Monday, May 20, 2024
Homeଖବରକିଏ କରୁଛନ୍ତି ମିଛ ପ୍ରଚାର?

କିଏ କରୁଛନ୍ତି ମିଛ ପ୍ରଚାର?

ଭୁବନେଶ୍ବର: ସାଧାରଣ ନିର୍ବାଚନ-୨୦୨୪ ଜାରି ରହିଛି। ଦେଶରେ ପ୍ରଥମ ୩ଟି ପର୍ଯ୍ୟାୟରେ ମତଦାନ ଶେଷ ହୋଇସାରିଛି। ଆହୁରି ୪ଟି ପର୍ଯ୍ୟାୟରେ ମତଦାନ ହେବ। ଏହି ସମୟରେ (ମେ’ ୧୩, ୨୦, ୨୫ ଓ ଜୁନ୍‌୧)ରେ ଓଡ଼ିଶାରେ ଆସନ୍ତା ୧୩ ତାରିଖ ଠାରୁ ମତଦାନ ହେବ। ରାଜ୍ୟରେ ୨୧ଟି ଲୋକସଭା ଓ ୧୪୭ଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ଭୋଟ ହେଉଥିବାରୁ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ପାଲଟିଛି। କେବଳ ସେତିକି ନୁହେଁ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ୬ଷ୍ଠ ଥର ପାଇଁ ଲଗାତାର ସରକାର ଗଢ଼ିବାକୁ ବିଜେଡି ଆଶା ବାନ୍ଧିଥିବା ବେଳେ ଏଥିରେ ବ୍ରେକ୍‌ ଲଗାଇବା ପାଇଁ ଭାରତୀୟ ଜନତା ପାର୍ଟି (ବିଜେପି) ଉଦ୍ୟମ କରୁଛି। ୨୪ ବର୍ଷର ସରକାରରେ ଥିବା ଦୁର୍ବଳତାକୁ ଆଧାର କରି ବିଜେଡି ପ୍ରଚାର କରୁଛି। କିନ୍ତୁ ବିଜେପି ମଧ୍ୟ କାଉଣ୍ଟର କରିବାରେ ବିଜେଡିକୁ ଛାଡୁ ନାହିଁ। ଆସନ୍ତା ଜୁନ୍‌ ୪ ତାରିଖରେ ରାଜ୍ୟର କାହାର ସରକାର ହେବ, ତାହା ଯଦିଓ ସ୍ପଷ୍ଟ ହେବ, କିନ୍ତୁ ନିଜ ସପକ୍ଷରେ ମତଦାତାଙ୍କୁ ଆକର୍ଷିତ କରିବା ପାଇଁ ଶ୍ରେଷ୍ଠ ନେତୃତ୍ବ ଭାଷଣବାଜୀ କରୁଛନ୍ତି।  ବିଜେଡିକୁ ବିଜେପି ଓ କଂଗ୍ରେସ ଟାର୍ଗେଟ କରୁଛନ୍ତି। ଉଭୟ ବିଜେପି ଓ କଂଗ୍ରେସ ସିଧାସଳଖ ନବୀନ ପଟ୍ଟନାୟକ ଓ ଭୈରବ କାର୍ତ୍ତିକ ପାଣ୍ଡିଆନ୍‌ଙ୍କୁ କାଉଣ୍ଟର କରୁଛନ୍ତି। କିନ୍ତୁ ନବୀନ ପଟ୍ଟନାୟକ ଓ ଭିକେ ପାଣ୍ଡିଆନ ବିରୋଧୀଙ୍କୁ ଟାର୍ଗେଟ କରି ଭାଷଣ ଦେଉଛନ୍ତି। ବିଜେଡି ମଧ୍ୟ ବିଜେପି ଓ କଂଗ୍ରେସକୁ ଟାର୍ଗେଟ କରୁଛି। ଅନ୍ୟପଟରେ ବିଜେପି ଓ ବିଜେଡି ବିରୋଧରେ ପ୍ରଚାର କରିବାକୁ ପଛାଉ ନାହିଁ କଂଗ୍ରେସ।

ନବୀନଙ୍କ ପ୍ରଚାର

ନିର୍ବାଚନ ପ୍ରଚାର ବେଳେ ସବୁବେଳେ ମୁଖ୍ୟମନ୍ତ୍ରୀ ନୀବନ ପଟ୍ଟନାୟକ କହୁଛନ୍ତି, ‘ବିରୋଧୀ ମିଛ କହୁଛନ୍ତି। ଅପପ୍ରଚାର କରି କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି। ଓଡ଼ିଶା ପ୍ରତି କିମ୍ବା ଓଡ଼ିଶାବାସୀଙ୍କ ପ୍ରତି ସେମାନଙ୍କର କୌଣସି ଆନ୍ତରିକତା ନାହିଁ। ନିର୍ବାଚନ ସମୟରେ ସେମାନଙ୍କର ଓଡ଼ିଶା କଥା ମନେପଡୁଛି। ପ୍ରଧାନମନ୍ତ୍ରୀଙ୍କ ସରକାର ଗଠନ କଥାକୁ ହାଲ୍‌କାରେ ଉଡ଼ାଇ ଦେଇଛନ୍ତି ନବୀନ। କହିଛନ୍ତି ଯେ ବିଜେପି ଦିନରେ ସ୍ବପ୍ନ ଦେଖିବା ଆରମ୍ଭ କଲାଣି। ବୟସାଧିକ ପାଇଁ ନବୀନ କ’ଣ କହୁଛନ୍ତି ନିଜେ ମଧ୍ୟ ଜାଣିପାରୁ ନାହାନ୍ତି। କିଛି ଦିନ ପୂର୍ବରୁ ଦକ୍ଷିଣ ଓଡ଼ିଶାରେ ଏକ ଜନସଭାକୁ ସମ୍ବୋଧିତ କରି ନବୀନ କହୁଥିଲେ, ମୁଁ ପାରଳା ମହାରାଜା ଶ୍ରଦ୍ଧାଞ୍ଜଳି ଜଣାଉଛି। ଶଙ୍ଖ ଚିହ୍ନ ଭଲ ହୋଇଛି। ପଦ୍ମପୁର ଉପନିର୍ବାଚନ ପ୍ରଚାର ବେଳେ ନବୀନ କହିଥିଲେ, ୨୦୨୩ ଡିସେମ୍ବର ସୁଦ୍ଧ ପଦ୍ମପୁର ଜିଲ୍ଲା ହେବ। ଓଡ଼ିଶାର ପ୍ରମୁଖ ଦାଦନ ସମସ୍ୟା ଦୂର ହେଉଛି କି? ରୋଗୀ ଓ ଗର୍ଭବତୀଙ୍କୁ ଖଟିଆରେ ବୁହା ହେବା ଘଟଣା ମିଛ କି? ଜିଲ୍ଲା ମୁଖ୍ୟ ଡାକ୍ତରଖାନାଗୁଡ଼ିକ ରେଫରାଲ ହସ୍‌ପିଟାଲ ହୋଇଥିବା ମିଛ କି? ତେବେ ନୀବନ ଯେତେବେଳେ ବିରୋଧୀଙ୍କୁ ମିଛ କହୁଛନ୍ତି ବୋଲି କହୁଛନ୍ତି, ପ୍ରଥମେ ନିଜେ ସମୀକ୍ଷା କରିବା ଉଚିତ।  

କ’ଣ କହିଲେ ପାଣ୍ଡିଆନ୍‌

ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ କେନ୍ଦ୍ର ସରକାରଙ୍କୁ ଶାଣିତ ଆକ୍ରମଣ କରିଥିଲେ। ମଞ୍ଚରେ କେନ୍ଦ୍ର ସରକାରଙ୍କୁ କଟାକ୍ଷ କରି କହିଥିଲେ ଯେ ଓଡ଼ିଶାରେ ଡବଲ ଇଞ୍ଜିନ ଦରକାର ନାହିଁ, ଯାହା ମଝିରେ ବନ୍ଦ ହୋଇଯିବ। ଡବଲ ଇଞ୍ଜିନ ସରକାର ଥିବା ରାଜ୍ୟରେ ବୋମା ଫୁଟୁଛି, ଗୁଳି ଶବ୍ଦ ଶୁଭୁଛି। ନବୀନ ଓଡ଼ିଶାରେ ଶାନ୍ତି ଅଛି। ବିଗତ ୨୪ ବର୍ଷ ମଧ୍ୟରେ ଓଡ଼ିଶାରେ କେବେ ଡବଲ ଇଞ୍ଜିନ ସରକାର ହୋଇନାହିଁ। ଯଦି ବିଜେପି ସରକାର କ୍ଷମତାକୁ ଆସିବ, ତା’ହେଲେ ଓଡ଼ିଶାର ସ୍ଥିତି ଆଗକୁ ବଢ଼ିବ ନା ଗରିବ ହେବ, ତାହା ପାଣ୍ଡିଆନ କେମିତି ଭବିଷ୍ୟତ ଆକଳନ କରୁଛନ୍ତି। ପାଣ୍ଡିଆନ କହୁଛନ୍ତି ଡବଲ ଇଞ୍ଜିନ ଥିବା ରାଜ୍ୟରେ ବୋମା ଓ ଗୁଳି ଫୁଟୁଛି। ଓଡ଼ିଶାରେ ଦୁର୍ବୃତ୍ତମାନଙ୍କର ବୋମାମାଡ଼ ହେଉ ନାହିଁ କି? ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବଦାସଙ୍କ ମୃତ୍ୟୁ କେମିତି ହୋଇଥିଲା? ତାହା ବି ଶ୍ରୀ ପାଣ୍ଡିଆନ କହିବା ଦରକାର। ପାଣ୍ଡିଆନ୍‌ଙ୍କ ଅନ୍ୟ ଏକ କଥା ହେଲା- ବିରୋଧୀଙ୍କୁ  ୧୦ ପ୍ରତିଶତ ବି ଭୋଟ୍ ମିଳିବ ନାହିଁ। ତେବେ ରାଜ୍ୟରେ ଦୁଇଟି ବିରୋଧୀ ଦଳ ଅଛନ୍ତି। ୨୦୧୯ ନିର୍ବାଚନରେ ବିଜେପିକୁ ୨୦୧୪ ତୁଳନାରେ ୧୩ ପ୍ରତିଶତ ଭୋଟ ଅଧିକ ମିଳିଥିବା ବେଳେ ବିଜେଡିକୁ ୫ ଓ କଂଗ୍ରେସକୁ ୭ ପ୍ରତିଶତ କମ୍‌ ମିଳିଥିଲା। ସେହିପରି ୨୦୦୯ ତୁଳନାରେ ବିଜେପିକୁ ୨୦୧୪ରେ ବିଜେଡିକୁ ୧୪ ପ୍ରତିଶତ ଅଧିକ ଓ ବିଜେପିକୁ ୪ ପ୍ରତିଶତ ଅଧିକ ଭୋଟ୍‌ ମିଳିଥିବା ବେଳେ କଂଗ୍ରେସ ୧୧ ପ୍ରତିଶତ ଭୋଟ୍‌ କମ ପାଇଥିଲା। ତେବେ ବିଗତ ୨ଟି ନିର୍ବାଚନର ସ୍ଥିତି ଦେଖିଲେ ବିଜେପିର ଭୋଟ୍‌ ହାର ବଢ଼ିଛି। ଅପରପ‌କ୍ଷେ ବିଜେଡିର ଭୋଟ୍‌ ହ୍ରାସ ପାଇଛି।

କ’ଣ କହିଲେ ପ୍ରଧାନମନ୍ତ୍ରୀ

ବିରୋଧୀଙ୍କ ନାମ ନନେଇ ଶ୍ରୀ ପାଣ୍ଡିଆନ ମଞ୍ଚରେ ଘୋଷଣା କରିଥିଲେ ଯେ ଜୁନ୍ ୯ ତାରିଖ ଦିନ ବିଜେଡି ସରକାର ଗଠନ ହେବ ଏବଂ ସେଦିନ ସକାଳ ୧୧ଟା ୩୦ରୁ ଅପରାହ୍ନ ୧ଟା ୩୦ ମଧ୍ୟରେ ଶପଥଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ। ପାଣ୍ଡିଆନ୍‌ଙ୍କ ପୂର୍ବରୁ ବ୍ରହ୍ମପୁର ଓ ନବରଗଂପୁରରେ ବିଜେପି ପକ୍ଷରୁ ଆୟୋଜିତ ବିଜୟ ସଂକଳ୍ପ ‌ସମାବେଶରେ ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ ଯେ, ବିଜେପି ଯାହା କହେ, ତାହା କରିକି ଦେଖାଏ। ଆସନ୍ତା ମାସ ୪ ତାରିଖରେ ବିଜେଡି ସରକାରର ଏକ୍ସପାରି ଡେଟ୍‌ ସରିବ। ୬ ଜୁନ୍‌ରେ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଫାଇନାଲ ହେବ। ୧୦ ଜୁନ୍‌ରେ ବିଜେପି ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବ ହେବ। ଉକ୍ତ ଶପଥ ଗ୍ରହଣ ସମାରୋହରେ ଯୋଗ ଦେବାକୁ ଆପଣ ସମସ୍ତଙ୍କୁ ନିମନ୍ତ୍ରଣ ରହିଲା।  ବିଜେପି ସଂକଳ୍ପ ପତ୍ରରେ ଯୁବକ, ମହିଳା, ବୟସ୍କଙ୍କ ପାଇଁ ଯାହା ପ୍ରତିଶ୍ରୁତି ଦେଇଛି, ତାହା ପୂରଣ କରାଯିବ। ଏହା ହେଉଛି ‘ମୋଦୀ ଗ୍ୟାରେଣ୍ଟି’। ଧନୀ ଓଡ଼ିଶାର ଜନତା ଗରିବ କାହିଁକି ହେଲେ? ଏଥିପାଇଁ କଂଗ୍ରେସ ଓ ବିଜେଡି ଦାୟୀ। ମୁଖ୍ୟମନ୍ତ୍ରୀଙ୍କ ଏହି ଜିଲ୍ଲାରୁ ସବୁଠାରୁ ଅଧିକ ଶ୍ରମିକ ଦାଦନ ଖଟିବାକୁ ଯାଉଛନ୍ତି, ଏଥିପାଇଁ ଦାୟୀ କିଏ? ଡାକ୍ତରଖାନାରେ ଡାକ୍ତର ନାହାନ୍ତି, ପିଲା ଅଧାରୁ ପାଠ ଛାଡ଼ୁଛନ୍ତି।ପାଣିର ସୁବିଧା ନାହିଁ। ଓଡ଼ିଶାରେ ବିକାଶ ପାଇଁ ମୋଦୀ ସରକାର କେବେ ବି ବଜେଟ୍‌ର ଅଭାବ କରିନାହିଁ। କଂଗ୍ରେସ ସରକାର ଅମଳରେ ୧୦ ବର୍ଷରେ ଓଡ଼ିଶାକୁ ୧ଲକ୍ଷ କୋଟି ଟଙ୍କା ପ୍ରଦାନ କରାଯାଇଥିଲା। କିନ୍ତୁ ମୋଦୀ ସରକାର ୧୦ବର୍ଷରେ ଓଡ଼ିଶାକୁ ୩.୫ ଲକ୍ଷ କୋଟି ଟଙ୍କା ପ୍ରଦାନ କରିଛି। କେନ୍ଦ୍ର ସରକାର ଓଡ଼ିଶାକୁ ‘ଜଳ ଜୀବନ ମିସନ’ ପାଇଁ ୧୦ହଜାର କୋଟି ଟଙ୍କା ଦେଇଛନ୍ତି। ଗାଁରେ ରାସ୍ତା ତିଆରି ପାଇଁ ମୋଦୀ ସରକାର ଟଙ୍କା ଦେଇଛି। ମାଗଣା ଚାଉଳ ପାଇଁ ଅର୍ଥ ମଂଜୁର କରୁଛି। କିନ୍ତୁ ବିଜେଡି ସରକାର ତାହା ନିଜର ବୋଲି ପ୍ରଚାର କରୁଛି।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments