Monday, May 20, 2024
Homeଖବରଓଡ଼ିଶାବାସୀ ଦେଖିବେ କି ନୂଆ ସୂର୍ଯ୍ୟ?

ଓଡ଼ିଶାବାସୀ ଦେଖିବେ କି ନୂଆ ସୂର୍ଯ୍ୟ?

ଭୁବନେଶ୍ବର: ଜାତୀୟ ସ୍ତରରେ ଭିନ୍ନଭିନ୍ନ ପ୍ରସଙ୍ଗକୁ ଆଧାର କରି ଯେତେବେଳେ ସର୍ଭେ ରିପୋର୍ଟ ପ୍ରକାଶ ପାଇଥାଏ ଦେଖିବାକୁ ମିଳେ ଯେ, ତାଲିକାରେ ଓଡ଼ିଶା ତଳଆଡୁ ଥାଏ। କେନ୍ଦ୍ର ସରକାରଙ୍କ ବିଭିନ୍ନ ମନ୍ତ୍ରାଳୟ ତରଫରୁ ପ୍ରକାଶିତ ଓ ବେସରକାରୀ ସଂସ୍ଥା ଦ୍ବାରା ରିପୋର୍ଟରେ ମଧ୍ୟ ଓଡ଼ିଶା ଉପରେ ନଥାଏ। କିନ୍ତୁ ରାଜ୍ୟ ସରକାର ସବୁବେଳେ ବିକାଶର ନାରା ଦେଇଥାନ୍ତି। ଓଡ଼ିଶାକୁ ୨୦୩୬ ମସିହାରେ ଦେଶର ଏକ ନମ୍ବର ରାଜ୍ୟ କରିବାକୁ ପ୍ରତିଶ୍ରତି ଦେଇଥାନ୍ତି। ବିଜ୍ଞାପନ ଦେଖିଲେ ଯିଏ କେହି ବି କହିବ ଓଡ଼ିଶା ବହୁତ ବିକଶିତ। କିନ୍ତୁ ତୃଣମୂଳ ସ୍ତରରେ ଓଡ଼ିଶା କେତେ ବିକଶିତ ତାହା ଉଣାଅଧିକେ ସମସ୍ତେ ଜାଣିଛନ୍ତି।

ନିର୍ବାଚନ ସମୟରେ ବିକାଶକୁ ଆଧାର କରି ଶାସକ ଦଳ ଓ ବିରୋଧୀ ବିଜେପି ଭାଷଣବାଜୀ କରୁଛନ୍ତି। ନବୀନ ଓ ୫ଟି ରୂପାନ୍ତରକୁ ଆଧାର କରି ବିଜେଡି ଭୋଟ ମାଗୁଥିବା ବେଳେ ଜମି, ଜଳ, ଜଙ୍ଗଲ ଓ ଖଣି ପ୍ରଚୁର ପରିମାଣରେ ଥାଇ ମଧ୍ୟ ଓଡ଼ିଶା ଗରିବ ହୋଇ ରହିଛି। କୋଟିଏ ଗରିବ ଲୋକ ଦାଦନ ଖଟିବାକୁ ଯାଉଛନ୍ତି। କୃଷି, ଶିଳ୍ପ ଓ ରୋଜଗାରର ବ୍ୟାପକ ସମସ୍ୟା ଥିବା କାରଣରୁ ଓଡ଼ିଶା ଗରିବ ହୋଇ ରହିଛି। କେନ୍ଦ୍ରୀୟ ନେତୃତ୍ବ ଏହା ଭଲ ଭାବରେ ହୃଦୟଙ୍ଗମ କରିପାରୁଛନ୍ତି। ଏହାର ମୁଖ୍ୟ କାରଣ ହେଲା ଯେ, ଦେଶର ପ୍ରମୁଖ ସହରେ ଲକ୍ଷ ଲକ୍ଷ ଓଡ଼ିଆ ଲୋକ ଶ୍ରମିକ ଭାବରେ କାମ କରନ୍ତି।

ଓଡ଼ିଆଙ୍କୁ ଜାଣନ୍ତି ମୋଦୀ

ଓଡ଼ିଶାର ଲୋକେ ଗରିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଭଲଭାବରେ ହୃଦୟଙ୍ଗମ କରିପାରିଛନ୍ତି। ପ୍ରଧାନମନ୍ତ୍ରୀ ହେବା ପୂର୍ବରୁ ସେ ଗୁଜରାଟରେ ବହୁ ବର୍ଷ ଧରି ମୁଖ୍ୟମନ୍ତ୍ରୀ ଥିଲେ। ଗୁଜରାଟରେ ସେ ଲକ୍ଷଲକ୍ଷ ଓଡ଼ିଆ ଲୋକ ଥିବା ଜାଣିଛନ୍ତି। ସୁରତ, ଅହମଦାବାଦ, ଗାନ୍ଧୀନଗରରେ ଥିବା ବିଭିନ୍ନ କଳକାରଖାନାରେ ଓଡ଼ିଆ ଲୋକମାନେ କାମକରନ୍ତି। ସୁରତରେ ଓଡ଼ିଆବସ୍ତି ଗୁଡ଼ିକ ରହିଛି। ଓଡ଼ିଶାରେ ‌ରୋଜଗାର ଅଭାବ ଥିବା କାରଣରୁ ବହୁ ବର୍ଷ ଧରି ଓଡ଼ିଆ ଲୋକମାନେ ସେଠାରେ ରହି ପରିବାର ପୋଷୁଛନ୍ତି। କେବଳ ସୁରତ ନୁହେଁ। ଦିଲ୍ଲୀ, କେରଳ, ତାମିଲନାଡୁ, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, କେରଳ ଓ ଆସାମରେ ମଧ୍ୟ ଲକ୍ଷ ଲକ୍ଷ ଓଡ଼ିଆ ଲୋକ ଦାଦନ ଖଟୁଛନ୍ତି। ତେଣୁ ବିଭିନ୍ନ ତଥ୍ୟ ଆଧାରରେ ପ୍ରଧାନମନ୍ତ୍ରୀ ମୋଦୀ ଓଡ଼ିଶାର ଲୋକ ଗରିବୀ ସୀମାରେଖା ତଳେ ଥିବା କହିଛନ୍ତି।

ଗରିବ ପଛର କାରଣ?

ଓଡ଼ିଶା ଗରିବ ହେବାର ପଛରେ ରହିଛି ପ୍ରମୁଖ ୨ଟି କାରଣ। ୭୫ ବର୍ଷ ଧରି ଦୁଇଟି ରାଜନୈତିକ ହାତରେ କ୍ଷମତା ରହିଛି। ୫୦ ବର୍ଷ କଂଗ୍ରେସ ଶାସନ କଲା ପରେ ବିଜେଡି ହାତରେ ୨୪ବର୍ଷର କ୍ଷମତା ରହିଛି। ଗଣତାନ୍ତ୍ରିକ ରାଷ୍ଟ୍ରରେ ଯେତେବେଳେ କ୍ଷମତା ଗୋଟିଏ ନିଦ୍ଦିଷ୍ଟ ରାଜନୈତିକ ଦଳ ପାଖରେ ଦୀର୍ଘଦିନ ପର୍ଯ୍ୟନ୍ତ ରହିଥାଏ, ବିକାଶ ପଛାଇ ଯାଇଥାଏ। କିନ୍ତୁ ପରିବର୍ତ୍ତନ ପାଇଁ ମତଦାତାମାନେ ମାନସିକ ଭାବେ ବଦଳିବାର ଆବଶ୍ୟକତା ରହିଛି। ଓଡ଼ିଶା ପାଖରେ ପ୍ରଚୁର ଜଳ, ଖଣିଜ ସମ୍ପଦ, ଲମ୍ବା ସମୁଦ୍ର ତଟ ରହିଛି, ବ୍ରହ୍ମପୁର ଭଳି ଟ୍ରେଡ ସେଣ୍ଟର ରହିଛି । ଭଗବାନ ଓଡ଼ିଶାକୁ ବହୁତ କିଛି ଦେଇଛନ୍ତି । କିନ୍ତୁ ଏତେ ସମ୍ପଦ ଥିବା ଓଡ଼ିଶାର ଜନତା କାହିଁକି ଗରିବ? ଓଡ଼ିଶା ଧନୀ, କିନ୍ତୁ ଜନତା ଗରିବ । ଏ ପାପ ପୂର୍ବରୁ କଂଗ୍ରେସ କରୁଥିଲା, ପରେ ବିଜେଡି ନେତା କରିଛି। ହେଲେ ବିଜେପି ସରକାର ହେଲେ ରାଜ୍ୟବାସୀଙ୍କ ଦୁଃଖ ଦୂରେଇବ। ଥରେ ସୁଯୋଗ ଦେବାକୁ ଅପିଲ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ବ୍ରହ୍ମପୁର ଉପକଣ୍ଠ କନିଷି ଠାରେ ଆୟୋଜିତ ବିଜୟ ସଂକଳ୍ପ ସମାବେଶରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଥରେ ଓଡିଶାବାସୀଙ୍କ ସେବା କରିବାକୁ ସୁଯୋଗ ଦିଅନ୍ତୁ। ୫ ବର୍ଷରେ ଓଡିଶାକୁ ନମ୍ବର ୧ ରାଜ୍ୟ କରିଦେବେ। ଏହି ଗ୍ୟାରେଣ୍ଟି ଦେଉଛନ୍ତି ବୋଲି ପ୍ରତିଶ୍ରୁତି ଦେଇଛନ୍ତି ମୋଦୀ ।

ପିସି ସମସ୍ୟା

ଆଧୁନିକ ସମୟରେ ସରକାରୀ ଯୋଜନା ସଠିକ ଭାବେ ପରିଚାଳିତ ହେଲେ ମଧ୍ୟ ବିକାଶ ହୋଇପାରିବ। କୌଣସି ନିଦ୍ଦିଷ୍ଟ ପ୍ରକଳ୍ପ ପାଇଁ ମଂଜୁର ହେଉଥିବା ଟଙ୍କା ଯଦି ୮୦ ପ୍ରତିଶତ କାମ ହେବ, ତା’ହେଲେ ବିକାଶ ହୋଇପାରିବ। ଓଡ଼ିଶାରେ କିନ୍ତୁ ସ୍ଥିତି ଓଲଟା। ପ୍ରକଳ୍ପ ପାଇଁ ନେତା ଓ ଅଧିକାରୀ ପିସି ନିଅନ୍ତି ୩୦ରୁ ୩୫ ପ୍ରତିଶତ। ଠିକାଦାର ନିଜ ପାଇଁ ୨୦ ପ୍ରତିଶତ ରଖିବ। ବାକି କାମ ପ୍ରକଳ୍ପରେ ଖର୍ଚ୍ଚ ହେବ। ତେବେ ଏଭଳି ସ୍ଥିତିରେ ବିକାଶ ହେବ କେମିତି? ପ୍ରକଳ୍ପର ଗୁଣବତ୍ତା ରହିବ କ’ଣ? କୃଷି, ଶିଳ୍ପ, ରୋଜଗାର, ସ୍ବାସ୍ଥ୍ୟ, ଶିକ୍ଷା, ଗମନାଗମନର ଉନ୍ନତିକୁ ବିକାଶ କୁହନ୍ତି। କିନ୍ତୁ ଏସବୁ ମାମଲାରେ ଓଡ଼ିଶା ବହୁତ ପଛରେ। କେବଳ ଧାନ ବ୍ୟତୀତ ଅନ୍ୟ ପସଲର ଉତ୍ପାଦନ ଓଡ଼ିଶାରେ ନୈରାଶ୍ୟଜନକ ସ୍ଥିତିରେ। ଦୈନନ୍ଦିନ ଖାଦ୍ୟପଦାର୍ଥ ଯଥା ଆଳୁ, ପିଆଜ, ଅଣ୍ଡା, ମାଛ, ତେଲ, ଡାଲି ପାଇଁ ଓଡ଼ିଶା ସବୁବେଳେ ଅନ୍ୟ ରାଜ୍ୟ ଉପରେ ନିର୍ଭରଶୀଳ। ରାଜ୍ୟରେ ପ୍ରଚୁର ପରିମାଣରେ କପା ଉତ୍ପାଦନ ହେଉଥିଲେ ମଧ୍ୟ କାରଖାନା ନାହିଁ। ବୟନ ଶିଳ୍ପକୁ ପ୍ରୋତ୍ସାହନ ଦିଆଗଲେ ଲକ୍ଷାଧିକ ଲୋକଙ୍କୁ ରାଜ୍ୟରେ ରୋଜଗାର ମିଳିପାରନ୍ତା।

କ’ଣ କହିଲେ ମୋଦୀ

ଓଡ଼ିଶାରେ ବିଜେପି ସରକାର ଗଢ଼ିବା ପାଇଁ ସଂପୂର୍ଣ୍ଣ ପ୍ରସ୍ତୁତ ହୋଇସାରିଛି। ଏଥି ପାଇଁ ପୂରା ରଣନୀତି ଲଗାଇଦେଇଛି। ଲୋକେ ୨୪ ବର୍ଷର ସରକାର ପ୍ରତି ମୁହଁ ଫେରାଉଛନ୍ତି, ଯାହାକି ବିଜେପି ପାଇଁ ଶୁଭ ବୋଲି ମଧ୍ୟ ଚର୍ଚ୍ଚା ହେଉଛି। ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ଆସନ୍ତା ଜୁନ୍ ୪ରେ ବିଜେଡିର ଯୁଗ ଶେଷ ହେବ। ଓଡ଼ିଶାରେ ନୂଆ ସୂର୍ଯ୍ୟର ଉଦୟ ହେବ। ଜୁନ୍ ୬ରେ ବିଜେପିର ମୁଖ୍ୟମନ୍ତ୍ରୀ ଚେହେରା ଘୋଷଣା ହେବ । ଆସନ୍ତା ଜୁନ୍ ୧୦ ତାରିଖରେ ଓଡିଶାରେ ବିଜେପିର ମୁଖ୍ୟମନ୍ତ୍ରୀ ଶପଥ ଗ୍ରହଣ କରିବେ। ବୋଲି ମଧ୍ୟ କହିଛନ୍ତି ମୋଦୀ। ତେଣୁ ସେହି ଶପଥ ସମାରୋହରେ ସାମିଲ ହେବାକୁ ସମସ୍ତଙ୍କୁ ନିମନ୍ତ୍ରଣ ଦେବାକୁ ଆସିଛି।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments