Monday, May 20, 2024
Homeଖବରରହସ୍ୟଘେରରେ ସହକାରୀ ଜିଲ୍ଲାପାଳ, ଏଏସ୍ଆଇଙ୍କ ମୃତ୍ୟୁ

ରହସ୍ୟଘେରରେ ସହକାରୀ ଜିଲ୍ଲାପାଳ, ଏଏସ୍ଆଇଙ୍କ ମୃତ୍ୟୁ

ଭୁବନେଶ୍ବର: ଜଣେ ମହିଳା ସହକାରୀ ଜିଲ୍ଲପାଳଙ୍କ ମୃତ୍ୟୁ ନେଇ ଦୀର୍ଘ ୨ ସପ୍ତାହ ହେଲା ସୁନ୍ଦରଗଡ଼ରେ ଆନ୍ଦୋଳନର ଦାନା ବାନ୍ଧିଛି। ସହକାରୀ ଉପଜିଲ୍ଲାପାଳ ସୁସ୍ମିତା ମିଞ୍ଜ ଗତ ସେପ୍ଟେମ୍ବର ୧୬ ତାରିଖ ଦିନ ନିଖୋଜ ହେବା ଏବଂ ସେହିମାସ ୧୯ ତାରିଖ ଦିନ ଅପରାହ୍ଣ ୩ଟାରେ ପୋଖରୀରୁ ମୃତଦେହ ମିଳିବା ଘଟଣାକୁ ନେଇ ମୃତକଙ୍କ ପରିବାର, ବିରୋଧୀ ଦଳ ଓ ଜିଲ୍ଲାର ଆଦିବାସୀମାନେ ସହଜରେ ଗ୍ରହଣ କରିପାରୁ ନାହାନ୍ତି। କଥା ଏତିକିରେ ଅଟକି ନାହିଁ ସୁସ୍ମିତା ମିଞ୍ଜ ମୃତ୍ୟୁ ଘଟଣାର ତଦନ୍ତକାରୀ ଅଧିକାରୀ ତଥା ଏଏସ୍ଆଇ ଆଲିସ ଲୁଗୁନଙ୍କ ରହସ୍ୟଜନକ ମୃତ୍ୟୁ ସୁନ୍ଦରଗଡ଼ବାସୀଙ୍କ ଦେହରେ ନିଆଁ ଲଗାଇ ଦେଇଛି।

ରାଉରକେଲା ସହକାରୀ ଉପଜିଲ୍ଲାପାଳ ସୁସ୍ମିତା ମିଞ୍ଜଙ୍କ ମୃତ୍ୟୁକୁ ୨୨ ଦିନ ହୋଇସାରିଛି। ଏଏସ୍ଆଇ ଆଲିସ ଲୁଗୁନ୍ଙ୍କ ମୃତ୍ୟୁ ୬ ଦିନରେ ପହଞ୍ଚିଛି। ମାତ୍ର ଉଭୟଙ୍କ ମୃତ୍ୟୁ ରହସ୍ୟରୁ ପରଦା ହଟିପାରୁ ନାହିଁ। ଉଭୟଙ୍କର ପରିବାର ଲୋକଙ୍କ ପକ୍ଷରୁ କୁହାଯାଇଛି ଯେ, ଏହା ମୃତ୍ୟୁ ନୁହେଁ। ବରଂ ହତ୍ୟା କରାଯାଇଛି। ଅନ୍ୟପଟରେ ମାତ୍ର ୧୫ ଦିନ ମଧ୍ୟରେ ସୁନ୍ଦରଗଡ଼ର ୨ ଜଣ ଯୁବ ମହିଳା ଅଧିକାରୀଙ୍କ ମୃତ୍ୟୁ ନେଇ ଜିଲ୍ଲାବାସୀ ସହଜରେ ଗ୍ରହଣ କରିପାରୁ ନାହାନ୍ତି। ପୁଲିସର ତଦନ୍ତ ଜାରି ଥିବା ବେଳେ ଏଥିରେ ପରିବାର ଓ ଜିଲ୍ଲାବାସୀ ସନ୍ତୁଷ୍ଟ ନାହାନ୍ତି। ବିରୋଧୀ ଦଳମାନେ ମଧ୍ୟ କିଛି ଦିନ ହେଲା ଆନ୍ଦୋଳନ ଜାରି ରଖିବା ସହିତ ଉଚିତ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।

ବିରୋଧୀଙ୍କ ହାତ ମିଶାଇଲେ ଆଦିବାସୀ

ସୁସ୍ମିତା ମିଞ୍ଜ ଓ ଲୁଗୁନଙ୍କୁ ନ୍ୟାୟ ପାଇଁ ବିରୋଧୀ ବିଜେପି ସହିତ କଂଗ୍ରେସ କର୍ମୀମାନେ ଏକାଠି ହୋଇଛନ୍ତି। ବିରୋଧୀମାନେ ଆରକ୍ଷୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟ ଘେରାଉ କରିଛନ୍ତି। ବିରୋଧୀଙ୍କୁ ଆଦିବାସୀ ସଂଗଠନ ବଳ ଯୋଗାଇଛି। ହଜାର ହଜାର ସଂଖ୍ୟାରେ ଆଦିବାସୀ ସଂଗଠନର କର୍ମୀ ଏକାଠି ହୋଇ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ  ତୁରନ୍ତ ଘଟଣାର ସିବିଆଇ ତଦନ୍ତ ପାଇଁ ଦାବି କରିଛନ୍ତି। ଏହାରି ଭିତରେ ସୁସ୍ମିତାଙ୍କ ସ୍ୱାମୀ ସୁଶୀଲ ଟପ୍ପୋଙ୍କୁ ଏଚଆରପିସି ଆଜି ଜେରା କରିଛି। ଆଦିବାସୀ ମହିଳା ଅଧିକାରୀ ସୁସ୍ମିତାଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଥିବା ବେଳେ ଏଥିରେ ଜିଲ୍ଲାର ଉଚ୍ଚ ସରକାରୀ ଅଧିକାରୀଙ୍କ ସମ୍ପୃକ୍ତି ଥିବାରୁ ପୁଲିସ ଆତ୍ମହତ୍ୟାର ରୂପ ଦେଇ ମାମଲାକୁ ଚାପି ଦେବାକୁ ବସିଥିବା ଆଦିବାସୀ ସଂଗଠନ ଅଭିଯୋଗ କରିଛି। ବିକ୍ଷୋଭରେ ସୁନ୍ଦରଗଡ଼ ଜିଲ୍ଲା ଆଦିବାସୀ ମଞ୍ଚ, ସୁନ୍ଦରଗଡ଼ ଜିଲ୍ଲା ମାଟି ବଞ୍ଚାଅ ମଞ୍ଚ, ସୁନ୍ଦରଗଡ଼ ମହିଳା ଫୋରମ, ରାଉରକେଲା ମହିଳା ଫୋରମ, ସୁନ୍ଦରଗଡ଼ ଗ୍ରାମସଭା ଫୋରମ, ଆଦିବାସୀ ମୂଳବାସୀ ବଞ୍ଚାଅ ମଞ୍ଚ, ଆଞ୍ଚଳିକ ସୁରକ୍ଷା ମଞ୍ଚର ହଜାର ହଜାର ମହିଳା, ପୁରୁଷ ସାମିଲ ହୋଇଛନ୍ତି। ଏମାନେ ଘଟଣାର ସିବିଆଇ ତଦନ୍ତ ଦାବି କରିଛନ୍ତି।

ଭିଡ ଭିତରେ ଏଏସ୍ଆଇଙ୍କ ମୃତ୍ୟୁ

ଗତ ୨ ତାରିଖ ଦିନ ସନ୍ଧ୍ୟା ସମୟରେ ବସ୍ ଓ କାର୍ ଧକ୍କାକୁ କେନ୍ଦ୍ରକରି ଦୁଇଗୋଷ୍ଠୀ ମଧ୍ୟରେ ଚାଲିଥିବା ମାଡ଼ପିଟ୍ସ୍ଥଳରେ ଉଦିତନଗର ଥାନାର ମହିଳା ଏଏସ୍ଆଇ ଏଲିସା ଲୁଗୁନ (୩୦)ଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଥିଲ। ଏଲିସାଙ୍କ ମୃତ୍ୟୁର କାରଣ ସମ୍ପର୍କରେ ଉଦିତନଗର ଥାନା ଅଧିକାରୀ କିଛି କହି ନାହାନ୍ତି। କେବଳ ଥାନା ଅଧିକାରୀ ନୁହଁନ୍ତି ମୃତ ଏଏସ୍ଆଇ ଲୁଗୁନଙ୍କ ସହ ପିସିଆର୍ ଭ୍ୟାନ୍ରେ ଘଟଣାସ୍ଥଳକୁ ଯାଇଥବା ହାବିଲଦାର ଓ ଅନ୍ୟ ପୁଲିସ କର୍ମଚାରୀ ମଧ୍ୟ ମୁହଁ ଖୋଲିନାହାନ୍ତି। ଅନ୍ୟପଟେ ଘଟଣାସ୍ଥଳରେ କିଛି ଯୁବକଙ୍କ ମାଡ଼ରେ ଏଲିସାଙ୍କର ମୃତ୍ୟୁ ହୋଇଛି ବୋଲି ତାଙ୍କ ଦିଅର ଅଭିଯୋଗ କରିଛନ୍ତି। ଘଟଣା ଦିନ ଦୁଇ ଗୋଷ୍ଠୀର ଲୋକଙ୍କୁ ବୁଝାସୁଝା କରୁଥିବାବେଳେ ଏଏସ୍ଆଇ ଲୁଗୁନ୍ ବେହୋସ ହୋଇ ପଡିଯାଇଥିଲେ। ଗୁରୁତର ଅବସ୍ଥାରେ ଅନ୍ୟ ପୁଲିସ କର୍ମଚାରୀ ତାଙ୍କୁ ଘରୋଇ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ। ମୃତ ଏଏସ୍ଆଇ ଏଲିସା ଲୁଗୁନ ପ୍ରଥମେ ମୃତ ସହକାରୀ ଜିଲ୍ଲାପାଳ ସୁସ୍ମିତା ଲୁଗୁନ ଘଟଣାର ତଦନ୍ତ କରୁଥିଲେ। ଏସବୁ ଦୃଷ୍ଟିକୋଣରୁ ଏଏସ୍ଆଇ ଏଲିସା ଲୁଗୁନଙ୍କ ମୃତ୍ୟୁକୁ ନେଇ ସନ୍ଦେହ ସୃଷ୍ଟି ହେବା ସ୍ବାଭାବିକ।

ପାଣିରେ ବୁଡ଼ିଗଲେ ସହକାରୀ ଉପଜିଲ୍ଲାପାଳ!

ନିଖୋଜର ୪ ଦିନ ପରେ ସହକାରୀ ଜିଲ୍ଲାପାଳ ସୁସ୍ମିତା ମିଞ୍ଜ(୩୫)ଙ୍କ ମୃତଦହେ ଇସ୍ପାତନଗରୀ ରାଉରକେଲାର ଏକ ପାର୍କ ନିକଟ ପୋଖରୀରୁ ଉଦ୍ଧାର ହୋଇଥିଲା। ସୁସ୍ମିତାଙ୍କ ଭାଇ ସନ୍ଦୀପ ଅଭିଯୋଗ ଆଣିଥିଲେ ଯେ, ତାଙ୍କ ଭଉଣୀଙ୍କୁ ହତ୍ୟା କରାଯାଇଛି। ଏହି ହତ୍ୟା ଘଟଣାରେ ସୁନ୍ଦରଗଡ଼ ଜିଲ୍ଲାପାଳ, ରାଉରକେଲା ଏଡିଏମ୍, ଗୁରୁଣ୍ଡିଆ ବିଡିଓ, ଗୁରୁଣ୍ଡିଆ ସିଡିପିଓ ଓ ଜଣେ ମହିଳା ଏସଆଇଙ୍କ ହାତ ରହିଛି ବୋଲି ଅଭିଯୋଗ କରିଥିଲେ।  ଏହି ଘଟଣାର ସିବିଆଇ ତଦନ୍ତ ହେବା ଦରକାର ବୋଲି ସେ ଦାବି କରିଥିଲେ। ସୁନ୍ଦରଗଡ଼ ଜିଲ୍ଲା ରାଇରଂଗପୁର ବ୍ଲକ ଅଧୀନ ରମ୍ଭାହାଲ ନିବାସୀ ସୁସ୍ମିତା ୧୮ ମାସ ଆଗରୁ ରାଉରକେଲାରେ ସହକାରୀ ଜିଲ୍ଲାପାଳ ଭାବେ ନିଯୁକ୍ତି ପାଇଥିଲେ। ସେ ଜଣେ ଓଆରଏସ୍ ଅଧିକାରୀ (ଓଡ଼ିଶା ରାଜସ୍ବ ଅଧିକାରୀ) ଥିଲେ। ଗତ ସେପ୍ଟେମ୍ବର ୧୬ ତାରିଖରେ ଅଫିସକୁ ଡ୍ୟୁଟିକୁ ଯାଇ ସେହିଦିନ ଠାରୁ ସେ ଆଉ ଘରକୁ ଫେରି ନଥିଲେ।  ପରେ ୧୭ ତାରିଖ ଦିନ ତାଙ୍କ ଭାଇ ଏକ ନିଲଖୋଜ ନେଇ ଏତଲା ଦେଇଥିଲେ।  

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments