରକାଶ ମହାପାତ୍ର ଓ ସଂଜୟ ବାବୁ ମଙ୍ଗଳବାର ଦିନ ବିଜେପିକୁ ବିଭିନ୍ନ ପ୍ରସଙ୍ଗ‌ରେ ଟାର୍ଗେଟ କଲା ପରେ ବୁଧବାର ଭୈରବ କାର୍ତ୍ତିକ ପାଣ୍ଡିଆନ କେନ୍ଦ୍ର ସରକାର, କେନ୍ଦ୍ରମନ୍ତ୍ରୀଙ୍କୁ ପ୍ରଶ୍ନବାଣରେ ଘାଇଲା କରିଛନ୍ତି। ଜାତୀୟ ଦଳ ହିସାବରେ କଂଗ୍ରେସ ଓ ବିଜେପି ମେନିଫେଷ୍ଟୋ ଘୋଷଣା କରିସାରିଥିବା ବେଳେ ବିଜେଡି ମେ’ ୭ ତାରିଖ ସୁଦ୍ଧା ଏହା କରିପାରିନାହିଁ। ଖୁବ ଶୀଘ୍ର ବିଜେଡି ମେନିଫେଷ୍ଟୋ ଆସିବ ବ‌ୋଲି ଶ୍ରୀ ପାଣ୍ଡିଆନ୍‌ ସାମ୍ବାଦିକ ସମ୍ମିଳନୀରେ ଘୋ‌ଷଣା କରିଛନ୍ତି। ପ୍ରତ୍ୟେକ ରାଜନୈତିକ ଦଳ ନିଜ ମେନିଫେଷ୍ଟୋରେ ସରକାରକୁ ଆସିଲେ କ’ଣ କରିବେ ତାହା କୁହନ୍ତି। କିନ୍ତୁ ବିଜେଡି ମେନିଫେଷ୍ଟୋ ଘୋଷଣା ନକରି ବିଜେପିକୁ ଟାର୍ଗେଟ କରୁଛି।

ଶ୍ରୀ ପାଣ୍ଡିଆନ୍‌ ବିକାଶ କାମ ନେଇ ‌କହିବା ଅବସରରେ ବିରୋଧୀଙ୍କୁ ଅଧିକ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, ବିଜେପିର ଟାର୍ଗେଟରେ ରହିଛି ୪୦ ରୁ୫୦ ଆସନ। ପାଣ୍ଡିଆନ ଯଦି ଜାଣିଛନ୍ତି ଯେ, ବିଜେପି ଏଥର ପ୍ରାୟ ୫୦ ଆସନରେ ବିଜୟୀ ହେବ। କଂଗ୍ରେସ ମଧ୍ୟ କିଛି ଆସନରେ ଜିତିବ। ତା’ହେଲେ ବିଜେଡିର ବିଧାୟକ ସଂଖ୍ୟା ୮୦ ଭିତରେ ରହିବ କି? ‌ଆଉ ହାରିବା ଭୟରେ ବାଉଳା ହୋଇ କେନ୍ଦ୍ର ଓ ବିଜେପିକୁ ଟା‌ର୍ଗେଟ କରୁଛନ୍ତି। ବିଗତ ୧୦ ବର୍ଷ ମଧ୍ୟରେ ରାଜ୍ୟରେ ଶିକ୍ଷା, ରେଳ,‌ ଟେଲିଫୋନ୍‌, ଦକ୍ଷତା ବିକାଶ, କ୍ରୀଡ଼ା କ୍ଷେତ୍ରରେ ଉଲ୍ଲେଖନୀୟ କାମ ହୋଇଛି। ଆଇଆଇଏମ୍‌ ସମ୍ବଲପୁର, ରାଜ୍ୟରେ ବିଶ୍ବସ୍ତରୀୟ ରେଳଷ୍ଟେସନ କାମ ଜାରିଥିବା ପ୍ରସଙ୍ଗରେ ବିଜେଡି ମୁହଁ ଖୋଲିନାହିଁ। କେବଳ ଜାତୀୟ ରାଜପଥ-୫୫କୁ ଟାର୍ଗେଟ କରୁଛି। କିନ୍ତୁ ଏହାର ନିର୍ମାଣ ଶୀଘ୍ର ନସରିବାର କାରଣ କରୋନା ଓ ଜଙ୍ଗଲ ଜମି ହସ୍ତାନ୍ତର ନକରାଯିବାକୁ ଦୋଷ ଦିଆଯାଉ ନାହିଁ।  

କେନ୍ଦ୍ରୀୟ ବିଦ୍ୟାଳୟ ସହ ୫ଟି ସ୍କୁଲ ସମକକ୍ଷ କି?

ଶ୍ରୀ ପାଣ୍ଡିଆନ୍‌ କହିଛନ୍ତି ଯେ, ବିଜେପି ସରକାର ଗଢିବା ପାଇଁ ମାନିଫେଷ୍ଟୋ ଆଣିଛି। କିନ୍ତୁ ବିଜେଡି ସେବା ପାଇଁ ସମୃଦ୍ଧ ଓଡ଼ିଶା ଗଠନ କରିବା ପାଇଁ ମେନିଫେଷ୍ଟୋ ଆଣିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମେନିଫେଷ୍ଟୋ ପାଇଁ ସମସ୍ତେ ଅନାଇ ବସିଛନ୍ତି। ୨ ଦିନ ଭିତରେ ବିଜେଡିର ଇସ୍ତାହାର ଆସିବ। ବିଜେଡି ଭୋଟ୍ ପାଇଁ ନୁହେଁ ବିକାଶ ପାଇଁ ମାନିଫେଷ୍ଟୋ ଆଣିବ। ସାମ୍ବାଦିକ ସମ୍ମିଳନୀରେ ପାଣ୍ଡିଆନ ଆଉ ଏକ ପ୍ରସଙ୍ଗରେ କହିଥିଲେ। ତାହା ହେଲା ୫ଟି ସ୍କୁଲ। ସେ କହିଥିଲେ ଯେ, କେନ୍ଦ୍ରୀୟ ବିଦ୍ୟାଳୟରେ କଳାପଟା ଅଛି। ୫ଟି ସ୍କୁଲରେ ସ୍ମାର୍ଟ ବୋର୍ଡ ଲାଗିଛି। ହେଲେ ପାଣ୍ଡିଆନ ତୁଳନା କରିନାହାନ୍ତି ଯେ, କେନ୍ଦ୍ରୀୟ ବିଦ୍ୟାଳୟ ଓ ୫ଟି ଶିକ୍ଷାର ଗୁଣବତ୍ତା ମଧ୍ୟରୁ କେଉଁଟି ଠିକ୍‌। ଯଦି ୫ଟି ସ୍କୁଲ ଭଲ, ତା’ହେଲେ ବର୍ଷକୁ କେତେ ଜଣ ପିଲା କେନ୍ଦ୍ରୀୟ ବିଦ୍ୟାଳୟ ଛାଡ଼ି ୫ଟି ସ୍କୁଲରେ ନାମ ଲେଖାଉଛନ୍ତି?

ବିଜେପିର ମିଛ ମେନିଫେଷ୍ଟୋ: ବିଜେଡି

ରାଜ୍ୟ ବିଜେପିର ସଙ୍କଳ୍ପପତ୍ରକୁ ‘ମିଛ ମାନିଫେଷ୍ଟୋ’ବୋଲି ବିଜେଡି କିହଛି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟାର୍ଗେଟ କରି କହିଛି ‘ନା କାମ କରିବି, ନା କାମ କରେଇ ଦେବି’ ବୋଲି କହି ବିଜେଡି ମୁଖପାତ୍ର ସ୍ୱଂୟପ୍ରକାଶ ମହାପାତ୍ର ଏବଂ ସାଂସଦ ସସ୍ମିତ ପାତ୍ର ବିଜେପି ଉପରେ ବର୍ଷିଛନ୍ତି। ବିଜେପି ପୂର୍ବରୁ ଭୂଆଁ ବୁଲେଇ ଆସିଛି, ଆଜି ବି ଭୂଆଁ ବୁଲାଉଛି। ସଙ୍କଳ୍ପ ପତ୍ରରେ ବିଜେପି ଯାହା ଯାହା ସବୁ ପ୍ରତିଶ୍ରୁତି ଦେଇଛି, ସେ ସବୁ ମିଛ ପ୍ରତିଶ୍ରୁତି। ବିଜେପି ଚାଷୀଙ୍କ ଆୟ ଦ୍ୱିଗୁଣ କରିବାକୁ କହିଥିଲେ, ହେଲେ କଲେନି। ଏବେ କିନ୍ତୁ ଏମଏସପିକୁ ୩୧୦୦ ଟଙ୍କା କରିବାକୁ ପ୍ରତିଶ୍ରୁତି ଦେଉଛନ୍ତି। ୨୦୧୪ରେ ଓଡିଶାକୁ ସ୍ୱତନ୍ତ୍ର ରାଜ୍ୟର ମାନ୍ୟତା ଦେବାକୁ କହିଥିଲେ, ହେଲେ ତା ମଧ୍ୟ କଲେନି। ଗରିବଙ୍କୁ ଘର ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି, ହେଲେ ସେଇମାନେ ହିଁ ୧୪ ଲକ୍ଷ ଆବାସ ଘର ବନ୍ଦ କରିଦେଲେ। ବର୍ଷକୁ ୨ କୋଟି ଚାକିରି ଦେବାକୁ ପ୍ରତିଶ୍ରୁତି ଦେଇଥିଲା । ୧୦ ବର୍ଷରେ ସେହି ହିସାବରେ ୨୦ କୋଟି ଚାକିରି ଦେବା କଥା। ଯାହା ଭିତରୁ ଓଡିଶାର ଭାଗ ହେଉଛି ୮୦ ଲକ୍ଷ। ହେଲେ ୮୦ ଲକ୍ଷ ତ ନୁହେଁ ବରଂ ୮୦ ହଜାର ଚାକିରି ମଧ୍ୟ ସେ ଦେଇନାହାଁନ୍ତି। ବିଜେପି ପ୍ରତି ଗାଁ ଆଉ ପଞ୍ଚାୟତରେ ମୋବାଇଲ୍ ନେଟୱାର୍କ ବସାଇବାକୁ କହିଥିଲା। ଓଡିଶାରେ ୫ଟି ଚାଲିବାକୁ ପ୍ରତିଶ୍ରୁତି ଦେଇଥିଲା। ହେଲେ ଆଜି ବି କିଛି ଅଞ୍ଚଳରେ ଗଛରେ ନଚଢିଲେ, ପାହାଡ ନଚଢିଲେ ନେଟୱାର୍କ ଆସୁନି।

ବିଜେପିର ମେନିଫେଷ୍ଟୋ

ବିଜେପି ମେନିଫେଷ୍ଟୋରେ କହିଛି ଚାଷୀଙ୍କୁ ଧାନ କ୍ରୟର ୪୮ ଘଣ୍ଟା ମଧ୍ୟରେ ପଇସା ଦେବା, ଦୁର୍ନୀତି ସମାପ୍ତ କରିବା, ଦୁର୍ନୀତି ନେଇ ଶୂନ୍ୟ ସହନଶୀଳ ନୀତି ପ୍ରଦର୍ଶନ କରିବା, କେନ୍ଦୁପତ୍ର ବିଡ଼ା ୨ଟଙ୍କା ସହ ବୋନସ ୩୫ ପ୍ରତିଶତ ଦେବା, ଆଉ ୫ ବର୍ଷ ମାଗଣା ଚାଉଳ ଦେବା, ପ୍ରତି ଘରକୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇବା, ସବୁ ଚାଷ ଜମିକୁ ଜଳସେଚନ, ସବୁ ଜିଲ୍ଲାରେ ଉତ୍ତମ ସ୍ବାସ୍ଥ୍ୟ ବ୍ୟବସ୍ଥା, ସମ୍ବଲପୁରରେ ରାଜ୍ୟର ଦ୍ବିତୀୟ ଏମ୍ସ ପ୍ରତିଷ୍ଠା କରିବା ଲକ୍ଷ୍ୟ ରଖିଛି। ସେହିପରି ମହାପ୍ରଭୁଙ୍କ ରତ୍ନ ଭଣ୍ଡାର ଖୋଲାଯିବ, ହଜିଥିବା ଚାବିର ତଦନ୍ତ କରିବା, ରତ୍ନ ଗଣତି, ମଣତି କରାଯାଇ ତଥ୍ୟ ସାର୍ବଜନୀନ କରିବା, କ୍ଷତିଗ୍ରସ୍ତ ହୋଇଥିବା ମଠ ଗୁଡ଼ିକର ପୁନରୁଦ୍ଧାର କରିବା ଭକ୍ତମାନଙ୍କ ପାଇଁ ଶ୍ରୀମନ୍ଦିର ଚାରି ଦ୍ୱାର ଖୋଲିବାକୁ ଲକ୍ଷ୍ୟ ରଖିଛି। ଓଡ଼ିଶାରେ ବିଶ୍ୱସ୍ତରୀୟ ରାସ୍ତା ନିର୍ମାଣ, ୭୫ ହଜାର କିମି ନୂଆ ରାସ୍ତା ନିର୍ମାଣ, ୨୦୨୯ ପୂର୍ବରୁ ୩.୫ ଲକ୍ଷ ଯୁବପିଢ଼ିଙ୍କୁ ନିଯୁକ୍ତି ସୁଯୋଗ, ଭୁବନେଶ୍ୱର, ରାଉରକେଲା, ବାଲେଶ୍ୱର, ବ୍ରହ୍ମପୁରରେ ଆଇଟି ପାର୍କ ନିର୍ମାଣ, ଖାଲି ଥିବା ଦେଢ଼ ଲକ୍ଷ ସରକାରୀ ପଦବି ପୂରଣ, କଟନୀ ଛଟନୀ ସଂପୂର୍ଣ୍ଣ ଭାବେ ବନ୍ଦ, ମହିଳାଙ୍କ ପାଇଁ ସୁଭଦ୍ରା ଯୋଜନା: ୫୦ ହଜାର ଟଙ୍କା ସହାୟତା, ପ୍ରତି ବଡ଼ ସହରରେ ଓଡ଼ିଶା ଭବନ ନିର୍ମାଣ, ଆଗାମୀ ୩ ବର୍ଷରେ ୨୫ ଲକ୍ଷ ଲକ୍ଷପତି ଦିଦି, ଚିଟ୍ଫଣ୍ଡ ପଇସା ୧୮ ମାସ ମଧ୍ୟରେ ଫେରସ୍ତ, ଖଣିରୁ ମିଳୁଥିବା ଲାଭ ଓଡ଼ିଶାର ବିକାଶ ପାଇଁ ବିନିଯୋଗ ଓ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୩୧ଶହ ଟଙ୍କା ଦେବା।

କଂଗ୍ରେସର ନିର୍ବାଚନ ଇସ୍ତାହାର

କଂଗ୍ରେସ ନିଜର ନିର୍ବାଚନୀ ଇସ୍ତାହାରରେ ୫ ନ୍ୟାୟ ଓ ୨୫ ଗ୍ୟାରେଣ୍ଟି ରହିଛି। ସେଗୁଡିକ ହେଲା ଯୁବ ନ୍ୟାୟ, ନାରୀ ନ୍ୟାୟ, କିଷାନ ନ୍ୟାୟ, ଶ୍ରମିକ ନ୍ୟାୟ ଓ ଭାଗୀଦାରୀ ନ୍ୟାୟ। ଯୁବକଙ୍କୁ ଚାକିରି ଗ୍ୟାରେଣ୍ଟି ଓ ଗରିବ ମହିଳାଙ୍କୁ ବାର୍ଷିକ ୧ ଲକ୍ଷ ଟଙ୍କାର ସହାୟତା ପ୍ରଦାନ, କୃଷକଙ୍କ ଋଣ ଛାଡ଼ କରାଯିବା ସହ ରୋଜଗାର ଓ ଟ୍ୟାକ୍ସ ସୁଧାର ଉପରେ ଗୁରୁତ୍ବ ଦିଆଯାଇଛି। ସେହିପରି ଜାତି ଜନଗଣନା ପ୍ରତିଶ୍ରୁତି, ଓପିଏସ ପ୍ରତିଶ୍ରୁତି, ୩୦ ଲକ୍ଷ ସରକାରୀ ଚାକିରି, ଗରିବ ମହିଳାଙ୍କୁ ଲକ୍ଷେ ଟଙ୍କା ସହ ୪୫୦ ଟଙ୍କାରେ ରୋଷେଇ ସିଲିଣ୍ଡର ଯୋଗାଇ ଦେବା, ଚାକିରିରେ ୫୦ ପ୍ରତିଶତ ମହିଳା ସଂରକ୍ଷଣ ପାଇଁ ମଧ୍ୟ ଘୋଷଣା କରାଯାଇଛି। ଏହା ସହିତ କୃଷକମାନଙ୍କ ପାଇଁ ସ୍ୱାମୀନାଥନ ଫର୍ମୁଲା ସହିତ ଏମଏସପି ର ଆଇନଗତ ଗ୍ୟାରେଣ୍ଟି, ଶ୍ରମିକମାନଙ୍କ ପାଇଁ ୨୫ ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟସେବା ଗ୍ୟାରେଣ୍ଟି, ମାଗଣା ଚିକିତ୍ସା, ହସ୍ପିଟାଲ, ଡାକ୍ତର, ଔଷଧ, ଅସ୍ତ୍ରୋପଚାର ପାଇଁ ଗ୍ୟାରେଣ୍ଟି ଘୋଷଣା କରାଯାଇଛି। ଆହୁରି ମଧ୍ୟ ଯେଉଁମାନଙ୍କର ଜମି ନାହିଁ ସେମାନଙ୍କୁ ଜମି ଦେବା ପାଇଁ ମଧ୍ୟ ପ୍ରତିଶ୍ରୁତି ଦିଆଯାଇଛି।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments