Monday, May 20, 2024
Homeଖବରପ୍ରାର୍ଥୀ ପରିବର୍ତ୍ତନ: ଦଳ ପାଇଁ ପଡ଼ିବ ପ୍ରଭାବ!

ପ୍ରାର୍ଥୀ ପରିବର୍ତ୍ତନ: ଦଳ ପାଇଁ ପଡ଼ିବ ପ୍ରଭାବ!

ଭୁବନେଶ୍ବର: ସାଧାରଣ ନିର୍ବାଚନ-୨୦୨୪ ପାଇଁ ପ୍ରାର୍ଥୀଙ୍କ ପ୍ରଚାର ଜୋରଦାର ଚାଲିଛି। ନିର୍ବାଚନ ବୈତରଣୀ ପାରି ହେବା ପାଇଁ ପ୍ରାର୍ଥୀମାନେ ଜୋରଦାର ଉଦ୍ୟମ କରୁଛନ୍ତି। ତେବେ ଚଳିତ ନିର୍ବାଚନରେ ପ୍ରାର୍ଥୀ ପରିବର୍ତ୍ତନ ଦଳ ପାଇଁ ପ୍ରଭାାବ ପଡ଼ିବାର ଆଶଙ୍କା ମଧ୍ୟ ଦେଖାଯାଉଛି। ପ୍ରାର୍ଥୀ ପରିବର୍ତ୍ତନ ମାମଲାରେ କଂଗ୍ରେସ ଓ ଶାସକ ବିଜୁ ଜନତା ଦଳ (ବିଜେଡି) ଆଗୁଆ ଅଛନ୍ତି। ଚଳିତ ନିର୍ବାଚନରେ ବିଜେଡି ଦେବଗଡ଼ ବିଧାନସଭା ଆସନରେ ଜଣକୁ ଟିକେଟ୍ ଦେବାର କିଛି ଦିନ ପରେ ପୁଣି ଫେରାଇ ନେଇଥିବା ବେଳେ କଂଗ୍ରେସ ୧୫ଟି ଆସନରେ ଏଭଳି କାମ କରିଛି।
ଦେବଗଡ଼ ବିଧାନସଭା କ୍ଷେତ୍ରରେ ଅରୁନ୍ଧତୀ ଦେବୀଙ୍କୁ ବିଜେଡି ଟକେଟ୍ ଦେଇଥିଲା। କିନ୍ତୁ ଅରୁନ୍ଧତୀଙ୍କୁ ଦଳୀୟ କର୍ମୀଙ୍କୁ ବିଷରୋଧ କରାଯିବାରୁ ତାଙ୍କ ସ୍ଥାନରେ ରୋମାଞ୍ଚ ରଂଜନ ପ୍ରଧାନଙ୍କୁ ପରେ ବିଜେଡି ପ୍ରାର୍ଥୀ କରିଥିଲା। କଂଗ୍ରେସ ସମ୍ବଲପୁର ଓ ପୁରୀ ଲୋକସଭା କ୍ଷେତ୍ରରେ ପୂର୍ବରୁ ଯଥାକ୍ରମେ ଦୁଲାଲ ଚନ୍ଦ୍ର ପ୍ରଧାନ ଓ ସୁଚରିତା ମହାନ୍ତିଙ୍କୁ ପ୍ରାର୍ଥୀ କରିଥିଲା। ଶ୍ରୀମତୀ ମହାନ୍ତି ପାଣ୍ଠି ଅଭାବ ଓ ବିଧାନସଭା ଆସନଗୁଡ଼ିକରେ ଭଲ ପ୍ରାର୍ଥୀ ଦିଆଯାଇ ନଥିବା ଅଭିଯୋଗରେ ଟିକେଟ୍ ଫେରାଇଥିଲେ। କଂଗ୍ରେସ ସମ୍ବଲପୁର ଓ ପୁରୀରେ ଯଥାକ୍ରମେ ନଗେନ୍ଦ୍ର ପ୍ରଧାନ ଓ ଜୟନାରାୟଣ ପଟ୍ଟନାୟକଙ୍କୁ ଟିକେଟ ଦେଇଛି।

୧୩ ବିଧାୟକ ପ୍ରାର୍ଥୀ ପରିବର୍ତ୍ତନ କଲା କଂଗ୍ରେସ

ଚଳିତ ନିର୍ବାଚନରେ କଂଗ୍ରେସ ୧୩ଟି ସ୍ଥାନରେ ବିଧାନସଭା ଆସନରେ ପ୍ରଥମେ ଟିକେଟ୍ ଦେଇ ପରେ ପୁଣି ପ୍ରତ୍ୟାହାର କରିଛି। ଜଳେଶ୍ବରରେ ଦେବୀ ପ୍ରସନ୍ନ ଚାନ୍ଦଙ୍କ ସ୍ଥାନରେ ସୁଦର୍ଶନ ଦାସ, ବରୀରେ ଆରତୀ ଦେଓଙ୍କ ସ୍ଥାନରେ ଦେବାଶିଷ ନାୟକ, ଆଠମଲ୍ଲିକରେ ବିଜୟାନନ୍ଦ ଚାଉଲିଆଙ୍କ ସ୍ଥାନରେ ହିମାଂଶୁ ଚାଉଲିଆ, ପୁରୀରେ ସୁଜିତ ମହାପାତ୍ରଙ୍କ ସ୍ଥାନରେ ଉମାବଲ୍ଲଭ ରଥ, ବାରିପଦାଛରେ ବାଦଲ ହେମ୍ବ୍ରମଙ୍କ ସ୍ଥାନରେ ପ୍ରମୋଦ କୁମାର ହେମ୍ବ୍ରମ, ଖଣ୍ଡପଡ଼ାରେ ମନୋଜ କୁମାର ପ୍ରଧାନଙ୍କ ସ୍ଥାନରେ ବୈଜୟନ୍ତୀମାଳା ମହାନ୍ତି, କଣ୍ଟାମାଳରେ ମନୋଜ କୁମାର ଆଚାର୍ଯ୍ୟଙ୍କ ସ୍ଥାନରେ ଶରତ କୁମାର ପ୍ରଧାନ, ଜୟଦେବରେ ଜୟନ୍ତ କୁମାର ଭୋଇଙ୍କ ସ୍ଥାନରେ କୃଷ୍ଣ ସଗରିଆ, କବିସୂର୍ଯ୍ୟନଗରରେ ବିପିନ ବିହାରୀ ସ୍ବାଇଁଙ୍କ ସ୍ଥାନରେ ସଂଜୟ କୁମାର ମଣ୍ଡଳଙ୍କୁ କଂଗ୍ରେସ ପ୍ରାର୍ଥୀ କରିଛି।  

ଅରୁନ୍ଧତୀ ଦେବୀ ହେଲେ ବିଜେଡି ସଂପାଦକ

ଟିକେଟ ମିଳିନଥିବା ନେତା ଏବଂ ଟିକେଟ ମିଳିବା ପରେ ପ୍ରାର୍ଥୀ ପରିବର୍ତନ କରିଥିବା ନେତ୍ରୀଙ୍କୁ ବୁଝାଇବା ପାଇଁ ଶାସକ ବିଜୁ ଜନତା ଦଳ ପ୍ରୟାସ କରିଛି। ଅରୁନ୍ଧତୀ ଦେବୀଙ୍କୁ ଦଳୀୟ ଦାୟୀତ୍ୱ ଦେଇ ସମ୍ଭାବ୍ୟ ଅସନ୍ତୋଷକୁ ଏଡ଼ାଇବା ପାଇଁ ଉଦ୍ୟମ କରିଥିବା ଚର୍ଚ୍ଚା ହେଉଛି। ତେବେ ନେତାଙ୍କୁ ସିନା ବୁଝାଇବାକୁ ଦଳ ଉଦ୍ୟମ କରିଛି, ହେଲେ କର୍ମୀ ଏଥିରେ ମାନିବେ ତ’?  ଅରୁନ୍ଧତୀ ଦେବୀଙ୍କୁ ରାଜ୍ୟ ସାଧାରଣ ସଂପାଦକ ଦାୟିତ୍ୱ ଦିଆଯାଇଛି। ତେବେ ଅରୁନ୍ଧତୀ ଦେବୀଙ୍କୁ ବିଧାୟିକ ଆସନରେ ବସାଇବାକୁ ଅଂଟା ଭିଡ଼ିଥିବା ସମର୍ଥକ ଏହି ଘଟଣାକୁ କେମିତି ଦେଖିବେ ତାହା ଗୁରୁତ୍ୱପୂର୍ଣ୍ଣ।

ବିଜେଡି ୬ ଆସନରେ ପ୍ରାର୍ଥୀ ବଦଳ

ପ୍ରାର୍ଥୀ ପରିବର୍ତ୍ତନ ମାମଲାରେ ବିଜେଡି କମ୍ ନୁହେଁ। ପୁରୀ ଜିଲ୍ଲା ବ୍ରହ୍ମଗିରିରେ ବିଜେଡି ସଂଜୟ ଦାସବର୍ମାଙ୍କ ସ୍ଥାନରେ ଉମା ସାମନ୍ତରାୟଙ୍କୁ ଟିକେଟ୍ ଦେଇଛି। ଅପରପକ୍ଷେ ସତ୍ୟବାଦୀରେ ସଂଜୟ ଦାସବର୍ମାଙ୍କୁ ଅବସ୍ଥାପିତ କରିଛି। ସତ୍ୟବାଦୀରେ ଉମା ସାମନ୍ତରାୟ ଟିକେଟ୍ ଚାହୁଁଥିଲେ। ବିଜେଡି ସମ୍ବଲପୁର ବିଧାନସଭା ଆସନରେ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ଟିକେଟ୍ ଦେଇଥିଲା। ଶ୍ରୀ ଆଚାର୍ଯ୍ୟ ରେଢ଼ାଖୋଲରେ ପ୍ରାର୍ଥୀ ହେବାକୁ ଚାହୁଁଥିଲେ। ଏଥି ପାଇଁ ସେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିଲେ। ପରେ ତାଙ୍କର ଦାବି ପୂରା ହୋଇଛି। ଅପରପକ୍ଷେ ରେଢ଼ାଖୋଲ ବିଧାୟକଙ୍କୁ ସମ୍ବଲପୁରରେ ଟିକେଟ୍ ଦିଆଯାଇଛି।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments