Thursday, May 9, 2024
Homeଖବରପ୍ରଚାର କଲେ ଶୀର୍ଷ ସ୍ତରର ନେତା

ପ୍ରଚାର କଲେ ଶୀର୍ଷ ସ୍ତରର ନେତା

ଭୁବନେଶ୍ବର: ଦେଶରେ ଲୋକସଭା ସହିତ ଓଡ଼ିଶାରେ ବିଧାନସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଜାରି ଥିବା ବ‌େଳେ ନିର୍ବାଚନୀ ପ୍ରଚାର ମଧ୍ୟ ଆରମ୍ଭ ହୋଇଯାଇଛି। ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ୪ଟି ଲୋକସଭା ଓ ୨୮ଟି ବିଧାନସଭା କ୍ଷେତ୍ରରେ ହେବାକୁ ଥିବା ମତଦାନ ପାଇଁ ପ୍ରାର୍ଥୀମାନେ ନାମାଙ୍କନ ପତ୍ର ଦାଖଲ କରିସାରିଛନ୍ତି। ସେଥି ପାଇଁ ପ୍ରାର୍ଥୀ, କର୍ମୀ ଓ ସମର୍ଥକମାନେ ଅଧିକ ଉତ୍ସାହିତ ହୋଇଥିବା ଦେଖାଯାଉଛନ୍ତି। ପ୍ରାର୍ଥୀମାନେ ବ୍ୟକ୍ତିଗତ ଭାବେ ପ୍ରଚାର କରୁଥିବା ବେଳେ ଦଳର ‌ଶୀର୍ଷସ୍ତର ନେତାମାନେ ମଧ୍ୟ ପ୍ରଚାରରେ ବ୍ୟସ୍ତ ଦେଖାଯାଇଛନ୍ତି। ବିଜୁ ଜନତା ଦଳ (ବିଜେଡି) ସୁପ୍ରିମୋ ନବୀନ ପଟ୍ଟନାୟକ ବୁଧବାର ଗଂଜାମ ଜିଲ୍ଲାର ନିଜ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିରୁ ପ୍ରଚାର ଆରମ୍ଭ କରିଥିଲେ। ଗୁରୁବାର କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ବିଜେପି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଛନ୍ତି।

ଚଳିତ ନିର୍ବାଚନରେ ଭାରତୀୟ ଜନତା ପାର୍ଟି (ବିଜେପି) ନେତୃତ୍ବ ଏନଡିଏ ୪୦୦ ଲୋକସଭା ନିର୍ବାଚନ ମଣ୍ଡଳୀରେ ବିଜୟ ହାସଲ କରିବାକୁ ଲକ୍ଷ୍ୟ ରଖିଛି। ଉତ୍ତରପ୍ରଦେଶ, ମହାରାଷ୍ଟ୍ର, ରାଜସ୍ଥାନ, ମଧ୍ୟପ୍ରଦେଶ, କଣ୍ଟାଟକ, ବିହାର, ପଶ୍ଚିମବଙ୍ଗ ସହିତ ଓଡ଼ିଶାରେ ମଧ୍ୟ ଦଳ ପୂର୍ବାପେକ୍ଷା ଅଧିକ ଆସନରେ ବିଜୟ ହାସଲ କରିବା ପାଇଁ ରଣନୀତି କରୁଛି। ସେଥି ପାଇଁ ଦଳ ଏହି ମାସକ ମଧ୍ୟରେ ଶୀର୍ଷ ସ୍ତରର ନେତାମାନଙ୍କୁ ପଠାଇ ବିଜେପି ସପକ୍ଷରେ ମତ ଆଣିବାକୁ ଉଦ୍ୟମ କରିଛି। ଶ୍ରୀ ଶାହା ଓଡ଼ିଶାରେ ପ୍ରଚାର ଆରମ୍ଭ କରିଥିବା ବେଳେ ଆଗାମୀ ଦିନରେ ଦଳର ଅଧ୍ୟକ୍ଷ ଜେପି ନଡ୍ଡା, ପ୍ରଧାନମନ୍ତ୍ରୀ ମୋଦୀ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ସମେତ ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ଛତିଶଗଡ଼ ଓ ଆସାମ ମୁଖ୍ୟମନ୍ତ୍ରୀ ପ୍ରଚାର ପାଇଁ ଆସିବେ। ତେବେ ରାଜ୍ୟରେ ଶାସକ ଦଳ ମଧ୍ୟ ଏହି ନିର୍ବାଚନରେ ନବୀନଙ୍କ ମୁହଁ ଦେଖାଇ ଅଧିକ ଆସନରେ ବିଜୟ ହାସଲ କରିବାର ଲକ୍ଷ୍ୟ ରଖିଛି।

ପ୍ରଥମ ସଭାରେ କ’ଣ କହି‌ଥିଲେ ନବୀନ
୨୦୨୪ ନିର୍ବାଚନ ପ୍ରଚାର ଆରମ୍ଭରୁ ନବୀନ ପଟ୍ଟନାୟକ  ‘ବିକାଶ’କୁ  ପ୍ରସଙ୍ଗ କରିଥିଲେ। ଯୁବ ଭୋଟର୍‌ମାନଙ୍କୁ ନିଜ ଆଡ଼କୁ ଆକର୍ଷିତ କରିବା ପାଇଁ ଉଦ୍ୟମ କରିଥିଲେ। ସେ କହିଥିଲେ ପୁଣି ଥରେ ସରକାର ଆସିଲେ, ଯୁବ ବଜେଟ୍‌ ଆସିବ।  ‘ଯୋଡ଼ି ଶଙ୍ଖ ହେଉଛି ଓଡ଼ିଶା ଓ ବିକାଶର ପରିଚୟ। ଓଡ଼ିଶାର ସାଢ଼େ ୪ କୋଟି ‌ଲୋକଙ୍କ ଆଶୀର୍ବ‌ାଦରୁ ବିଜେଡି ଚଳିତ ନିର୍ବାଚନରେ ଉଭୟ ବିଧାନସଭା ଓ ଲୋକସଭାରେ ନିଶ୍ଚିତ ଭାବେ ବିପୁଳ ବିଜୟ ହାସଲ କରିବ। ବିଜେଡି ସବୁବେଳେ ଏକ ନମ୍ବର ଦଳ ଭାବେ ରହିଆସିଛି। ଜନତାଙ୍କ ଆସ୍ଥା ଓ ଆଶୀର୍ବାଦରେ ଏହି ନିର୍ବାଚନରେ ଦଳ ପୁଣିଥରେ ଏକ ନମ୍ବର ହୋଇ ବିକାଶର ଯାତ୍ରାକୁ ଆହୁରି ମଜବୁତ୍ କରିବ। ଓଡ଼ିଶାର ସାଢ଼େ ଚାରିକୋଟି ଲୋକ ‌ହେଉଛନ୍ତି ମୋ’ ପରିବାର। ସେମାନଙ୍କ କଲ୍ୟାଣ ପାଇଁ ମୁଁ ସବୁବେଳେ କାମ କରିଚାଲିଛି ଓ ଶେଷ ନିଃଶ୍ବାସ ପର୍ଯ୍ୟନ୍ତ କରିଚାଲିବି।’
ଦେଶର ଏକ ନମ୍ବର ରାଜ୍ୟ ହେବ ଓଡ଼ିଶା
ଯୁବଶକ୍ତି ଉପରେ ତାଙ୍କର ଦୃଢ଼ ଭରସା ରହିଛି। ଏଣୁ ରାଜ୍ୟର ବିକାଶରେ ଯୁବଶକ୍ତିର ଉପଯୋଗ ପାଇଁ ସ୍ବତନ୍ତ୍ର ଯୁବ ବଜେଟ୍ ଆସିବ। ଯେଉଁଥିରେ ଶିଳ୍ପ, ପୁଞ୍ଜି ବିନିଯୋଗ, ନିଯୁକ୍ତି ତଥା ଦକ୍ଷତା ବିକାଶକୁ ଫୋକସ୍ କରାଯିବ। ଆଉ ୨୦୨୪ରୁ ୨୦୩୪ ଏହି ଦଶନ୍ଧି ଯୁବଶକ୍ତି ପାଇଁ ‌ସୁବର୍ଣ୍ଣ ଯୁଗ ହେବ। ଓଡ଼ିଶା ନିଜ କାମ ପାଇଁ ସାରା ବିଶ୍ବର ଦୃଷ୍ଟି ଆକର୍ଷଣ କରିବ। ୨୦୩୬ରେ ଯେତେବେଳେ ଓଡ଼ିଶା ୧୦୦ ବର୍ଷ ପୂରଣ କରିବ, ସେତେବେଳେ ଏହା ଦେଶର ଏକ ନମ୍ବର ରାଜ୍ୟ ଭାବେ ପରିଗଣିତ ହେବ। କେବଳ ଏତିକି ନୁହେଁ। ନିଜର ଚିରାଚରିତ ଢଙ୍ଗରେ କାହାର ନାମ ନ ନେଇ ବିରୋଧୀଙ୍କୁ କଟାକ୍ଷ କରିବାକୁ ଭୁଲିନଥିଲେ ନବୀନ। ରାଜ୍ୟ ସରକାର ବିକାଶକୁ ଧରି ଯେବେ ଆଗକୁ ଯାଉଛନ୍ତି, ବିରୋଧୀ ଦଳ ତାହାକୁ ନେଇ ସବୁବେଳେ ଅଯଥା ରାଜନୀତି କରୁଛନ୍ତି। ବିକାଶକୁ ବିରୋଧ କରି ଅପପ୍ରଚାର କରୁଛନ୍ତି। ଓଡ଼ିଶାବାସୀ ସେମାନଙ୍କ ଅସଲ ରୂପକୁ ଚିହ୍ନିଛନ୍ତି। ବିକାଶକୁ ବିରୋଧ କରି କେହିବି ସଫଳ ହେବେନାହିଁ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଥିଲେ।ସୋନପୁରରେ କ’ଣ କହିଲେ ଅମିତ ଶାହ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଠାରୁ ବିଜେପି କର୍ମୀ ଓ ସମର୍ଥକମାନେ ଯାହା ଆଶା କରୁଥିଲେ, ତାହା ହିଁ ହୋଇଛି। ଗତମାସ ବିଜେଡି ସହ ବିଜେପିର ମେଣ୍ଟ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ଅମିତ ଶାହ ଓଡ଼ିଶା ସରକାରଙ୍କୁ ଟାର୍ଗେଟ କରିବେ କି ନାହିଁ, ସେନେଇ କର୍ମୀଙ୍କ ମଧ୍ୟରେ ସନ୍ଦେହ ଦେଖାଯାଇଥିଲା। କିନ୍ତୁ ଶାହ ଦଳୀୟ କର୍ମୀଙ୍କୁ ହତାଶ କରି ନଥିଲେ। ରାମେଶ୍ବର ଷ୍ଟାଡିୟମ୍ରେ ଆୟୋଜିତ ବିଜୟ ସଂକଳ୍ପ ସମାବେଶରେ କହିଥିଲେ ଓଡ଼ିଶାରେ ପ୍ରଚୁର ପରିମାଣରେ ଖଣିଜ ସଂପଦ ରହିଛି। ଏଠାରେ ପାଣିର ମଧ୍ୟ ଅଭାବ ନାହି। ଜମି, ଜଳ ଓ ଜଙ୍ଗଳ ଭଳି ଭରପୁର ପ୍ରାକୃତିକ ସଂପଦ ଥାଇ ମଧ୍ୟ ଓଡ଼ିଶାର ବିକାଶ ହୋଇପାରୁ ନାହିଁ। ଓଡ଼ିଶାର କପା ବାହାର ରାଜ୍ୟକୁ ଯାଉଛି। ଏଠାରେ କଳକାରଖାନାର ଘୋର ଅଭାବ ଦେଖାଯାଇଛି। ଓଡ଼ିଶାର ଯୁବପିଢ଼ି ପେଟ ପୋଷିବା ପାଇଁ ମୁମ୍ବାଇ, ଗୁଜରାଟ, ଦିଲ୍ଲୀ, ବେଙ୍ଗାଲୁରୁ ଦାଦନ ଖଟିବାକୁ ଯାଉଛନ୍ତି। ତଣେୁ ବିଜେପି ଏଠାରେ ସରକାର ଆସିଲେ ଲୋକଙ୍କୁ ଦାଦନ ଖଟିବାକୁ ଯିବାକୁ ପଡ଼ିବ ନାହିଁ।
ବିଜେଡି ଓ କଂଗ୍ରେସକୁ ଟାର୍ଗେଟ
ଶ୍ରୀ ଶାହ ବିଜେଡି ଓ କଂଗ୍ରେସକୁ ମଧ୍ୟ ଟାର୍ଗେଟ କରିଥିଲେ। ସେ କହିଥିଲେ କେନ୍ଦ୍ର ସରକାର ଓଡ଼ିଶାର ବିକାଶ ପାଇଁ ଯଥେଷ୍ଟ ପରିମାଣରେ ଟଙ୍କା ଦେଉଛନ୍ତି। କିନ୍ତୁ ରାଜ୍ୟ ସରକାର ତାହା ବିନିଯୋଗ କରିପାରୁ ନାହାନ୍ତି। ଲୋକଙ୍କୁ ପାନୀୟ ଜଳ ମିଳିପାରୁ ନାହିଁ। ଓଡ଼ିଶାର ଭାଷା ଓ ସଂସ୍କୃତିର ବିକାଶ ପାଇଁ ସରକାର ପଦକ୍ଷେପ ନେଉନାହାନ୍ତି। ନବୀନ ସରକାରଙ୍କୁ ଡର ଯେ, ଓଡ଼ିଶାରେ ଆୟୁଷ୍ମାନ ଯୋଜନା ଲାଗୁହେଲେ ରାଜ୍ୟ ସରକାରଙ୍କ ଲୋକପ୍ରିୟତା କମି ନରେନ୍ଦ୍ର ମୋଦୀଙ୍କ ଲୋକପ୍ରିୟତା ବଢ଼ିଯିବ। ବିଜେପି ମାତ୍ର ୫ ବର୍ଷ ମଧ୍ୟରେ ଓଡ଼ିଶାକୁ ଦେଶର ୧ ନମ୍ବର ରାଜ୍ୟ କରିପାରିବ।   ଦେଶର ସୁରକ୍ଷା ପ୍ରସଙ୍ଗରେ ସେ କହିଥିଲେ, ୨୦୧୯ ଅଗଷ୍ଟ ୫ରେ ମୋଦୀ ଧାରା ୩୭୦କୁ ଶେଷ କରିଥିଲେ। ଆତଙ୍କବାଦ ଓ ନକ୍ସଲବାଦକୁ ମୋଦୀ ଶେଷ କରିଛନ୍ତି। ମୋଦୀ ସରକାର ପୁଲୱାମାର ଜବାବ ୧୦ ଦିନ ଭିତରେ ଦେଇଥିଲେ। ପାକିସ୍ତାନରେ ପ୍ରବେଶ କରି ସର୍ଜିକାଲ ଷ୍ଟ୍ରାଇକ୍ କରିଥିଲେ।  
RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments