ଭୁବନେଶ୍ବର: ଓଡ଼ିଶା ଏକ ସ୍ବତନ୍ତ୍ର ରାଜ୍ୟ ଭାବେ ୧୯୩୬ ମସିହା ଏପ୍ରିଲ ୧ ତାରିଖ ଦିନ ଗଠନ ହେଇଥିଲା। ଏହାରି ମଧ୍ୟରେ ୮୮ ବର୍ଷ ବିତି ସାରିଛି। ରାଜ୍ୟର କ୍ଷମତା ୫୦ ବର୍ଷ ପାଇଁ କଂଗ୍ରେସ ହାତରେ ଥିଲା। ୨୦୦୦ ମସିହା ଠାରୁ କ୍ରମାଗତ ଭାବେ ୨୪ ବର୍ଷ ହେଲା ବିଜୁ ଜନତା ଦଳ (ବିଜେଡି) କ୍ଷମତାରେ ରହିଛି। ବାକି ୧୨ ବର୍ଷ ଅନ୍ୟ ଦଳ ଶାସନ କରିଛନ୍ତି। କିନ୍ତୁ କ୍ଷୋଭର ବିଷୟ ହେଲା ଯେ, ଯେଉଁ ରାଜ୍ୟର ବିକାଶିତ ରାଜ୍ୟ ତାଲିକାରେ ପ୍ରଥମ ରହିବା କଥା, ତାହା ତାଲିକାର ତଳଆଡୁ ଅଗ୍ରଣୀ ଲାଭ କରିଛି। ପଡ଼ୋଶୀ ଛତିଶଗଡ଼କୁ ୨୪ ବର୍ଷ ଓ ତେଲେଙ୍ଗାନାକୁ ୧୦ ବର୍ଷ ହୋଇଛି। କିନ୍ତୁ ସାମଗ୍ରିକ ବିକାଶ କ୍ଷେତ୍ରରେ ଏହି ୨ଟି ରାଜ୍ୟ ଓଡ଼ିଶା ତୁଳନାରେ ବହୁ ଆଗରେ। ଗୋଟିଏ ଦୃଶ୍ୟ ମନେ ହୁଏ, ପୁରୀ-ଦୁର୍ଗ ଏକ୍ସପ୍ରେସ୍ ଟ୍ରେନ୍ରେ ଆପଣ ଯଦି ଯାତ୍ରା କରିବେ, ଛତିଶଗଡ଼ରେ ଦେଖିବେ ଉତ୍ତମ ଜଳସେଚନ, କଳକାରଖାନାର ବ୍ୟବସ୍ଥା। ଯେଉଁମାନେ ଚାଷ ସହିତ ଜଡ଼ିତ ନୁହଁନ୍ତି, କଳକାରଖାନାରେ କାମ କରି ରୋଜଗାର କରନ୍ତି। ଓଡ଼ିଶାରେ କିନ୍ତୁ ଜମିକୁ ଜଳସେଚନର ଉପଯୁକ୍ତ ବ୍ୟବସ୍ଥା ନାହିଁ। କାରଖାନା ମଧ୍ୟ ନାହିଁ। ସେଥି ପାଇଁ ଆମେ ଦାଦନ ଖଟିବାରେ ୧ ନମ୍ବର ରାଜ୍ୟ। ଓଡ଼ିଶାରେ ଜମି, ଜଳ ଓ ଜଙ୍ଗଲ ପରିପୂର୍ଣ୍ଣ ଥାଇ ମଧ୍ୟ ବିକାଶ ହୋଇପାରୁ ନାହିଁ। କିନ୍ତୁ ବିଜେଡି ସରକାର ସବୁବେଳେ କହୁଛି ଯେ, ରାଜ୍ୟର ବିରୋଧୀ ବିକାଶକୁ ସହି ପାରୁ ନାହିଁ ଓ ଅପପ୍ରଚାର କରୁଛନ୍ତି।
୨୦୨୬ରେ ବିକଶିତ ରାଜ୍ୟ
ନବୀନ ପଟ୍ଟନାୟକ ୨୦୦୦ ମସିହା ଠାରୁ ରାଜ୍ୟର ମୁଖ୍ୟମନ୍ତ୍ରୀ ଅଛନ୍ତି। ଚଳିତ ନର୍ବାଚନରେ ବିଜୟୀ ହୋଇ ୬ଷ୍ଠ ଥର ମୁଖ୍ୟମନ୍ତ୍ରୀ ହେବେ ବୋଲି ଦୃଢ଼ୋକ୍ତି ବାଢ଼ିଛନ୍ତି। ସେ ଓଡ଼ିଶାକୁ ଦେଶର ୧ ନମ୍ବର ବିକଶିତ ରାଜ୍ୟ କରିବା ପାଇଁ ୨୦୩୬ ମସିହାକୁ ଅପେକ୍ଷା କରିବାକୁ ପଡ଼ିବ ବୋଲି କହିଛନ୍ତି। ନବୀନ ସରକାରରେ ୨୦୩୬ ପର୍ଯ୍ୟନ୍ତ ରହିବେ ନା ରାଜ୍ୟକୁ ଅନ୍ୟ କେଉଁ ଦଳ ଶାସନ କରିବ ତାହା ସମୟ କହିବ। କିନ୍ତୁ ୧ ନମ୍ବର ରାଜ୍ୟ ହେବା ପୂର୍ବରୁ ନବୀନ ୨୪ ବର୍ଷ ଶାସନ କରିଥିବା ବେଳେ ମଧ୍ୟ ଦେଶର ଶ୍ରେଷ୍ଠ ୨୦ ବିକଶିତ ରାଜ୍ୟ ତାଲିକାରେ ନାହିଁ। ତେବେ ଆଉ ୧୨ ବର୍ଷ ଯଦି ବିଜେଡି ସରକାରରେ ରହିବ, ଏତେ ଶୀର୍ଘ କୁଦାମାରି ଶୀର୍ଷ ସ୍ଥାନକୁ ପହଞ୍ଚିବା ମଧ୍ୟ ସନ୍ଦେହ ହେଉଛି। ନିର୍ବାଚନ ପରିପ୍ରେକ୍ଷୀରେ ନବୀନ ଗତ ୨୪ ତାରିଖରେ ଗଂଜାମ ଜିଲ୍ଲା ହିଞ୍ଜିଳି ଓ ଶେରଗଡ଼ରେ ନବୀନ ପଟ୍ଟନାୟକଙ୍କ ଭାଷଣଙ୍କୁ ବିରୋଧୀମାନେ ଉପହାର କରିବାକୁ ମଧ୍ୟ ପଛାଉ ନାହାନ୍ତି।
୫ ବର୍ଷରେ ଓଡ଼ିଶା ଦେଖିବ ବିକାଶ
କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଗତ ୨୫ ତାରିଖ ଦିନ ସୁବର୍ଣ୍ଣପୁର ଜିଲ୍ଲା ସୋନପୁରରେ ବିଜୟ ସଂକଳ୍ପ ସମାବେଶକୁ ସମ୍ବୋଧିତ କରିଥିଲେ। ଏହି ଅବସରରେ ସେ ଉଭୟ ବିଜେଡି ଓ କଂଗ୍ରେସକୁ ଟାର୍ଗେଟ କରିଥିଲେ। ଓଡ଼ିଶାରେ ଜମି, ଜଳ, ଜଙ୍ଗଲ ଓ ଖଣି ପ୍ରଚୁର ପରିମାଣରେ ଅଛି। ଏଗୁଡ଼ିକ ସୁବିନିଯୋଗ ହୋଇପାରୁ ନଥିବାରୁ ଓଡ଼ିଶା ଗରିବ ହୋଇ ରହିଛି। ଓଡ଼ିଶାର ଲୋକେ ଦିଲ୍ଲୀ, ମୁମ୍ବାଇ, ବେଙ୍ଗାଲୁରୁ, ତାମିଲନାଡୁ ଓ ଗୁଜରାଟ ଦାଦନ ଖଟିବାକୁ ଯାଉଛନ୍ତି। ଏଠାରେ କଳଖାରଖାନା ପ୍ରତିଷ୍ଠା କରି ଓଡ଼ିଆ ଲୋକଙ୍କୁ ରୋଜଗାର ଦିଆଗଲେ ଲୋକଙ୍କୁ ଆଉ ଦାଦନ ଯିବାକୁ ପଡ଼ିବ ନାହିଁ। କିନ୍ତୁ ଅପରାଗ ନବୀନ ସରକାର ଏହା କରିପାରୁ ନାହାନ୍ତି। କେନ୍ଦ୍ର ସରକାର ଓଡ଼ିଶାର ବିକାଶ ପାଇଁ ଯେତିକି ଟଙ୍କା ଦେଉଛନ୍ତି, ତାହା ମଧ୍ୟ ବ୍ୟବହାର ହୋଇପାରୁ ନାହିଁ। ତେଣୁ ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଦରକାର। ଓଡ଼ିଶାବାସୀ ବିଜେପିକୁ ୫ ବର୍ଷର ସେବା କରିବାକୁ ସୁଯୋଗ ଦିଅନ୍ତୁ। ବିକାଶ କରି ଦେଖାଇବୁ ବୋଲି ଶାହ କହିଛନ୍ତି।
ଆମ ପାଖରେ କ’ଣ ଅଛି ସମ୍ବଳ
ଓଡ଼ିଶାର ଜମି, ଜଳ, ଜଙ୍ଗଲ ଓ ଖଣିର ଅଭାବ ନାହିଁ। କିନ୍ତୁ ଏଗୁଡ଼ିକର ସଦ୍ବିନିଯୋଗ ହୋଇପାରୁ ନାହିଁ। ଆଉ ଏହା ବାସ୍ତବ ମଧ୍ୟ। ପ୍ରଥମେ ଜମି କଥା ଚିନ୍ତା କରିବା। ରାଜ୍ୟରେ ଧାନ ଚାଷ ଆଖି ଦୃଶିଆ ଭଳି ଲାଗିଥାଏ। ମାତ୍ର ବାକି ଚାଷ କାଁ ଭାଁ ହେଉଛି। ଖରିଫ ଋତୁରେ ଯଦିଓ ଧାନ ଚାଷ ଉତ୍ସାହ ଜନକ, ରବି ଚାଷ ସନ୍ତୋଷ ଜନକ ନୁହେଁ। ବହୁତ କମ ଅଞ୍ଚଳରେ ରବି ଚାଷ ହେଉଛି। ଅର୍ଥାତ ରବିଋତୁରେ ରାଜ୍ୟର ଅଧିକ ଜମି ପଡ଼ିଆ ପଡୁଛି। କୋଟିଆ ଉପରେ ଯେପରି ଆନ୍ଧ୍ର ସରକାର ନଜର ରଖିଛନ୍ତି। ସେହିପରି ଓଡ଼ିଶାର ଖାଲି ପଡିଥିବା ପଡ଼ିଆ ଜମି ଉପରେ ଆନ୍ଧ୍ରର କପାଚାଷୀ ନଜର ପକାଇଛନ୍ତି। ଆମର ଏଠାରେ ଜଳ ସମ୍ବଳର ସୁବିନିଯୋଗ ହୋଇପାରୁ ନାହିଁ। ଆନିକଟ ଅଭାବ ଯୋଗୁଁ ବର୍ଷାଜଳ ସମୁଦ୍ରରେ ବୋହି ଯାଉଛି। ଅଥଚ ସରକାର ଦରକାର ପଡ଼ିଲେ ନିଜ ଦୋଷକୁ ଛତିଶଗଡ଼ ଉପରେ ଲଦି ଦିଅନ୍ତି। ପ୍ରାକୃତିକ ସଂପଦ ଜଙ୍ଗଲର ମଧ୍ୟ ଅଭାବନ ନାହିଁ। କିନ୍ତୁ ଜଙ୍ଗଲ ସୁରକ୍ଷିତ ନୁହେଁ। ପ୍ରାକୃତିକ ହେଉ ବା କୃତିମ ହେଉ ଗ୍ରୀଷ୍ମଋତୁରେ ପ୍ରତିବର୍ଷ ନିଆଁ ଲାଗି ନଷ୍ଟ ହେଉଛି। ଏହା ଦ୍ବାରା ବନ୍ୟଜନ୍ତୁ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହେଉଛନ୍ତି। ରାଜ୍ୟରେ ପ୍ରଚୁର ମାତ୍ରାରେ ଖଣିଜ ସଂପଦ ରହିଛି। ଏଥିରୁ ରାଜ୍ୟ ସରକାର ଭଲ ରାଜସ୍ବ ପାଆନ୍ତି। କିନ୍ତୁ କ୍ଷୋଭର କଥା ହେଲା ଯେ, ଖଣି କାମରେ ଓଡ଼ିଶାର ଯୁବପିଢ଼ିଙ୍କୁ ରୋଜଗାର ମିଳି ନଥାଏ। ବାହାର ରାଜ୍ୟର ଲୋକ ଆସି ଏଠାରେ କାମ କରନ୍ତି।
କିଏ କହୁଛନ୍ତି ସତ?
ବିଜେଡି ସରକାର କହିବା ଅନୁସାରେ ରାଜ୍ୟର ବିକାଶ ହେଉଛି। ଯଦି ବିକାଶ ହେଉଛି ତା‘ହେଲେ ଏବେ ଗ୍ରୀଷ୍ମଋତୁରେ ରାଜ୍ୟର ଉପାନ୍ତ ଓ ଦୁର୍ଗମ ଅଞ୍ଚଳରେ କେବଳ ନୁହେଁ, ରାଜଧାନୀ ଭୁବନେଶ୍ବର ଜିଲ୍ଲା ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଶତାଧିକ ମହିଳା ୧୫କିମି ଚାଲିଚାଲି ଆସି ପାନୀୟ ଜଳ ଦାବି କରୁଛନ୍ତି। କେବଳ ଖୋର୍ଦ୍ଧାରେ ନୁହେଁ, ରାଜ୍ୟବ୍ୟାପୀ ଏହି ସମସ୍ୟା ରହୁଛି। ରୋଗୀଙ୍କୁ କାହିଁକି ନିଜ ଅଞ୍ଚଳରେ ଉପଯୁକ୍ତ ସ୍ବାସ୍ଥ୍ୟ ସେବା ମିଳିପାରୁ ନାହିଁ। କିଛି ବଡ଼ରୋଗ ଓ ବଡ଼ ଦୁର୍ଘଟଣାର ସାମ୍ନା କରୁଥିବା ଲୋକଙ୍କୁ କଟକ ବଡ଼ମେଡିକାଲ ଅଥବା ଏମ୍ସକୁ ଆସିବାକୁ ପଡୁଛି। ଆମ୍ବୁଲାନ୍ସ ସେବା ନମିଳିବାରୁ ଗର୍ଭବତୀ ଓ ରୋଗୀଙ୍କୁ ଖଟିଆରେ ବୁହାହେଉଛି। ରୋଜଗାର ମିଳୁ ନଥିବାରୁ ୩୦ ଲକ୍ଷରୁ ଅଧିକ ପ୍ରବାସୀ ଓଡ଼ିଆ ବାହାର ରାଜ୍ୟରେ ଦାଦନ ଖଟୁଛନ୍ତି। ଖବରକାଗଜ ଓଲଟାଇଲେ ଜଳଜଳ ସମସ୍ୟା ଦେଖାଯାଉଛି। ଏହିସବୁ ସମସ୍ୟା ସତ କି ନାହିଁ ସରକାର ତା’ର ସ୍ପଷ୍ଟୀକରଣ ରଖିବା ଉଚିତ। ବିକାଶ ତାକୁ କୁହାଯାଇ ପାରିବ, ଯେଉଁଠିକାର ଜନତା ଶିକ୍ଷା, ସ୍ବାସ୍ଥ୍ୟ ଓ ଗମନାଗମନର ଭରପୁଲ ସୁବିଧା ପାଉଥିବେ। ସରକାରଙ୍କ ମାଗଣା ଯୋଜନାକୁ ଅପେକ୍ଷା ନକରି ନିଜେ ରୋଜଗାରକ୍ଷମ ହୋଇଥିବେ। ସରକାରଙ୍କ କାମ ମାଗଣା ଦେବା ପାଇଁ। ବିକାଶ ପାଇଁ ଭିତ୍ତିଭୂମିକୁ ସୁଦୃଢ଼ କରିବା।