ଭୁବନେଶ୍ବର: ଦେଶବ୍ୟାପୀ ରଂଗର ପୂର୍ବ ‘ହୋଲି’ ପାଇଁ ଉତ୍ସବମୁଖର ଦେଖିବାକୁ ମିଳିଛି। ହୋଲି କେବଳ ଭାରତରେ ନୁହେଁ। ବରଂ ବିଦେଶରେ ମଧ୍ୟ ଭାରତୀୟମାନେ ହୋଲି ଖେଳିଛନ୍ତି। ରଂଗ ଖେଳ ପାଇଁ କେବଳ ଯୁବକ-ଯୁବତୀ ନୁହଁନ୍ତି, ବରଂ ଛୋଟ ପିଲାମାନେ ଓ ବୟସ୍କ ବ୍ୟକ୍ତି ମଧ୍ୟ ଏହି ପର୍ବରେ ଉତ୍ସାହିତ ଦେଖାଯାଇଛନ୍ତି। ହୋଲି ପାଇଁ ଗାଁ ଠାରୁ ସହର ପର୍ଯ୍ୟନ୍ତ, ବଜାରଗୁଡ଼ିକରେ ରଂଗ ବିକ୍ରି ହେଉଛି। ହୋଲି ଖେଳକୁ ଭିନ୍ନ ଭିନ୍ନ ସ୍ଥାନରେ ନିଜସ୍ବ ଶୈଳୀରେ ପାଳନ କରାଯାଉଛି।
ଭାରତବର୍ଷର ଅନ୍ୟତମ ବଡ଼ ପର୍ବ ଦଶହରା, ଦୀପାବଳି ଭଳି ହୋଲିକୁ ଧୁମ୍ଧାମରେ ପାଳନ କରାଯାଉଛି। ରଙ୍ଗ ଖେଳ ଏହି ପର୍ବର ମୁଖ୍ୟ ଆକର୍ଷଣ। ଅବିର ବୋଳାବୋଳି ହେବା ଏହି ପର୍ବର ବିଧି। ତେବେ ବହୁ ସମୟରେ ରାସାୟନିକ ରଙ୍ଗ ଖେଳ ବିପଦର କାରଣ ହୋଇଥାଏ। ଚର୍ମ ଓ ଆଖି ପ୍ରତି ବିପଦ ସୃଷ୍ଟି ହୋଇଥାଏ। ଚର୍ମ ସଂକ୍ରମଣ ଯେତିକି ଭୟଙ୍କର ଆଖି ପ୍ରତି ବିପଦ ତା’ଠାରୁ ବହୁଗୁଣରେ ବିପଦର କାରଣ ହୋଇଥାଏ। ବେଳେବେଳେ ରାସାୟନିକ ରଙ୍ଗ ଆଖି ନଷ୍ଟର କାରଣ ହୋଇଥାଏ। ସେହିଭଳି କେଶ ମଧ୍ୟ ପ୍ରଭାବିତ ହୋଇଥାଏ। ତେଣୁ ହୋଲି ଖେଳ ବେଳେ ରାସାୟନିକ ରଙ୍ଗ ବ୍ୟବହାର ସମ୍ପୂର୍ଣ୍ଣ ନିଷେଧ ହେବା ଉଚିତ। ହର୍ବାଲ୍ ରଙ୍ଗ ଓ ଭଲ ଅବିର ବ୍ୟବହାର କଲେ ବିପଦ ନଥାଏ।
ବାରାଣସୀରେ ଭସ୍ମରେ ହୋଲି
ଉତ୍ତରପ୍ରଦେଶର ବରସାନାରେ ଲଡୁରେ ହୋଲି ହୋଇଥାଏ। ବୃନ୍ଦାବନରେ ଫୁଲରେ ହୋଲି ଖେଳାଯାଉଥିବା ବେଳେ ମୋକ୍ଷ ନଗରୀ କାଶୀରେ ଭିନ୍ନ ପ୍ରକାରରେ ଏହି ପର୍ବ ପାଳନ କରାଯାଇଥାଏ। ଭଗବାନ ଶିବଙ୍କ ନଗରୀ ବାରାଣସୀର ମଣିକର୍ଣ୍ଣିକା ଘାଟରେ ମହାଦେବଙ୍କ ଭକ୍ତ ଶ୍ମଶାନରେ ଦାହ କରାଯାଇଥିବା ଶବରୁ ପ୍ରସ୍ତୁତ ଭସ୍ମରେ ହୋଲି ଖେଳନ୍ତି। ଶ୍ରଦ୍ଧାଳୁମାନେ ଡମ୍ବରୁ ବଜାନ୍ତି। ହରହର ମହାଦେବ ନାରା ଲଗାନ୍ତି। ଅଖଣ୍ଡ ଜଳାନ୍ତି। ପାନ ଓ ଥଣ୍ଡା ପାନୀୟ ସହିତ ଜଣେ ଅନ୍ୟକୁ ଭସ୍ମ ଲଗାନ୍ତି। ଏହା ଅଦ୍ଭୁତ ଦୃଶ୍ୟ ହୋଇଥାଏ। ଲୋକଙ୍କର ଆସ୍ଥା ଯେ, ମଶାନନାଥ ରଂଗଭରୀ ଏକାଦଶୀର ଗୋଟିଏ ଦିନ ପରେ ନିଜେ ଭକ୍ତଙ୍କ ସହିତ ହୋଲି ଖେଳନ୍ତି।
ହୋଲିରେ କୁକୁର ପାଏ ପୂଜା
ପ୍ରାଣୀ ଜଗତରେ କୁକୁର ହେଉଛି ଏକ ବିଶ୍ବାସୀ ଜନ୍ତୁ। କୁକୁର ସହିତ ମଣିଷର ସ˚ପର୍କ କେଉଁ କାଳରୁ ରହି ଆସିଛି। ଆଘ୍ରାଣ ଶକ୍ତି ଲାଗି କୁକୁରକୁ ପୁଲିସ ବ୍ୟବହାର କରିଥାଏ। ସେଥି ପାଇଁ ପୁଲିସ୍ର ଅନ୍ଧୁନ୍ଧାନ କାମରେ ଓ ସେନାବାହିନୀରେ ସହାୟତା ପାଇଁ ତାଲିମ୍ପ୍ରାପ୍ତ କୁକୁରକୁ ନିୟୋଜିତ କରାଯାଉଛି। ଉତ୍ତରପ୍ରଦେଶର ବୁଲନ୍ଦସହର ଜିଲ୍ଲା ଅଧୀନ ସିକନ୍ଦରାବାଦର ଏକ ମନ୍ଦିର କୁକୁରକୁ ପୂଜା କରାଯାଏ। ମନ୍ଦିର ଭିତରେ ଗୋଟିଏ କୁକୁରର ସମାଧିସ୍ଥଳ ରହିଛି। ହୋଲି, ନବରାତ୍ର ଓ ଦୀପାବଳି ପାଳନବେଳେ, ଏହି ସମାଧିସ୍ଥଳରେ ସର୍ବାଧିକ ଲୋକଙ୍କ ସମାଗମ ହୋଇଥାଏ। କୁହାଯାଇଥାଏ ଯେ, ଏଠାରେ ପୂଜା ପାଉଥିବା କୁକୁରଟି ଜଣେ ସାଧୁ ବାବାଙ୍କର ଥିଲା। ବାବାଙ୍କ ପରଲୋକ ପରେ କୁକୁରର ମଧ୍ୟ ମୃତ୍ୟୁ ଘଟିଥିଲା। ପରେ କୁକୁରର ସମାଧି ସ୍ଥଳରେ ମନ୍ଦିରଟି ଗଢ଼ିଉଠିଥିଲା।
ହୋଲିରେ ଭଲ ବ୍ୟବସାୟ
ହୋଲି ଯଦିଓ ରଙ୍ଗର ପର୍ବ। ତଥାପି ଏହି ପର୍ବ ପାଇଁ ଲୋକେ ଖୁସିରେ ଥାଆନ୍ତି। ଲୋକ ଖୁସିରେ ଥିବାରୁ କିଣାକିଣି କରନ୍ତି। ରଙ୍ଗ ଠାରୁ ଆରମ୍ଭ କରି ଖାଦ୍ୟ ସାମଗ୍ରୀ, କପଡ଼ା, ଉପହାର ଆଦିର ବିକ୍ରି ବଢ଼ିଥାଏ। ହୋଲିର ବ୍ୟବସାୟକୁ ନେଇ ବ୍ୟବସାୟୀଙ୍କ ମଧ୍ୟରେ ନୂଆ ଉତ୍ସାହ ଦେଖାଯାଇଥାଏ। ହୋଲି ଉପଲକ୍ଷେ ଦେଶରେ ହଜାର ହଜାର କୋଟି ଟଙ୍କାର ବ୍ୟବସାୟ ହୋଇଥାଏ। ଏଥର ଓଡ଼ିଶାରେ ବ୍ୟବସାୟ ପ୍ରାୟ ୧୦୦ କୋଟି ଟଙ୍କା ବଢ଼ିଯିବ ବୋଲି ଓଡ଼ିଶା ବ୍ୟବସାୟୀ ମହାସଂଘର ମହାସଚିବ ସୁଧାକର ପଣ୍ଡା କହିଛନ୍ତି। ତାଙ୍କ ମତରେ ଉତ୍ତର ଭାରତ ଭଳି ଓଡ଼ିଶାରେ ହୋଲି ପର୍ବ ପାଳନ ନହେଲେ ମଧ୍ୟ ଏହାର ପ୍ରଭାବ ରହିଛି। ଲୋକେ ରଙ୍ଗ ଠାରୁ ଆରମ୍ଭ କରି ମିଠା ଏବଂ ଅନ୍ୟାନ୍ୟ ସାମଗ୍ରୀ କିଣନ୍ତି।
ହୋଲିରେ ଘଟଣା, ଦୁର୍ଘଟଣା ଓ ହିଂସା
ହୋଲି ଯଦିଓ ଖୁସିର ପର୍ବ, ଏହି ଦିନରେ ଅତୀତରେ ଘଟଣା, ଦୁର୍ଘଟଣା ହିଂସାକାଣ୍ଡ ଦେଖିବାକୁ ମିଳିଛି। ହୋଲି ଖେଳିବା ସମୟରେ ନିୟନ୍ତ୍ରଣ ହରାଇ ଅନେକ ଲୋକ ସଡ଼କ ଦୁର୍ଘଟଣାର ଶିକାର ହୋଇଥାନ୍ତି। ସେହିପରି ମାତ୍ରାଧିକ ଖୁସିରେ ଅନ୍ୟକୁ ରଂଗ ଲଗାଇଲା ବେଳେ ମଧ୍ୟ ଅଘଟଣ ଘଟିଥାଏ, ଯାହାକି ପରବର୍ତ୍ତୀ ସମୟରେ ଉଗ୍ର ରୂପ ନେଇଥାଏ। ସେହିପରି ହୋଲିକୁ କିଛି ଲୋକ ସୁଯୋଗ ଭାବେ ବ୍ୟବହାର କରିଥାନ୍ତି। ଗତବର୍ଷ ଲୋକେ ଚାରିଆଡ଼େ ରଙ୍ଗର ପର୍ବ ହୋଲି ଧୁମ୍ଧାମ୍ରେ ପାଳନ କରୁଥିବା ବେଳେ ବଲାଙ୍ଗୀର ସହରରେ ପ୍ରେମିକା ରକ୍ତରେ ହୋଲି ଖେଳିଥିଲା ପ୍ରେମିକ। ପ୍ରେମିକର ଛୁରିମାଡ଼ରେ ପ୍ରେମିକା ଗୁରୁତର ଆହତ ହୋଇଥିଲେ। ସଦେଇପାଲି ଗାଁର ଦାସ ବାଗ ଡ୍ରାଇଭର ଭାବେ କାମ କରୁଥିଲେ। ଚଟିଆପାଲି ଗାଁର ଜଣେ ଝିଅ ସହିତ ତାଙ୍କ ପ୍ରେମ ସଂପର୍କ ଗଢ଼ିଉଠିଥିଲା। ଦାସ ବିବାହିତ ଜାଣି ମଧ୍ୟ ତାଙ୍କ ସହିତ ପ୍ରେମ ସମ୍ପର୍କ ରଖୁଥିଲେ ପ୍ରେମିକା ଜଣକ। କନ୍ଧପାଲିପଡ଼ା ପୋଖରୀ ନିକଟରେ ଲୁଚାଛପା ଦୁହେଁ ଭେଟ ହେଉଥିଲେ। ବୁଧବାର ମଧ୍ୟ ଉଭୟେ ଭେଟ ହୋଇଥିଲେ। ସେଠାରେ କୌଣସି କଥାକୁ ନେଇ ଉଭୟଙ୍କ ଭିତରେ ପାଟିତୁଣ୍ଡ ହୋଇଥିଲା। ହଠାତ୍ ରାଗିଯାଇ ପ୍ରେମିକ ଏକ ଛୁରିରେ ପ୍ରେମିକାଙ୍କୁ ବାରମ୍ବାର ଆଘାତ କରିଥିଲେ। ରକ୍ତ ଜୁଡୁବୁଡୁ ଅବସ୍ଥାରେ ପ୍ରେମିକାଙ୍କୁ ଛାଡ଼ି ଫେରାର ମାରିଥିଲେ ପ୍ରେମିକ।