Monday, April 29, 2024
Homeଖବରଅଚାନକ ଆସି ଲୋକସଭା ପାଇଁ ଟିକେଟ୍‌ ହାତେଇଲେ 

ଅଚାନକ ଆସି ଲୋକସଭା ପାଇଁ ଟିକେଟ୍‌ ହାତେଇଲେ 

ଭୁବନେଶ୍ବର: ସାଧରାଣ ନିର୍ବାଚନ-୨୦୨୪ ପାଇଁ ଭୋଟ ଗ୍ରହଣ ସମୟ ଯେତିକି ପାଖେଇ ଆସୁଛି, ରାଜନୈତିକ ଦଳର ନେତା, କର୍ମୀ, ସମର୍ଥକ ଓ ପ୍ରଶଂସକମାନଙ୍କ ମଧ୍ୟରେ ସେତିକି ତତ୍ପରତା ଦେଖାଯାଉଛି। ଓଡ଼ିଶାରେ ଆସନ୍ତା ମେ’ ୧୩, ୨୦, ୨୫ ଓ ଜୁନ୍‌ ୧ ତାରିଖରେ ଭୋଟ୍‌ ଗ୍ରହଣ କରାଯିବ। ସେଥିପାଇଁ ଭାରତୀୟ ଜନତା ପାର୍ଟି (ବିଜେପି) ଓ ବିଜୁ ଜନତା ଦଳ (ବିଜେଡି) ପ୍ରାର୍ଥୀ ଘୋଷଣା କରିସାରିଛନ୍ତି। ଯେଉଁ ଟିକେଟ୍‌ ଆଶାୟୀଙ୍କୁ ଦଳ ଗୁରୁତ୍ବ ଦେଇନାହିଁ, ସେମାନେ ମଧ୍ୟ ଦଳ ପରିବର୍ତ୍ତନ କରୁଛନ୍ତି।

ନିର୍ବାଚନ ତାରିଖ ଘୋଷଣା ହେବା ପୂର୍ବରୁ ଓ ପରେ ଅନେକ ସଂଖ୍ୟାରେ ବିଜେଡି ଛାଡ଼ି ନେତାମାନେ ବିଜେପିରେ ସାମିଲ ହୋଇଛନ୍ତି। ସେହିପରି କଂଗ୍ରେସ ଓ ବିଜେପି  ଛାଡ଼ି ମଧ୍ୟ କିଛି ନେତା ବିଜେଡିରେ ସାମିଲ ହୋଇଛନ୍ତି। ଗଂଜାମ ରାଜନୀତିର ଚର୍ଚ୍ଚିତ ଚେହେରା ପ୍ରଦୀପ ପାଣିଗ୍ରାହୀ ବିଜେଡି ଛାଡ଼ି ବିଜେପିରେ ଯୋଗଦେବା ପରେ ତାଙ୍କୁ ବ୍ରହ୍ମପୁର ଲୋକସଭା ନିର୍ବାଚନ ମଣ୍ଡଳୀ ପାଇଁ ଟିକେଟ୍‌ ମିଳିଛି। ସେହିପରି କଂଗ୍ରେସ ଛାଡ଼ି ବିଜେଡିରେ ଯୋଗଦେଇଥିବା ଅଂଶୁମାନ ମହାନ୍ତି ଓ ପାଇଲଟ୍‌ ଚାକିରି ଛାଡ଼ି ରାଜନୀତିରେ ପାଦ ଥାପିଥିବା ମନ୍ମଥ ରାଉତରାୟ ଯଥାକ୍ରମେ କେନ୍ଦ୍ରାପଡ଼ା ଓ ଭୁବନେଶ୍ବର ଲୋକସଭା କ୍ଷେତ୍ରରୁ ଅବତୀର୍ଣ୍ଣ ହୋଇଛନ୍ତି। ଏହି ତିନି ନେତା ପ୍ରଥମ ଥର ଲୋକସଭା ନିର୍ବାଚନରେ ଲଢ଼େଇ କରୁଛନ୍ତି।  

ବ୍ରହ୍ମପୁରର ଟାଇଗର

୨୦୨୦ ନଭେମ୍ବର ୨୦ ତାରିଖରେ ଦଳ ବିରୋଧୀ କାର୍ଯ୍ୟ ପାଇଁ ପ୍ରଦୀପଙ୍କୁ ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ବହିଷ୍କୃତ କରାଯାଇଥିଲା। ଗୋପାଳପୁର ବିଧାୟକ ବିଜେଡିରୁ ଇସ୍ତଫା ଦେଲା ପରେ ଗତମାସ ୨୧ ତାରିଖରେ ବିଜେପିରେ ସାମିଲ ହୋଇଥିଲେ। ଗଂଜାମ ଜିଲ୍ଲାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ସ୍ବର୍ଗତ ସୂର୍ଯ୍ୟନାରାୟଣ ପାତ୍ର ଓ ସୁଜ୍ଞାନୀ କୁମାରୀ ଦେଓଙ୍କ ଭଳି ପ୍ରଦୀପ ପାଣିଗ୍ରାହୀଙ୍କ ଲୋକପ୍ରିୟତା ରହିଛି। ପ୍ରଦୀପ ପାଣିଗ୍ରାହୀଙ୍କୁ କିଛି ଲୋକ ବ୍ରହ୍ମପୁର ଟାଇଗର ମଧ୍ୟ କହିବାକୁ ପଛାନ୍ତି ନାହିଁ। ବିଜେପିରେ ଯୋଗଦେଲା ପରେ ଶ୍ରୀ ପାଣିଗ୍ରାହୀ ଗଣମାଧ୍ୟମକୁ କହି‌ଥିଲେ, ଏବେ ପରିବର୍ତ୍ତନର ସମୟ ଆସିଛି। ସୁଦୃଢ଼ ଓଡ଼ିଶା ଭାରତ ଗଠନ କରିବାର ବେଳ ଆସିଛି। ଶ୍ରେଷ୍ଠ ଭାରତ ଓ ଶ୍ରେଷ୍ଠ ଓଡ଼ିଶା ଗଠନ କରିବାର ସମୟ ଆସିଛି।

ବିଧାୟକ ଟିକେଟ୍‌ ଚାହୁଁଥିଲେ, ହେଲେ ସାଂସଦ ପ୍ରାର୍ଥୀ

ଓଡ଼ିଶା ରାଜନୀତି ଇତିହାସରେ ଅନ୍ୟତମ ଚର୍ଚ୍ଚିତ ମୁହଁ ତଥା କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗରର ୭ ଥରର ବିଧାୟକ ତଥା ଦୁଇ ଥର ମନ୍ତ୍ରୀ ହୋଇଥିବା ସ୍ବର୍ଗତଃ ନଳିନୀ ମହାନ୍ତିଙ୍କ ପୁଅ ଅଂଶୁମାନ ଗତ ମାସ ୧୬ ତାରିଖରେ ବିଜେଡିରେ ଯୋଗ ଦେଇଥିଲେ। ତାଙ୍କୁ ଦଳ ଏବେ କେନ୍ଦ୍ରପାଡ଼ା ଲୋକସଭା ନିର୍ବାଚନ ମଣ୍ଡଳୀରେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା ଉତ୍ତରପ୍ରଦେଶ ପ୍ରଭାରୀ ବୈଜୟନ୍ତ ପଣ୍ଡାଙ୍କ ବିରୋଧରେ ଅବତୀର୍ଣ୍ଣ କରାଇଛ। ବିଜେଡିରେ ଅଂଶୁମାନ ଯେତେବେଳେ ମିଶିଥିଲେ, ସେହି ସମୟରେ କହିଥିଲେ ଯେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ବଚ୍ଛ ଓ ନିର୍ମଳ ବିକାଶ ଧାରାରେ ଅନୁପ୍ରାଣିତ ହୋଇ ଏବଂ ଏହି ବିକାଶ ଧାରାକୁ ଦ୍ୱିଗୁଣିତ କରିବା ପାଇଁ ସେ ବିଜେଡିରେ ସାମିଲ ହୋଇଛି। ତେବେ ଅଂଶୁମାନଙ୍କୁ ଲୋକେ କେତେ ଗ୍ରହଣ କରୁଛନ୍ତି, ତାହା ସମୟ କହିବ। କାରଣ ଅଂଶୁମାନ ମହାନ୍ତି ବିଧାୟକ ପ୍ରାର୍ଥୀ ହେବାକୁ ଚାହୁଁଥିଲେ ବୋଲି କର୍ମୀ ମହଲରେ ଚର୍ଚ୍ଚା ହେଉଛି। ତେବେ ଲୋକସଭା ପାଇଁ ଟିକେଟ୍‌ ମିଳିଥିବାରୁ ସେ ଅଭିଯାନରେ ସଫଳ ହୋଇପାରିବେ କି ନାହିଁ ତାହା ଦେଖିବାର ଅଛି।  

ଶ୍ରୀମୟୀଙ୍କୁ ମିଳିଲାନି ଟିକେଟ୍‌, ଲଢ଼ିବେ ମନ୍ମଥ

ବରିଷ୍ଠ କଂଗ୍ରେସ ନେତା ସୁରେଶ କୁମାର ରାଉତରାୟ (ସୁର) କହିଥିଲେ ଯେ, ତାଙ୍କର ସାନପୁଅ ଜଟଣୀ ନିର୍ବାଚନ ମଣ୍ଡଳିରୁ ଏଥର ନିର୍ବାଚନ ଲଢିବେ। ଅଢ଼େଇ ମାସ ତଳେ ଅର୍ଥାତ ଜାନୁଆରି ୧୨ ତାରିଖରେ ଚାକିରି ଛାଡି ଓଡିଶା ଫେରୁଥିବା ମନ୍ମଥ ରାଉତରାୟଙ୍କୁ ଭୁବନେଶ୍ୱର ବିମାନ ବନ୍ଦରରେ ଜୋରଦାର ସ୍ୱାଗତ କରାଯିବା ପରିପ୍ରେକ୍ଷୀରେ ସୁର ଏହା କହିଥିଲେ। କିନ୍ତୁ କେଉଁ ଦଳରୁ ମନ୍ମଥ ଲଢିବେ ତାହା ସ୍ପଷ୍ଟ କରି ନଥିଲେ। ତେବେ ବାପାଙ୍କ ଭବଷ୍ୟବାଣୀକୁ ଖାତିର ନକରି ମନ୍ମଥ ଗତ ୨୭ ତାରିଖ ଦିନ ଶଙ୍ଖ ଭବନରେ ଆୟୋଜିତ ମିଶ୍ରଣ ପର୍ବରେ ସାମିଲ ହୋଇଥିଲେ। ସବୁଠାରୁ ଆଶ୍ଚର୍ଯ୍ୟର କଥା ସେ ଦଳରେ ସାମିଲ ହେବାର ଅଳ୍ପ ସମୟ ପରେ ବିଜେଡି ତାଙ୍କୁ ଭୁବନେଶ୍ବର ଲୋକସଭା ନିର୍ବାଚନ ମଣ୍ଡଳୀ ପାଇଁ ପ୍ରାର୍ଥୀ କରିଛି। ଏଠାରେ ବିଜେପିର ପ୍ରାର୍ଥୀ ତଥା ସାଂସଦ ଅପରାଜିତାଙ୍କ ବିପକ୍ଷରେ ଶ୍ରୀମୟୀ ମିଶ୍ରଙ୍କୁ ବିଜେଡି ଟିକେଟ୍‌ ଦେବ ବୋଲି ଚର୍ଚ୍ଚା ହେଉଥିଲା। ଶ୍ରୀମୟୀ ମିଶ୍ର ମଧ୍ୟ ଭୁବନେଶ୍ବର ଲୋକସଭା ନିର୍ବାଚନ ମଣ୍ଡଳୀ ଅଧୀନରେ ଅଭିଯାନ ଆରମ୍ଭ କରିଥିଲେ। ତେବେ ଏଠାରେ ମନ୍ମଥଙ୍କୁ ଅଚାନକ ପ୍ରାର୍ଥୀ କରାଯାଇଥିବାରୁ ମତଦାତା କେତେ ଗ୍ରହଣ କରିବେ ତାହା ସମୟ କହିବ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments