Monday, May 20, 2024
Homeଖବରଓଡ଼ିଶାରେ କଂଗ୍ରେସ: ପ୍ରାର୍ଥୀ ଚୟନରେ ବିଳମ୍ବ

ଓଡ଼ିଶାରେ କଂଗ୍ରେସ: ପ୍ରାର୍ଥୀ ଚୟନରେ ବିଳମ୍ବ

ଭୁବନେଶ୍ବର: ସାଧାରଣ ନିର୍ବାଚନ-୨୦୨୪ରେ କଂଗ୍ରେସର ସ୍ଥିତି ଆହୁରି ଦୁର୍ବଳ ହେବାରେ ଲାଗିଛି। କେବଳ ଜାତୀୟ ସ୍ତରରେ ନହେଁ। ଦକ୍ଷିଣ ଭାରତୀୟ ରାଜ୍ୟ ଯଥା କର୍ଣ୍ଣାଟକ, ତାମିଲନାଡୁ, କେରଳ,‌ ତେଲେଙ୍ଗାନା, ଉତ୍ତରାଖଣ୍ଡ, ରାଜସ୍ଥାନ ସମେତ ଉତ୍ତର-ପୂର୍ବ ଭାରତକୁ ଛାଡ଼ି ଦେଲେ କଂଗ୍ରେସ ଅନ୍ୟ ରାଜ୍ୟ ଯଥା ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ଆସାମ, ଓଡ଼ିଶା, ଆନ୍ଧ୍ରପ୍ରଦେଶ, ବିହାର, ଝାଡ଼ଖଣ୍ଡ, ମହାରାଷ୍ଟ୍ର ଭଳି ରାଜ୍ୟରେ ସ୍ଥିତି ଗମ୍ଭୀର ହେବାରେ ଲାଗିଛି। ଓଡ଼ିଶାରେ ମଧ୍ୟ ସ୍ଥିତି ସମାନ ଅବସ୍ଥା। ଦଳର ନେତୃତ୍ବ ନେଇଥିବା ମଲ୍ଲିକାର୍ଜୁନ ଖଡ଼ଗେ ଓ ରାହୁଲ ଗାନ୍ଧୀ କର୍ମୀଙ୍କୁ ଏକତା ସୂତ୍ରରେ ବାନ୍ଧିବାରେ ବିଫଳ ହେଉଥିବା ଏକପ୍ରକାରର ପରିଲକ୍ଷିତ ହେଉଛି।

ଓଡ଼ିଶାରେ କଂଗ୍ରେସ ଆଉ ତାର ପୂର୍ବସ୍ଥିତିରେ ନାହିଁ। ଏହା ପ୍ରମାଣିତ କରିଛି ୨୦୦୦ ମସିହା ପରଠାରୁ ହୋଇଥିବା ସାଧାରଣ ନିର୍ବାଚନ। ୨୦୦୪ରେ ୩୮ଟି, ୨୦୦୯ରେ ୨୭ଟି, ୨୦୧୪ରେ  ୧୬ଟି ଓ ୨୦୧୯ରେ ୯ଟି ଆସନରେ ବିଜୟୀ ହୋଇଥିଲା। ଗତ ସାଧାରଣ ନିର୍ବାଚନରେ ଓଡ଼ିଶାର ୨୧ଟି ଲୋକସଭା ଆସନ ମଧ୍ୟରୁ କେବଳ କେରାପୁଟ ଛାଡ଼ି ଦେଲେ କଂଗ୍ରେସ ଅନ୍ୟ ସବୁଠାରରେ ପରାସ୍ତ ହୋଇଥିଲା। କଂଗ୍ରେସକୁ ପୁଣି ଥରେ ତାର ପୂର୍ବସ୍ଥିତିକୁ ଫେରାଇ ଆଣିବା ପାଇଁ କେନ୍ଦ୍ରୀୟ ଓ ରାଜ୍ୟ ନେତୃତ୍ବ ଉଦ୍ୟମ କରିଛନ୍ତି। ଗତମାସ ୨୮ ତାରିଖରେ ବରିଷ୍ଠ ନେତା ତଥା ସାଂସଦ ରାହୁଲ ଗାନ୍ଧୀ ଓଡ଼ିଶାଗସ୍ତରେ ଆସି କଟକ ଜିଲ୍ଲା ସାଲେପୁରରେ ବିଶାଳ ଜନସଭାକୁ ସମ୍ବୋଧିତ କରିଥିଲେ। ଶ୍ରୀ ଗାନ୍ଧୀ ସେଦିନ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଥିଲେ। ଓଡ଼ିଶାରେ ପ୍ରଚୁର ଜଳ, ଜମି, ଜଙ୍ଗଲ ଓ ଖଣି ଥିଲେ ମଧ୍ୟ ଲୋକଙ୍କୁ ଚାକିରି, ରୋଜଗାର ମିଳୁ ନାହିଁ ବୋଲି କହିଥିଲେ।

ପ୍ରାର୍ଥି ଘୋଷଣାରେ ବିଳମ୍ବ

ଚଳିତ ସାଧାରଣ ନିର୍ବାଚନରେ ଓଡ଼ିଶାରେ କଂଗ୍ରେସ ବଡ଼ ସଂକଟ ଦେଇ ଗତି କରୁଛି। ଶାସକ ବିଜୁ ଜନତା ଦଳ (ବିଜେଡି) ଓ ପ୍ରମୁଖ ବିରୋଧୀ ଦଳ ଭାରତୀୟ ଜନତା ପାର୍ଟି (ବିଜେପି) ରାଜ୍ୟର ୨୧ ଲୋକସଭା ଓ ୧୪୭ ବିଧାନସଭା ଆସନରେ ପ୍ରାର୍ଥୀ ଦେଇ ସାରିଥିବା ବେଳେ କଂଗ୍ରେସ ମେ’ ୩ ତାରିଖ ସୁଦ୍ଧା ପ୍ରାର୍ଥୀ ଦେବା ପ୍ରକ୍ରିୟା ସାରି ପାରି ନାହିଁ। ଯଦିଓ ଶତପ୍ରତିଶତ ଆସନରେ କଂଗ୍ରେସ ପ୍ରାର୍ଥୀ ଦେଇସାରିଛି, ତଥାପି ଦଳ ପୁରୀ ଲୋକସଭା ଆସନ ଓ ନୀଳଗିରି ବିଧାନସଭା ଆସନ ପାଇଁ ବିଳମ୍ବ କରିଛି। ଉଭୟ କେନ୍ଦ୍ରୀୟ ଓ ରାଜ୍ୟସ୍ତରୀୟ ନେତୃତ୍ବରେ ଅଭାବ କାରଣରୁ ଏଭଳି ସ୍ଥିତି ଉପୁଜିଛି। ଦେଶର ପ୍ରଥମ ଓ ବୃହତ୍‌ ରାଜନୈତିକ ଦଳର ସ୍ଥିତି ଏଭଳି ସ୍ତରରେ ପହଞ୍ଚିବା ଗଣତନ୍ତ୍ର ପାଇଁ ମଧ୍ୟ ଶୁଭଙ୍କର ନୁହେଁ ବୋଲି ମଧ୍ୟ ଚର୍ଚ୍ଚା ହେଉଛି।

ଟିକେଟ୍‌ ଫେରାଇ ଦ‌େଲେ ସାଂସଦ ପ୍ରାର୍ଥୀ

ପୁରୀ ସାଂସଦ ପ୍ରାର୍ଥୀ ସୁଚରିତା ମହାନ୍ତି କଂଗ୍ରେସ ଟିକେଟ୍ ଫେରାଇ ଦେଇଛନ୍ତି। ନିର୍ବାଚନ ଲଢ଼ିବା ପାଇଁ ତାଙ୍କୁ ଦଳୀୟ ପାଣ୍ଠି ଦିଆଯାଇ ନଥିବା ସେ ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି ଯେ, ଯେଉଁଆଡ଼େ ଯାଉଛନ୍ତି, ସେଠି ଲୋକଙ୍କ ଶ୍ରଦ୍ଧା ମିଳୁଛି। ଆଜିର ଦିନ ନିର୍ବାଚନ ଏକ ବ୍ୟୟବହୁଳ ମାମଲା। ସେହି କାରଣରୁ ଅର୍ଥ ନଥିଲେ ନିର୍ବାଚନ ପ୍ରଚାର ସମ୍ଭବ ନୁହେଁ। ଦଳ ପକ୍ଷରୁ କୌଣସି ଆର୍ଥିକ ସହାୟତା ନ ମିଳିବା କାରଣରୁ ସେ ଟିକେଟ ଫେରାଇବା ଲାଗି ନିଷ୍ପତ୍ତି ନେଇଛନ୍ତି। କେବଳ ସେତିକି ନୁହେଁ। ଏଆଇସିସିସକୁ ‌ପୁରୀ ଲୋକସଭା ଅନ୍ତର୍ଗତ ୭ରୁ ୪ଟି ବିଧାନସଭା କ୍ଷେତ୍ରରେ ପ୍ରାର୍ଥୀ ବଦଳାଇବା ଲାଗି ଜଣାଇଥିଲେ। ହେଲେ ସେଭଳି କରାଗଲା ନାହିଁ।

ଚିନ୍ତା ବଢ଼ାଇଲା ବାଲେଶ୍ବର,ପୁରୀ

ପୁରୀ ଲୋକସଭା ଓ ଏହାର ଅଧୀନ ୭ଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ଆସନ୍ତା ୨୫ ତାରିଖରେ ମତଗ୍ରହଣ କରାଯିବ। ୬ ତାରିଖ ହେଉଛି ପ୍ରାର୍ଥିପତ୍ର ଦାଖଲର ଅନ୍ତିମ ଦିନ। ଏହାରି ଭିତରେ ସୁଚରିତା ଟିକେଟ୍ ଫେରାଇବା ପରେ ଏହି ଆସନରୁ କଂଗ୍ରେସ ପୁଣି ନୂଆ ପ୍ରାର୍ଥୀ ନେଇ ଚିନ୍ତା ବଢ଼ିଛି। ଜୁନ୍‌ ୧ ତାରିଖରେ ହେବାକୁ ଥିବା ମତଦାନ ପାଇଁ ବାଲେଶ୍ବର ଲୋକସଭା ଓ ଏହାର ଅଧୀନ ୭ଟି ବିଧାନସଭା ଆସନରେ ପ୍ରାର୍ଥିପତ୍ର ଦାଖଲ ମେ’ ୭ ତାରିଖ ଠାରୁ ଆରମ୍ଭ ହେବ। ମେ’ ୧୩ ତାରିଖ ପ୍ରାର୍ଥିପତ୍ର ଦାଖଲର ଶେଷ ଦିନ ହୋଇଥିବା ବେଳେ ନୀଳଗିରିରେ ପ୍ରାର୍ଥି ଘୋଷଣା ବିଳମ୍ବ ସାଂସଦ ପ୍ରାର୍ଥି ପାଇଁ ରୋଚକ ହୋଇପାରେ ବୋଲି ଚର୍ଚ୍ଚା ହେଉଛି। କାରଣ ନୀଳଗିରିରେ କଂଗ୍ରେସ ବିଧାୟକ ପ୍ରାର୍ଥୀ ଘୋଷଣା କରିବାରେ ବିଳମ୍ବ କରିଛି। ବାଲେଶ୍ବରରେ ସାଂସଦ ପ୍ରାର୍ଥୀ ଶ୍ରୀକାନ୍ତ ଜେନାଙ୍କ ସମର୍ଥକଙ୍କୁ ବିଧାୟକ କରାନଗଲେ ପୂରା କଂଗ୍ରେସର ଭୋଟ୍‌ ପ୍ରତିଶତ ହ୍ରାସ ପାଇବ ବୋଲି ଚର୍ଚ୍ଚା ହେଉଛି।  

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments