Monday, May 20, 2024
Homeଭକ୍ତଙ୍କୁ ମିଳିବ ବରାଦି ଅବଢ଼ା, ଜଗା ଦର୍ଶନକୁ ଶ୍ରଦ୍ଧାଳୁଙ୍କ ଅପେକ୍ଷା
Array

ଭକ୍ତଙ୍କୁ ମିଳିବ ବରାଦି ଅବଢ଼ା, ଜଗା ଦର୍ଶନକୁ ଶ୍ରଦ୍ଧାଳୁଙ୍କ ଅପେକ୍ଷା

ଭୁବନେଶ୍ୱର: କୋଭିଡ-୧୯ କଟକଣା ଲାଗୁ ହେବା ପରେ ଗତ ମାର୍ଚ୍ଚ ତୃତୀୟ ସପ୍ତାହ ଠାରୁ ସାଧାରଣ ଭକ୍ତ ଓ ଶ୍ରଦ୍ଧାଳୁ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରିପାରୁନାହାନ୍ତି । କାଳିଆଙ୍କ ଦର୍ଶନ ପାଇଁ ଭକ୍ତମାନେ ବ୍ୟସ୍ତ ହୋଇପଡ଼ିିଥିବା ବେଳେ ଶ୍ରୀମନ୍ଦିରରୁ ଏକ ଭଲ ଖବର ଆସିଛି । ଖୁବ ଶୀଘ୍ର ଭକ୍ତଙ୍କୁ ବରାଦି ଅବଢ଼ା ମିଳିବ । ଏ ନେଇ ସୁଆର ମହାସୁଆର ନିଯୋଗ ସହିତ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର ଆଲୋଚନା କରିଛନ୍ତି ।

ଏଣିକି ମହାପ୍ରସାଦ ପାଇଁ ଭକ୍ତ ବରାଦ କରିପାରିବେ । ପୂର୍ବରୁ କଟକଣା ଥିବା ଯୋଗୁଁ ମହାପ୍ରସାଦ ମିଳିପାରୁ ନ ଥିବା ବେଳେ ପୁରୀ ଓ ରାଜ୍ୟବାସୀଙ୍କୁ ସହଜରେ ବରାଦି ଅବଢ଼ା ମିଳିବ । ଜଗାଙ୍କ ଦର୍ଶନ ଆସନ୍ତା ଡିସେମ୍ବରରେ ମିଳିପାରେ ବୋଲି ଆଶା କରାଯାଉଛି । ରାଜ୍ୟରେ କରୋନା ଭାଇରସ ସଂକ୍ରମଣ ଦିନକୁ ଦିନ ହ୍ରାସ ପାଉଥିବାରୁ ପତିତପାବନଙ୍କୁ ଦର୍ଶନ ପାଇଁ ଶ୍ରୀମନ୍ଦିର ପ୍ରଶାସନ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେଇଛି ।

ଆଉ ମାତ୍ର ୧୧ ଦିନ ପରେ ପବିତ୍ର କାର୍ତ୍ତିକ ମାସ ଆରମ୍ଭ ହେବ । କାର୍ତ୍ତିକ ବ୍ରତଧାରୀ ତଥା ହବିଷ୍ୟାଳିମାନଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ବଡ଼ ନିଷ୍ପତ୍ତି ନେଇଛି । ହବିଷ୍ୟାଳିମାନଙ୍କୁ ମହାପ୍ରସାଦ ମିଳିବ । ବଡ଼ଦେଉଳର ଉତ୍ତର ଓ ଦକ୍ଷିଣ ଦ୍ୱାରରେ ହବିଷ୍ୟାଳିଙ୍କୁ ମହାପ୍ରସାଦ ଦିଆଯିବ ।

ଜୁନ ପ୍ରଥମ ସପ୍ତାହରେ ବନ୍ଦ ହୋଇଥିଲା ବରାଦି ଅବଢ଼ା

ସମଗ୍ର ଦେଶ ସମେତ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରୁ ଶ୍ରୀମନ୍ଦିରରେ ଗତ ଜୁନ ପ୍ରଥମ ସପ୍ତାହରେ ବରାଦି ଅବଢ଼ା ରନ୍ଧାକାର୍ଯ୍ୟ ବନ୍ଦ ରଖାଯାଇଥିଲା । ଏହା ପୂର୍ବରୁ ଶ୍ରୀମନ୍ଦିର ପ୍ରଶାସନ ସୁଆର ମହାସୁଆର ନିଯୋଗ ସହ ଆଲୋଚନା କରିଥିଲା । ଏଥିରେ ନିଷ୍ପତ୍ତି ହୋଇଥିଲା ଯେ, କେବଳ ପୁରୀ ସହର ଓ ସେବାୟତ ପରିବାରଙ୍କ ଲାଗି ଅବଢ଼ା ପ୍ରସ୍ତୁତି ହେବ । ଅନ୍ୟ ଜିଲ୍ଲାର ଲୋକଙ୍କୁ ବରାଦି ଅବଢ଼ା ଦିଆଯିବ ନାହିଁ ।

ଅବଢ଼ା ନେଇ ଅନେକ ବିବାଦ

ବିଗତ ଦିନରେ ମହାପ୍ରଭୁଙ୍କ ଅବଢ଼ା ନେଇ ଅନେକ ବିବାଦ ଦେଖିବାକୁ ମିଳିଛି । କୋଭିଡ-୧୯ ଯୋଗୁଁ ମହାପ୍ରସାଦ ଅନଲାଇନରେ ବିକ୍ରୀ ପାଇଁ ମଧ୍ୟ ଦାବି ହୋଇଥିଲା । ଏନେଇ ଜନସ୍ୱାର୍ଥ ମାମଲା ରୁଜୁ ହୋଇଥିଲା । ପୁରୀର ବିଭୂଦତ୍ତପଟ୍ଟନାୟକ ନାମରେ ଜଣେ ବ୍ୟକ୍ତି ଗତ ଜୁନ ପହିଲାରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ସେ ଯୁକ୍ତି ବାଢ଼ିଥିଲେ ଯେ, ଓଡ଼ିଶା ସହ ସମଗ୍ର ବିଶ୍ୱ ଜଗନ୍ନାଥ ସଂସ୍କୃତି ସହ ଭାବପ୍ରବଣତା ଯୋଡ଼ି ହୋଇଯାଇଛି । ଲୋକେ ମହାପ୍ରସାଦ ନପାଇ ଅସନ୍ତୋଷ ଦେଖାଯାଉଛନ୍ତି । ତେଣୁ ହୋମ ଡେଲିଭରି କରିବାରେ ଅସୁବିଧା ନାହିଁ ।

ସ୍ୱାଭାବିକ ହେଉଛି ପୁରୀ, ବଢୁଛି ପର୍ଯ୍ୟଟକଙ୍କ ଭିଡ

କୋଭିଡ-୧୯ କଟକଣା ପରେ ପୁରୀରେ ଦିନକୁ ଦିନ ସ୍ୱାଭାବିକ ହେଉଛି । ଶ୍ରୀକ୍ଷେତ୍ର ଧାମକୁ ପର୍ଯ୍ୟଟକଙ୍କ ଭିଡ ଧୀରେ ଧୀରେ ବଢ଼ିବାରେ ଲାଗିଛି । ଶ୍ରୀମନ୍ଦିରକୁ ଯଦିଓ ଏବେବି ସାଧାରଣ ଭକ୍ତ ଓ ଶ୍ରଦ୍ଧାଳୁଙ୍କୁ ବାରଣ ଅଛି, ପୁରୀ ସହର ଓ ବେଳାଭୂମିକୁ ଯିବାରେ କୌଣସି ଅସୁବିଧା ନାହିଁ । ବେଳାଭୂମିରେ ପୂର୍ବଭଳି ପର୍ଯ୍ୟଟକଙ୍କ ଭିଡ ନାହିଁ; ଏକଥା ସତ କିନ୍ତୁ ଏପ୍ରିଲରୁ ଅଗଷ୍ଟ ଯାଏଁ ଥିବା ସ୍ଥିତି ତୁଳନାରେ ସୁଧୁରିଛି । ଦୋକାନ ବଜାର ଖୋଲିସାରିଛି । ହୋଟେଲ ଶିଳ୍ପ ମୁଣ୍ଡ ଟେକିଛି । ତେଣୁ ପର୍ଯ୍ୟଟକମାନେ ମନଖୋଲି ବୁଲିପାରୁଛନ୍ତି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments