Thursday, May 9, 2024
Homeଖବରଜନତାଙ୍କ ଜବାବରେ ଘାଇଲା ହେଲେ ନେତା  

ଜନତାଙ୍କ ଜବାବରେ ଘାଇଲା ହେଲେ ନେତା  

ଭୁବନେଶ୍ବର: ଦେଶ ସ୍ବାଧୀନତା ପ୍ରାପ୍ତିକୁ ୭୬ ବର୍ଷ ବିତିଛି ସତ। କିନ୍ତୁ ତୃଣମୂଳ ସ୍ତରରେ ଜନତାଙ୍କୁ ମୌଳିକ ସୁବିଧା ମିଳିପାରି ନାହିଁ। ଗ୍ରାମାଞ୍ଚଳର ବିକାଶ ପାଇଁ ଗଠନ କରାଯାଇଥିବା ପଞ୍ଚାୟତିରାଜ ପାଇଁ ନିର୍ବାଚନ କରାଯାଉଛି। ନିର୍ବାଚନ ବ୍ୟବସ୍ଥା ମାଧ୍ୟ‌ମରେ ଜନସାଧାରଣଙ୍କ ଆବଶ୍ୟକତାକୁ ସ୍ଥାନୀୟ ଲୋକ ପ୍ରତିନିଧିଙ୍କ ମାଧ୍ୟମରେ ପ୍ରଶାସନ ମୌଳିକ ସମସ୍ୟାର ସମାଧାନ କରିବା କଥା। କିନ୍ତୁ ତାହା ହୋଇ ନପାରିବାରୁ ଏବେ ରାଜ୍ୟବ୍ୟାପୀ ବିରୋଧ ହେଉଛି। ରାଜ୍ୟରେ ୨୫ ବର୍ଷ ହେବ ଏକ ସ୍ଥିର ସରକାର ଥାଇ ମଧ୍ୟ ସାଧାରଣ ଜନତାଙ୍କୁ ବିଶୁଦ୍ଧ ପାନୀୟ ଜଳ ନମିଳିବା ଏହାଠାରୁ ଆଉ କ୍ଷୋଭର ବିଷୟ କ’ଣ ହୋଇପାରେ। ଆଦିବାସୀ ଅଧ୍ୟୁଷିତ ଓ ଦୁର୍ଗମ ଅଞ୍ଚଳର ଲୋକେ ୪୦ ଡିଗ୍ରି ତାପମାତ୍ରା ୫ କିମି ଦୂରକୁ ପାଦରେ ଚାଲିଚାଲି ଯାଇ ପାନୀୟ ଜଳ ସଂଗ୍ରହ କରୁଛନ୍ତି। ତାହା ବି ସଂପୂର୍ଣ୍ଣମାତ୍ରାରେ ବିଶୁଦ୍ଧ ନୁହେଁ।

ଓଡ଼ିଶାରେ ୨୧ ଲୋକସଭା ଆସନ ସହିତ ସପ୍ତଦଶ ବିଧାନସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଜୋର ଧରିଛି। ଟାଣଖରାକୁ ଖାତିର ନକରି ନେତା ଓ କର୍ମୀମାନେ ଜନତାଙ୍କ ନିକଟକୁ ଭୋଟ୍‌ ମାଗୁଛନ୍ତି। ନେତାମାନେ ପ୍ରବଳ ଖରାରେ ଭୋଟ ଭିକ୍ଷା କରୁଛନ୍ତି। ସେମାନେ ଶେଷ ହେଲେ ପାଣି ମାଗି ପିଉଛନ୍ତି। କାରଣ ସେମାନେ ଯାଉଥିବା ରାସ୍ତାରେ ବିଶୁଦ୍ଧ ପାନୀୟ ଜଳର ବ୍ୟବସ୍ଥା ହୋଇପାରି ନାହିଁ। ଗୋଟିଏ ପରେ ଗୋଟିଏ ନିର୍ବାଚନ ଆସୁଛି। କିନ୍ତୁ ନେତାମାନେ କେବଳ ପାନୀୟ ଜଳର ବ୍ୟବସ୍ଥା ନେଇ ପ୍ରତିଶ୍ରୁତି ଦେଉଛନ୍ତି। ନେତାଙ୍କ ପ୍ରତିଶ୍ରୁତି ପୂରଣ ହେଉ ନାହିଁ। ଏହି କାରଣରୁ କିଛି ଦିନ ହେଲା ରାଜ୍ୟର ଜନତାମାନେ ନେତାଙ୍କୁ ଦେଖି ଅଭିନବ ପ୍ରତିବାଦ କରୁଛନ୍ତି। କିଛି ସ୍ଥାନରେ ଜନତା ଏଥର ଭୋଟ୍‌ ପ୍ରକ୍ରିୟାରେ ସାମିଲ ନ ହେବାକୁ ମଧ୍ୟ ଚେତାବନୀ ଦେଇଛନ୍ତି।

ଜଳ ଜୀବନ ମିସନ, ବସୁଧା ଯୋଜନା

ସହରାଞ୍ଚଳ ତୁଳନାରେ ଗ୍ରାମାଞ୍ଚଳରେ ଜଳ କଷ୍ଟ ଅଧିକ। ‌ଗ୍ରାମାଞ୍ଚଳରେ ପାନୀୟ ଜଳର ସ୍ଥାୟୀ ସମାଧାନ ପାଇଁ କେନ୍ଦ୍ର ସରକାର ୨୦୧୯ରେ ଜଳ ଜୀବନ ମିସନର ଶୁଭାରମ୍ଭ କରିଥିଲେ। ଏହା ପୂର୍ବରୁ ରାଜ୍ୟ ସରକାର ୨୦୧୮ ନଭେମ୍ବର ୨୩ରୁ ଗ୍ରାମାଞ୍ଚଳରେ ପାନୀୟ ଜଳ ସମସ୍ୟାର ସମାଧାନ ପାଇଁ ବସୁଧା ଯୋଜନା ଆରମ୍ଭ କରିଛନ୍ତି। ହର ଘର ନଲ ଅର୍ଥାତ ପ୍ରତ୍ୟେକ ଘରକୁ ପାଇପ୍‌ ମାଧ୍ୟମରେ ପାଣି ଦେବା ପାଇଁ କେନ୍ଦ୍ର ସରକାର ଯୋଜନା କରିଥିବା ବେଳେ ରାଜ୍ୟ ସରକାର ଏହି କାମକୁ ପୂରା କରିବାରେ ବିଫଳ ହୋଇଛନ୍ତି। ଅନ୍ୟପଟରେ ରାଜ୍ୟ ସରକାର ଦୁଇ ବର୍ଷ ପୂର୍ବରୁ ପାନୀୟ ଜଳ ଯୋଗାଣ କ୍ଷେତ୍ରରେ ଅନ୍ତର୍ଜାତୀୟ ପୁରସ୍କାର ଗ୍ରହଣ କରିଛନ୍ତି, ଯାହାକି ହାସ୍ୟସ୍ପଦ। ସରକାରଙ୍କ ଏହି ବୃହତ୍‌ ମେଗା ପାନୀୟ ପ୍ରକଳ୍ପ ସଫଳ ହୋଇ ନଥିବା ବେଳେ ଲୋକେ ପାଣି ପାଇବା ପାଇଁ ଅସ୍ତବ୍ୟସ୍ତ ହେଉଛନ୍ତି, ଯେଉଁଥି ପାଇଁ ଚଳିତ ନିର୍ବାଚନରେ ନେତାଙ୍କୁ ବିରୋଧ କରୁଛନ୍ତି ଓ ଭୋଟ୍‌ ବର୍ଜନ ଚେତାବନୀ ଦେଉଛନ୍ତି।  

ହୀନସ୍ତା ହେଲେ ବିଧାୟକ, ବିଧାୟକ ପ୍ରାର୍ଥୀ

ପାନୀୟ ଜଳ ସମସ୍ୟା ନେଇ ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ବ୍ଲକ୍ ଉଢୁରା ଗାଁରେ ନିକଟରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା। ସରୋଡ଼ା ନିର୍ବାଚନମଣ୍ଡଳୀ ଅଧୀନରେ ଥିବା ଏହି ଗାଁକୁ ବିଜେଡି ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ ଓ ତାଙ୍କ ପତ୍ନୀ ତଥା ବିଧାୟକ ପ୍ରାର୍ଥୀ ସଂଘମିତ୍ରା ସ୍ୱାଇଁ ପ୍ରଚାର କରିବାକୁ ଯାଇଥିଲେ। ଏ ସମ୍ପର୍କରେ ଗାଁ ଲୋକେ ଆଗୁଆ ଜାଣିପାରି ବିଧାୟକଙ୍କୁ ସ୍ୱାଗତ କରିବା ପାଇଁ ଲାଗି ପଡ଼ିଲେ। କିଏ ନିଜ ଘର ଆଗରେ ଗରା, ହାଣ୍ଡି, ଡ୍ରମ, ବାଲ୍‌ଟି ଓଲଟାଇ ରଖିଥିଲେ। ଡହଡହ ଖରାରେ ବିଧାୟକ ଓ ତାଙ୍କ ପତ୍ନୀ ବିଜେଡି ଛତା ତଳେ ବେକରେ ଫୁଲମାଳ ପକାଇ ବାଜା ବଜାଇ ଗାଁ ଦାଣ୍ଡ ଅତିକ୍ରମ କରିଥିଲେ। ଆଉ ସାଥୀରେ ଥିଲେ ସେମାନଙ୍କ ସହକର୍ମୀ। ଗାଁ ଦାଣ୍ଡ ଅତିକ୍ରମ କଲା ବେଳେ ନେତାମାନେ ଦେଖିଲେ ଲୋକଙ୍କ ଅଭିନବ ପ୍ରତିବାଦର ଚିତ୍ର। ପାନୀୟ ଜଳ ପାଇଁ ଗାଁ ଲୋକଙ୍କ ଏଭଳି ଅଭିନବ ପ୍ରତିବାଦ, ନେତାଙ୍କୁ ଉଚିତ ଜବାବ ମିଳିଛି ବୋଲି ମତପ୍ରକାଶ ପାଇଥିଲା। ଗାଁରେ ଦୀର୍ଘ ଦିନ ଧରି ରହିଛି ପାନୀୟ ଜଳ ସମସ୍ୟା। ବହୁ ନେହୁରା ହେବା ପରେ ଗାଁରେ ପାନୀୟ ଜଳ ପ୍ରକଳ୍ପ କରାଗଲା। ପାନୀୟ ଜଳ ଯୋଗାଣ ପାଇଁ ପାଣି ଟାଙ୍କି ଓ ପ୍ରତି ଘରକୁ ପାଇପ୍ ବିଛାଗଲା। ପ୍ରତି ଛକରେ ଷ୍ଟାଣ୍ଡ ପୋଷ୍ଟ ନିର୍ମାଣ କରାଗଲା। ହେଲେ ସେଥିରୁ ପାଣି ଆସୁନି। ଷ୍ଟାଣ୍ଡ ପୋଷ୍ଟ ଶୁଖିଲା ପଡିଛି। ଅନ୍ୟପଟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଂଜାମରୁ ପ୍ରତିନିଧିତ୍ବ କରୁଛି ବୋଲି ବଡ଼ ଫୁଟାଣି ମାରନ୍ତି।

ଭୋଟ୍‌ ବର୍ଜନ ନିଷ୍ପତ୍ତି

ଗତ ୧୮ ତାରିଖର ଘଟଣା। କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ୍‌ ଉପରଦୁଣ୍ଡା ଓ ତଳଦୁଣ୍ଡାବାସୀ ରାସ୍ତା ଓ ପାଣି ଦାବିରେ ନିର୍ବାଚନ ସମୟରେ ଭୋଟ୍‌ ବର୍ଜନ ପାଇଁ ନିଷ୍ପତ୍ତି ନେଇଥିଲେ। ଦୁନ୍ଦେଲମାଲ ପଞ୍ଚାୟତର ଅଧୀନ ଉପରଦୁଣ୍ଡା ଓ ତଳଦୁଣ୍ଡାର ଚାରିପାର୍ଶ୍ବରେ ବଣଜଙ୍ଗଲ ଓ ପାହାଡ଼ପର୍ବତ। ଏହି ଦୁଇଟି ଗାଁରେ ଅନୁସୂଚିତ ଜାତି ଓ ଜନଜାତି ସମ୍ପ୍ରଦାୟର ୫୦୦ରୁ ଅଧିକ ପରିବାର ବସବାସ କରୁଛନ୍ତି। ପଞ୍ଚାୟତକୁ ଆସିବାକୁ ପାଇଁ ୧୬ କିମି ଯିବାକୁ ପଡ଼ିଥାଏ। ଜୁନାଗଡ଼ ବ୍ଲକ୍ ଅଫିସ୍‌ର ଦୂରତା ୨୬ କିମି। ରାସ୍ତା ନ ଥିବା ଯୋଗୁଁ ଲୋକେ ପାହାଡ଼ ଚଢ଼ି ବିପଦସଂକୁଳ ଭାବରେ ଯିବାଆସିବା କରନ୍ତି। ପାଣି ସହିତ ଅନ୍ୟ ଅସୁବିଧା ମଧ୍ୟ ରହିଛି।ନିର୍ବାଚନ ଆସିଲେ ନେତା ପହଞ୍ଚନ୍ତି। ପ୍ରତିଶ୍ରୁତି ମିଳିଥାଏ ସତ। କିନ୍ତୁ ତାହା ପୂରଣ ହୋଇ ନଥାଏ। ସମସ୍ୟା ଏତିକିରେ ଅଟକି ନାହିଁ। ଯଦି କୌଣସି ରୋଗଗ୍ରସ୍ତ ଲୋକ, ଗର୍ଭବତୀ କିମ୍ବା ପ୍ରସୂତିଙ୍କୁ ଡାକ୍ତରଖାନାକୁ ନେବାକୁ ହେଲେ ଖଟିଆରେ ବୋହି ଥୁଆମୂଳ ରାମପୁର ଅଞ୍ଚଳର କିଆପଦର ଦେଇ ୩୭ କିମି ଭବାନୀପାଟଣା ଡାକ୍ତରଖାନାକୁ ନେଇଥାନ୍ତି। ଗାଁରେ ୨ ନଳକୂଅ ଓ ଗୋଟିଏ ସୋଲାର ପମ୍ପ ରହିଛି। ଗୋଟିଏ ନଳକୂଅ ଓ ସୋଲାର ପମ୍ପ ଖରାପ ହୋଇଛି।

ହଟହଟା ହେଲେ ବିଧାୟକ

କେନ୍ଦୁଝର ଜିଲ୍ଲା ଘସିପୁରା ବ୍ଲକ୍ କେଶଦୁରାପାଳ ପଞ୍ଚାୟତ କୁରାଳସାହିରେ ମଙ୍ଗଳା ମନ୍ଦିର ପ୍ରତିଷ୍ଠା ଉତ୍ସବରେ ଯୋଗଦେବାକୁ ଯାଇଥିବା ବେଳେ ଗତ ୧୯ ତାରିଖ ଦିନ ଘସିପୁରାର ବିଜେଡି ବିଧାୟକ ପ୍ରାର୍ଥୀ ବଦ୍ରିନାରାୟଣ ପାତ୍ର ହଟହଟା ହୋଇଥିଲେ। ଗ୍ରାମର ଶତାଧିକ ମହିଳା ପାନୀୟଜଳ ସମସ୍ୟା ନେଇ ଶ୍ରୀ ପାତ୍ରଙ୍କୁ ଘେରାଉ କରିଥିଲେ। ‘ପାଣି ନାହିଁ ତ ଭୋଟ ନାହିଁ’ବୋଲି ମହିଳାମାନେ ଶ୍ରୀ ପାତ୍ରଙ୍କୁ ସଫା ସଫା ଶୁଣାଇ ଦେଇଥିଲେ। ଅଧଘଣ୍ଟା ଧରି ମହିଳାଙ୍କୁ ବୁଝାସୁଝା କରିବା ପରେ ଶ୍ରୀ ପାତ୍ର ସେଠାରୁ ମୁକୁଳିଥିଲେ।  

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments