Monday, May 20, 2024
Homeମାଓବାଦୀଙ୍କ ଲ୍ୟାଣ୍ଡମାଇନ୍‌ର ଶିକାର ହେଲେ ସାମ୍ବାଦିକ
Array

ମାଓବାଦୀଙ୍କ ଲ୍ୟାଣ୍ଡମାଇନ୍‌ର ଶିକାର ହେଲେ ସାମ୍ବାଦିକ

ଭୁବନେଶ୍ୱର: ମହାନଦୀର ବନ୍ୟା ପାଣିରେ ହାତୀ ଜୀବନ ପାଇଁ ସଂଘର୍ଷ କରୁଥିବା ବେଳେ ଏହାର ଜୀବନ୍ତ ଚିତ୍ର କ୍ୟାମେରାରେ କଭରେଜ୍‌ କରିବାକୁ ଯାଇ ଜୀବନ ହରାଇଥିବା ସାମ୍ବାଦିକ ଅରିନ୍ଦମ ଦାସଙ୍କୁ ଓଡ଼ିଶାବାସୀ ଭୁଲିପାରି ନଥିବା ବେଳେ ନକ୍ସଲ ଗତିବିଧି ସଂପର୍କିତ ରିପୋର୍ଟ ଗ୍ରାଉଣ୍ଡ ଜିରୋରୁ ସଂଗ୍ରହ ପାଇଁ ଯାଇଥିବା ବେଳେ ପୁଣି ଜଣେ ପ୍ରାଣ ହରାଇଛନ୍ତି। ଏହି ୨ ଘଟଣା ଯଦିଓ ଭିନ୍ନ ପ୍ରକାରର ତଥାପି, ଲୋକଙ୍କୁ ଖବର ଦେବା ପାଇଁ ଯାଇଥିବା ବେଳେ ଆଉ ଘରକୁ ଫେରି ନାହାନ୍ତି। ମଦନପୁର ରାମପୁରରେ ଘଟିଥିବା  ଏହି ଘଟଣା ଓଡ଼ିଶାର ସାମ୍ବାଦିକ ଭାଇ-ଭଉଣୀ ତଥା ସାମ୍ବାଦିକ ପରିବାରକୁ ଶକ୍ତ ଝଟକା ଦେଇଛି। ମୃତ ରୋହିତ କୁମାର ବିଶ୍ୱାଳଙ୍କ ପରିବାର ଲୋକଙ୍କ ଅବସ୍ଥା ଆହୁରି ଖରାପ। ରୋହିତଙ୍କ ମୃତ୍ୟୁ ପରେ ତାଙ୍କ ପରିବାର, ଗାଁ ଓ ଆଖପାଖ ଅଞ୍ଚଳର ଲୋକଙ୍କ ଚିନ୍ତା ପଶିଯାଇଛି ଯେ, ନକ୍ସଲମାନେ ପୁଣି ବିସ୍ଫୋରଣ କରିବେ କି? ନକ୍ସଲ ମାନେ ମଧ୍ୟ ଭାବି ପାରି ନଥିବେ ଯେ, ତାଙ୍କର ଦ୍ୱାରା କରାଯାଇଥିବା ଯୋଜନାର ଶିକାର ହେବେ ଜଣେ ସାମ୍ବାଦିକ।

କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ଥାନା ଅଞ୍ଚଳରେ ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣର ଶିକାର ହୋଇଥିବା ସାମ୍ବାଦିକ ରୋହିତ ବିଶ୍ୱାଳଙ୍କ ପରିବାର କହିଲେ ସ୍ତ୍ରୀ ମାଧବୀ ବିଶ୍ୱାଳ (୩୬), ଝିଅ ଆଦ୍ୟାଶା ବିଶ୍ୱାଳ (୧୪) ଓ ପୁଅ ଆରୁଷ ବିଶ୍ୱାଳ (୧୨)। ରୋହିତଙ୍କ ମୃତ୍ୟୁ ପରେ ତାଙ୍କ ପରିବାର ଆଗକୁ କେମିତି ବଢ଼ିବ ସେ ନେଇ ପ୍ରଶ୍ୱବାଚୀ ସୃଷ୍ଟି ହୋଇଛି। ଉଭୟ ଝିଅ-ପୁଅଙ୍କୁ ପାଠ ପଢ଼ାଇ ଶିକ୍ଷିତ କରିବା ପାଇଁ ମାଧବୀଙ୍କର ସଂଘର୍ଷ ଓ ଚିନ୍ତା ବଢ଼ିବ। ରାଜ୍ୟ ସରକାରଙ୍କ ତରଫରୁ ଦିଆଯାଇଥିବା ଅନୁକମ୍ପା ରାଶି କେତେ ଦିନ ଚଳିବ? ରୋହିତଙ୍କ ଏହି ଆକସ୍ମିକ ମୃତ୍ୟୁ କାରଣରୁ ହସଖୁସିରେ ଚାଲିଥିବା ପରିବାର ପାଇଁ କଳାବାଦଲ ଦେଖାଯାଇଛି।

ମାଓବାଦୀଙ୍କ ଉଦ୍ଦେଶ୍ୟ ଭିନ୍ନ

ମଦନପୁର ରାମପୁର-ମୋହନଗିରି ମୁଖ୍ୟ ରାସ୍ତାର ଡମକର୍ଲାଖୁଣ୍ଟା ମାଣିକେରା ମଧ୍ୟରେ ମାଓବାଦୀମାନେ ବଡ଼ଧରଣର କ୍ଷୟକ୍ଷତି ଘଟାଇବା ପାଇଁ ଲ୍ୟାଣ୍ଡମାଇନ୍‌ ପୋତି ରଖିଥିଲେ। ମାଓବାଦୀଙ୍କର ଏହି ଅସଲ ଉଦ୍ଦେଶ୍ୟ ବାବଦରେ କେହି ଜାଣି ନଥିଲେ। ମାଓବାଦୀମାନେ ଜଙ୍ଗଲରେ ପୋଷ୍ଟର ଓ ବ୍ୟାନର ଛାଡ଼ି ଯାଇଥିଲେ, ଯେଉଁଥି ପାଇଁ ସ୍ଥାନୀୟ ଅଞ୍ଚଳରେ କୋକୁଆ ଭୟ ସୃଷ୍ଟି ହୋଇଥିଲା। ସୂଚନା ମିଳିବା ପରେ ସାମ୍ବାଦିକ ରୋହିତ ଖବର ସଂଗ୍ରହ ପାଇଁ ସେଠାକୁ ଯାଇଥିଲେ। ଅରଖକୁପା ଛକ ନିକଟ ଦୁଲେନ୍‌ ଗାଁ ଜଙ୍ଗଲକୁ ଯାଇଁ ଗ୍ରାଉଣ୍ଡ ଜିରୋ ରିପୋର୍ଟିଂ କରୁଥିବା ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣ ହୋଇଥିଲା। ବିସ୍ଫୋରଣର ମାତ୍ରା ଭୟଙ୍କର ଥିଲା। ରୋହିତ ଅଳ୍ପ ସମୟ ମଧ୍ୟରେ ଛଟପଟ ହୋଇ ପ୍ରାଣ ହାରିଥିବା ବେଳେ ତାଙ୍କର ବାଇକ୍‌ ମଧ୍ୟ ବ୍ୟାପକ ନଷ୍ଟ ହୋଇଥିଲା।  

୧୩ ଲକ୍ଷ ଅନୁକମ୍ପା ରାଶି

ଖୁସିର କଥା ରାଜ୍ୟ ସରକାର ସାମ୍ବାଦିକ ରୋହିତ କୁମାର ବିଶ୍ୱାଳଙ୍କ ପରିବାରକୁ ୧୩ ଲକ୍ଷ ଟଙ୍କା ଅନୁକମ୍ପା ରାଶି ଦେବାକୁ ଘୋଷଣା କରିଛନ୍ତି। ଗଣମାଧ୍ୟମ ପରାମର୍ଶଦାତା ମାନସ ମଙ୍ଗରାଜ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ଅନୁକମ୍ପାମୂଳକ ରାଶି ମୃତ ସାମ୍ବାଦିକଙ୍କ ପରିବାରକୁ ମିଳିବ। ପୁଲିସ ବିଭାଗ ପକ୍ଷରୁ ୯ ଲକ୍ଷ ଟଙ୍କା ଓ ସାମ୍ବାଦିକ କଲ୍ୟାଣ ପାଣ୍ଠିରୁ ୪ ଲକ୍ଷ ଟଙ୍କା ଦିଆଯିବ। ଅନୁକମ୍ପା ରାଶି ପ୍ରଦାନ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି। ମୃତ ପରିବାରକୁ ଅନୁକମ୍ପା ରାଶି ଦେଇଥିବାରୁ ସରକାର ନିଶ୍ଚିତ ଭାବେ ପ୍ରଶଂସନୀୟ କାମ କରିଛନ୍ତି। ରୋହିତ ରାଜ୍ୟ ସରକାରଙ୍କ ଦ୍ୱାରା ସ୍ୱୀକୃତିପ୍ରାପ୍ତ ସାମ୍ବାଦିକ ହୋଇଥିବାରୁ ତାଙ୍କୁ ଏହି ସହାୟତା ମିଳିପାରିଛି। 

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments