Sunday, May 19, 2024
Homeମାଟିଆ ରଂଗର ପୋଷାକ ତଳେ ରହିଛି ନକରାତ୍ମକ ମାନସିକତା!
Array

ମାଟିଆ ରଂଗର ପୋଷାକ ତଳେ ରହିଛି ନକରାତ୍ମକ ମାନସିକତା!

ଭୁବନେଶ୍ୱର: ବିଶୃଙ୍ଖଳିତ ସମାଜରେ ଶାନ୍ତି ପ୍ରତିଷ୍ଠା ପାଇଁ ଭାରତରେ ପୋଲିସ ବ୍ୟବସ୍ଥା ରହିଛି । ହିଂସା, ବେଆଇନ ଓ ଅନୈତିକ କାମ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ହେଉଛି ପୋଲିସ କର୍ମଚାରୀଙ୍କ କାମ । ସମାଜରେ ଗରିବ ଓ ନିଷ୍ପେସିତ ଭାବେ ଦିନ କାଟୁଥିବା ବ୍ୟକ୍ତିଙ୍କ ଉପରେ ଆଧିପତ୍ୟ ବିସ୍ତାରଲାଭ କରୁଥିବା ବ୍ୟକ୍ତିଙ୍କ ବିରୋଧରେ ପଦକ୍ଷେପ ନେବା ପୋଲିସର ଅନ୍ୟ ଏକ ଧର୍ମ । କିନ୍ତୁ ସମୟର ପରିବର୍ତ୍ତନ ଯୋଗୁଁ ରକ୍ଷକ ଏବେ ଭକ୍ଷକ ସାଜୁଛି । ନିଜର ସ୍ୱାର୍ଥ ପାଇଁ ପୋଲିସ ନିଜେ କଳଙ୍କର ରଙ୍ଗରେ ଗାଧୋଉଛି । ଫଳରେ ପୋଲିସ ଉପରେ ଲୋକଙ୍କର ଭରସା ତୁଟିବାରେ ଲାଗିଛି ।

ବିଗତ ଦିନରେ ପୋଲିସ ନାଁରେ ଅନେକ ଅଭିଯୋଗ ଆସିଛି । ବିନା ଦୋଷରେ ପୋଲିସ ଥାନାକୁ ନେଇ ଯୁବକଙ୍କୁ ମାଡ଼ ମାରିଥିବା ଘଟଣା ମଧ୍ୟ ଘଟିଛି । ଏପରିକି ଏଭଳି କାର୍ଯ୍ୟରେ ସଂପୃକ୍ତି ଥିବା ଯୋଗୁଁ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଅଭୟଙ୍କ ଦ୍ୱାରା କିଛି ପୋଲିସ କର୍ମଚାରୀ ଅତୀତରେ ନିଲମ୍ବିତ ହୋଇଥିବାର ଉଦାହରଣ ମଧ୍ୟ ରହିଛି । ସବୁଠାରୁ କ୍ଷୋଭର ବିଷୟ ଯେ, ପୋଲିସ କର୍ମୀମାନେ ବାରମ୍ବାର ନିଜର ବରିଷ୍ଠ ଅଧିକାରୀମାନଙ୍କ ଠାରୁ କାର୍ଯ୍ୟାନୁଷ୍ଠାନର ଶିକାର ହେଉଥିଲେ ମଧ୍ୟ ଉଚିତ ଶିକ୍ଷା ଗ୍ରହଣ କରିପାରୁ ନାହାନ୍ତି ।

ଡିସିପିଙ୍କ ନାଁରେ ସିପାହୀ ପତ୍ନୀଙ୍କ ଅଭିଯୋଗ

ଏବେ ନିକଟରେ ପୋଲିସ କମାଣ୍ଡାଣ୍ଟ ଡିସିପି ବିଜୟ ସାହୁଙ୍କ ନାଁରେ ଜଣେ ସିପାହୀଙ୍କ ପତ୍ନୀ ଅଭିଯୋଗ ଆଣିଛନ୍ତି । ଅଭିଯୋଗ ଅନୁସାରେ ଡିସିପି ଶ୍ରୀ ସାହୁ ସଂପୃକ୍ତ ସିପାହୀଙ୍କ ମାଧ୍ୟମରେ ଝିଅ ଚାହୁଁଥିଲେ । ଝିଅ ନ ଯୋଗାଇଲେ ସିପାହୀଙ୍କୁ ବଦଳି ଅଥବା ଚାକିରୀରୁ ବହିଷ୍କାର କରିବାକୁ ସିପାହୀଙ୍କୁ ଧମକ ଦେଉଥିଲେ । ଝିଅମାନଙ୍କୁ ନେଇ ସେ ଖରାପ ଉଦ୍ଦେଶ୍ୟ ରଖିଥିଲେ ବୋଲି ମହିଳା ଅଭିଯୋଗ ଆଣିଛନ୍ତି । ମାନସିକ ଭାରସାମ୍ୟ ହରାଇ ଥିଲେ । ଶେଷରେ ସିପାହୀ ଜଣକ ନିଜର ବରିଷ୍ଠ ଅଧିକାରୀଙ୍କ ଦାବି ପୂରଣ କରିବାରେ ଅସଫଳ ହୋଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ପରେ ଗୁରୁତର ଅବସ୍ଥାରେ ତାଙ୍କୁ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଅନ୍ୟପଟରେ ମହିଳାଙ୍କ ଦ୍ୱାରା ଅଣାଯାଇଥିବା ଅଭିଯୋଗ ଭିତ୍ତିହୀନ ଏବଂ ଏହାର ସତ୍ୟାସତ୍ୟ ଉପରେ ତଦନ୍ତ କରାଯାଉ ବୋଲି ଡିସିପି ଶ୍ରୀ ସାହୁ କହିଛନ୍ତି । ଅଭିଯୋଗ ପରେ ଘଟଣାର ତଦନ୍ତ ପାଇଁ ପୋଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ ନିର୍ଦ୍ଦେଶ ଦେଇଛନ୍ତି ।

ପୋଲିସ ନାଁରେ ଅସଦାଚରଣ ଅଭିଯୋଗ

ମହିଳାଙ୍କୁ ଅସଦାଚରଣ କରିଥିବା ନେଇ ଆଉ ଜଣେ ପୋଲିସ ଅଧିକାରୀଙ୍କ ନାଁରେ ମଧ୍ୟ ଅଭିଯୋଗ ଆସିଛି । ଅଭିଯୋଗ ଅନୁଯାୟୀ ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ଅଂଚଳର ଜଣେ ଦଳିତ ମହିଳା ଗତ ମାର୍ଚ୍ଚ ୧୬ ତାରିଖରେ ଘରୋଇ ଜମିଜମା ମାମଲା ନେଇ ମଙ୍ଗଳପୁର ଥାନା ଅନ୍ତର୍ଗତ ଝୁମ୍ପୁରିସ୍ଥିତ ବିଟ୍ ହାଉସ୍‌କୁ ଯାଇଥିଲେ । ସେଠାରେ ପୋଲିସ ଅଧିକାରୀ ବିଜୟ ସ୍ୱାଇଁ ମହିଳାଙ୍କୁ ଅସଦାଚରଣ କରିଥିଲେ । ଏ ନେଇ ଯାଜପୁର ଏସ୍‌ପି ରାହୁଲ ପିଆର୍‌ଙ୍କ ନିକଟରେ ଅଭିଯୋଗ ହୋଇଥିଲା । ଘଟଣାକୁ ଗୁରୁତ୍ୱ ଦେଇ ଏସ୍‌ପି ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏଥି ସହିତ ଅଭିଯୁକ୍ତ ପୋଲିସ ଏସ୍‌ଆଇ ଶ୍ରୀ ସ୍ୱାଇଁଙ୍କୁ ବିଟ୍ ହାଉସ୍‌ରୁ ତୁରନ୍ତ ତଦନ୍ତ ଶେଷ ହେବା ପର୍ଯ୍ୟନ୍ତ ବାହାର କରି ଦିଆଯାଇଥିଲା ।

ଥାନାକୁ ଡାକି ମାଡ଼ ମାରିଲା ପୋଲିସ!

ବ୍ରହ୍ମପୁରରେ ମଧ୍ୟ ପୋଲିସର ପୋଷାକରେ କଳଙ୍କ ଲାଗିଥିବା ନେଇ ଅଭିଯୋଗ ହୋଇଛି । ପୁରୁଣା ବ୍ରହ୍ମପୁରରେ ଏକ ଦମ୍ପତ୍ତିଙ୍କୁ ଥାନାରେ ମାଡ଼ ମରାଯାଇଥିବା ନେଇ ଜଣେ ମହିଳା ଅଭିଯୋଗ କରିଛନ୍ତି । ପୀଡିତା ଦୁଃଖୀ ନାୟକଙ୍କ ଅଭିଯୋଗ କ୍ରମେ ଏଏସ୍‌ପି ପ୍ରଭାତ ଚନ୍ଦ୍ର ରାଉତରାୟ ଟାଉନ୍ ଏସଡିପିଓ ବିଷ୍ଣୁ ପ୍ରସାଦ ପତିଙ୍କୁ ତଦନ୍ତ ଭାର ଦେଇଛନ୍ତି । ଅଭିଯୋଗ ଅନୁସାରେ ବ୍ରହ୍ମପୁରର ପାଣ୍ଡବନଗରରେ କମି ନାୟକଙ୍କ ପତ୍ନୀ, ମା’ ଓ ଛୋଟ ଝିଅ ଏକାଠି ରହିଥାନ୍ତି । କିନ୍ତୁ ପାରିବାରିକ ସମସ୍ୟା ଯୋଗୁଁ ଦୁଃଖୀଙ୍କ ସହିତ ଶ୍ୱଶୁର ଘର ସହ ଅଶାନ୍ତିରେ ଦିନ କାଟୁଥିଲେ । ନଣନ୍ଦେଇ ଗୃହରକ୍ଷୀ ଥିବାରୁ ସେ ମଧ୍ୟ ପରିବାରରେ ବାରମ୍ବାର ଅଶାନ୍ତି ସୃଷ୍ଟି କରୁଥିଲେ । ଘରେ ଗଣ୍ଡଗୋଳ ଲାଗି ରହୁଥିବାରୁ ପୋଲିସ ଏପ୍ରିଲ ୩ ତାରିଖ ସନ୍ଧ୍ୟାରେ କବିର ଓ ପତ୍ନୀ ଦୁଃଖୀଙ୍କୁ ଥାନାକୁ ଡାକି ନେଇ ମାଡ଼ ମାରିଥିଲା । ଦୁଃଖୀ ଏନେଇ ବ୍ରହ୍ମପୁର ଏସ୍‌ପିଙ୍କ ନିକଟରେ ଅଭିଯୋଗ କରିଛନ୍ତି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments