Monday, May 20, 2024
Homeବିପଦରେ ବଜ୍ରକାପ୍ତା ବଂଶ, ବିଦେଶକୁ ହେଉଛି ଚାଲାଣ!
Array

ବିପଦରେ ବଜ୍ରକାପ୍ତା ବଂଶ, ବିଦେଶକୁ ହେଉଛି ଚାଲାଣ!

ଭୁବନେଶ୍ୱର: ପତଙ୍ଗଭୋଜୀ ପ୍ରାଣୀ ବଜ୍ରକାପ୍ତ ବଂଶ ଲୋପପାଇଯିବାର ଆଶଙ୍କା ରହୁଛି । ଲକ୍ଷାଧିକ ଟଙ୍କା ଲୋଭରେ ଦୁର୍ବୃତ୍ତମାନେ ଯେଭଳି ଭାବେ ବିଦେଶ ଚାଲାଣ କରୁଛନ୍ତି, ଭବିଷ୍ୟତରେ ଏହି ସୁନ୍ଦରିଆ ଜନ୍ତୁ ଲୋପ ପାଇଯିବା ବଡ଼କଥା ନୁହେଁ । ବିଗତ କିଛି ମାସ ହେବ ରାଜ୍ୟର ବିଭିନ୍ନ ସ୍ଥାନରୁ ବାହାରକୁ ବଜ୍ରାକାପ୍ତା ଚାଲାଣ ହୋଇଥିବା ନଜର ରହିଛି । ଅପରପକ୍ଷେ ବନବିଭାଗ ଓ ଏସଟିଏଫ ଚଢ଼ାଉ କରି ଚାଲାଣକାରୀମାନଙ୍କୁ ମଧ୍ୟ ଗିରଫ କରୁଛି । କିନ୍ତୁ ଏହି ବେଆଇନ ଚୋରାଚାଲାଣ ନିୟନ୍ତ୍ରଣକୁ ଆସୁନାହିଁ ।

ବାଲେଶ୍ୱର ଓ ସୁବର୍ଣ୍ଣପୁରରୁ ବଜ୍ରକାପ୍ତା ଉଦ୍ଧାର

ମାତ୍ର ୨୪ ଘଣ୍ଟା ଅନ୍ତରରେ ଭଦ୍ରକ ଓ ସୁବର୍ଣ୍ଣପୁର ଜିଲ୍ଲାରୁ ବଜ୍ରକାପ୍ତା ଉଦ୍ଧାର ହୋଇଛି । ଭୁବନେଶ୍ୱର ଏସଟିଏଫ ଗତ ୧୭ ତାରିଖ ଦିନ ସୋନପୁର ମହାନଦୀ ବ୍ରିଜ ଛକ ନିକଟରୁ ଏକ ଜୀବନ୍ତ ବଜ୍ରକାପ୍ତା ଓ ୫ କିଲୋରୁ ଅଧିକ କାତି ଜବତ କରିବା ସହିତ ଜିଲ୍ଲାର ଉଲୁଣ୍ଡା ଥାନା ଅଧୀନ କପାସିରା ଗାଁର ସୋମନାଥ ବାଘ ଓ ଗିନ୍ଧିଲାମାଲ ଗାଁର ମାରସଲାନ ଭେଙ୍ଗେରାଙ୍କୁ ଗିରଫ କରିଥିଲା । ଏହା ପୂର୍ବରୁ ବାଲେଶ୍ୱର ଜିଲ୍ଲା ଔପଦା ବନବିଭାଗ ୧୬ ତାରିଖ ବଡ଼ପୋଖରୀ ପଂଚାୟତର ଦାରିପୋଖରୀ କେନାଲ ନିକଟରୁ ଏକ ବଜ୍ରକାପ୍ତା ଉଦ୍ଧାର ହୋଇଥିଲା । ଏହାକୁ କେହି ଚାଲାଣ ପାଇଁ ଆଣିଥିବା ବେଳେ ଭୟରେ ଛାଡ଼ି ଦେଇଥିବା ସନ୍ଦେହ ହୋଇଛି ।

ବନ ବିଭାଗକୁ ଭୟ କରୁନାହାନ୍ତି ଚୋର

ରାଜ୍ୟର ବିଭିନ୍ନ ଜଙ୍ଗଲରେ ବଜ୍ରାକାପ୍ତ ଅଛନ୍ତି । ବିଗତ ଦିନରେ କଟକ, ଖୋର୍ଦ୍ଧା, ବାଲେଶ୍ୱର, ଭଦ୍ରକ, ସୁବର୍ଣ୍ଣପୁର, ବଲାଙ୍ଗୀର, ନୂଆପଡ଼ା, ସମ୍ବଲପୁର, ନବରଙ୍ଗପୁର ଆଦି ଜିଲ୍ଲାରୁ ବାହାରକୁ ଚାଲାଣ ହେଉଥିବା ବିରଳ ବଜ୍ରକାପ୍ତା ଓ ଓ ବଜ୍ରକାପ୍ତାର କାତି ଜବତ ହୋଇଛି । ଅତୀତରେ ବଜ୍ରକାପ୍ତା ଚୋରା ଚାଲାଣ ଘଟଣାରେ ବନବିଭାଗ ଓ ଏସଟିଏଫ ଅଭିଯୁକ୍ତମାନଙ୍କୁ ମଧ୍ୟ ଗିରଫ କରିଛି । ସେହିପରି ଚଳିତ ବର୍ଷ ମଧ୍ୟ ଏସଟିଏଫ ବିଭିନ୍ନ ସ୍ଥାନରୁ ଚଢ଼ାଉ କରି ବଜ୍ରକାପ୍ତା ଜବତ କରିଛି ।

ବଜ୍ରକାପ୍ତା ଗଣନା କେବେ ହେବ?

ରାଜ୍ୟର ଅଧିକାଂଶ ଜଙ୍ଗଲରେ ବଜ୍ରକାପ୍ତ ଅଛନ୍ତି । କିନ୍ତୁ ଏମାନଙ୍କର ସଂଖ୍ୟା କେତେ ତାହା କେବେ ବିଦ୍ଧିବଦ୍ଧ ଭାବେ ଗଣନା ହୋଇ ନାହିଁ । ଅତୀତରେ ରାଜ୍ୟ ସରକାର ଏହି ବିରଳ ପ୍ରଜାତିର ବନ୍ୟପ୍ରାଣୀଙ୍କ ସଂଖ୍ୟା ଜାଣିବାକୁ ଆଗ୍ରହ ପ୍ରକାଶ କରିଥିଲେ କିନ୍ତୁ ପରେ କାମ ଆଗକୁ ବଢ଼ି ନଥିଲା ।

ଚଢ଼ା ଦରରେ ବିକ୍ରି, ଚୀନକୁ ଚାଲାଣ

ବଜ୍ରକାପ୍ତାକୁ କ’ଣ ପାଇଁ ଚାଲାଣ କରାଯାଉଛି, ତାହା ଯଦିଓ କୁହାଯାଇପାରିବ ନାହିଁ, ତଥାପି ଏତିକି କୁହାଯାଇପାରିବ ଯେ, ଏହାକୁ ଚଢ଼ା ଦରରେ ବିକ୍ରି କରାଯାଇ ଚାଲାଣକାରୀ ଭଲ ଟଙ୍କା ରୋଜଗାର କରୁଛନ୍ତି । ବଜ୍ରକାପ୍ତାରୁ ଔଷଧ ତିଆରି ହେଉଥିବା ଚର୍ଚ୍ଚା ହୋଇଥାଏ । ସେହିପରି ଏହାର କାତିରୁ ବୁଲେଟ ପ୍ରୁଫ ଜ୍ୟାକେଟ ପ୍ରସ୍ତୁତ ହୋଇଥାଏ । ଓଡ଼ିଶାରୁ କୋଲକାତା ଦେଇ ମିଆଁମାର ମାଧ୍ୟମରେ ଚୀନ ଓ ଭିଏତନାମାକୁ ବଜ୍ରକାପ୍ତା ଚାଲାଣ ହେଉଛି ।

୮ ବର୍ଷରେ ୬ ହଜାର ବଜ୍ରକାପ୍ତାଙ୍କୁ ହତ୍ୟା

ବଜ୍ରକାପ୍ତା ସୁରକ୍ଷା ପାଇଁ ବିଶ୍ୱର ୧୮୦ଟି ଦେଶ ସହମତ ମଧ୍ୟ ହୋଇଛନ୍ତି । ବିଶ୍ୱରେ ଦେଖାଯାଉଥିବା ୮ ପ୍ରଜାତିର ବଜ୍ରକାପ୍ତା ମଧ୍ୟରୁ ଏସିଆ ମହାଦେଶରେ ୪ ପ୍ରକାର ଅଛନ୍ତି । କିନ୍ତୁ ଭାରତୀୟ ବଜ୍ରକାପ୍ତା ବିଶ୍ୱରେ ଅଧିକ ଆକର୍ଷଣୀୟ ଓ ମୂଲ୍ୟବାନ । ଓଡ଼ିଶାରେ ଏମାନଙ୍କ ସଂଖ୍ୟା ବେଶୀ । ଅନ୍ତର୍ଜାତୀୟ ସଂଗଠନ ‘ଟ୍ରାଫିକ’ ରିପୋର୍ଟ ଅନୁସାରେ ୨୦୦୯ରୁ ୨୦୧୭ ମଧ୍ୟରେ ପ୍ରାୟ ୬୦୦୦ ବଜ୍ରକାପ୍ତାଙ୍କୁ ହତ୍ୟା କରାଯାଇଥିବା ବେଳେ ମାତ୍ର ୧୦ ପ୍ରତିଶତ ଅଭିଯୁକ୍ତ ଧରାପଡ଼ିଥିଲେ । ୨୦୧୯ ଜୁଲାଇରେ ସିଙ୍ଗାପୁର ବନ୍ଦରରୁ ୧୪ଟନ ବଜ୍ରକାପ୍ତା କାତି ଉଦ୍ଧାର ହୋଇଥିଲା ।

କାମକୁ ନୁହେଁ ବନ୍ୟ ସୁରକ୍ଷା ଆଇନ

ବନ୍ୟପ୍ରାଣୀଙ୍କ ସୁରକ୍ଷା ଲାଗି ଭାରତର ବନ୍ୟପ୍ରାଣୀ ସୁରକ୍ଷା ଆଇନ, ୧୯୭୨ ରହିଛି । ଏହି ଆଇନ ଅସୁନାରେ ଜଙ୍ଗଲର ଯେକୌଣସି ଜୀବଜନ୍ତୁଙ୍କୁ ଶିକାର କରିବା ବଡ଼ ଅପରାଧ । ବନ୍ୟଜନ୍ତୁ ଶିକାର କରିଥିବା ଅଭିଯୁକ୍ତ ଧରାପଡ଼ିଲେ ବଡ଼ ଧରଣର କାର୍ଯ୍ୟାନୁଷ୍ଠାନ ନିଆଯିବାର ବ୍ୟବସ୍ଥା ରହିଛି । ଅଭିଯୁକ୍ତମାନେ ଗିରଫ ହେଉଛନ୍ତି । କିନ୍ତୁ ଅନେକ ସ୍ଥାନରେ ଦେଖିବାକୁ ମିଳୁଛି, କଡ଼ାକାର୍ଯ୍ୟାନୁଷ୍ଠାନ ନିଆଯାଇପାରୁ ନାହିଁ । ଯାହା ଦ୍ୱାରା ବନ୍ୟପ୍ରାଣୀଙ୍କ ଶିକାର ବଢୁଛି ଓ ବନ୍ୟଜନ୍ତୁ ସଂଖ୍ୟା ହ୍ରାସ ପାଉଛି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments